ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ରେ ବାଣଫୁଟା ଉପରେ କଟକଣା ଲଗାଇବା ଦାବି ସମ୍ପର୍କିତ ମାମଲାର ଶୁଣାଣି କରି ପରିବେଶ ସୁରକ୍ଷା ସହ ଧାର୍ମିକ ଭାବନାର ସମ୍ମାନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଦୂଷଣ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ଧାର୍ମିକ ଭାବନାକୁ ଆଘାତ ନଦେଇ କମ୍ ପ୍ରଦୂଷଣକାରୀ ଉପାୟରେ ପର୍ବପର୍ବାଣି ପାଳନ କରିବା ଉଚିତ। ବାଣଫୁଟା ଯୋଗୁଁ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ବୋଲି ମଧ୍ୟ କୋର୍ଟ ମତ ଦେଇଛନ୍ତି।
ଶୁଣାଣି ସମୟରେ ନ୍ୟାୟମିତ୍ର ତଥା ବରିଷ୍ଠ ଓକିଲ ଅପରାଜିତା ସିଂହ କହିଥିଲେ ଯେ ଭଗବାନଙ୍କ ନାମରେ ପର୍ବ ପାଳନ କରିବା ସମୟରେ ପିଲାମାନେ ଯଦି କଷ୍ଟ ପାଆନ୍ତି ଓ ଅସୁସ୍ଥ ହୁଅନ୍ତି, ତେବେ ଏହା ଚିନ୍ତାର ବିଷୟ।
ଏହାର ଜବାବରେ ପ୍ରଧାନ ବିଚାରପତି କହିଥିଲେ ଯେ ଲୋକଙ୍କୁ ବୁଝାଇବା ସହ ବାଣର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନ କରିବାକୁ ହେବ। କେଉଁ ପ୍ରକାର ବାଣ ଅଧିକ ପ୍ରଦୂଷଣ ସୃଷ୍ଟି କରେ, ସେ ସମ୍ପର୍କରେ ମଧ୍ୟ ଜଣାଇବା ଜରୁରୀ। ପାରମ୍ପରିକ ରୀତିନୀତି ଅନୁସରଣ କରି ଝୁରୁଝୁରି ଓ ଦୀପ ଜଳାଇ ପର୍ବ ପାଳନ କରିବାକୁ ସେ ପ୍ରୋତ୍ସାହିତ କରିଥିଲେ। ଅନ୍ୟପକ୍ଷରେ, କଟକଣା ଲାଗୁ କରିବା ସହ ତାହାର ଠିକ୍ ଅନୁପାଳନ ସୁନିଶ୍ଚିତ ନକଲେ ଏହା ପ୍ରଭାବହୀନ ହୋଇପଡ଼ିବ ବୋଲି ନ୍ୟାୟମିତ୍ର ଚେତାଇ ଦେଇଥିଲେ।