- ପ୍ରସାଦ ଏବେ କଂଗ୍ରେସର ଶେଷ ପରିଚିତ ଚେହେରା
- ବିଜେଡ଼ି ଦୁର୍ଗ ଦୋହଲିଲାଣି, ନେତାମାନେ ପ୍ରଭାବହୀନ
- ଜନମତ ଦ୍ରୁତ ବଦଳୁଛି, ମାତ୍ରାଧିକ ପ୍ରଶାସନିକ ସକ୍ରିୟତା କାଳ
- କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡିର ସମର୍ଥନରେ ବଢ଼ୁଛି ବିଜେପି
- ପୁରୀ ବିବାଦରେ ରହିଲେ ରାଜ୍ୟ, ଦେଶରେ ନବୀନଙ୍କୁ କ୍ଷତି
ଭୁବନେଶ୍ବର: ପୁରୀ ଜିଲ୍ଲା ଅଧୀନରେ ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ନିମାପଡ଼ା, କାକଟପୁର ଭଳି ୬ଟି ନିର୍ବାଚନମଣ୍ଡଳୀ ରହିଛି। ସଂସଦୀୟ କ୍ଷେତ୍ରରେ ପରିଭାଷା ଟିକିଏ ଅଲଗା। ପ୍ରତି ସାଧାରଣ ନିର୍ବାଚନ ହେଉ କି ରାଜ୍ୟବ୍ୟାପୀ ଆନ୍ଦୋଳନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରୁ ହିଁ ଏସବୁର ଅୟମାରମ୍ଭ ହୋଇଥାଏ। ସବୁ ରାଜନୈତିକ ଦଳ ଏଠାରେ ନିଜର ପ୍ରଭାବ ରଖିବା ପାଇଁ ଚାହିଁଥାନ୍ତି।
ଏଣୁ ପୁରୀ ଜିଲ୍ଲାକୁ ଯଦି ୟୁନିଟ୍ ଭାବେ ଧରିନିଆଯାଏ, ତେବେ ଦେଖାଯିବ ଯେ ଏହି ଜିଲ୍ଲାରେ କଂଗ୍ରେସ ସ୍ଥିତି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଜିଲ୍ଲାର ପରିଚିତ ନେତା କହିଲେ ଏକା ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ। ବିଜେଡି ହାତରୁ ବି ପୁରୀ ଦୁର୍ଗ ଖସୁଛି। ନେତାଙ୍କ ପତିଆରା ଜବରଦସ୍ତ ହ୍ରାସ ପାଉଛି ଓ ବିଜେଡିର ସଂଗଠନ ମଧ୍ୟ ବିଭାଜିତ। ଏସବୁକୁ ସମ୍ବଳ କରି ଧୀରେ ଧୀରେ ଆଗକୁ ବଢ଼ୁଛି ବିଜେପି।
୨୦୧୯ ନିର୍ବାଚନରେ ଦୁଇଟି ଆସନରେ ପାଦ ରଖିଥିବା ବିଜେପି, ଯଦି ଆଗକୁ ଅଧିକ ବିଧାନସଭା ଆସନ କବ୍ଜା କରିନିଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାହିଁକି ନା ଓଡ଼ିଶାର ପ୍ରାଣକେନ୍ଦ୍ର ପୁରୀର ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ହେଁ, ଜିଲ୍ଲାର ରାଜନୀତି ସମୀକରଣ ଉପରେ ଧ୍ୟାନ ଦେବାକୁ ଭୁଲିଯାଇଛନ୍ତି। କଂଗ୍ରେସ ବି ଚାହେଁନି ଏ ଦଳ ଆଉ ପୁରୀରେ ରହୁ। ଜିଲ୍ଲାର ରାଜନୈତିକ ସ୍ଥିତିକୁ ସମୀକ୍ଷା କଲେ, ଅତି ସହଜରେ ଏକଥା ବୁଝାପଡ଼ିଯିବ।
ପ୍ରଥମେ କଂଗ୍ରେସ କଥା ବିଚାର କରାଯାଉ। ପୂର୍ବତନ ମନ୍ତ୍ରୀ ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନଙ୍କୁ ଛାଡ଼ିଦେଲେ, ପୁରୀ ଜିଲ୍ଲା ରାଜନୀତିରେ କଂଗ୍ରେସର ଆଉ କୌଣସି ଆଗଧାଡ଼ିର ନେତା ନାହାନ୍ତି। ପୁରୀ ସଦରରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଇତିମଧ୍ୟରେ ସ୍ଥାନ ପରିବର୍ତନ କରି ଆଠଗଡ଼ ଚାଲିଯାଇଛନ୍ତି। ପିପିଲିରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଛନ୍ତି। ଗତ ନିର୍ବାଚନରେ ସେ ଦଳୀୟ ଟିକେଟ୍ ଫେରାଇ ଦେଇ ଆଉ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଏକପ୍ରକାର ସଙ୍କେତ ଦେଇଥିଲେ। ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଏବେ ଆରପାରିରେ। ବର୍ତମାନ କୌଣସି ଗୋଟିଏ ନିର୍ବାଚନମଣ୍ଡଳୀରେ କଂଗ୍ରେସ କ୍ଷମତାରେ ନାହିଁ କି ଦଳର ଦବ୍ଦବା ପରିଦୃଷ୍ଟ ହେଉନାହିଁ।
କୌତୂହଳ କଥା ହେଲା, କଂଗ୍ରେସର ବରିଷ୍ଠ ନେତାମାନେ ପୁରୀକୁ ଫୋକସ୍ରେ ରଖିନାହାନ୍ତି। ପ୍ରସାଦ ନିଜ ନିର୍ବାଚନମଣ୍ଡଳୀରେ ବି ବିଜେଡି ବା ବିଜେପିକୁ ରୋକିବା ସ୍ଥିତିରେ ନାହାନ୍ତି। ଗତ ନିର୍ବାଚନରେ ଏଠାରେ ଦଳ ତୃତୀୟ ସ୍ଥାନରେ ଥିଲା। କଂଗ୍ରେସ ଭୋଟ ଅଳ୍ପ ସଂଖ୍ୟାରେ ବିଜେଡିିକୁ, ବେଶୀ ପରିମାଣରେ ବିଜେପିକୁ ଚାଲିଯାଇଛି। ବ୍ରହ୍ମଗିରି, ପୁରୀ, ପିପିଲି ଏବଂ ନିମାପଡ଼ା ସବୁ ଆସନରେ ସମାନ ସ୍ଥିତି ଉପୁଜିଛି। ପୁରୀରେ ଉମାଙ୍କ ଅବର୍ତମାନ ହିଁ ବିଧାୟକ ଜୟନ୍ତ ଷଢ଼ଙ୍ଗୀଙ୍କ ଭୋଟ ବଢାଇ ଦେଲା। ଏହାକୁ ଅସନ୍ତୁଷ୍ଟ ବିଜେଡି ସମର୍ଥନ ଦେଲେ। ଲୁଲୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜେପିକୁ ଚାଲିଗଲେ। ପିପିଲିରେ ବି ଯୁଧିଷ୍ଠିର ମଇଦାନ ଛାଡି଼ବା ପରେ ଜନସମର୍ଥନ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ସହିତ ରହିଲା। କଂଗ୍ରେସର ଅତି ଦୁର୍ବଳ ପ୍ରଦର୍ଶନ କାରଣରୁ ନିମାପଡାରେ ମନ୍ତ୍ରୀ ସମୀର ଦାସଙ୍କ ପାଖାପାଖି ସ୍ଥିତିକୁ ଚାଲିଆସିଲେ ମହିଳା ନେତ୍ରୀ ପ୍ରଭାତୀ ପରିଡା।
ପୁରୀର ସମସ୍ତ ଆସନରେ ଏବେ ବିଜେପିିର ପତିଆରା ବଢ଼ିଚାଲିଛି। ଦଳରେ ଗୋଷ୍ଠୀ ବିବାଦ ସତ୍ତ୍ବେ କଂଗ୍ରେସ ଓ ବିଜେଡିରୁ ମୁହଁ ଫେରାଇ ବିଜେପି ଆଡକୁ ଲୋକେ ମୁହାଁଇବା ସୂଚାଇ ଦେଉଛି ଯେ ଆଗକୁ ଏହି ଜିଲ୍ଲା ରାଜନୀତିରେ ଆହୁରି ପରିବର୍ତ୍ତନ ଦେଖାଯିବା ବିଚିତ୍ର ନୁହେଁ। ମଜାଦାର କଥା ହେଲା, ବିଜେପିକୁ ବଢ଼ିବା ଲାଗି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ମିଳିଯାଉଛି, ଯାହାକୁ ରାଜନୈତିକ ପ୍ରଭାବରେ ଅଟକାଇବା ସ୍ଥିତିରେ ବିଜେଡି ନାହିଁ। ମାତ୍ରାଧିକ ପ୍ରଶାସନିକ ସକ୍ରିୟତା ଏବେ ପୁରୀରେ ବିଜେଡିକୁ ଦୋହଲାଇ ଦେଲାଣି ଓ ଲୋକ ଚରିତ୍ର ଏ ଜିଲ୍ଲାରେ ସାମାନ୍ୟ ଭିନ୍ନ ହୋଇଥିବା ପରିପ୍ରେକ୍ଷୀରେ ଏହାର ଫାଇଦା ପରୋକ୍ଷରେ ବିଜେପି ଗୋଟାଉଛି।
ଏଠାରେ ଉଲ୍ଲେଖଥାଉକି, ପୁରୀ ସଂସଦୀୟ କ୍ଷେତ୍ରରୁ କଂଗ୍ରେସରୁ ପିନାକୀ ମିଶ୍ର ହିଁ ଶେଷ ସାଂସଦ ଜିତିଥିଲେ। ଦଳ ପ୍ରାର୍ଥୀ ଜିତାଇବା ଅବସ୍ଥାରେ ନାହିଁ। ଏକଥା ଚତୁର ପିନାକୀ ବୁଝିଥିଲେ ଓ ଠିକଣା ସମୟରେ ବିଜେଡିକୁ ଆସି ୨୦୦୯ରୁ ପୁରୀ ସଂସଦୀୟ କ୍ଷେତ୍ରରୁ ଜିତିଆସୁଛନ୍ତି। ହେଲେ ସବୁଠି ଲାଭରେ ରହିଥିବା ପିନାକୀ କିନ୍ତୁ ବିଜେଡିର ତଳସ୍ତରରେ ଏକ ଭୋଟ ବ୍ୟାଙ୍କ କରିପାରିନାହାନ୍ତି, ଯାହାକୁ ବିଜେଡି ଆଜି ଦିନରେ ଆୟୁଧ କରିପାରିଥାନ୍ତା। ବରଂ ତାଙ୍କର କାର୍ଯ୍ୟଶୈଳୀ ସବୁ ବେଳେ ବିଜେଡି ବିଧାୟକଙ୍କ ପାଇଁ ଚିନ୍ତାର କାରଣ ହୋଇ ରହିଆସିଛି। ବିଜେଡିର ଗଡ଼ ଏବେ ଦୋହଲିଲାଣି। ତାହାକୁ ପିନାକୀ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି।
ଆହୁରି ସରଳ ଭାବେ କହିଲେ, ମୁଖିଆ ନବୀନ ପଟ୍ଟନାୟକ କ୍ଷମତାସୀନ ହେବା ପରେ ପୁରୀ ଜିଲ୍ଲା ଏକରକମ ବିଜେଡି ଦଖଲରେ ରହିଆସିଥିଲା। ସମସ୍ତେ ଏଥିରୁ ଲାଭ ଗୋଟାଇଛନ୍ତି। ଯାହା କରିଛନ୍ତି ନିଜ ପାଇଁ, ଦଳ ପାଇଁ କମ୍। ଏ ଜିଲ୍ଲାରେ ବିଜେଡି ଛଡ଼ା ଆଉ କେହି ଉଧଉ ନଥିଲେ। ଲୁଲୁ ୨୦୦୯ ଯାଏ ବ୍ରହ୍ମଗିରିରେ ଥିଲେ।ସତ୍ୟବାଦୀରୁ ଥରେ ମାତ୍ର (୨୦୦୯)ରେ ପ୍ରସାଦ ହରିଚନ୍ଦନ ଜିତିଥିଲେ। ୨୦୦୪ରେ ରମାରଂଜନ ବଳିୟାର ସିଂହ ଏବଂ ୨୦୧୪ରେ ଉମାକାନ୍ତ ସାମନ୍ତରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୦ରୁ ୨୦୦୯ ମେଣ୍ଟ ସରକାର ସମୟରେ ବିଜେପି ଦଖଲରେ ଥିଲା ନିମାପଡ଼ା ଆସନ। ହେଲେ ସତ୍ୟବାଦୀ ବିଜେଡିକୁ ଫେରିବା ବେଳକୁ ୨୦୧୯ରେ ବିଜେପି ବ୍ରହ୍ମଗିରି ଓ ପୁରୀ ସଦର ଆସନରେ ଛଡ଼ାଇ ନେଲା। ଦଳର ସାଂସଦ ପ୍ରାର୍ଥୀ ଅଳ୍ପକେ ହାରିଲେ।
ଗୋଟିଏ ସମୟରେ ବିଜେଡି ରାଜନୀତିରେ ପୁରୀର ଯୋଗଦାନ ଉତ୍ସାହଜନକ ଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ସଂଜୟ ଦାସବର୍ମା, ସୁରେନ୍ଦ୍ର ନାଥ ନାୟକ, ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ନେତା ରାଜ୍ୟ ସଂଗଠନରେ ପ୍ରଭାବ ରଖୁଥିଲେ। ଏବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଅଛନ୍ତି ସତ, କିନ୍ତୁ ତାଙ୍କର କାଟ୍ତି ବିଜେଡିରେ ପରିଦୃଷ୍ଟ ହେଉନାହିଁ। ପୁରୀରେ ବି ନାହିଁ। ମହେଶ୍ବରଙ୍କୁ ପୁରୀ ଲୋକ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ପିପିଲିରେ ମହାରଥୀଙ୍କ ବିୟୋଗ ପରେ ସେଭଳି ରାଜନୈତିକ ବ୍ୟକ୍ତି ନାହାନ୍ତି, ଯିଏ ରାଜ୍ୟ ରାଜନୀତିରେ ହଇଚଇ କରିପାରିବେ। ଆଉ ମନ୍ତ୍ରୀ ସମୀର ଦାଶ ଏବଂ ତୁଷାରକାନ୍ତି ବେହେରାଙ୍କ କଥା ନ କହିବା ଭଲ।
ଏହା ପରେ ବି ବିଜେଡିର ଚୈତନ୍ୟୋଦୟ ହୋଇନାହିଁ। ଦଳର ନେତାମାନେ ଏହି ଜିଲ୍ଲାରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ରାଜ୍ୟ ସରକାର ପୁରୀରେ ସବୁଠାରୁ ବଡ଼ ପ୍ରକଳ୍ପ (ଐତିହ୍ୟ ନଗରୀ) ପରିକଳ୍ପନା କରିଛନ୍ତି ସତ, ଏହା କିନ୍ତୁ ସାଧାରଣ ଲୋକଙ୍କ ଭିତରେ ବିଜେଡି ପ୍ରତି ଆଗ୍ରହ ବଢ଼ାଇପାରିନି। ପ୍ରଶାସନର ମାତ୍ରାଧିକ ସକ୍ରିୟତାର ବୋଝ ଏବେ ବିଜେଡି ମୁଣ୍ଡାଇବା ଆରମ୍ଭ କରିଛି। ରାଜ୍ୟ ରାଜନୀତିର ଶୀର୍ଷରେ ଥିବା ନେତାମାନେ ଦ୍ବିତୀୟ ପିଢିର ନେତାଙ୍କୁ ତିଆରି କରିବା ଲାଗି ଆଦୌ ଆଗ୍ରହ ଦେଖାଉନାହାନ୍ତି। ଏହା ବିଜେଡି ସଂଗଠନକୁ ବିଭାଜନ ଆଡକୁ ଦ୍ରୁତ ବେଗରେ ଟାଣିବା ଆରମ୍ଭ କରିଛି।
ରାଜନୈତିକ ମହଲର ହିସାବ ହେଉଛି, ଯଦି ବିଜେପି ପୁରୀରେ ଆଉ ବଢେ, ତେବେ ନବୀନ ସରକାର ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ। ଗୋଟିଏ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆସନରୁ ଲଢ଼ିବା କଥା କୁହାଯାଉଥିଲା। ଏହା ହିଁ ସୂଚାଇ ଦେଉଛି ଯେ ପୁରୀ ଉପରେ ବିଜେପିର ଶକ୍ତ ନଜର ରହିଛି। ଏହାର ଅନ୍ୟତମ କାରଣ ହେଲା, ପୁରୀରେ ଯେଉଁ ପ୍ରସଙ୍ଗ ବିଜେପି ଛୁଇଁଲେ ବି ତାହା ରାଜ୍ୟ ପ୍ରସଙ୍ଗ, ଜାତୀୟସ୍ତରରେ ବିତର୍କ ପାଇଁ ଖୋରାକ ଯୋଗାଇବ। ଏଇଥିପାଇଁ ଯେ ସେଠାରେ ମହାପ୍ରଭୁ, ସ୍ବର୍ଗଦ୍ବାର, ସମୁଦ୍ର, ମଠ, ତୀର୍ଥ ସବୁ ରାଜ୍ୟର, ଦେଶର, ବିଶ୍ବର। ସମଗ୍ର ଦେଶର କୋଣ ଅନୁକୋଣକୁ ଯଦି ବିଜେପି ପ୍ରସଙ୍ଗ ସବୁକୁ ଟାଣିନିଏ, ତେବେ ନବୀନଙ୍କ ଭାବମୂର୍ତି ରାଜ୍ୟ ଭିତରେ ନୁହେଁ, ବାହାରେ ବି ବିପଦରେ ପଡ଼ିପାରେ।