ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ରାଜ୍ୟର ତିନିଟି ସହର ପୁରୀ, ଭୁବନେଶ୍ୱର ଓ ଆସିକା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ତାଲିକାରେ ପୁରୀ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଛି। ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସହରାଞ୍ଚଳରେ ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁର ସୁପରିଚାଳନା ଦିଗରେ ରାଜ୍ୟର ପ୍ରୟାସକୁ ଏହି ସଫଳତାର ଶ୍ରେୟ ଦିଆଯାଇଛି। ଏଥିସହ ସଫେଇ କର୍ମଚାରୀ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ସାଧାରଣ ନାଗରିକଙ୍କ ସହଭାଗିତାକୁ ମଧ୍ୟ ଏହା ସ୍ୱୀକୃତି ଦେଇଛି।
ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଅଧୀନରେ ଆୟୋଜିତ ଏହା ହେଉଛି ସ୍ୱଚ୍ଛ ସର୍ବେକ୍ଷଣର ଦଶମ ସଂସ୍କରଣ। ଚଳିତବର୍ଷ ନାଗରିକଙ୍କ ସହଭାଗିତା, ସହରାଞ୍ଚଳ ସଂସ୍ଥାର ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ସମାରୋହରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।