ପୁରୀ: ପୁରୀ ଶ୍ରୀମନ୍ଦିରର ନାଟମଣ୍ଡପରେ ପ୍ରସ୍ତାବିତ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ସେବାୟତ ଓ ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପରିବର୍ତ୍ତନ କରାଯିବ। ବୁଧବାର ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ। ସେ କହିଛନ୍ତି, ପ୍ରସ୍ତାବିତ ବ୍ୟବସ୍ଥାକୁ ନେଇ ସେବାୟତ, ଛତିଶା ନିଯୋଗ ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଓ ବୈଷୟିକ ବିଶେଷଜ୍ଞଙ୍କ ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇଛି। ପ୍ରସ୍ତୁତ ନମୁନା ମଡେଲ୍କୁ ଯାଞ୍ଚ କରିବା ପରେ କିଛି ସଂଶୋଧନ ପାଇଁ ପରାମର୍ଶ ମିଳିଛି। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଓବିସିସି ଏହି ପ୍ରକଳ୍ପ କାର୍ଯ୍ୟ କରୁଛି। ଆଇଆଇଟି ଭୁବନେଶ୍ୱରର ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇଛି।
ଶ୍ରୀ ପାଢ଼ୀ କହିଛନ୍ତି, ନୂଆ ବ୍ୟବସ୍ଥା ଯୋଗୁଁ ଭୋଗମଣ୍ଡପ ସମେତ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଓ ପରମ୍ପରା ଯେପରି ପ୍ରଭାବିତ ନହୁଏ, ତାହାକୁ ପ୍ରାଥମିକତା ଦିଆଯିବ। ସେବାୟତଙ୍କ ପରାମର୍ଶ ଅନୁସାରେ ରାମ୍ପ୍ ବ୍ୟବସ୍ଥାରେ ସଂଶୋଧନ ପରେ ଏହାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ସମସ୍ୟା ଚିହ୍ନଟ ଓ ସମାଧାନ ପରେ ହିଁ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ।