ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସ; ଆହ୍ବାନ ଦେଲେ ନବୀନ

0
  • ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ
  • ରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ
  • ଟେଷ୍ବିଂ ପାଇଁ ବିଡିଓ, ପଞ୍ଚାୟତ ପ୍ରତିନିଧି ସଚେତନତା ଅଭିଯାନ କରିବାକୁ ନିର୍ଦେଶ
  • ଅଗଷ୍ଟ ୧୫ରେ ପ୍ଲାଜ୍‌ମା ଦାତାଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଧିତ କରାଯିବାକୁ ନିଷ୍ପତ୍ତି

ଭୁବନେଶ୍ବର: ପଇସା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି। ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ।

କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି। ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମଙ୍ଗଳବାର ରାଜ୍ୟରେ ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବି.ଡି.ଓ. ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏ ଦିଗରେ ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀମାନଙ୍କୁ ଘରେ ଚିକିତ୍ସା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ଏବଂ ରୋଗୀମାନଙ୍କୁ ମେଡିସିନ୍‌ କିଟ୍‌ ଓ ଟେଲି ମେଡିସିନ ଯୋଗେ ଡାକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାଗୁଡିକ ଉପରେ ଅଧିକ ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ କହିଥିଲେ।

ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି। ଏଥିପାଇଁ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଥିଲେ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ସାରା ଦେଶରେ କୋଭିଡ୍‌ ନିୟନ୍ତ୍ରଣରେ ଓଡିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍‌ମା ଡୋନର ପ୍ଲାଜ୍‌ମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଛନ୍ତି। ୧୦ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି। ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୬୮.୬ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୦.୬୦ ରହିଛି। ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆରଟି ପିସିଆର୍‌ ସ୍ଥାପନ କରିବା, ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜ୍‌ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), ଇଟି ଆଣ୍ଡ ଟି ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.