ପ୍ରମୁଖ ଖବର

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ୩ ବର୍ଷରେ ୧୭ ହଜାରରୁ ଅଧିକ ଡ୍ରପ୍‌ଆଉଟ୍‌
ସାମ୍ବାଦିକଙ୍କ ପାଇଁ ଖୋଲିଲା ‘ଶୀଶ ମହଲ’, ୫୮ କୋଟି ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ବାଲିଯାତ୍ରାରେ ଅଘଟଣ: ଆଜି ବନ୍ଦ ରହିବ ସମସ୍ତ ଦୋଳି
ଲୋକସଭା ଆସନ ୫୦% ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ସାମ୍ବାଦିକଙ୍କ ପାଇଁ ଖୋଲିଲା ‘ଶୀଶ ମହଲ’

0

୫୮ କୋଟି ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ନୂଆଦିଲ୍ଲୀ: ବିବାଦରେ ଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ‘ଶୀଶ ମହଲ’ ପ୍ରଥମ ଥର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଖୋଲାଯାଇଛି। ଶୁକ୍ରବାର ଦିଲ୍ଲୀ ସରକାର ସାମ୍ବାଦିକମାନଙ୍କୁ ଏହି ବଙ୍ଗଳା ପରିଦର୍ଶନ କରାଇଥିଲେ। ଏହି ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପରବେଶ ବର୍ମା ବାସଭବନର ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା ଓ ଏଥିପାଇଁ ହୋଇଥିବା ଖର୍ଚ୍ଚର ବିବରଣୀ ରଖିଥିଲେ।

ମନ୍ତ୍ରୀଙ୍କ ଅନୁଯାୟୀ, ବଙ୍ଗଳାରେ ୫.୪୭ ଲକ୍ଷ ଟଙ୍କାର ସୋଫା, ୧୧.୫୬ ଲକ୍ଷ ଟଙ୍କାର ଝୁମର, ୫.୫୮ ଲକ୍ଷ ଟଙ୍କାର ଚେୟାର, ୬.୭୯ ଲକ୍ଷ ଟଙ୍କାର ସେଣ୍ଟର ଟେବୁଲ୍‌ ଏବଂ ୫.୬୯ ଲକ୍ଷ ଟଙ୍କାର ପରଦା ଲଗାଯାଇଛି। ନିର୍ମାଣ ଓ ସାଜସଜ୍ଜା ପାଇଁ ମୋଟ ୫୮ କୋଟି ଟଙ୍କାର ବଜେଟ୍‌ ରହିଥିବା ସେ କହିଛନ୍ତି। ଏହା ସରକାରୀ ସମ୍ପତ୍ତି ହୋଇଥିବାରୁ ଜନସାଧାରଣଙ୍କ ଟଙ୍କାରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଲୋକଙ୍କୁ ଜଣାଇବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
କୋଭିଡ୍‌ ମହାମାରୀ ସମୟରେ ଏହି ବାସଭବନ ସମ୍ପର୍କିତ ନିର୍ମାଣ ଫାଇଲ୍‌ଗୁଡ଼ିକୁ ଜରୁରୀ ଭିତ୍ତିରେ ଅନୁମୋଦନ କରାଯାଉଥିବା ନେଇ ମଧ୍ୟ ପରବେଶ ଅଭିଯୋଗ କରିଛନ୍ତି। ପ୍ରକଳ୍ପର ପ୍ରତ୍ୟେକ ସାମଗ୍ରୀର ବିଲ୍‌ ଓ ରସିଦ ସରକାରଙ୍କ ପାଖରେ ଥିବା ସେ ଦାବି କରିଛନ୍ତି। ଏହି ବାସଭବନର ନବୀକରଣ ଖର୍ଚ୍ଚକୁ ନେଇ ପୂର୍ବରୁ ବିବାଦ ରହିଛି। ୨୦୨୬ ମାର୍ଚ୍ଚରେ ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ନବୀକରଣ ପାଇଁ ୩୩.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏବଂ ଏହା ପ୍ରାରମ୍ଭିକ ଆକଳନଠାରୁ ୩୪୨ ପ୍ରତିଶତ ଅଧିକ ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ମୋଟ ଖର୍ଚ୍ଚ ୫୮.୮୩ କୋଟି ଟଙ୍କା।

ସାମ୍ବାଦିକଙ୍କ ପରେ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବଙ୍ଗଳା ଖୋଲିବାକୁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି। ଅନଲାଇନ୍‌ ଟିକେଟ୍‌ ବୁକିଂ ସହ ପ୍ରବେଶ ଶୁଳ୍କ ପ୍ରାୟ ୨୦ ଟଙ୍କା ରଖିବାକୁ ବିଚାର ଚାଲିଛି। ବରିଷ୍ଠ ନାଗରିକ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରବେଶ ସୁବିଧା ଦେବା ନେଇ ମଧ୍ୟ ଆଲୋଚନା ହେଉଛି। ଏନେଇ ଚୂଡ଼ାନ୍ତ ଘୋଷଣା ହୋଇନାହିଁ। ଶନିବାରଠାରୁ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି ଏହି ବାସଭବନର ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ସମୟରେ ଏହାର ପରିଚାଳନା ଦାୟିତ୍ୱ ଏକ ଘରୋଇ ହସ୍ପିଟାଲିଟି କମ୍ପାନୀକୁ ଦେବା ସହ ସରକାରୀ ବୈଠକ, ସମ୍ମିଳନୀ ଓ ମଧ୍ୟାହ୍ନ ଭୋଜନ ଆୟୋଜନରେ ବ୍ୟବହାର କରିବା ଯୋଜନା ରହିଛି। ଦିଲ୍ଲୀର ୬, ଫ୍ଲାଗଷ୍ଟାଫ୍‌ ରୋଡ୍‌ରେ ଥିବା ଏହି ବଙ୍ଗଳା ୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ସରକାରୀ ବାସଭବନ ଥିଲା। ୨୦୨୪ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ ଏହାକୁ ଖାଲି କରିଥିଲେ। ୨୦୨୫ ଦିଲ୍ଲୀ ନିର୍ବାଚନ ସମୟରେ ବିଜେପି ଏହାର ନିର୍ମାଣ ଖର୍ଚ୍ଚକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିଥିଲା। ଅନ୍ୟପକ୍ଷରେ ଆମ୍‌ ଆଦମୀ ପାର୍ଟି ଏହି ବିବାଦ ଜରିଆରେ ଯମୁନା ପ୍ରଦୂଷଣ ଭଳି ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଥିଲା।

Leave A Reply

Your email address will not be published.