ଭୁବନେଶ୍ୱର: ଶୁକ୍ରବାର ପବିତ୍ର କାର୍ତିକ ପୂର୍ଣ୍ଣମୀ । କାର୍ତିକ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣମୀକୁ କାର୍ତିକ ପୂର୍ଣ୍ଣମୀ ବୋଲି ବିଚାର କରାଯାଇଥାଏ । ଗୋଟିଏ ବର୍ଷରେ ପଡୁଥିବା ୧୫ପୂର୍ଣ୍ଣମୀ (ମଳ ମାସ କ୍ଷେତ୍ରରେ ଷୋହଳ ପୂର୍ଣ୍ଣମୀ ପଡିଥାଏ) ମଧ୍ୟରୁ ଏହା ଅଷ୍ଟମ ପୂର୍ଣ୍ଣମୀ । ଜପ, ତପ ଓ ବ୍ରତ ସହ ମୋକ୍ଷ ପ୍ରାପ୍ତି ପାଇଁ ଏହି ଦିନଟିକୁ ପାଳନ ବରିଷ୍ଠ ଓ ବୟସ୍କମାନେ ପାଳନ କରିଥାନ୍ତି ।
ମାସାଧିକ ଧରି ଚାଲିଥିବା କାର୍ତିକ ବ୍ରତର ଶେଷ ଦିନ ହେଉଛି କାର୍ତିକ ପୂର୍ଣ୍ଣମୀ । ଅତ୍ୟନ୍ତ ଶୁଦ୍ଧ ମନୋଭାବ ସହ ଏହି ପର୍ବ ପାଳନ ଲାଗି ସମଗ୍ର ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମରଣ ସ୍ୱରୂପ ଏହି ଦିନଟିକୁ ଅନେକ ଗୁରୁତ୍ୱ ଦେଇଥାନ୍ତି ।
କିନ୍ତୁ ଭାରତ ବର୍ଷରେ କାର୍ତିକ ପୂର୍ଣ୍ଣମୀର ଗୁରୁତ୍ୱ ଏକାଧିକ କାରଣରୁ ଚର୍ଚ୍ଚାରେ ରହିଛି । କେବଳ ହିନ୍ଦୁମାନେ ଏହି ଦିନଟିକୁ ପାଳନ କରନ୍ତି ତା ନୁହେଁ, ଜୈନ ଓ ଶିଖମାନଙ୍କ ପାଇଁ ମଧ୍ୟ କାର୍ତିକ ପୂର୍ଣ୍ଣମୀ ଅନେକ ମହତ୍ୱ ରଖେ ।
କୌତୂହଳର କଥା ହେଲା, ଏହି ପର୍ବ ପାଳନ କ୍ଷେତ୍ରରେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଯୁକ୍ତି ରହିଛି । ସେ ଅନୁସାରେ ଏହାର ନାମକରଣ ମଧ୍ୟ ହୋଇଛି । ଏହି ଦିନଟିକୁ ଦେବ ଦୀପାବଳି ବୋଲି କେହି କେହି ମାନିଥାନ୍ତି । ଦେଶର କିଛି ରାଜ୍ୟରେ ତ୍ରିପୁରି ବା ତ୍ରିପୁରାରି ପୂର୍ଣ୍ଣମୀ ଭାବେ ଏହି ଦିନଟି ଖ୍ୟାତ ।
କୁହାଯାଏ, ଦେବତାଙ୍କୁ ପରାସ୍ତ କରି ତ୍ରିପୁରାସୁର ତିନିପୁର ବା ତିନିଟି ନଗର ପ୍ରତିଷ୍ଠା କରିଥିଲା । ସ୍ୱୟଂ ମହାଦେବ ତାକୁ ଏହିଦିନ ଦମନ କରି ତିନିପୁରକୁ ମୁକ୍ତ କରିଥିଲେ । ସେବେଠାରୁ ତିନିପୁର ଶଦ୍ଦର ପ୍ରଚଳନ ଅଛି । ଭଗବାନ ବିଷ୍ଣୁ ସେଦିନ ଭଗବାନ ଶିବଙ୍କ ନାମ ତ୍ରିପୁରାରି ଦେଇଥିଲେ । ଏହି ଖୁସିରେ କିଛି ଅଞ୍ଚଳରେ ଶିବଙ୍କର ଶୋଭାଯାତ୍ରା କରାଯାଇଥାଏ ।
ଏକଥା ବି ବିଶ୍ୱାସ କରାଯାଏ ଯେ ମତ୍ସ୍ୟ (ମତ୍ସ୍ୟ ଅବତାର) ରୂପେ ବିଷ୍ଣୁ ଏହି ଦିନ ଆବିର୍ଭାବ ହୋଇଥିଲେ । ଏହା ବିଷ୍ଣୁଙ୍କର ପ୍ରଥମ ଅବତାର ଥିଲା । ସୃଷ୍ଟି ସର୍ଜନାକୁ ବିପଦମୁକ୍ତ କରିବା ଲାଗି ପ୍ରଭୁ ଅବତାର ଧାରଣ କରିଥିଲେ ।
ଆଉ କିଛି ଅଞ୍ଚଳରେ ଏହି ଦିନକୁ ରାଧାଙ୍କ ଦୃଷ୍ଟିକୋଣରୁ ଗୁରୁତ୍ୱ ମିଳିଥାଏ । ଶ୍ରୀକୃଷ୍ଣ ଏହି ଦିନ ରାଧାଙ୍କ ସହିତ ରାସ ନୃତ୍ୟ ପରିବେଷଣ କରିଥିଲେ ଏବଂ ରାଧାଙ୍କର ପୂଜା ବି କରିଥିଲେ । ନାରୀଶକ୍ତିର ଗୁରୁତ୍ୱ ବୃଦ୍ଧି ପାଇଁ ଏହି ଦିନକୁ ଅନେକ ମନେ ରଖିଥାନ୍ତି ।
କାର୍ତିକ ପୂର୍ଣ୍ଣମୀକୁ ଚର୍ତୁମାସ୍ୟାର ଶେଷ ଦିନ ବୋଲି ମଧ୍ୟ ଗ୍ରହଣ କରାଯାଇଥାଏ । ଅର୍ଥାତ ବର୍ଷା ସଂଲଗ୍ନ ମାସର ପୂର୍ଣ୍ଣଛେଦ ପଡିଥାଏ ଏବଂ ବିଷ୍ଣୁ ଶୟନରୁ ଉଠନ୍ତି । ପ୍ରବୋଧିନୀ ଏକାଦଶୀ ଦିନ ବିଷ୍ଣୁଙ୍କର ନିଦ୍ରା ଭଙ୍ଗ ହୋଇଥାଏ । ଲକ୍ଷ୍ମୀଙ୍କୁ କିଛି ଅଞ୍ଚଳରେ ଆରାଧନା କରାଯାଇଥାଏ । ବିଶ୍ୱାସ ଅଛି ମାଆ ଲକ୍ଷ୍ମୀଙ୍କୁ କାର୍ତିକ ପୂର୍ଣ୍ଣମୀରେ ପୂଜା କଲେ ଜୀବନ ସୁଖମୟ ହୋଇଥାଏ ।
କାର୍ତିକ ପୂର୍ଣ୍ଣିମୀର ଗୁରୁତ୍ୱ ରାଜସ୍ଥାନ ଭଳି ରାଜ୍ୟରେ ଅଧିକ । ଓଡ଼ିଶାରେ ଯେପରି ଆବାଳ ବୃଦ୍ଧ ବନିତା ସକାଳୁ ପୁଷ୍କରିଣୀ, ପବିତ୍ର ତୀର୍ଥସ୍ଥଳୀରେ ସ୍ନାନ କରି ଡଙ୍ଗା ଭସାଇଥାନ୍ତି, ଏହାକୁ ସାଧବଙ୍କ ନୌବାଣିଜ୍ୟ ସହିତ କେହି କେହି ଯୋଡିଛନ୍ତି, କିନ୍ତୁ ରାଜସ୍ଥାନରେ ପୁଷ୍କର ମେଳା ପାଇଁ ଏହି ଦିନଟିରେ ଲକ୍ଷ ଲକ୍ଷ ସାଧୁଙ୍କର ସମାଗମ ହୋଇଥାଏ । ସେହିପରି ବାରଣାସୀ ଅାଦିରେ ସ୍ନାନ କଲେ କୋଟି ପୁଣ୍ୟ ମିଳେ ବୋଲି ଆଉ ଗୋଟିଏ ମତ ରହିଛି ।
ଏହି ଦିନଟିକୁ ଅହିଂସା ଦିବସ ଭାବେ ବିଚାର କରାଯାଏ । ନଖ, ଚୁଟି କାଟିବା ଠାରୁ ଆରମ୍ଭ କରି ଫସଲ ଅମଳ କରିବା, ନାରୀ-ପୁରୁଷ ସଂପର୍କ ପର୍ଯ୍ୟନ୍ତ ସବୁକୁ ବାରଣ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ନଦୀ ଆଦିରେ ଡଙ୍ଗା ଭସାଇବା ଦ୍ୱାରା ସେଥିରେ ଜଳୁଥିବା ଆଲୋକର ସଂସ୍ପର୍ଶରେ ଆସି ମତ୍ସ୍ୟ ଓ ନଦୀ, ପୁଷ୍କରିଣୀରେ ରହୁଥିବା କୀଟଙ୍କର ମୋକ୍ଷପ୍ରାପ୍ତି ହୋଇଥାଏ । ସ୍ୱାମୀନାଥନ୍ ସଂପ୍ରଦାୟ ଅତ୍ୟନ୍ତ ଗୁରୁତ୍ୱ ଦେଇ ଏହି ଦିନଟିକୁ ପାଳନ କରିଥାନ୍ତି ।
ଜୈନମାନଙ୍କ ପାଇଁ କାର୍ତିକ ପୂର୍ଣ୍ଣମୀ ଦିନଟି ଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେମାନେ କାର୍ତିକ ପୂର୍ଣ୍ଣମୀ ଦିନଠାରୁ ଶ୍ରୀ ଶତ୍ରୁଞ୍ଜୟ ତୀର୍ଥଯାତ୍ରା ଆରମ୍ଭ କରିଥାନ୍ତି । ୨୧୬ କିଲୋମିଟର ଦୁର୍ଗମ ପାହାଡ ଚଢି ଜୈନମାନେ ଆଦିନାଥଙ୍କର ଦର୍ଶନ କରିଥାନ୍ତି । ଚର୍ତୁମାସ୍ୟା ପାଇଁ ଚାରିମାସ ଧରି ଆଦିନାଥଙ୍କ ଦର୍ଶନ ବନ୍ଦ ରହିଥାଏ । ଆଦିନାଥ ହେଉଛନ୍ତି ଜୈନଙ୍କର ପ୍ରଥମ ତୀର୍ଥଙ୍କର । ସେହିପରି ଶିଖମାନେ ଏହାକୁ ଗୁରୁପର୍ବ ବା ପ୍ରକାଶ ପର୍ବ ଭାବେ ଗ୍ରହଣ କରିଥାନ୍ତି ।
ପ୍ରମୁଖ ଖବର
ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍
ଇରାନୀ ଧମକ ପରେ ଟ୍ରକ୍ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ