ପରୀକ୍ଷାର୍ଥୀଙ୍କ ଯାତାୟାତ ଦାୟିତ୍ୱ ନେବେ ସରକାର
ଭୁବନେଶ୍ବର: ରାଜ୍ୟରେ ବନ୍ୟା ଓ ବାତ୍ୟା ପରିସ୍ଥିତି ସତ୍ତ୍ୱେ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ମେନ୍ ପରୀକ୍ଷା ଘୁଞ୍ଚିବ ନାହିଁ। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପରୀକ୍ଷା ଆଉ ଥରେ ଘୁଞ୍ଚିଲେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ପ୍ରାୟ ୬ ମାସ ପଛକୁ ଚାଲିଯିବ। ତେଣୁ ପୂର୍ବ ନିର୍ଦ୍ଧାରିତ ସମୟରେ ହିଁ ପରୀକ୍ଷା କରାଯିବ। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ଯାତାୟାତ ଦାୟିତ୍ୱ ସରକାର ନେବେ। ସେମାନଙ୍କୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ବିଡିଓମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ମଧ୍ୟ କରାଯିବ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ପ୍ରଭାବିତ ଅଞ୍ଚଳର ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏହି ସହାୟତା ପାଇବେ। ପୂର୍ବରୁ ବାତ୍ୟା ସ୍ଥିତି ଯୋଗୁଁ ପରିବର୍ତ୍ତିତ ସୂଚୀ ଅନୁଯାୟୀ ଅକ୍ଟୋବର ୩୧ରୁ ନଭେମ୍ବର ୭ ପର୍ଯ୍ୟନ୍ତ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ କୋରାପୁଟ, ଗଞ୍ଜାମ ଓ ମାଲକାନଗିରିର କେତେକ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବ୍ୟାହତ ହୋଇଛି। ବାତ୍ୟା ଯୋଗୁଁ ପ୍ରାୟ ୫୬ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ସରକାରୀ ଓ ଘରୋଇ ପରିବହନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା ଅନେକ ପରୀକ୍ଷାର୍ଥୀ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନେଇ ଚିନ୍ତାରେ ଅଛନ୍ତି।