ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି । ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । କୋଭିଡ ପରିଚାଳନାରେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ବାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ଜୀବିକା ସୃଷ୍ଟି ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ ଏମଏସଏମଇ ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସଂପର୍କରେ ସେ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସଂପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଓଡିଶାରେ ସଂପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ପ୍ରକାଶ କରି ଏ ସମୟରେ ସମସ୍ତ ପ୍ରକାର କୋଭିଡ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡ ନିୟମାବଳୀ ଓ ଟୀକାକରଣ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପଯୁକ୍ତ ସୂଚନା ଅଭିଯାନ ମଧ୍ୟ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଲେ ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଦ୍ରୁତ ଉନ୍ନତି ଜାରି ରହିଛି। ଟୀକାକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି କାର୍ଯ୍ୟକାରୀ କରୁଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ତାଙ୍କ ଉପସ୍ଥାପନାରେ କହିଥିଲେ କୋଭିଡ ମୁକାବିଲାରେ ରାଜ୍ୟର ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହାକୁ ସାରା ଦେଶରେ ଦ୍ବିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ। ସେହିପରି ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ ଓ କୋରାପୁଟରେ ସେରୋ ସର୍ଭେ କରାଯିବ ଏବଂ ଜାନୁଆରୀରେ କଟକ ଓ ଭୁବନେଶ୍ବରରେ କରାଯିବ। ଟୀକାକରଣର ମଡ୍ୟୁଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି କରାଯାଉଛି। ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ। ଶୀତଳ ଶୃଙ୍ଖଳା, ସିରିଞ୍ଜ ଏବଂ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପୋଲିସ ପ୍ରଶାସନର କୋଭିଡ ମୁକାବିଲା ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ
Prev Post