ଏୟାରଷ୍ଟ୍ରାଇକରେ ଯାଇଥିଲା ନିର୍ଦ୍ଦୋଷଙ୍କ ଜୀବନ
ଓ୍ବାଂଶିଟନ୍: ଭୁଲ ମାନିଲା ଆମେରିକା । ଆଇଏସଏସ ଆତଙ୍କୀ ଉପରେ ପ୍ରତିଶୋଧ ନେବାକୁ କାବୁଲରେ ଆମେରିକା ପକ୍ଷରୁ ଯେଉଁ ଏୟାରଷ୍ଟ୍ରାଇକ କରାଯାଇଥିଲା ସେଥିରେ ଆତଙ୍କୀ ନୁହଁନ୍ତି; ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଏବେ ଏହାକୁ ସ୍ୱୀକାର କରିଛି ଆମେରିକା । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୧୩ ଆମେରିକା ସେନାଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଆଇଏସଆଇଏସ-କେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା । ବିସ୍ଫୋରଣ ପରେ ଆମେରିକା ବି ପ୍ରତିଶୋଧ ନେବାକୁ ଡ୍ରୋନ ଆକ୍ରମଣ କରିଥିଲା । ଆମେରିକା ପକ୍ଷରୁ ଦାବି କରାଯାଇଥିଲା ଯେ, ଏହି ଡ୍ରୋନ ଆକ୍ରମଣରେ ବିସ୍ଫୋରଣର ମାଷ୍ଟରମାଇଣ୍ଡର ମୃତ୍ୟୁ ହୋଇଥିଲା । କିନ୍ତୁ ପରେ ଆମେରିକାର ଏହି ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠିଥିଲା । ଗଣମାଧ୍ୟମ ଦାବି କରିଥିଲା ଯେ, ଏଥିରେ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା । ଏବେ ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିବା କଥା ଆମେରିକା ନିଜେ ସ୍ୱୀକାର କରିଛି ।
ଆମେରିକା ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଡ୍ରୋନ ଆକ୍ରମଣର ଯାଞ୍ଚରୁ ଜଣାପଡିଛି ଯେ, ଏହି ଆକ୍ରମଣରେ ବହୁତ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ପ୍ରଥମରୁ ଏହି ଆକ୍ରମଣରେ ଆଇଏସଆଇଏସର ଆତଙ୍କବାଦୀ ମୃତ୍ୟୁନେଇ କୁହାଯାଉଥିଲା; କିନ୍ତୁ ଏଥିରେ ଆତଙ୍କବାଦୀ ନୁହଁନ୍ତି ୧୦ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି।
ଆମେରିକାର କେନ୍ଦ୍ରୀୟ କମାଣ୍ଡର କମାଣ୍ଡର ଜେନେରାଲ ଫ୍ରେଂକ ମେଙ୍କେଜି କହିଛନ୍ତି, ଏୟାରଷ୍ଟ୍ରାଇକ ଏକ ଭୁଲ ଥିଲା । ଅଗଷ୍ଟ ୨୯ରେ ଏହି ଏୟାର ଷ୍ଟ୍ରାଇକରେ ୧୦ ଜଣ ନିର୍ଦ୍ଦୋଷ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୭ ଜଣ ଛୋଟ ପିଲା ଥିଲେ । ଯାଂଚରୁ ଏହା ବି ଜଣାପଡିଛି ଯେ, ଏୟାରଷ୍ଟ୍ରାଇକରେ ଟାର୍ଗେଟ କରାଯାଇଥିବା ଗାଡି ଓ ଏଥିରେ ଥିବା ଲୋକ ଆଇଏସଆଇଏସ ସହ ସଂପୃକ୍ତ ଥିବା କୌଣସି ପ୍ରମାଣ ମିଳିନାହିଁ । ଏଭଳି ବଡ଼ ଭୁଲ ପାଇଁ ମେଙ୍କେଜି ଭୁଲ ମାଗିବା ସହ ଏୟାରଷ୍ଟ୍ରାଇକରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସହାୟତା ପାଇଁ ଆମେରିକା ବିଚାର କରୁଥିବା କହିଛନ୍ତି ।
ଆମେରିକା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିବା ବେଳେ ପୂର୍ବରୁ ଗଣମାଧ୍ୟମରେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ବି କୁହାଯାଇଥିଲା ଯେ ଯେଉଁ ଗାଡିକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା, ତାହାର ଡ୍ରାଇଭର ଲମ୍ବା ସମୟ ଧରି ଆମେରିକାର ମାନବୀୟ ସଂଗଠନ କର୍ମଚାରୀ ଥିଲେ । ସେହିଭଳି, ଗାଡିରେ ବିସ୍ଫୋରକ ଭର୍ତ୍ତି ଥିବା ଏଯାଏ କୌଣସି ପ୍ରମାଣ ମିଳିନାହିଁ ବୋଲି ଗଣମାଧ୍ୟମ ରିପୋର୍ଟ କରିଥିଲା।
ନ୍ୟୁୟର୍କ ଟାଇମ୍ସ ଯାଞ୍ଚ ରିପୋର୍ଟ ଅନୁସାରେ, ଅଗଷ୍ଟ ୨୯ରେ ଯେଉଁ ସମୟରେ ଆମେରିକା ପକ୍ଷରୁ ଏୟାରଷ୍ଟ୍ରାଇକ କରଯାଇଥିଲା ,ସେହି ସମୟରେ ୪୩ ବର୍ଷୀୟ ଜୀମାରୀ ଅହମ୍ମଦ ୧୯୯୬ ମଡେଲର ଏକ ଟୋୟୋଟା କୋରେଲୋ ଗାଡି ଚଲାଉଥିଲେ । ଯାହାଙ୍କର ଆକ୍ରମଣରେ ମୃତ୍ୟୁ ହୋଇଛି । ଏହି କାରରେ ପାଣିର କଣ୍ଟେନର ରଖାଯାଇଥିବା ବେଳେ ଆମେରିକା ପକ୍ଷରୁ ଏହି କାରରେ ବିସ୍ଫୋରକ ଥିବା ଦାବି କରାଯାଇଥିଲା ।