ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

କରୋନା କଟକଣା କମିବ କି ? ଆସୁଛି ନୂଆ ଘୋଷଣା

0
  • ଅପରାହ୍ନ ସାଢେ ଦୁଇଟାରେ ମୁଖ୍ୟଶାସନ ସଚିବ କରିବେ ବଡ଼ ଘୋଷଣା
  • ଆଜି ସବୁଠାରୁ ଅଧିକ ନମୁନା ପରୀକ୍ଷା, ମୃତ୍ୟୁ ସଂଖ୍ୟାରେ ବି ରେକର୍ଡ
  • ରାଜ୍ୟର ମୋଟ କରୋନା ମୃତ୍ୟୁ ୪୦୦୦ ଡେଇଁଲା, ଖୋର୍ଧାରେ ସର୍ବାଧିକ
  • କେବଳ ଜୁନ ମାସରେ ୧୨୬୪ଜଣଙ୍କ ମୃତ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ କିଭଳି ରହିବ, ଲକ୍‌ଡାଉନ୍‌ର ସ୍ବରୂପ ସେ ନେଇ ଆଜି ଅପରାହ୍ନ ସାଢେ ଦୁଇଟା ସୁଦ୍ଧା ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିବେ। ଏଥିସହିତ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ନିର୍ଦେଶନାମା ଆସିବ, ଜୁଲାଇ ମାସ ପାଇଁ କୋଭିଡ୍‌ ଗାଇଡ୍‌ ଲାଇନ୍‌ ବି। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମୁତାବକ, ସରକାର ଇତିମଧ୍ୟରେ ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ଚିତ୍ର ସଂପର୍କରେ ବିଶଦ ଭାବେ ସମୀକ୍ଷା କରିଛନ୍ତି। ସଂକ୍ରମଣର ସ୍ଥିତି, ମୃତ୍ୟୁ ହାର ଓ ଲକ୍‌ଡାଉନ୍‌ର କେତେ ପ୍ରଭାବ ପଡ଼ିଛି, ତାହାର ବିଶଦ ଅନୁଧ୍ୟାନ କରାଯାଇଛି।

ସ୍ଥିତି ଯାହା ରହିଛି, ସେଥିରେ ଅବିଭକ୍ତ ପୁରୀ, କଟକ, ବାଲେଶ୍ବର ଓ ମୟୂରଭଂଜରେ କରୋନା କଟକଣା ସାମାନ୍ୟ କୋହଳ ହୋଇପାରେ, କିନ୍ତୁ ପୂରା ଲକ୍‌ଡାଉନ୍ ଉଠିବା ସମ୍ଭାବନା କ୍ଷୀଣ। ଏସବୁ ଜିଲ୍ଲାରେ ଅତି କମରେ ଅର୍ଥାତ୍ ରଥଯାତ୍ରା ପର୍ଯ୍ୟନ୍ତ ସରକାର କଠୋର ନୀତି ଅବଶ୍ୟ ଅବଲମ୍ବନ କରିବାକୁ ପଡ଼ିବ। ପୂର୍ବାପେକ୍ଷା ଆଉ କିଛି ଅଧିକ ସମୟ କରୋନା କଟକଣା କୋହଳ କରିପାରନ୍ତି। ତେବେ ବେ ଯେଉଁ ଜିଲ୍ଲାମାନଙ୍କରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ, ସେସବୁ ଜିଲ୍ଲା ସଂପର୍କରେ ପୂର୍ବଭଳି କେବଳ ରାତ୍ରୀକାଳୀନ କଟକଣା ରହିବା ସମ୍ଭାବନା ଅଧିକ।

ଏମିତିରେ ବି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନୀଳାଦ୍ରି ବିଜେ ନ କରିବା ପର୍ଯ୍ୟନ୍ତ ସ୍ଥିତି କୋହଳ ହୋଇପାରିବ ନାହିଁ। ସେ ଭିତରେ କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି, ସାରା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣକୁ ଆସିଯାଇଥିବ। ଏଣୁ ଆସନ୍ତା ୧୫ ଦିନ ପାଇଁ ସରକାର ଆଜି ବଡ଼ ଘୋଷଣା କରିପାରନ୍ତି। ପୂର୍ବରୁ ସରକାର ଜାରି କରିଥିବା କରୋନା ଜନିତ ଲକ୍‌ଡାଉନ୍ କଟକଣା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ।

ରାଜ୍ୟ ସରକାରଙ୍କ କୋଭିଡ୍ ଡାସ୍‌ବୋର୍ଡ ସୂଚନା ଦେଉଛି ଯେ ଖୋର୍ଧା, କଟକ, ଯାଜପୁର ଏବଂ ବାଲେଶ୍ବର ଏବେ ବି ରେଡ୍‌ ଜୋନରେ। ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ନୟାଗଡ ଏବଂ ପୁରୀ ୟେଲୋ ଜୋନରେ ଅଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବକାଳୀନ ରେକର୍ଡ ନମୁନା (୭୫ ହଜାର ୬୪୯) ପରୀକ୍ଷା କରାଯାଇଛି ଓ ମୃତ୍ୟୁ ରିପୋର୍ଟ ସଂପର୍କରେ ଯେଉଁ ତଥ୍ୟ ଆସିଛି ( ଅଡିଟ୍ ପରେ ୪୮ ଜଣଙ୍କ ମୃତ୍ୟୁ ଘୋଷଣା ହୋଇଛି) ତାହା ବି ସର୍ବାଧିକ। ଟିପିଆର୍ ୪.୪୫ ପ୍ରତିଶତ ରହିଛି।

ଏଥିସହିତ ରିପୋର୍ଟ କହୁଛି, ରାଜ୍ୟରେ ଏଯାଏ ଦୁଇଟି ଲହରରେ କରୋଜା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ (୪୦୧୮) କରିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୬୪୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀରେ ୨୨୯, କଟକରେ ୨୮୫, ଅନୁଗୁଳରେ ୧୭୫, ଗଞ୍ଜାମରେ ୩୩୭, କଳାହାଣ୍ଡିରେ ୧୭୧, ବରଗ଼ଡରେ ୧୩୮, ସମ୍ବଲପୁରରେ ୧୧୯, ସୁନ୍ଦରଗଡରେ ୩୫୩, ବାଲେଶ୍ବରରେ ୧୩୧, ରାୟଗଡାରେ ୧୪୪ ଜଣଙ୍କର ମୃତ୍ୟୁ ଘଟିଛି। ଅର୍ଥାତ୍ କରୋନା ମୃତ୍ୟୁ କ୍ଷେତ୍ରରେ ପ୍ରଥମ ତିନିଟି ଜିଲ୍ଲା ଯଥାକ୍ରମେ ଖୋର୍ଧା, ସୁନ୍ଦରଗଡ ଏବଂ ଗଞ୍ଜାମ ଅଛନ୍ତି। ସେହିଭଳି ସବୁଠାରୁ କମ୍ ମୃତ୍ୟୁ ଦେବଗଡ (୩୨)ରେ ହୋଇଛି। ଏହାବ୍ୟତୀତ ମାଲକାନଗିରିରେ ୪୦, ନବରଙ୍ଗପୁରରେ ୪୪, କନ୍ଧମାଳରେ ୪୮, ସୋନପୁରରେ ୪୧, ଦେବଗଡରେ ୩୨ ଏବଂ ଏବେ ବି ରେଡ୍ ଜୋନରେ ଥିଲେ ହେଁ, ଯାଜପୁରରେ ମାତ୍ର ୪୧ ଜଣଙ୍କର ମୃତ୍ୟୁ ଘଟିଛି। ଭଦ୍ରକରେ ଏହି ସଂଖ୍ୟା ୫୦ ରହିଛି।

ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟାରେ ଭାରତ ଦେଶରେ ସବୁଠାରୁ ତଳେ ରହିଛି। ଦେଶରେ ସିଏଫ୍ଆର୍‌ ୧.୩୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଗତକାଲି ଏହି ହାର .୪୬ପ୍ରତିଶତ ରହିଛି। ଯେହେତୁ କୋଭିଡ୍ ମୁକାବିଲା ପାଇଁ ମେ’ ମାସରେ ସମସ୍ତେ ବ୍ୟସ୍ତ ଥିଲେ, ଏଣୁ ସେ ସମୟରେ ହୋଇଥିବା ମୃତ୍ୟୁ ସଂପର୍କରେ ଅଡିଟ୍ ହୋଇପାରିନଥିଲା। ଏହି ତଥ୍ୟ ଏବେ ପ୍ରକାଶ କରାଯାଉଛି। ତେବେ ଯଦି ଜୁନମାସରେ ଘୋଷିତ ମୃତ୍ୟୁ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ମେ’ ୩୧ ତାରିଖରୁ ଆଜି ମଧ୍ୟରେ ରାଜ୍ୟରେ ୧୨୬୪ ଜଣଙ୍କର ମୃତ୍ୟୁ ଘଟିଛି। ଅର୍ଥାତ୍ ଜୁନ୍ ମାସରେ ୧୨୬୪ ଜଣଙ୍କର ମୃତ୍ୟୁ ସଂପର୍କରେ ସରକାର ଘୋଷଣା କରିଛନ୍ତି।

Leave A Reply

Your email address will not be published.