ନୂଆଦିଲ୍ଲୀ: ଦେଶରେ ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏହାଦ୍ୱାରା ବର୍ତ୍ତମାନର ୫୪୩ ଆସନ ସଂଖ୍ୟା ବୃଦ୍ଧି ପାଇ ୮୧୫ ହେବ। ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ଏହି ସଂଖ୍ୟା ଅପରିବର୍ତ୍ତିତ ରହିବ। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକରେ ଏ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍କୁ ଅନୁମୋଦନ ମିଳିଛି। ବର୍ଦ୍ଧିତ ୨୭୨ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ନେଇ ମଧ୍ୟ ପ୍ରସ୍ତାବ ରହିଛି। ଏହି ବୈଠକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ନଭେମ୍ବର ୩୦ରେ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବ ବୋଲି କହିଥିଲେ। ଏହା ଉପରେ ବିରୋଧୀ ଦଳଗୁଡ଼ିକ ଆଲୋଚନାରେ ଭାଗ ନେବାକୁ ସେ ଆହ୍ୱାନ ଦେଇଥିଲେ।
ଅନ୍ୟପକ୍ଷରେ, ସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବା ପାଇଁ ସରକାର ଚଞ୍ଚକତାର ସହ ବହୁମତ ହାସଲ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିସହ ନିଜ ସାଂସଦମାନଙ୍କ ପାଇଁ ଦଳ ହ୍ୱିପ୍ ଜାରି କରିଛି। ସଂସଦୀୟ ଅଧିବେଶନର ରଣନୀତି ନିର୍ଦ୍ଧାରଣ ପାଇଁ ଆଜି ଅପରାହ୍ନ ୪ଟା ୩୦ରେ ଦିଲ୍ଲୀରେ ସଂସଦୀୟ ରଣନୀତି ଗୋଷ୍ଠୀର ବୈଠକ ବସିବ। ଶନିବାର ଇଣ୍ଡିଆ ମେଣ୍ଟର ନେତାମାନେ ମଧ୍ୟ ବୈଠକ କରିବେ।
କ୍ୟାବିନେଟ୍ ଦୁଇଟି ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ କରିଛି। ପ୍ରଥମଟି ହେଉଛି ସମସ୍ତ ରାଜ୍ୟରେ ଲୋକସଭା ଆସନ ୫୦ ପ୍ରତିଶତ ବୃଦ୍ଧି ସହ ଜନଗଣନାରୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଅଲଗା କରିବା। ଦ୍ୱିତୀୟଟି ହେଉଛି ମହିଳା ସଂରକ୍ଷଣ ଆଇନକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ନୂଆ ପଦକ୍ଷେପ। ସଂଶୋଧନ ବିଲ୍ ପାରିତ କରିବାକୁ ସରକାରଙ୍କ ପାଇଁ ରାଜନୈତିକ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଛି। ସମସ୍ତ ୫୪୦ ସାଂସଦ ଭୋଟ୍ ଦେଲେ, ସରକାରଙ୍କୁ ଡିଏମ୍କେ, ଏନ୍ସିପି (ଶରଦ ପାୱାର ଗୋଷ୍ଠୀ) ଓ ୱାଇଏସ୍ଆର୍ସିପିର ସମର୍ଥନ ସହ କ୍ରସ୍ ଭୋଟିଂର ଆବଶ୍ୟକତା ପଡ଼ିପାରେ। ଅନ୍ୟପକ୍ଷରେ, ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ସମାଜବାଦୀ ପାର୍ଟି ଭୋଟ୍ଦାନରୁ ବିରତ ରହିପାରେ ବୋଲି ଆକଳନ କରାଯାଉଛି। ଏପରି ହେଲେ ସରକାରଙ୍କ ପାଇଁ ବିଲ୍ ପାରିତ କରିବାର ପଥ ସହଜ ହୋଇପାରେ।