ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଓ ନିର୍ବାଚନ କମିଶନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଦର୍ଶାଇ ଇଣ୍ଡିଆ ମେଣ୍ଟର ନେତାମାନଙ୍କ ସହ ବୈଠକ କରିବାକୁ ମନା କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ତେବେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ସେ କହିଛନ୍ତି।
କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ନେତାମାନେ କଥିତ ଭୋଟ ଚୋରି ରୋକିବା, ଏସ୍ଆଇଆର୍ ପ୍ରକ୍ରିୟା ବାତିଲ କରିବା, ଇଭିଏମ୍ ହଟାଇବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ସିଜେଆଇଙ୍କୁ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ସାକ୍ଷାତ୍ ପାଇଁ ସମୟ ମାଗିଥିଲେ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ବୈଠକ ପାଇଁ ଅନୁରୋଧପତ୍ର ମିଳିବା ପରେ ସେ ପୂର୍ବ ରାତିରେ ହିଁ ନିଜର ଅସମର୍ଥତା ଜଣାଇ ଦେଇଥିଲେ। କୌଣସି ନାଗରିକ କିମ୍ବା ନିର୍ବାଚିତ ପ୍ରତିନିଧି ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇପାରିବେ। ମୌଳିକ ଅଧିକାରର ସୁରକ୍ଷା ପାଇଁ ନେତାମାନେ ଉପଯୁକ୍ତ ଆଇନଗତ ପଦକ୍ଷେପ ନେଇପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କିତ ମାମଲାଗୁଡ଼ିକ ମଙ୍ଗଳବାର ଶୁଣାଣି ପାଇଁ ତାଲିକାଭୁକ୍ତ ଥିବାରୁ ନୂଆ ଆବେଦନର ମଧ୍ୟ ଶୁଣାଣି ହୋଇପାରିବ।
ଅନ୍ୟପଟେ, ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀର କେନ୍ଦ୍ରୀୟ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୋଲିସ ସହ ରାପିଡ୍ ଆକ୍ସନ ଫୋର୍ସ ଓ ସିଆର୍ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ସୁରକ୍ଷା କାରଣରୁ ଦିଲ୍ଲୀ ମେଟ୍ରୋର ୬ଟି ଷ୍ଟେସନରେ ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଥିବା ସୂଚନା ମିଳିଛି।