ପ୍ରମୁଖ ଖବର

୧୦ ବର୍ଷରୁ କମ୍ ପିଲା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇ ପାରିବେ ନାହିଁ: ରାଜ୍ୟ ସରକାର
ବିହାରରେ ୨ ଓଡିଆ ଶ୍ରମିକଙ୍କ ମୃତ୍ୟୁରେ ୬ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ
ଆଉ ଯାତ୍ରାରେ ହେବନି ଅଶ୍ଲୀଳ ନୃତ୍ୟ, ସରକାର ଲଗାଇବେ ରୋକ
ରାଷ୍ଟ୍ରପତି ଭବନରେ ସ୍ଥାପିତ ହେଲା ୪ଟି କୋଣାର୍କ ଚକର ପ୍ରତିକୃତି
ଗର୍ଭବତୀଙ୍କୁ ନିର୍ଯ୍ୟାତନା ଦେବା ଘଟଣାରେ ବିଦା ହେଲେ ଡେରାବିଶ ସିଡିପିଓ
ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ
ବଢ଼ିଲା କନଷ୍ଟେବଳ ନିଯୁକ୍ତି ଆବେଦନର ସମୟ ସୀମା

ଅକଳରେ ପକାଇବ ପିପିଲି ଆସନ

0
  • ଅନୁକମ୍ପା ବଦଳରେ ପରିବର୍ତ୍ତନ ସପକ୍ଷରେ ବଢୁଛି ଜନମତ
  • ଚାରି ଦଶନ୍ଧି ପରେ ମଇଦାନରେ ନାହାନ୍ତି ମହାରଥୀ, ଯୁଧିଷ୍ଠିର
  • ବିଜେଡି ପାଇଁ ବେଶୀ ଅଡୁ଼ଆ, ସହଜ ସ୍ଥିତିରେ ରହିଛି ବିଜେପି
  • ପୂର୍ବରୁ ଦୁଇ ଆସନ ହାତେଇଛି ବିଜେପି, ବିଜେଡ଼ି ପାଇଁ ଆହ୍ବାନ
  • କାମ ଦେଇନପାରେ ବିଜେଡିରର ସଂଗଠିତ ପ୍ରଚାର କୌଶଳ

ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍ ୨୦୨୧ ଆରମ୍ଭରେ ପିପିଲିରେ ଉପନିର୍ବାଚନ ହେବା ସମ୍ଭାବନା ଅଧିକ। ବାଲେଶ୍ବର ଓ ତିର୍ତ୍ତୋଲ ଉଭୟ ଆସନକୁ ହାତେଇବା ପରେ ଏବେ ପିପିଲି ଆସନରେ ଜିତି ବିଜେଡି ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ ରହିଛି। ସେପଟେ ଉଭୟ ଉପନିର୍ବାଚନରେ ପରାସ୍ତ ପରେ ବିଜେପି ନିଜ ସମ୍ମାନ ରଖିବା ପାଇଁ ଏହି ଆସନକୁ ଅଧିକ ଗୁରୁତ୍ବ ଦେଉଛି। କଂଗ୍ରେସ ଶୋଚନୀୟ ପ୍ରଦର୍ଶନ ପରେ ଟିକିଏ ଅଧିକ ପ୍ରଭାବୀ ଢଙ୍ଗରେ ଏହି ଆସନରେ ଲଢିବ ବୋଲି ଦାବି କରୁଛି। ଏସବୁକୁ ନେଇ ପିପିଲି ନିର୍ବାଚନମଣ୍ଡଳୀ ରାଜନୀତି ଏବେ ବେଶ ସରଗରମ।

କିନ୍ତୁ ସରଜମିନ୍ ସ୍ଥିତି ଅନୁଧ୍ୟାନ ପରେ ଜଣାପଡୁଛି ଯେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଭଳି ଅତି ସହଜ ସ୍ଥିତିରେ ନାହିଁ ଏହି ନିର୍ବାଚନମଣ୍ଡଳୀ। ବିଜେଡି ପାଇଁ ଏହି ଆସନକୁ ରଖିବା ଯେତିକି କଷ୍ଟସାଧ୍ୟ, ବିଜେପି ଓ କଂଗ୍ରେସ ପାଇଁ ବି ସେମିତି ସ୍ଥିତି ରହିଛି। ଏଇଥିପାଇଁ ଯେ ଏଠାରେ ମହାରଥୀଙ୍କ ଭଳି ପ୍ରଭାବଶାଳୀ ବିଧାୟକଙ୍କ ସପକ୍ଷରେ ବେଶୀ ଅନୁକମ୍ଫା ନାହିଁ, ଯେତିକି ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ଏବଂ ମାନସ ଦତ୍ତଙ୍କ ପାଇଁ ବାଲେଶ୍ବରରେ ଥିଲା।

ଅଧିକାଂଶ ଭୋଟର ଗତ ୪୦ ବର୍ଷର ତିକ୍ତ ରାଜନୀତିରୁ ପିପିଲିକୁ ଉଦ୍ଧାର କରିବା ଲାଗି ଗୋଟିଏ ମତ ତିଆରିରେ ଲାଗିଛନ୍ତି। ଡେଲାଙ୍ଗ ବ୍ଲକରେ ଏହାର ପ୍ରଭାବ ବେଶୀ, ପିପିଲିରେ ଏଭଳି ମତ ସପକ୍ଷରେ ଧୀରେ ଧୀରେ ବାତାବରଣ ପ୍ରସ୍ତୁତି ଚାଲିଛି। କଥା କେବଳ ଆଲୋଚନାରେ ନାହିଁ, ବରଂ ଡେଲାଙ୍ଗ ବ୍ଲକରେ ନିୟମିତ ବୈଠକ ବସିବା ଆରମ୍ଭ ହୋଇଗଲାଣି। ଯେଉଁମାନଙ୍କ ପରିବାର ରାଜନୈତିକ କାରଣରୁ ନଷ୍ଟଭ୍ରଷ୍ଟ ହୋଇଯାଇଛି, ଯେଉଁମାନଙ୍କ ପରିବାର ଉଚ୍ଛନ୍ନ ହୋଇଯାଇଛି, ଯେଉଁମାନେ ସର୍ବସ୍ବାନ୍ତ ହୋଇଛନ୍ତି ସେମାନେ ରାସ୍ତା ଉପରକୁ ଆସିବା ଆରମ୍ଭ କଲେଣି। ଏକ ଅପରାଧମୁକ୍ତ ଓ ବିକଶିତ ନିର୍ବାଚନମଣ୍ଡଳୀ ପାଇଁ କ୍ଷେତ୍ର ପ୍ରସ୍ତୁତି ହେଉଛି।

ଏପରିସ୍ଥଳେ ମହାରଥୀଙ୍କ ପରିବାର ପ୍ରତି ଯେଭଳି ଅନୁକମ୍ପା ବୃଦ୍ଧି ଲାଗି ତାଙ୍କ ଅନୁଗତମାନେ ଉଦ୍ୟମ ଆରମ୍ଭ କରିଥିଲେ, ସେଥିରେ ଏବେ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବିଜେଡି ଓ କଂଗ୍ରେସର ନେତାମାନେ ନୂଆ ନେତୃତ୍ବ ସପକ୍ଷରେ ଗୋଟିଏ ପରିବେଶ ପ୍ରସ୍ତୁତ କରୁଛନ୍ତି। ଏହା ବିଜେଡିକୁ ବେଶୀ ଅକଳରେ ପକାଇଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି।

ଇତିମଧ୍ୟରେ ପ୍ରତିଭା ମହାରଥୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଆରମ୍ଭ କଲେଣି। ସୁପ୍ରିମୋଙ୍କୁ ଅପେକ୍ଷା ନ କରି ବିଜେଡିରେ ଥିବା ମହାରଥୀଙ୍କ ଲୋକମାନେ ତାଙ୍କ ପରିବାରର ପ୍ରାର୍ଥିତ୍ବ ସପକ୍ଷରେ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ଅବଶ୍ୟ ଏବେ ବି ବିତର୍କ ଭିତରେ ଅଛି ଯେ ପ୍ରତିଭା ସାମ୍ନାକୁ ଆସିବେ ନା ପୁଅ ରୁଦ୍ରପ୍ରତାପ। ଜ୍ବାଇଁ ଶୁଭେନ୍ଦୁଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି।

ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜେଡିର ଶୀର୍ଷ ନେତୃତ୍ବ ଏହା ଉପରେ କୌଣସି ଠୋସ୍ ନିଷ୍ପତ୍ତି ବା ସଙ୍କେତ ଏଯାଏ ଦେବାକୁ ପ୍ରସ୍ତୁତ ନୁହଁନ୍ତି। ବିଜେଡି ପାଖରେ ବି ଖବର ରହିଛି ଯେ ନିର୍ବାଚନମଣ୍ଡଳୀରେ ଜନମତରେ ବ୍ୟାପକ ପରିବର୍ତ୍ତନ ହେବା ଆରମ୍ଭ କରିଛି। ଏଣୁ ନେତୃତ୍ବ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଦଳ କିଛି ବି ଗୋଟାଏ ବଡ଼ ନିଷ୍ପତ୍ତି ନେଇପାରେ। ଏଇଥିପାଇଁ ଯେ ଦୁଇଟି ଆସନ ପୂର୍ବରୁ ବିଜେଡି ହାତରୁ ଯାଇଛି। ଯଦି ପିପିଲି ଖସେ, ତେବେ ପୁରୀ ଜିଲ୍ଲାରେ ଯେଭଳି ଏବେ ପ୍ରତି କଥାରେ ସରକାରୀ ବିରୋଧୀ ହାଓ୍ବା ତତ୍କାଳ ପ୍ରକାଶ ପାଉଛି, ତାହା ଉତ୍ତରାଛକରୁ ଆରମ୍ଭ ହୋଇଯିବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଭିନ୍ନ ଢଙ୍ଗରେ ଏହି ନିର୍ବାଚନମଣ୍ଡଳୀର ଗଣିତକୁ ବିଚାରକୁ ନେଉଛନ୍ତି। ସେମାନଙ୍କ କହିବା କଥା, ପ୍ରଥମେ ଜନତାଦଳ ଓ ପରେ ବିଜେଡିର ନେତା ଭାବେ ପ୍ରଦୀପ୍ତ ମହାରଥୀ ଏବଂ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟଙ୍କ ସମୟରେ ପିପିଲି ସାମଗ୍ରିକ ଭାବେ କେତେ ଲାଭ ପାଇଛି, ତାହା ଯେଭଳି ଏକ ବିତର୍କିତ ପ୍ରସଙ୍ଗ, ଠିକ୍ ସେମିତି ଯେତିକି ହରାଇଛି, ଗାଁ ଗାଁ, ସମ୍ପର୍କୀୟ ଓ ପରିବାର ଭିତରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ବି ଗୋଟିଏ ସମୟରେ ଓଡ଼ିଶାରେ ଚର୍ଚ୍ଚାର ବିଷୟ ଥିଲା। ଅନେକ ଜୀବନ ଯାଇଛି, ପରିବାର ଉଜୁଡିଛି। ଶେଷବେଳକୁ ପରିସ୍ଥିତିରେ ସୁଧାର ଆସିଥିଲା। ଗତ ନିର୍ବାଚନ ପୂର୍ବରୁ ସଚିବାଳୟ (ବର୍ତମାନର ଲୋକସେବା ଭବନରେ) ମହାରଥୀ ଓ ଯୁଧିଷ୍ଠିର ଏକାଠି ବସିବା ଦେଖାଯାଇଥିଲା। ଗତ ନିର୍ବାଚନରୁ ଶେଷ ମୁହୂର୍ତରେ ଯୁଧିଷ୍ଠିର ଓହରିଗଲେ। ଏହା ସତ୍ତ୍ବେ ମହାରଥୀଙ୍କ ଭୋଟ ବ୍ୟବଧାନ ସେଭଳି ଆଖିଦୃଶିଆ ହେଲା ନାହିଁ। ବରଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଭୋଟ ସଂଖ୍ୟା ଦଶଗୁଣ ବଢ଼ିଗଲା। ଏହା କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ୨୦୧୯ ପୂର୍ବରୁ ମହାରଥୀଙ୍କ ସପକ୍ଷରେ ଏକ ଭଲ ପରିବେଶ ନ ଥିଲା।ବିଜେପି ଭୋଟବ୍ୟାଙ୍କ ସେଠାରେ ଦ୍ରୁତ ବୃଦ୍ଧି ଘଟୁଛି। ତା ସତ୍ତ୍ବେ ନିଜ ପ୍ରଭାବରେ ମହାରଥୀ ବିଜୟ ହୋଇଥିଲେ।

ଏବେ କିନ୍ତୁ ମହାରଥୀଙ୍କ ଅବର୍ତମାନରେ ପିପିଲି ଭୋଟ ବ୍ୟାଙ୍କ ଗଣିତ ପୂରା ବିଗିଡି ଯିବା ଏକ ସ୍ବାଭାବିକ ପ୍ରକ୍ରିୟା। ମହାରଥୀଙ୍କ ପରିବାର ସପକ୍ଷରେ ଯେଭଳି ଅନୁକମ୍ପାର ସ୍ରୋତ ପ୍ରକଟିତ ହେବା କଥା ତାହା ନ ଦିଶିବାରେ ବି ଆଶ୍ଚର୍ଯ୍ୟର କଥା କିଛି ନାହିଁ। କାରଣ ଦୀର୍ଘ ଚାରିଦଶନ୍ଧି ପରେ ଲୋକଙ୍କୁ ନେତା ପରିବର୍ତନ ସୁଯୋଗ ମିଳିଛି। ଏଭା ଭାରତର ଅନେକ ରାଜନୈତିକ କ୍ଷେତ୍ରରେ ବି ପୂର୍ବରୁ ଘଟିଛି। ଅନ୍ୟପଟରେ କାହିଁକି ସବୁବେଳେ ପିପିଲିରୁ ପ୍ରାର୍ଥୀ ହେବେ? ଡେଲାଙ୍ଗ ବ୍ଲକରୁ କାହିଁକି ନୁହେଁ? ଏମିତି ଏକ ମତ ଉଠୁଛି, ତାହା ବି ଅପ୍ରାସଙ୍ଗିକ ବୋଲି କୁହାଯିବ ନାହିଁ। କେବଳ ପିପିଲି ନୁହେଁ, ଗତ କିଛି ବର୍ଷ ଧରି ସତ୍ୟବାଦୀରେ ବି ଅନୁରୂପ ସ୍ବର ତେଜିବାରେ ଲାଗିଲାଣି।

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୁରୀ ଜିଲ୍ଲାର ରାଜନୈତିକ ବାତାବରଣ ଟିକିଏ ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଅପେକ୍ଷା ସ୍ବତନ୍ତ୍ର। ଏଠାରେ ବାହାର ଅଞ୍ଚଳର ନେତା କ୍ୟାମ୍ପ କରି ପ୍ରଚାରର ଗ୍ରହଣୀୟତା ରହେ ନାହିଁ। ମହେଶ୍ବର ମହାନ୍ତି, ସଂଜୟ ଦାସବର୍ମା, ଏମିତିକି ମହାରଥୀ ଏକଥା ଭଲଭାବେ ଜାଣିଥିଲେ। ଏଣୁ ସେମାନେ ସବୁବେଳେ ନିଜେ ନିଜ ପ୍ରଚାରର ମଙ୍ଗ ଧରୁଥିଲେ। ଏମିତିକି ସତ୍ୟବାଦୀରେ ମଧ୍ୟ ଉମାକାନ୍ତ ସାମନ୍ତରାୟ ଦେଖିଛନ୍ତି ଯେ ବାହାର ନେତା ଯେତେ ଅଧିକ ଯିବେ, ସେମାନଙ୍କ ପତିଆରା ବଢେନି ବରଂ କମେ। ଏଭଳିସ୍ଥଳେ ଏହି ଉପନିର୍ବାଚନ ପ୍ରଚାର ରାଜନୈତିକ ଦଳ ପାଇଁ ଆହୁରି ଚିନ୍ତାଜନକ ହେବ। କ୍ୟାମ୍ପ କରି ଭୋଟ ପ୍ରଚାର ପ୍ରାର୍ଥୀଙ୍କ ସପକ୍ଷ ଅପେକ୍ଷା ବିପକ୍ଷରେ ଯାଇପାରେ। ପୁଣି ପିପିଲି ଅତି ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହୋଇଥିବା କାରଣରୁ ଆଇନଶୃଙ୍ଖଳା ପରିସ୍ଥିତି ଉଗ୍ର ରୂପ ଧାରଣ କରିବା ସମ୍ଭାବନାକୁ ବି ଏଡ଼ାଇ ଦେଇହେବନାହିଁ।

ସୁତରାଂ ପିପିଲି ନିର୍ବାଚନମଣ୍ଡଳୀ ଉପନିର୍ବାଚନ ଏବେ ସବୁ ରାଜନୈତିକ ଦଳ ପାଇଁ ଏକ ଆହ୍ବାନ ପାଲଟିଛି। ଉଭୟ କଂଗ୍ରେସ ଓ ବିଜେଡି ପାଇଁ ପ୍ରାର୍ଥୀ ନୂଆ। ବିଜେପି ସମ୍ଭବତଃ ଆଶ୍ରିତଙ୍କୁ ପ୍ରାର୍ଥୀ କରିପାରେ। ଏଣୁ ଦଳ ଟିକେ ଏମାନଙ୍କ ତୁଳନାରେ ଅଧିକ ସହଜ ସ୍ଥିତିରେ ରହିବ। ପ୍ରାର୍ଥୀ ଚୟନରେ ସାମାନ୍ୟ ଗୋଳମାଳ ନିର୍ବାଚନ ରାଜନୀତିକୁ କେବଳ ବିଭ୍ରାଟ କରିବ ତା ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରା ବା ପ୍ରତିଷ୍ଠା ପ୍ରତି ବି ବିପଦ ଟାଣିଆଣିବାର ଭୟ ରଖୁଛି ବୋଲି ରାଜନୈତିକ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି।

Leave A Reply

Your email address will not be published.