କଟକ: କଟକ ବାଲିଯାତ୍ରାରେ ରାମଦୋଳିରୁ ଖସି ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ବଡ଼ ନିଷ୍ପତ୍ତି। ଆଜି ବାଲିଯାତ୍ରା ପଡ଼ିଆରେ ଥିବା ସମସ୍ତ ଦୋଳି ବନ୍ଦ ରହିବ। ଦୋଳିଗୁଡ଼ିକର ସୁରକ୍ଷା ଓ ଅନୁମତି ସମ୍ପର୍କିତ କାଗଜପତ୍ର ପୁନର୍ବାର ଯାଞ୍ଚ କରାଯିବ। ବୈଷୟିକ ଟିମ୍ର ଯାଞ୍ଚ ଓ ମତାମତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ବାଲିଯାତ୍ରାର ତଳ ପଡ଼ିଆରେ ରାମଦୋଳିରେ ବସିଥିବା ଜଣେ ଯୁବକ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ପରେ ଦୋଳିଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।