ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ପୁରୀରେ ବିଜେଡି ନେତା କିଏ?

0

ଭୁବନେଶ୍ବର: ପୁରୀରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ନେଇ ବିଜେଡି ଆଗକୁ ବଢିବ? ୨୦୨୪ରେ ତାଙ୍କ ପୁଅକୁ ଦଳ ଟିକେଟ୍ ଦେବ ନା ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ବିଜେଡି ସୁପ୍ରିମୋଙ୍କ ବିଶ୍ବାସ ଜିଣିବେ? ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ବିଜେଡି ଆଉ ଥରେ ନିଜ ଆଡକୁ ଫେରାଇ ଆଣିବନି ତ?

ଏଭଳି କିଛି ପ୍ରଶ୍ନକୁ ନେଇ ଏବେଠାରୁ ପୁରୀ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ସାଢେ ତିନିବର୍ଷ ଥିଲେ ହେଁ, ଦଳର ଗୋଟିଚାଳନାକୁ ନିରେଖି ଦେଖୁଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଜେଡିର ପରିବର୍ତ୍ତିତ ଗଣିତ ସଂପର୍କରେ ହିସାବ ନିକାସ ଚଳାଇଲେଣି। ୟା ଭିତରେ ପିପିଲି ଉପନିର୍ବାଚନ ହେବ। ପିପିଲି ଓ ପୁରୀରେ ପୌର ନିର୍ବାଚନ ସହିତ ପଞ୍ଚାୟତ ନିର୍ବାଚନ ବି। ଏସବୁରେ କାହାକୁ ସାମ୍ନାରେ ରଖି ଦଳ ଚାଲିବ, ସେ ଗଣିତ ଚାଲିଛି।

ପୁରୀ ଜିଲ୍ଲାରେ ପ୍ରଦୀପ ମହାରଥୀ ହେଉଛନ୍ତି ଏକମାତ୍ର ନେତା ଥିଲେ, ଯାହାର ସବୁ ନିର୍ବାଚନମଣ୍ଡଳୀରେ ପତିଆରା ଥିଲା। ଦୂରରେ ଥିବା ଦଳର କର୍ମୀ ବି ତାଙ୍କର ଫ୍ୟାନ୍ ଥିଲେ। ଏବେ ପ୍ରଦୀପଙ୍କ ଅବର୍ତମାନରେ ଜିଲ୍ଲା ରାଜନୀତିକୁ ଏକ ବଡ଼ ଧକ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ନିର୍ବାଚନରେ ପରାଜୟ ପରେ ଏକରକମ ରାଜନୀତିରୁ ଦୂରେଇ ଗଲା ଭଳି ସ୍ଥିତିରେ। ନା କୌଣସି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ନା ସରକାର ତାଙ୍କୁ କୌଣସିଥିରେ ଲୋଡୁଛନ୍ତି। ଏବେ ପୁରୀ ସହରରେ ଶୁଭାଶିଷଙ୍କୁ ଆଗରେ ରଖି ବିଜେଡି ବଢୁଛି। ଯଦିଓ ମହେଶ୍ବରଙ୍କ ପୁଅ ସୁନୀଲ ରାଜନୀତିରେ ପାଦ ରଖିଛନ୍ତି କିନ୍ତୁ ମହେଶ୍ବରଙ୍କ ବିରୋଧରେ ଥିବା ବଡ଼ ଧରଣର ଜନମତ ସୁନୀଲଙ୍କ ଗ୍ରହଣୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ପ୍ରାୟ ୨୪-୨୫ ବର୍ଷ ଧରି ପୁରୀ ବିଧାନସଭା ଆସନ ମହେଶ୍ବରଙ୍କ ଦଖଲରେ ଥିଲା। ସ୍ବାଭାବିକ ଭାବେ ସବୁ ଭଲ କାମର ଶ୍ରେୟ ଯେମିତି ତାଙ୍କ ପାଖକୁ ଯାଇଛି, ପୁରୀରେ ବଢିଥିବା ଅପରାଧ, ଶ୍ରୀମନ୍ଦିରରେ ଅଶାନ୍ତି ଆଦି ଘଟଣାର ଅପବାଦ ବି ତାଙ୍କୁ ମୁଣ୍ଡାଇବାକୁ ହେବ। ଏହା ପୂର୍ବରୁ ପୁଣି ମହେଶ୍ବର ପୁରୀ ପୌର ଦାୟିତ୍ବରେ ଥିଲେ। ଏଣୁ ତାଙ୍କ ପୁଅକୁ ପୁରୀରେ ଆଗକୁ ଆଣିବା ଲାଗି ଖୋଦ୍ ବିଜେଡିର ଆଗଧାଡିର ନେତା ବି ଆଗ୍ରହୀ ନାହାନ୍ତି। ଏମିତିରେ ବି ଦଳ ସିନା ତାଙ୍କୁ ଆଗକୁ ଆଣିଛି, କିନ୍ତୁ କୌଣସି ଦାୟିତ୍ବ ଦେବା ଲାଗି ଚାହିଁନାହିଁ। ବରଂ ପୁରୀରେ ବିକାଶ କାର୍ଯ୍ୟରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀ ଖୁଣ୍ଟିଆଙ୍କ ସହିତ ରହିଛନ୍ତି।

ଆଉ ଗୋଟିଏ ବର୍ଗ କହୁଛନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପାଞ୍ଚବର୍ଷ ଧରି ନଗରପାଳ ଥିଲେ। କିନ୍ତୁ ବିଧାନସଭା ରାସ୍ତା ନ ଫିଟିବାରୁ ସେ ବାଧ୍ୟହୋଇ ବିଜେପିକୁ ଯାଇଛନ୍ତି। ଏବେ ବି ଜୟନ୍ତଙ୍କ ପ୍ରତି ବିଜେଡି ହାଇକମାଣ୍ଡଙ୍କର ସୁଦୃଷ୍ଟି ରହିଛି ଓ ସେ ଦଳର ଅନେକ ନେତାଙ୍କର ମଧ୍ୟ। ସେମାନେ ପୁରୀ ଜିଲ୍ଲା ରାଜନୀତିରେ ଜୟନ୍ତଙ୍କର ଗୋଟିଏ ବଡ଼ ଭୂମିକା ଲକ୍ଷ୍ୟ ରଖୁଛନ୍ତି। ଉଭୟ ପୁରୀ ଓ ସତ୍ୟବାଦୀରେ ତାଙ୍କର ପତିଆରା ରହିଛି। ଏଭଳି ସ୍ଥଳେ ଶ୍ରୀ ଷଡଙ୍ଗୀଙ୍କୁ ବିଜେଡି କେବେ ବି ଦଳକୁ ଯେ ଫେରାଇ ଆଣିପାରେ। ତାଙ୍କୁ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଦଳ ପରୀକ୍ଷା କରିପାରେ। ସତ୍ୟବାଦୀ ଜୟନ୍ତଙ୍କ ନିଜ ଘର ଓ ସେଠାରୁ ସେ ଟିକେଟ୍ ପାଇଁ ଏଥର ଢେର୍ ଲବି କରିଥିଲେ। ଜୟନ୍ତୀ ସତ୍ୟବାଦୀକୁ ଆସିଲେ ପୁରୀରେ ବି ବିଜେଡି ରାସ୍ତା ଖୋଲିବ ଓ ସତ୍ୟବାଦୀରେ ବି ବିଜେପି ଦୁର୍ବଳ ହେବ।

ସେହିଭଳି ସାଂସଦ ପିନାକୀ ମିଶ୍ରଙ୍କ ପତିଆରା ଇତିମଧ୍ୟରେ ଯଥେଷ୍ଟ ପ୍ରଭାବିତ ହୋଇଥିବା କାରଣରୁ ତାଙ୍କୁ ନେଇ ଆଉ ଲମ୍ବା ରାସ୍ତା ଯିବା ବିଜେଡି ସୁରକ୍ଷିତ ମନେ କରୁନଥିବା ଗୋଟିଏ ମହଲ ମତ ରଖୁଛନ୍ତି। ଯଦି ଏମିତି ହୁଏ, ତେବେ ପୁରୀର ଜଣେ ବରିଷ୍ଠ ନେତାଙ୍କୁ ଦଳ ସାଂସଦଭାବେ ଦେଖିବାକୁ ଚାହିଁବ। ପୁରୀର ନେତାଙ୍କ ମଧ୍ୟରୁ କାହାକୁ ସାମ୍ନାକୁ ଅଣାଯିବ ତାହା ମଧ୍ୟ ରାଜନୈତିକ ମହଲର ହିସାବ ନିକାସ ଭିତରେ ରହିଛି।

ଯଦି ପୁରୀକୁ ମହାନଗର ନିଗମ ଘୋଷଣା କରାଯାଏ, ତେବେ ମେୟର ଆସନରେ କିଏ ବସିବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ପରବର୍ତୀ ସମୟରେ କାହାକୁ ସୁପ୍ରିମୋ ଦେଖିବାକୁ ଚାହିଁବେ, ଏମିତି ଅନେକ ସ୍ବପ୍ନ ଉପରେ ବିଜେଡି ଭିତରେ ବି ମାନସମନ୍ଥନ ଚାଲିଛି।

ଉଲ୍ଲେଖଥାଉକି, ନିକଟରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଗଲାବେଳେ କୌଣସି ରାଜନୈତିକ ନେତାଙ୍କୁ ତାଙ୍କ ପାଖେ ଦେଖିବାକୁ ମିଳିନଥିଲା। ନିଜେ ମୁଖ୍ୟମନ୍ତ୍ରୀ ହିଁ ଏଭଳି ଯୋଜନା କରିଥିଲେ। ଏହା ସମ୍ପୂର୍ଣ୍ଣ ସରକାରୀ ଗସ୍ତ ଥିଲା ଓ କୋଭିଡ୍ କଟକଣା କାରଣରୁ କୌଣସି ନେତାଙ୍କୁ ସାମିଲ କରାଯାଇନଥିଲା। ରାଜନୈତିକ ମହଲ କିନ୍ତୁ ବିଚାର କରୁଛନ୍ତି ଯେ ପୁରୀର ପରିବର୍ତ୍ତିତ ପରିସ୍ଥିତିରେ ନବୀନ ସମସ୍ତଙ୍କ ଠାରୁ ଦୂରରେ ରହିବାକୁ ଉଚିତ୍ ମଣୁଛନ୍ତି।

Leave A Reply

Your email address will not be published.