ଭୁବନେଶ୍ବର: ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ୨୦୨୬ ମସିହାର ୩୪ତମ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଓ ସଫଳତା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ୭ ଲକ୍ଷ ଟଙ୍କାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯିବ।
ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ଏକଲବ୍ୟ ପୁରସ୍କାର କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ଏହା ସହିତ ହକି ଖେଳାଳି ଅମନଦୀପ ଲାକ୍ରା ଓ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀଙ୍କୁ ପ୍ରଶସ୍ତିପତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଉଭୟଙ୍କୁ ମାନପତ୍ର ସହ ୧.୫ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଦିଆଯିବ।
୧୯୯୩ ମସିହାରେ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରତିଷ୍ଠିତ ଏହି ପୁରସ୍କାର ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଦ୍ୱାରା ପରିଚାଳିତ। ଏହା ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ କ୍ରୀଡ଼ା ସମ୍ମାନ। ପ୍ରତିବର୍ଷ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ବିଗତ ଦୁଇ ବର୍ଷର ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ପୁରସ୍କାର ଘୋଷଣା କରି କମିଟିର ଅଧ୍ୟକ୍ଷ ତଥା ଇମ୍ପାକ୍ଟର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ଯୁବ କ୍ରୀଡ଼ାବିତ୍ମାନଙ୍କୁ ଉଚିତ ସ୍ୱୀକୃତି ଓ ପ୍ରୋତ୍ସାହନ ଦେବା ଜରୁରୀ। ଏକଲବ୍ୟ ପୁରସ୍କାର ତିନି ଦଶନ୍ଧିରୁ ଅଧିକ ସମୟ ଧରି ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କରିବା ସହ ନୂଆ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି। ବୈଠକର କାର୍ଯ୍ୟଧାରାକୁ କମିଟିର ଆବାହକ ଅଶ୍ୱିନୀ ପ୍ରସାଦ ମହାନ୍ତି ସଂଯୋଜନା କରିଥିଲେ।