ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବିଜେଡିରେ ପିଢି ବଦଳାଇଦେଲେ ନବୀନ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ,ସେବେ ତାଙ୍କ ଚାରିପାଖରେ ଯେଉଁ କେତେଜଣ ଦେଖାଯାଉଥିଲେ, ସେମାନେ ହେଲେ ବିଜୟ ମହାପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ। ବିଜେଡି ସରକାରକୁ ଆସିବା ବେଳକୁ କିନ୍ତୁ ଏହି ଚିତ୍ର ଝାପ୍‌ସା ହୋଇଆସିଥିଲା। ସରକାରରେ ଅତି କ୍ଷମତାଶାଳୀ ଭାବେ ମୁଣ୍ଡ ଟେକିଥିବା ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ ହଟିଯାଇ ପଞ୍ଚାନନ କାନୁନ୍‌ଗୋ, ଡାକ୍ତର ଦାମୋଦର ରାଉତ ଆଦି ସାମ୍ନାକୁ ଆସିଥିଲେ। ସେହି ସମୟରେ ବିଜେଡି ରାଜନୀତିରେ ଯେବେ ଯୁବ ଚେହେରା ଖୋଜାଯାଉଥିଲା, ଆଗରେ ଥିଲେ ଅତନୁ ସବ୍ୟସାଚୀ ନାୟକ।

ନବୀନଙ୍କ ଦ୍ବିତୀୟ ପାଳିକୁ ଚିତ୍ରରେ ବଡ଼ ପରିବର୍ତ୍ତନ ଘଟିଯାଇଥିଲା। ଦୂରେଇଯାଇଥିଲେ ପଞ୍ଚାନନଙ୍କ ଭଳି ବରିଷ୍ଠ ନେତା। ଆରମ୍ଭ ହୋଇଯାଇଥିଲା ଦାମଙ୍କ ଉତ୍‌ଥାନ ପତନର ଯାତ୍ରା। ହେଲେ ବିଜେଡି ରାଜନୀତିରେ ଯେଉଁ ନେତାଙ୍କର ବେଶୀ କାଟ୍‌ତି ଚାଲୁଥିଲା, ସେମାନଙ୍କ ମଧ୍ୟରେ ଥିଲେ ଅତନୁ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା। ନବୀନଙ୍କ ତୃତୀୟ ପାଳି ସରକାର ବେଳକୁ ଏମାନଙ୍କ ସହିତ ଯୋଗଦେଇଥିଲେ ପ୍ରଣବ ପ୍ରକାଶ ଦାସ।

ନବୀନଙ୍କ ଚତୁର୍ଥ ପାଳି ଅତି ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ପାଳିରେ ଧୀରେ ଧୀରେ ଆଗକୁ ବଢ଼ିଥିଲେ ପ୍ରଣବ ପ୍ରକାଶ। ଆଉ ଅତନୁ, ଅରୁଣ ଏବଂ ସଞ୍ଜୟଙ୍କର ପ୍ରଭାବ ଶେଷ ବେଳକୁ କମିଥିଲା । ନବୀନଙ୍କର ପଞ୍ଚମ ପାଳି ଆରମ୍ଭରେ ଯେଉଁ ସଙ୍କେତ ମିଳୁଥିଲା, ସରକାରର ଗୋଟିଏ ବର୍ଷ ପରେ ସେ ଚିତ୍ରରେ ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ଅତନୁ, ଅରୁଣ ଏବଂ ସଂଜୟଙ୍କୁ ପଛରେ ପକାଇ ଦିଆଯାଇଛି। ସାମ୍ନାକୁ ବବି ଆସିଛନ୍ତି, ପୂରା ନୂଆ ଚେହେରା ସହିତ। ତାଙ୍କ ସହିତ ଅଛନ୍ତି ବିଧାୟକ ଜିତୁ (ପ୍ରଣବ) ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ। ଏହି ତିନିଜଣଙ୍କ ହାତରେ ଏବେ ବିଜେଡିର ଯୁବ ଓ ଛାତ୍ର ସଂଗଠନ।

ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର ଓଡ଼ିଶା ଯାଏ ଏମାନଙ୍କୁ ସାମ୍ନାରେ ରଖି ବବି ନୂଆ ପିଢ଼ି ପ୍ରସ୍ତୁତ କରୁଛନ୍ତି ବିଜେଡିରେ। ରାଜନୈତିକ ମହଲରେ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରାଯାଉଛି। ଏହି ମହଲର କହିବା କଥା ହେଲା, ସଂପ୍ରତି ଯୁବ ଭୋଟର ବିଜେପି ଆଡକୁ ମୁହାଁଉଥିବା ବେଳେ ଏହି ଗୋଷ୍ଠୀକୁ ସକ୍ରିୟ କରିବା ଗୋଟିଏ ଭଲ ଲକ୍ଷଣ। ଏମାନେ ଯେତେ ଆଗକୁ ବଢ଼ିବେ ଓ ଯେତେ ଅଧିକ କାର୍ଯ୍ୟକ୍ରମ ହେବ, ସେତେ ଅଧିକ ଯୁବକ ଦଳରେ ସାମିଲ ହେବାଲାଗି ସୁଯୋଗ ଜୁଟିବ।

ଯେଉଁ ଗୋଟିଏ ବିଲକ୍ଷଣ ଦେଖାଯାଉଛି, ତାହା ହେଲା ଏମାନେ ବିଜେଡି ବା ଓଡ଼ିଶା ସପକ୍ଷରେ କୌଣସି ଆନ୍ଦୋଳନରେ ନାହାନ୍ତି। ଓଡ଼ିଶା ସ୍ବାର୍ଥରେ ଲଢ଼ାଇ କରି ଯୁବ ଗୋଷ୍ଠୀକୁ ସେଥିରୁ ପୂରାଇ ପାରୁନାହାନ୍ତି। ଫଳରେ ସାମିଲ ହେଉଥିବା ଯୁବକ ଏବଂ ଛାତ୍ର ବିଜେଡି ଆଦର୍ଶ କି ବିଚାରରେ ନିଜକୁ ଦଳରେ ସାମିଲ କରୁନି, କେବଳ ନିଜ ରାଜନୈତିକ ପତିଆରା ଓ ପ୍ରଭାବ ବଢାଇବା କାମରେ ରହୁଛି। ଏମିତି ହେଲେ ସେ କେବେ ବି ଯଦି ଦଳରେ ଅଣଦେଖା ହୁଏ, ତେବେ ମୁହଁ ଫେରାଇ ଅନ୍ୟ ଦଳକୁ ଯିବା ଲାଗି ଅଧିକ ସମୟ ନେବନି।

ଏହି ମହଲର ଅନ୍ୟ ଗୋଟିଏ ମତ ହେଲା, ନୂଆ ପିଢ଼ି ଯେତେ ସକ୍ରିୟ ହେଉଛନ୍ତି, ବରିଷ୍ଠଙ୍କ ଠାରେ ସକ୍ରିୟତା ସେତିକି କମୁଥିବା ପରିଲକ୍ଷିତ ହେଉଛି। ଏକଦା ଯୁବ ଓ ଛାତ୍ର ସଂଗଠନ ଧରି ବିଜେଡି ଶିବିରରେ ଯେଉଁ ତିନିଜଣ ନେତା କମ୍ପମାନ କରୁଥିଲେ, ସେହି ତିନିଜଣ ( ଅତନୁ, ସଞ୍ଜୟ ଓ ଅରୁଣ) ଆଗଭଳି ଆଉ ହଇଚଇ ସୃଷ୍ଟି କରୁନାହାନ୍ତି। ଏହା ପରୋକ୍ଷରେ ଦଳକୁ ଦୁର୍ବଳ କରୁଛି। ପୂର୍ବରୁ ଦାମୋଦର ରାଉତ, ପ୍ରଫୁଲ୍ଲ ଘଡାଇ, ଦେବୀ ମିଶ୍ରଙ୍କ ଭଳି ନେତାମାନେ ରାଜ୍ୟ ରାଜନୀତିରେ ଯେଭଳି ଗର୍ଜନ କରୁଥିଲେ, ଯୁବବର୍ଗ ତାକୁ ଦେଖି ଆହୁରି ଅଧିକ କମ୍ପୁଥିଲେ। ଏବେ ନୂଆ ଗୋଷ୍ଠୀ ପାଖରେ ସେ ଅଭାବ ମଧ୍ୟ ଜଳ ଜଳ ହୋଇ ପରିଲକ୍ଷିତ ହେଉଛି।

କିନ୍ତୁ ଉଭୟ ଘଟଣାରୁ ଗୋଟିଏ କଥା ବୁଝିହେଉଛି ଯେ ନବୀନ ଅତି ସାବଧାନତାର ସହିତ ବିଜେଡିରେ ପିଢ଼ି ପରିବର୍ତ୍ତନ କରିଦେଇଛନ୍ତି। ଯେଉଁଥିରେ ଅତି ବରିଷ୍ଠ ପୂରା ନିଷ୍ପ୍ରଭ ହୋଇଗଲେଣି। ବରିଷ୍ଠ ମାନେ ପରାମର୍ଶଦାତା ଭୂମିକାରେ ଅବତୀର୍ଣ୍ଣ। ଏବଂ ତୃତୀୟ ପିଢିର ନେତା ଏବେ ଚତୁର୍ଥ ପିଢି ଗଠନ ଲାଗି ପ୍ରୟାସ ଚଳାଇଛନ୍ତି। ବିଜୁ ବ୍ୟକ୍ତିତ୍ବ ଏବେ ଆଉଗୋଟିଏ ପିଢ଼ିକୁ ଛୁଉଁଛି। ନବୀନ ତାଙ୍କ ରଣନୀତିରେ କାଏମ ଅଛନ୍ତି।

Leave A Reply

Your email address will not be published.