ପ୍ରମୁଖ ଖବର

ସ୍ୱର୍ଣ୍ଣ ମନ୍ଦିରରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ଼
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

ହାଇକମାଣ୍ଡରାଜ୍ ଛାଡ଼ିବ କି କଂଗ୍ରେସ?

0
  • ରାଜ୍ୟ କଂଗ୍ରେସ ଉପରେ ଲାଉ ହେଲେଣି ହାଇକମାଣ୍ଡ
  • ଅମରିନ୍ଦରଙ୍କ ସଙ୍କେତ ଅନ୍ୟ ରାଜ୍ୟ ବି ଶିଖିବା ବେଳ ଆସିଛି
  • ଆଞ୍ଚଳିକ ପ୍ରସଙ୍ଗକୁ ଧରି ଆଗକୁ ନ ବଢିଲେ କଂଗ୍ରେସ ହଜିଯିବ

ଭୁବନେଶ୍ବର: ଚାଷୀ ଆନ୍ଦୋଳନ ପଛର ଜନ ସମର୍ଥନ ମଙ୍ଗଳବାର ଭାରତ ବନ୍ଦରେ ପ୍ରତିଫଳିତ ହୋଇଛି। ଏହି ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ଼ ଚାପ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରରେ ସରକାର କରିବା ପରେ ଦେଶରେ ଯେତେ ସବୁ ପ୍ରସଙ୍ଗ ତିଆରି ହୋଇଥିଲା ଓ ଆନ୍ଦୋଳନ ଦାନା ବାନ୍ଧିଥିଲା, ତା ଠାରୁ ଅନ୍ନଦାତାମାନଙ୍କର ଏହି ଆନ୍ଦୋଳନ ନିଆରା। ଏଇଥିପାଇଁ ଯେ ଏହି ପ୍ରସଙ୍ଗଟି ସହିତ ଯେଉଁ ଭାବନା ଓ ପ୍ରସଙ୍ଗ ଯୋଡ଼ି ହୋଇରହିଛି, ତାହା ଭାରତବର୍ଷର ପ୍ରାୟ ପ୍ରତି ଘରର ଲୋକ ବୁଝିବା ଭଳି।

ଆମେ କିନ୍ତୁ ଚାଷୀ ଆନ୍ଦୋଳନ କଥା କହୁନାହୁଁ। ଏହି ପ୍ରସଙ୍ଗରୁ ଲାଭ ଉଠାଇବାକୁ ଯୋଜନା କରିଥିବା କଂଗ୍ରେସର ଚିତ୍ର ଓ ଚରିତ୍ରମାନେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାନ୍ତି। ନିକଟରେ ବିହାରରେ ମହାଗଠବନ୍ଧନ ସରକାର କ୍ଷମତାକୁ ନ ଆସିବା ପଛର ଯେଉଁ ପ୍ରମୁଖ କାରଣ ସଂପର୍କରେ ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି, ତାହା ହେଲା, ରାଷ୍ଟ୍ରୀୟ ଜନତା ଦଳ ସହିତ କଂଗ୍ରେସର ବନ୍ଧୁତ୍ବ ଏବଂ ତାଙ୍କୁ ୭୦ ସିଟ୍ ଛାଡ଼ିବା। ସେହିଭଳି ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ୍ ଭୋଟରେ ବିଜେପିର ଶକ୍ତି ପଛରେ ଯେଉଁ ଦୁଇଟି କାରଣ ଜଳ ଜଳ ହୋଇ ଦିଶୁଛି, ତାହା ହେଲା, କଂଗ୍ରେସ ଦୁର୍ବଳ ଏବଂ ଏଆଇଏମ୍ଆଇଏମ୍ ନେତା ଏ ଓଓ୍ବେସିଙ୍କର ବିଭାଜିତ ରଣନୀତି। ବିଜେପି ହିନ୍ଦୁତ୍ବ କାର୍ଡ ଖେଳି ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରୁଥିବା ବେଳେ ଓଓ୍ବେସି ଅଣହିନ୍ଦୁ ଭୋଟରେ ଏକ ବଡ଼ ଭାଗ ବସାଇବା ଦ୍ବାରା ପରୋକ୍ଷରେ ବିଜେପି ଲାଭବାନ୍ ହେଉଛି।

ଏହା ଗୋଟିଏ କଥା ସୂଚାଉଛି ଯେ ଜାତୀୟସ୍ତରରେ କଂଗ୍ରେସ ଏବେ ଧୀରେ ଧୀରେ ନିଷ୍ପ୍ରଭ ହେବା ଆରମ୍ଭ କଲାଣି। ଆହୁରି କୌତୂହଳର କଥା ହେଲା, କଂଗ୍ରେସ ହାଇକମାଣ୍ଡ ଆଉ ନିଜେ ଭାରତବର୍ଷରେ ନିଜ ଭାବମୂର୍ତି ଫେରାଇବା ଲାଗି କୌଣସି ରାସ୍ତା ପାଉନାହାନ୍ତି। ବରଂ ଏୟା ହୋଇଛି କି ଯେଉଁ ସବୁ ରାଜ୍ୟରେ କଂଗ୍ରେସ ସଶକ୍ତ ଅଛି, ତା କାନ୍ଧରେ ଲାଉ ହେଲାଣି।

ଦୁଇଟି ଉଦାହରଣ ଦେଲେ, ଏହା ଯେ କେହି ସହଜରେ ବୁଝିପାରିବେ। ସଂପ୍ରତି ଚାଷୀ ଆନ୍ଦୋଳନକୁ ଧରି ନିଜର ଅସଜଡ଼ା ଘର ସଜାଡିବା ଲାଗି କଂଗ୍ରେସ ବିଚାର କରୁଛି। ଭାରତବନ୍ଦରେ ଦଳ ସାମିଲ ହୋଇ ଦାବି କରୁଛି କି ସେମାନେ ସଫଳ। ହେଲେ ଏହାର ସ୍ରଷ୍ଟା କଂଗ୍ରେସ ହାଇକମାଣ୍ଡ ନୁହଁନ୍ତି। ବରଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟ ରାଜନୀତି ଓ ସ୍ଥାନୀୟ ଚାଷୀଙ୍କ ସ୍ବାର୍ଥର ସୁରକ୍ଷାକୁ ଦୃଷ୍ଟିରେ ଏହି ପ୍ରସଙ୍ଗ ଆଗକୁ ଆଣିଛନ୍ତି। ତାହା ପୁଣି ଆସନ୍ତାବର୍ଷ ନିର୍ବାଚନ ଥିବା କାରଣରୁ। ସେହିଭଳି ରାହୁଲ ଗାନ୍ଧୀ ଯେବେ ଆମେଥିରେ ହାରିଲେ, ତାଙ୍କୁ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା କେରଳ କଂଗ୍ରେସ। ଏ ଦୁଇଟି ରାଜ୍ୟର କଂଗ୍ରେସ ଏବେ ହାଇକମାଣ୍ଡଙ୍କ ସ୍ଥିତି ରକ୍ଷା କରିବାରେ ବଡ଼ ଭୂମିକା ରଖିଛି।

ରାଜନୈତିକ ସମୀକ୍ଷକ କଂଗ୍ରେସର ଶୀର୍ଷସ୍ତରର ଆଚରଣ ଦେଖି ବେଶୀ ବିଚଳିତ ନୁହଁନ୍ତି। ବରଂ ଏଭଳି ପୂର୍ବାନୁମାନ କଲେଣି ଯେ ଆଗକୁ ରାଜ୍ୟ କଂଗ୍ରେସ ନେତାମାନେ ହାଇକମାଣ୍ଡଙ୍କ ଉପରେ ବେଶୀ ନିର୍ଭରଶୀଳ ହେବେନି। ବରଂ ରାଜ୍ୟ କଂଗ୍ରେସ ଉପରେ ହାଇକମାଣ୍ଡ ଲାଉ ହେବେ। ଆହୁରି ସ୍ପଷ୍ଟ ଭାବେ କହିଲେ, ରାଜ୍ୟ କଂଗ୍ରେସ ନେତାମାନଙ୍କୁ ଏବେ ସେମାନଙ୍କ ବିଚାର, ରାଜନୈତିକ କୌଶଳ ବା ରଣନୀତି ଶତ ପ୍ରତିଶତ ବଦଳାଇବାକୁ ହେବ। ପଞ୍ଜାବରୁ ଅମରିନ୍ଦର ସିଂହ ଯେଉଁ ସଙ୍କେତ ଦେଇଛନ୍ତି, ତାହା ବାକି ସବୁ ରାଜ୍ୟ କଂଗ୍ରେସ ନେତାଙ୍କୁ ବୁଝିବାକୁ ହେବ। ସେମାନେ ସେବେ ଯାଇ ନିଜର ରାଜନୈତିକ ସ୍ଥିତି ରଖିପାରିବେ ବା କଂଗ୍ରେସ ବଢି଼ବ; ଯେବେ ସେମାନେ ଆଞ୍ଚଳିକ ଦଳ ଭଳି ସ୍ଥାନୀୟ ପ୍ରସଙ୍ଗରେ ନିଜର ସ୍ବତନ୍ତ୍ର ମତ ରଖିବେ। ସ୍ଥାନୀୟ ପ୍ରସଙ୍ଗକୁ ଧରି ଆଗକୁ ବଢିବେ, ଆନ୍ଦୋଳନ କରିବେ। ଅନ୍ୟଥା ଜାତୀୟ କଂଗ୍ରେସ ସହିତ ଯୋଡି ହୋଇ ରହିଲେ, ରାଜ୍ୟ କଂଗ୍ରେସ ଧୀରେ ଧୀରେ ନିଷ୍ପ୍ରଭ ହେବା ବିଚିତ୍ର ନୁହେଁ।

ଏ କ୍ଷେତ୍ରରେ ଦୁଇଟି ଶକ୍ତ ଉଦାହରଣ ମଧ୍ୟ ନିଆଯାଇପାରେ। ଯେମିତିକି ଏନସିପି ଓ ଟିଏମ୍‌ସି। ଉଭୟ କଂଗ୍ରେସରୁ ବାହାରି ଆସି ରାଜ୍ୟ ରାଜନୀତିରେ ନିଜର ଶକ୍ତି ବିସ୍ତାର କରିବା କାରଣରୁ ଏବେ କଂଗ୍ରେସ ପାଇଁ ସେମାନେ ଆଶାବାଡ଼ି ହୋଇଛନ୍ତି ଓ ସେସବୁ ସ୍ଥାନରେ ବିଜେପି ଦୂରକୁ ଯାଇପାରିଛି। ସେମାନେ ହିଁ ଅଣବିଜେପି ଶକ୍ତିର ସ୍ଥାନୀୟ ଅଞ୍ଚଳରେ ନେତୃତ୍ବ ନେଉଛନ୍ତି।

ଏଭଳି ପରିସ୍ଥିତିରେ ଓଡ଼ିଶା କଂଗ୍ରେସ ନେତାମାନେ ଯଦି ବେଳହୁଁ ନ ଚେତିବେ, ରାଜ୍ୟରେ ଓଡ଼ିଶା କଂଗ୍ରେସ ଦଳ ଭଳି ବିଚାର ନ କରି ଗାନ୍ଧୀ ପରିବାର ଆଢୁଆଳରେ ବଢ଼ିବେ, ତେବେ ଗତ ଦୁଇ ଦଶନ୍ଧି ଭଳି ଆଉ ଦୁଇ ଦଶନ୍ଧିରେ ବି ସେମାନେ ସରକାର ଗଠନ କରିବା ବା ସରକାରକୁ ଆସିବା କଷ୍ଟସାଧ୍ୟ ହୋଇପାରେ।

Leave A Reply

Your email address will not be published.