୩ ବର୍ଷରେ ୧୭ ହଜାରରୁ ଅଧିକ ଡ୍ରପ୍ଆଉଟ୍
ଭୁବନେଶ୍ବର: ରାଜ୍ୟରେ ଉଚ୍ଚଶିକ୍ଷାକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। ଗତ ତିନିଟି ଶିକ୍ଷାବର୍ଷରେ ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରୁ ୧୭ ହଜାର ୨୫୦ ଜଣ ସ୍ନାତକ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ବିଧାନସଭାରେ ଶୁକ୍ରବାର ଏହି ତଥ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କଂଗ୍ରେସ ବିଧାୟକ କାଦ୍ରକା ଅପ୍ପଲା ସ୍ୱାମୀଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ରେ ୫,୩୮୯ ଜଣ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଥିଲେ। ୨୦୨୪-୨୫ରେ ଏହି ସଂଖ୍ୟା ୬,୪୦୨କୁ ବୃଦ୍ଧି ପାଇଥିବା ବେଳେ ୨୦୨୫-୨୬ରେ ୫,୪୫୯ ଜଣ ଅଧାରୁ ଅଧ୍ୟୟନ ବନ୍ଦ କରିଛନ୍ତି। ଜିଲ୍ଲା ଅନୁସାରେ ଗଞ୍ଜାମରେ ସର୍ବାଧିକ ୬୪୬ ଜଣ ଡ୍ରପ୍ଆଉଟ୍ ହୋଇଛନ୍ତି। ଏହା ପଛକୁ ମୟୂରଭଞ୍ଜରେ ୫୩୮ ଜଣ ଛାତ୍ରଛାତ୍ରୀ ପାଠ ଛାଡ଼ିଛନ୍ତି।
ଏପଟେ କଲେଜ ଓ ଅନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଖାଲି ପଡ଼ୁଥିବା ଆସନ ସଂଖ୍ୟା ମଧ୍ୟ କମୁନାହିଁ। ୨୦୨୫-୨୬ ଶିକ୍ଷାବର୍ଷରେ ୭୯,୯୬୧ଟି ଆସନ ଖାଲି ରହିଥିଲା। ୨୦୨୪-୨୫ରେ ୭୩,୦୨୦ ଏବଂ ୨୦୨୩-୨୪ରେ ୮୫,୫୩୫ଟି ଆସନରେ ନାମଲେଖା ହୋଇପାରିନଥିଲା। ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ଦେଖାଯାଇଛି। ଏହି ବିଭାଗରେ ୨୦୨୫-୨୬ରେ ୩୦୯ଟି ଆସନ ଖାଲି ପଡ଼ିଛି। ତୁଳନାରେ ୨୦୨୪-୨୫ରେ ୧୪୧ଟି ଏବଂ ୨୦୨୩-୨୪ରେ ୧୫୪ଟି ଆସନ ଖାଲି ରହିଥିଲା। ଗତ ଶିକ୍ଷାବର୍ଷ ତୁଳନାରେ ଚଳିତ ବର୍ଷ ଏହି ପାଠ୍ୟକ୍ରମରେ ଖାଲି ଆସନ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି।