ଭୁବନେଶ୍ବର: ଓଡ଼ିଶାରେ ଶିଳ୍ପ ଓ ନିବେଶ କ୍ଷେତ୍ରକୁ ମିଳିଛି ବଡ଼ ପ୍ରୋତ୍ସାହନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଅନୁମୋଦନ ପ୍ରାଧିକରଣ ବୈଠକରେ ୨୭ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ମୋଟ ୨ ଲକ୍ଷ ୪୭ ହଜାର ୧୧୫.୭୦ କୋଟି ଟଙ୍କାର ଏହି ନିବେଶ ଦ୍ୱାରା ପ୍ରାୟ ୫୦,୧୬୨ଟି ନିଯୁକ୍ତି ସୃଷ୍ଟି ହେବ। ୧୫ଟି ଜିଲ୍ଲାରେ ପ୍ରକଳ୍ପଗୁଡ଼ିକ ସ୍ଥାପନ ଓ ସମ୍ପ୍ରସାରଣ କରାଯିବ।
ସୂଚନା ପ୍ରଯୁକ୍ତି, ଆଇଟିଇଏସ୍ ଓ ଡାଟା ସେଣ୍ଟର କ୍ଷେତ୍ରର ୪ଟି ପ୍ରକଳ୍ପରେ ୧.୪୨ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ରହିଛି। ଖୋର୍ଦ୍ଧାରେ ହାଇ ଡେନସିଟି ଡାଟା ସେଣ୍ଟର ଲିମିଟେଡ୍ ୧,୦୪,୫୫୦ କୋଟି, ଏଚ୍ସିଏଲ୍ ଟେକ୍ନୋଲୋଜିଜ୍ ୧୪,୨୫୭ କୋଟି ଏବଂ ପୁରୀରେ ସେଣ୍ଟ୍ରାଫୋର୍ଜ ଏଆଇ ୨୨,୬୩୪ କୋଟି ନିବେଶ କରିବ। କଟକରେ ଆର୍କେଡି କଂଷ୍ଟ୍ରକସନ୍ର ୧,୫୦୦ କୋଟିର ଡାଟା ସେଣ୍ଟରକୁ ମଧ୍ୟ ମଞ୍ଜୁରୀ ମିଳିଛି।
ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରର ୪ଟି ପ୍ରକଳ୍ପରେ ୫୪,୨୮୭.୭୦ କୋଟି ନିବେଶ ଓ ୫,୩୦୦ ନିଯୁକ୍ତିର ସମ୍ଭାବନା ରହିଛି। ଦେବଗଡ଼ରେ ଏନ୍ଏଲ୍ସି ଇଣ୍ଡିଆର ୩,୨୦୦ ମେଗାୱାଟ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ୩୪,୭୬୩.୫୧ କୋଟି ଏବଂ ଅନୁଗୋଳରେ ୧,୦୮୦ ମେଗାୱାଟ୍ ପ୍ରକଳ୍ପ ପାଇଁ ୧୧,୬୦୪.୧୯ କୋଟି ନିବେଶକୁ ମଞ୍ଜୁରୀ ମିଳିଛି।
ସେହିପରି ସୁନ୍ଦରଗଡ଼ରେ ଇସ୍ପାତ କ୍ଷେତ୍ରର ୨ଟି ପ୍ରକଳ୍ପ ପାଇଁ ୧୪,୦୦୦ କୋଟି, ଲାବ୍-ଗ୍ରୋନ୍ ଡାଏମଣ୍ଡ କ୍ଷେତ୍ରର ୫ଟି ପ୍ରକଳ୍ପ ପାଇଁ ୧୦,୬୮୦ କୋଟି ଏବଂ ଗଞ୍ଜାମରେ ଜାହାଜ ନିର୍ମାଣ ଓ ଗ୍ରୀନ୍ ଏନର୍ଜି ଉପକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଖୋର୍ଦ୍ଧାରେ ୧,୦୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର ସ୍ପେସିଆଲିଟି ହସ୍ପିଟାଲ ପାଇଁ ଆଦାନୀ ଫାଉଣ୍ଡେସନର ୨,୧୫୦ କୋଟି ନିବେଶ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି। ଯାଜପୁରରେ ଟାଟା ଷ୍ଟିଲ୍ର ୩,୩୨୯ କୋଟିର ଆଇରନ୍ ଓର୍ ଗ୍ରାଇଣ୍ଡିଂ ୟୁନିଟ୍ ଓ ସ୍ଲରି ପାଇପଲାଇନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି।