ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ପୁଣି ଖେଳ ଆରମ୍ଭ କରିଦେଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ବର: ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ତିନିଟି ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ମାଲକାନଗିରି, ଏହା ପରେ ସୁନ୍ଦରଗଡ ଏବଂ ବୁଧବାର ବଲାଙ୍ଗୀର। ଏହି ଗସ୍ତ କାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନସ୍ଥ ସ୍ମାର୍ଟ ହେଲ୍‌ଥ କାର୍ଡ ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ହାତରେ ଧରାଉଛନ୍ତି। ଏଥିରେ ୨୦୦ ହସ୍ପିଟାଲର ଦୁଆର ସରକାର ଖୋଲା ରଖିଛନ୍ତି, ଯେଉଁଠାରେ ପୁରୁଷମାନେ ବାର୍ଷିକ ୫ଲକ୍ଷ ପର୍ଯ୍ୟନ୍ତ ଓ ମହିଳାମାନେ ୧୦ ଲକ୍ଷ ଟଙ୍କା ଯାଏ ଚିକିତ୍ସା ପାଇପାରିବେ। ଏହାବ୍ୟତୀତ ପାଖାପାଖି ୩୦୦୦ କୋଟିରୁ ଅଧିକ ଟଙ୍କାର ବିକାଶ ପ୍ୟାକେଜ୍ ଲୋକମାନଙ୍କ ହାତରେ ନବୀନ ସମର୍ପି ଦେଇ ଆସୁଛନ୍ତି। କାହାର ଶୁଭ ଦିଆଯାଉଛି, ଆଉ କାହାକୁ ସେ ଉଦଘାଟନ କରୁଛନ୍ତି।

ନବୀନ ଏହି କାର୍ଡ ବଣ୍ଟା ଆରମ୍ଭ କରିବା ପରେ ଏସବୁ ଅଞ୍ଚଳରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପଦସ୍ଥ ନେତୃମଣ୍ଡଳୀ ଏକାଧିକ ସଭା କରି କାର୍ଡ ବାଣ୍ଟୁଛନ୍ତି। ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲା ମୁଖ୍ୟମନ୍ତ୍ରୀ ଗସ୍ତ କରିବେ ଓ ନଭେମ୍ବର ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ସମୁଦାୟ ୩୦ଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ନବୀନଙ୍କ ଏହି ଗସ୍ତ ରାଜ୍ୟ ରାଜନୀତିରେ ଭିନ୍ନ ଏକ ବାତାବରଣ ସୃଷ୍ଟି କଲାଣି। ଲୋକ କଲ୍ୟାଣକାରୀ ପ୍ୟାକେଜ୍ ଧରି ମୁଖ୍ୟମନ୍ତ୍ରୀ ଥରେ ବୁଲିଆସିଲେ, ବିରୋଧୀ ରାଜନୈତିକ ଦଳର କି ସ୍ଥିତି ହୁଏ, ଏକଥା ଗତ ନିର୍ବାଚନ ରଣନୀତିକୁ ଅନୁସରଣ କରୁଥିବା ଯେ କୌଣସି ବ୍ୟକ୍ତି ସହଜରେ ବୁଝିପାରିବ। ନବୀନଙ୍କ ୨ ଟଙ୍କିଆ ଚାଉଳ କାର୍ଡ ୨୦୦୯ ନିର୍ବାଚନ ଫଳାଫଳକୁ ବିଜେଡି ସପକ୍ଷରେ ନେଇଗଲା। ମେଣ୍ଟ ଭାଙ୍ଗିବା ପରେ ବି ବିଜେଡିର କ୍ଷମତାକୁ ବିରୋଧୀ ଦୋହଲାଇବାରେ ବିଫଳ ହେଲେ। ସେବେ ବି ନବୀନ ଏମିତି ଢଙ୍ଗରେ ଓଡ଼ିଶା ବୁଲିଥିଲେ। ୨୦୧୪ ସାଧାରଣ ନିର୍ବାଚନର ଢେର୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ୨ ଟଙ୍କିଆ ଚାଉଳକୁ ଟଙ୍କିକିଆ କରି ବିରୋଧୀଙ୍କ ସବୁ ଚାଲ ବିଫଳ କରିଦେଲେ। ଫଳାଫଳ ହେଲା, ସାରା ଭାରତର ମୋଦୀ ଲହର ଓଡ଼ିଶାରେ ନିଷ୍ପ୍ରଭ ହୋଇଗଲା ଓ ବିରୋଧୀଙ୍କ ବଳ ଧୂଳିସାତ୍ ହୋଇଗଲା।

୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି କେନ୍ଦ୍ରୀୟ ନେତୃତ୍ବ ଗଣିତ କଷୁଥିଲେ ଯେ ୨୦୧୯ ଫଳାଫଳ ତାଙ୍କ ସପକ୍ଷରେ ଯିବ। ଏଥିପାଇଁ ଢେର୍ କସରତ କରିଥିଲେ। ଗତ ୨୦ବର୍ଷ ଭିତରେ ଏତେ କେନ୍ଦ୍ରମନ୍ତୀ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡ଼ିଶାବାସୀ ଆଉ କେବେ ଦେଖିନଥିବେ, ସେବେ ଯେଭଳି ଆସୁଥିଲେ ଓ ସରକାରଙ୍କ ବିରୋଧରେ ହୁଂକାର ଦେଉଥିଲେ। ନବୀନ ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନା ଆରମ୍ଭ କରି ଥରୁଟିଏ ଓଡ଼ିଶା ବୁଲିଲେ ,ଆଉ ପରିଣାମ ହେଲା, ବିଜେପି ୨୩ ସଂଖ୍ୟାରେ ଅଟକିଗଲା ଏବଂ ଦୁଇଅଙ୍କ ଛୁଇଁପାରିଲା ନାହିଁ କଂଗ୍ରେସ।

ଏବେ ନିର୍ବାଚନ ଋତୁ ନାହିଁ। ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଛି। ଯଦି ବି ହେବ, ତେବେ ଆସନ୍ତା ଏପ୍ରିଲ-ମେ’ପୂର୍ବରୁ ସମ୍ଭାବନା କ୍ଷୀଣ। ନବୀନ ହଠାତ୍ ଅଗଷ୍ଟ ୧୫ ତାରିଖ ଦିନ ସ୍ମାର୍ଟ ହେଲ୍‌ଥ କାର୍ଡ ଧରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି ଓ ତାକୁ ଧରି ନିଜେ ଲୋକଙ୍କ ପାଖକୁ ଯିବା ଆରମ୍ଭ କରିଦେଲେଣି। ଗତ ତିନିଟି ଜିଲ୍ଲା ଗସ୍ତ ପରେ ବିରୋଧୀ ଶିବିରରେ କମ୍ପନ ହେଲାଣି। ସେମାନେ ବୁଝିଗଲେଣି ଯେ ପଞ୍ଚାୟତ ନିର୍ବାଚନ ଏବେ ତାଙ୍କ ସପକ୍ଷରେ ଆସିବାର ନାହିଁ। ଏହି କାର୍ଡ ଧରି ନବୀନ ପରବର୍ତ୍ତୀ ସାଧାରଣ ନିର୍ବାଚନ ପାର ହୋଇଯିବା ସମ୍ଭାବନାକୁ ବି ଏଡାଇ ଦିଆଯାଇପାରିବ ନାହିଁ।

କାରଣ, ନବୀନ ଯିବା ପୂର୍ବରୁ ବିଜେଡି ଯେଭଳି ଢଙ୍ଗରେ ସମରସଜ୍ଜା କରୁଛି, ତାହା ଆଲୋଡନ ସୃଷ୍ଟି କରିବା ଭଳି। ଯଦିଓ ବିରୋଧୀ ରାଜନୈତିକ ଦଳ ବିଜେଡି ଭିତରେ ମତାନ୍ତର ଓ ମନାନ୍ତର ଥିବା ନେଇ ଅଭିଯୋଗର ମାଳା ଜପୁଛନ୍ତି, କିନ୍ତୁ ଏକାଠି ଦୁଇଡଜନ ମନ୍ତ୍ରୀ ଓ ନେତା ବୁଲି ନବୀନଙ୍କ ଗସ୍ତକୁ ସଫଳ କରିବା ଭଳି ଉଦାହରଣ ଆଜି ଦିନରେ ଭାରତ ରାଜନୀତିରେ ଅନ୍ୟତ୍ର ଦେଖିବାକୁ ମିଳୁନାହିଁ। ଆହୁରି ସ୍ପଷ୍ଟ କରି କହିଲେ ଯେ ଏତିକି ସଂଖ୍ୟକ ବିରୋଧୀ ରାଜନୈତିକ ଦଳର ନେତା ଓଡ଼ିଶାର କୌଣସି ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି। ପ୍ରସଙ୍ଗ ତିଆରି କରିବା ତ ଦୂରର କଥା ନିଜ ଦଳ ସପକ୍ଷରେ ମତ ରଖିବା ଲାଗି ବି ନୁହେଁ। ଏଣୁ ବଡ ପଲଟଣ ଧରି ନବୀନଙ୍କ ଜିଲ୍ଲା ଗସ୍ତ ବିରୋଧୀଙ୍କ ସବୁ କାର୍ଡକୁ ଧୂଳିସାତ୍ କରିଦେଉଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଗତ ୨୧ ବର୍ଷ ଭିତରେ ବିରୋଧୀ ନବୀନଙ୍କ ଚାଲ୍ ବୁଝିବାକୁ ସଫଳ ହୋଇନାହାନ୍ତି। ସେମାନେ ଯେବେ ରାଜ୍ୟ ସରକାରଙ୍କ ବିରୋଧରେ କାଦୁଅ ଫିଙ୍ଗୁଛନ୍ତି, ସେବେ ନବୀନ ବିକାଶ ଧରି ଲୋକଙ୍କ ହାତରେ ରଖୁଛନ୍ତି। ରାଜନୀତି ଇତିହାସରେ କେବଳ ବିକାଶ କାର୍ଡ ଧରି ଏତେ ସମୟ କ୍ଷମତା ରହିବାରେ ମୁଖ୍ୟମନ୍ତ୍ରୀ ଆଗରେ। ଏବେ ଭାରତବର୍ଷର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯେଉଁ ହିସାବ ନିକାସ କରାଯାଉଛି, ସେଥିରେ ନବୀନଙ୍କ ସ୍ଥାନ ଆପେ ଉପରକୁ ଉଠିଯାଉଛି। କାରଣ, ଲଗାତର ପାଞ୍ଚଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ନବୀନଙ୍କ ବିରୋଧରେ କୌଣସି ଗୋଟିଏ ଦୁର୍ନୀତି ଅଭିଯୋଗ ନାହିଁ। ବିରୋଧୀ ରାଜନେତାଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ତାଙ୍କ ସ୍ଥାନ ଭାରତର ସବୁ ରାଜନେତାଙ୍କ ଠାରୁ ଉପରେ।

ଏହାବ୍ୟତୀତ, ବିରୋଧ ନୁହେଁ, ବିକାଶ ନାରାରେ ବି ରାଜନୀତି କରିହୁଏ, ତାହା ଶ୍ରୀ ପଟ୍ଟନାୟକ ଭାରତ ସାମ୍ନାରେ ରଖୁଛନ୍ତି। ଯେହେତୁ ବିରୋଧୀର ଅତି ପ୍ରଭାବଶାଳୀ ରାଜନେତା ସବୁବେଳେ ଭଙ୍ଗା ଗଢା ରାଜନୀତି ଭିତରେ ନିଜକୁ ନିବଦ୍ଧ କରି ରଖୁଛନ୍ତି; ଏଣୁ ନବୀନଙ୍କ ସହିତ ସମକକ୍ଷ ହୋଇପାରିନାହାନ୍ତି। ଓଡ଼ିଶାରେ ଗତ ଦୁଇ ଦଶନ୍ଧି ଭିତରେ ଅନେକ ରାଜନେତା ଏହି କାରଣରୁ ନିରବି ଯାଇଛନ୍ତି ଓ କ୍ଷମତା ଚୌକିକୁ ନଜର ରଖିଥିବା ଅନେକ ନେତାଙ୍କ ଗଣିତ ଭୁଲ୍ ହେବା ପଛର ବି ଏହା ଗୋଟିଏ କାରଣ।

Leave A Reply

Your email address will not be published.