ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଜ୍ୟସଭା ଗଣିତ ଛିଣ୍ଡିଗଲାଣି!

0
  • ନିର୍ବାଚନ ହେବାକୁ ଥିବା ସମସ୍ତ ୪ଟି ଆସନ ଲାଗି ବିଜେଡି ପ୍ରାର୍ଥୀ ଦେବ
  • ଚାପକୌଶଳ ପ୍ରୟୋଗ କଲେ ବି ବିଜେପିକୁ ନିରାଶ କରିପାରନ୍ତି ନବୀନ
  • ଚତୁର୍ଥ ଆସନ ଦିଲ୍ଲୀପ ରାୟଙ୍କ ନିକଟକୁ ଯିବା ସମ୍ଭାବନା ଅଧିକ
  • ହାରିଥିବା କୌଣସି ନେତାଙ୍କୁ ମିଳିନପାରେ ରାଜ୍ଯସଭା ଟିକେଟ୍
  • ମହିଳା, ଉତ୍ତର ଓଡ଼ିଶାର ନେତା, ଆଦିବାସୀ ଓ ପଛୁଆ ବର୍ଗ ଆଗରେ

ଭୁବନେଶ୍ବର: ଆସନ୍ତା ମାସ ଶେଷ ସପ୍ତାହରେ ବିଜେଡି ସାଂଗଠନିକ ନିର୍ବାଚନରେ ପୂର୍ଣ୍ଣଛେଦ ପଡିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେବେ। ସଂଗଠନ ନବକଳେବର ପରେ ଯେଉଁ ପ୍ରଥମ ବଡ଼ ନିଷ୍ପତ୍ତିଟି ନବୀନ ନେବେ, ତାହା ହେଉଛି, ରାଜ୍ଯସଭା ପ୍ରାର୍ଥୀ ଚୟନ। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାର ୪ଟି ରାଜ୍ୟସଭା ନିର୍ବାଚନ ପାଇଁ ଦଳକୁ ପ୍ରାର୍ଥୀ ଘୋଷଣା କରିବାକୁ ହେବ। ଅନୁଭବ ପଟ୍ଟନାୟକ ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ କାର୍ଯ୍ୟ ଅବଧି ଏକବର୍ଷ ଥିବା କାରଣରୁ ସେ ଆସନ ଲାଗି ଆଉ ନିର୍ବାଚନ ହୋଇନାହିଁ। ବିଜେଡିରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ସରୋଜିନୀ ହେମ୍ର୍ବମ୍, ନରେନ୍ଦ୍ର ସ୍ବାଇଁ ଓ ରାଜ୍ୟସଭାରେ କଂଗ୍ରେସର ଏକମାତ୍ର ସାଂସଦ ରଂଜୀବ ବିଶ୍ବାଳଙ୍କର କାର୍ଯ୍ୟକାଳ ଶେଷ ହେବ।

ଏହି ଚାରିଟି ଆସନ ଉପରେ ଏବେ ବିଜେଡି ନେତାଙ୍କ ନଜର ରହିଛି। ଚାପ କୌଶଳ ବା ଆସନ୍ତା ଅଧିବେଶନରେ ବିଧାନ ପରିଷଦ ବିଲ୍ ଆଗତ କରିବା ଆଳରେ ବିଜେପି ଗୋଟିଏ ବି ଦୁଇଟି ଆସନ ମାଗିବା ବିଚିତ୍ର ନୁହେଁ। ହେଲେ ମହାରାଷ୍ଟ୍ରରେ ବିଜେପିର ପରାଜୟ ଓ ଶିବସେନା ଏନଡିଏରୁ ଦୂରେଇଯିବା କାରଣରୁ ରାଜ୍ୟସଭାରେ ବିଜେଡିର ସହଯୋଗ ଏବେ ବିଜେପି ପାଇଁ ଅତ୍ୟାବଶ୍ୟକ ହୋଇପଡିଛି। ଏଭଳିସ୍ଥଳେ ବିଜେଡିକୁ ପୂର୍ବଭଳି ପ୍ରଭାବିତ କରିବା ଅବସ୍ଥାରେ ବିଜେପି ଆଉ ନାହିଁ। ଏଣୁ ବିଜେଡିର ଅତି ଶୀର୍ଷସ୍ତରର ଖବର ଅନୁସାରେ, ସମସ୍ତ ୪ଟି ଯାକ ରାଜ୍ୟସଭା ଆସନ ଲାଗି ଦଳ ପ୍ରାର୍ଥୀ ଦେବାକୁ ଏକପ୍ରକାର ନିଷ୍ପତ୍ତି ହୋଇସାରିଲାଣି।

ବିଜେଡି ପାଇଁ ଏହି ରାଜ୍ୟସଭା ଗଣିତ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଟାଣିଆଣିପାରେ। କାରଣ, ଦଳର ବହୁ ବରିଷ୍ଠ ନେତା ଏବେ ଏହି ପଦକୁ ଆଖେଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଟିକେଟ୍ ପାଇନଥିବା କିଛି ନେତା ରାଜ୍ୟସଭା ଯିବା ଲାଗି ଆଗ୍ରହ ଦେଖାଇବା ସ୍ବାଭାବିକ। ବିଜେଡି ଟିକେଟ୍ ନେଇ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିବା ନେତାମାନେ ରାଜନୈତିକ ଥଇଥାନ ଆଶାରେ ରାଜ୍ୟସଭା ଟିକେଟ୍ ଖଣ୍ଡକୁ ଅତି ଗୁରୁତ୍ବ ଦେଉଛନ୍ତି। ଏହାକୁ ନେଇ ଏବେଠାରୁ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ଦଳର ଶୀର୍ଷସ୍ତରର ନେତାଙ୍କୁ ଧରି ଆଶାୟୀମାନେ ଲବି କରିବା ଆରମ୍ଭ କରିଦେଇଛନ୍ତି।

ମିଳୁଥିବା ସୂୁଚନା ଅନୁସାରେ, ବିଜେଡି ଚତୁର୍ଥ ଆସନ କ୍ଷେତ୍ରରେ ଭିନ୍ନ କୌଶଳ ଅବଲମ୍ବନ କରିପାରେ। ଏହି ଆସନରୁ ପୂର୍ବତନ ସାଂସଦ ଦିଲ୍ଲୀପ ରାୟଙ୍କୁ ଦଳ ରାଜ୍ୟସଭାକୁ ଛାଡିବା ସମ୍ଭାବନା ଅଧିକ। ସେ ବିଜେଡିକୁ ଫେରିପାରନ୍ତି। ପୂର୍ବରୁ କିଛି ପୁରୁଖା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ ବୋଲି ନବୀନ ଯେଉଁ ସଙ୍କେତ ଦେଇଥିଲେ, ସେଥିରେ ପ୍ରାକ୍ ନିର୍ବାଚନୀ ଦୃଶ୍ୟପଟ୍ଟରେ କେବଳ ପ୍ରଫୁଲ୍ଲ ଘଡେଇଙ୍କୁ ବିଜେଡିରେ ସାମିଲ କରାଯାଇଥିଲା। ନବୀନ ନିବାସ ଯାଇ ଦିଲ୍ଲୀପ ରାୟ ଆଲୋଚନା କରିଥିଲେ ବି ବିଜେଡିରେ ଯୋଗଦେଇନଥିଲେ, ଅଥଚ ତାଙ୍କ ସଂଗଠନକୁ ଶାସକ ଦଳ ସହିତ ପ୍ରାୟ ବିଲୀନ କରିଦେଇଥିଲେ।

ନିକଟରେ ବିଜେଡି ସହିତ ତାଙ୍କର ଘନିଷ୍ଠତା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ହେଲେ ନବୀନ ତାଙ୍କୁ ଦଳକୁ ଆଣି ଏହି ଆସନରେ ଲଢାଇ ଆବଶ୍ୟକ ବାକି ସିଟ୍ ତାଙ୍କ ମାଧ୍ୟମରେ କିଣାବିକା କରିବେ କିମ୍ବା ଦଳ ବାହାରେ ରଖି ପୂର୍ବତନ ସାଂସଦ ଏ ଭି ସ୍ବାମୀଙ୍କ ଶୈଳୀରେ ସ୍ବାଧୀନ ଭାବେ ଛିଡା କରାଇ ସମର୍ଥନ ଦେବେ, ତାହା ଉପରେ ନଜର ରହିଛି। ଏପରିକ୍ଷେତ୍ରରେ ବଳକା ତିନି ଚାରି ବିଧାୟକଙ୍କ ସମର୍ଥନ ଦିଲ୍ଲୀପଙ୍କ ଉପରେ ନ୍ୟସ୍ତ ରହିବ, ବା ଦ୍ବିତୀୟ ପସନ୍ଦର ଭୋଟ ମାଧ୍ୟମରେ ସେ ସହଜରେ ରାଜ୍ୟସଭା ଯାଇପାରିବେ। ବିଜେଡି ଏ ନେଇ ଗୋଟିଚାଳନା ଆରମ୍ଭ କରିଦେଇଛି। ତିନି ଚାରିଜଣ ବିଧାୟକ ବିଜେଡି ପାଖାପାଖି ଅଛନ୍ତି।

ବାକି ତିନିଟି ଆସନ ପାଇଁ ବିଜେଡି ପାଖରେ କି ବିକଳ୍ପ ସୂତ୍ର ରହିଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ହିସାବ ଅନୁସାରେ, ନବୀନ କୌଣସି ବି ପରାଜିତ ନେତାଙ୍କୁ ରାଜ୍ୟସଭା ପଠାଇବେ ନାହିଁ। ଯାହା ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି ଯେ ସେମାନଙ୍କୁ କେବଳ ସଂଗଠନରେ ସ୍ଥାନ ମିଳିବ, ସେ ନିଷ୍ପତ୍ତିରେ ସେ ଅଟଳ ରହିପାରନ୍ତି। ଦଳରେ ଗୋଷ୍ଠୀବାଦ ବନ୍ଦ ପାଇଁ ଏହାଠାରୁ ଆଉ ଭଲ ସୂତ୍ର ତାଙ୍କ ପାଖେ ନାହିଁ। ଏପରି ହେଲେ ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ମହେଶ୍ବର ମହାନ୍ତି, କଳିକେଶ ସିଂହଦେଓଙ୍କ ଭଳି ନେତାଙ୍କୁ ଅଟକା ଯାଇପାରିବ।

ନବୀନ ପୂର୍ବରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ଯିବା ଲାଗି ସଙ୍କେତ ଦେଇଥିଲେ। ଆଗକୁ ବିଜେଡି-ବିଜେପି ସଂପର୍କରେ ଯେଉଁ ମୋଡ଼ ନେବାର ସମ୍ଭାବନା ରହିଛି, ସେଥିରେ ଉଭୟଙ୍କର ପ୍ରାର୍ଥିତ୍ବ ନିରାପଦ ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ବାସ କରୁଛନ୍ତି। ପୂର୍ବରୁ ପାଟ୍ଟଶାଣୀଙ୍କର ବିଜେପି ସହିତ ଘନିଷ୍ଠତା ବଢିଥିବା ଓ ବିବଦମାନ ଭୂମିକାକୁ ନବୀନ ଭୁଲିନାହାନ୍ତି।

ରାଜ୍ୟସଭାରେ ମହିଳା ସାଂସଦ ନାହାନ୍ତି। ଲୋକସଭାରେ ଏକ ତୃତୀୟାଂଶ ମହିଳା କାର୍ଡ ଖେଳି ଦେଶରେ ଚର୍ଚ୍ଚାକୁ ଆସିଥିବା ନବୀନ ୪ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ଜଣେ ମହିଳାଙ୍କୁ ରାଜ୍ୟସଭାକୁ ପଠାଇବା ସମ୍ଭାବନା ଅଧିକ। ସଂସଦରେ ପଶ୍ଚିମଓଡ଼ିଶାକୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ଦକ୍ଷିଣ ଓଡ଼ିଶା ପାଇଁ ଭାସ୍କର ରାଓ ଅଛନ୍ତି। ପ୍ରଶାନ୍ତ ନନ୍ଦ ଉପକୂଳର ନେତା। ଅମର ପଟ୍ଟନାୟକ ବିଶେଷଜ୍ଞ ସଭ୍ୟ ଭାବେ ରାଜ୍ୟସଭାକୁ ଯାଇଛନ୍ତି। ସଂଖ୍ୟାଲଘୁ କାର୍ଡ ଖେଳି ଦଳ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ପଠାଇ ସାରିଛି।

ଏଣୁ ନବୀନଙ୍କ ପାଖରେ ବାକି ଦୁଇଟି ଆସନ ପାଇଁ ଦୁଇଟିି ମାତ୍ର ବିକଳ୍ପ ଫର୍ମୁଲା ରହିଛି। ଉତ୍ତର ଓଡ଼ିଶାରୁ ରାଜ୍ୟସଭାକୁ କେହି ପ୍ରତିନିଧିତ୍ବ କରୁନାହାନ୍ତି। ମୟୂରଭଂଜ ଜିଲ୍ଲାରୁ ବିଜେପି ଦ୍ରୌପଦୀ ମୁର୍ମୁ ଓ ଗିରିଶ ମୁର୍ମୁଙ୍କୁ ଉଚ୍ଚ ପଦରେ ଥଇଥାନ କରିସାରିଛି। ଏଭଳିସ୍ଥଳେ ବିଜେଡି ସେହି ଜିଲ୍ଲାର ଜଣେ ଆଦିବାସୀ ନେତାଙ୍କୁ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଏହାଦ୍ବାରା ଉତ୍ତର ଓଡ଼ିଶାକୁ ପ୍ରତିନିଧିତ୍ବ ମିଳିବ ଓ ଆଦିବାସୀ ବି ସାମିଲ ହେବେ। ସରୋଜିନୀଙ୍କ ବିକଳ୍ପ ତତ୍କାଳ ପୂରଣ ହୋଇପାରିବ। ଅଥବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ମୁକାବିଲା କରିବା ଲାଗି ଦଳ ବାଲେଶ୍ବରରୁ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଇବା ସମ୍ଭାବନା ରହିଛି।

ଏହାବ୍ୟତୀତ ଦଳ ପାଖରେ ଆଉ ଗୋଟିଏ କାର୍ଡ ରହିଛି। ତାହା ହେଉଛି ପଛୁଆ ବର୍ଗ। ଜନଗଣନାରେ ଓବିସି ଓ ଏସଇବିସିଙ୍କ ପାଇଁ ପୃଥକ୍ ଗଣତି କଥା କହି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। ଏ ବର୍ଗରୁ ଜଣେ ରାଜ୍ୟସଭାକୁ ପଠାଯିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଏହାଦ୍ବାରା ଏହି ବର୍ଗ ପ୍ରତି ନବୀନ ତାଙ୍କର ଦୁର୍ବଳତା ଥିବା ପ୍ରତିପାଦିତ କରିବେ, ଯାହା ଆଗକୁ ପୌର ନିର୍ବାଚନ ବେଳେ କାମ କରିବ।

ସର୍ବୋପରି ନବୀନ ଏଭଳି ନେତାଙ୍କୁ ବାଛିବେ, ଯିଏ ବିଜେଡିର ଦ୍ବିତୀୟ ପିଢୀଙ୍କ ସହିତ ଭାରସାମ୍ୟ ରଖିପାରିବ। କାରଣ ବିଜେଡି ମୁଖିଆ ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମାଙ୍କୁ ସଂଗଠନରେ ସାମ୍ନାକୁ ଆଣି ଏ କ୍ଷେତ୍ରରେ ମାପଦଣ୍ଡ ତିଆରି କରିସାରିଛନ୍ତି। ଏଣୁ ବହୁ ବରିଷ୍ଠଙ୍କୁ ସାମିଲ କରି ନବୀନ ଦଳ ଭିତରେ ବିଭ୍ରାଟର ମଞ୍ଜି ବୁଣିବା ଲାଗି ଆଗ୍ରହ ଦେଖାଇବେ ନାହିଁ। ସେହିଭଳି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା କାରଣରୁ ଅନେକ ବିଧାୟକ ଅଶାନ୍ତି ଅଛନ୍ତି। ବାହାରୁ ତୋଳି ଆଣି କୌଣସି ନେତାଙ୍କୁ ରାଜ୍ୟସଭା ଆସନ ଧରାଇ ନବୀନ ଆଭ୍ୟନ୍ତରୀଣ କନ୍ଦଳ ତେଜିବେନି।କାରଣ ଏହାଦ୍ବାରା ବିଜେପି ଏ ଅଶାନ୍ତିକୁ ଯେ କୌଣସି ମୁହୂର୍ତରେ ଫାଇଦା ପାଇଁ ବ୍ୟବହାର କରିପାରେ।

Leave A Reply

Your email address will not be published.