” ମାମା ,କେ.ୱାଇ.ସି ଫର୍ମ ମୁଁ ପୂରଣ କରିବି । ତୁମେ ଦସ୍ତଖତ କରିଦେବ । ” ବିଠଲ୍ କହିଲା ।
“କଣ ହେଲା କି ? ମୋର କର୍ସିଭ ଲେଟର୍ ଠିକ ଲାଗୁନି ତତେ ? ” ସୁତପା ପଚାରିଲେ ।
“ନାଁ ମାମା ,ତୁମ ଅକ୍ଷର ବହୁତ ସୁନ୍ଦର । ତୁମେ ପାଠ ବି ଭଲ ବୁଝେଇପାର । ତୁମ ହେଲ୍ପ ପାଇଁ ମୋ ପ୍ରୋଜେକ୍ଟ ସବୁ ପୁରସ୍କୃତ ହୁଏ । ତୁମ ତଦାରଖରେ ପ୍ରସ୍ତୁତ ମୋ ଏକାଙ୍କିକାକୁ ପ୍ରଶଂସା ମିଳେ । ତୁମ କଥା ମାନି ମୁଁ ଦଶଜଣରେ ବାରି ହେଇଯାଏ ।
କିନ୍ତୁ ତୁମେ……ସେଇ ହାଉସ୍ ୱାଇଫ ଖୋଳ ଛାଡିପାରୁନ । କେତେ ସୁନ୍ଦର ଶବ୍ଦ ଅଛି ଦେଖ, ହୋମ୍ ମେକର୍ , ମେଣ୍ଟର୍ ….”
“ଏଇ କଥା ? ମୁଁ ଆଉ କଣ କି ? ରୋଜଗାର ନଥିବା ସ୍ତ୍ରୀ ଲୋକର ଆଉ କଣ ପରିଚୟ ?
ଜଣକୁ ହୋମମେକର୍ କହିଥିଲି ,ସେ ପରା ବିଲଡର୍ ବୁଝିଲା ମତେ । “ହସିଲେ ସୁତପା ।
” ତୁମେ ବାପାଙ୍କର ସ୍ତ୍ରୀ ।ଏ ଘରର କେମିତି ଯେ ? ଏ ଘରଟା ମୋର, ଭାଇର,ବାପାଙ୍କର, ଜେଜେଙ୍କର
ବି । ତୁମେ ଏକା କାଇଁ ବାନ୍ଧିହେଇରହିବ ? “
“ମୋ ପୁଅର ବୁଦ୍ଧି କେତେ ହେଇଗଲାଣି ତାହେଲେ। ରଖିଥା ,ଗୋଡ ନଚଳିଲାବେଳେ ସୁଧମୂଳ ସହିତ ଫେରେଇଦବୁ ।”
“ସେଇତ…ତୁମକୁ ଦେଖିଲେ ଜେଜେମାଙ୍କର ଘୋଳା ବିନ୍ଧା ବଢିଯାଏ । ପାଟି ସୁଆଦ ଖୋଜେ ।ଜେଜେ
ଦିନକୁ ବାର କପ ଚା ବରାଦ କରନ୍ତି । କୁଣିଆ ଆସିଲେ ସମସ୍ତେ ଗପରେ ମାତିଯାନ୍ତି ।ତୁମେ ଚାଳିଶ ଡିଗ୍ରୀ ଉତ୍ତାପରେ ରୋଷେଇଘରେ !!”
“ଛି …..ସେମିତି କୁହନ୍ତିନି । ଅତିଥି ଦେବତା । ଆଜିକାଲି କିଏ କାହାଘରକୁ ଆସୁଛି ଯାଉଛି ? ଆମଘରକୁ କେହି ଆସି ଖୁସିହେଲେ ଆମର ପୁଣ୍ୟ ।”
“ତୁମେ କଥା ଟାଳିଦଉଚ । ତୁମେ ତ କାଇଁ ଅଜାଆଈ ଘରେ ପାଂଚ ଦିନ ରହୁନ ! ତୁମର କଣ ଇଛା ହୁଏନି?
ଆଈଙ୍କ ଫୋନ ଆସିଲେ ଦିନସାରା ତୁମ ଆଖି ଲାଲ ଦିଶେ କାହିଁକି ? ଆଈ କହୁଥିଲେ ତୁମେ ରେଡ଼ିଓ ରୁ
ଗୀତ ଶୁଣିଶୁଣି ଶୋଉଥିଲ । ତୁମ ଡ଼ାଏରୀରେ ବି କେତେ ଗୀତ ଦେଖିଚି ।”
“କେତେ ଦେଖୁଚୁରେ ମେଞ୍ଚଡ ନିରିଖେଇକି । ଆ’ ଖାଇବୁ । କାକରା ଛାଣିଚି ।ଗରମ ଗରମ ।”
..”ଜାଣିଛ , ସିଦ୍ଧାର୍ଥ ର ମାମା ନାଇଟ ଡ଼ିଉଟି କରନ୍ତି । ପ୍ରାୟ ସେ ସ୍କୁଲ କୁ ଶୁଖାରୁଟି ନିଏ ।ଆମ ସ୍କୁଲ ରେ
କିଣା ଜଳଖିଆ ମନା । ମୁଁ ତା ସହ ଟିଫିନ ଶେୟର କରେ । ସେ କେବେ ଫୁଲକା ରୁଟି କି ଗରମ ପୁରି ର
ମଜା ଘରେ ପାଏନି ।”
ଆଜି ଯେମିତି ଛାଡିବା ମୁଡ୍ ରେ ନଥିଲା ବିଠଲ୍ । କହିଚାଲିଲା, “ସବୁ ପିଲା ଅନଲାଇନ ଖାଦ୍ୟ ମଗେଇକି
ଖାଉଛନ୍ତି । ମୋର କେତେଟା ସାଙ୍ଗ ଅଶୀ କେଜି ରୁ ଅଧିକ । ସ୍କୁଲରେ ରେଗୁଲାର ହେଲଥ୍ ଚେକ୍ଅପ ।
ମୋର ସ୍ଲିମ୍ ଚେହେରାର କ୍ରେଡିଟ ତ ତୁମର ମାମା ।”
“ତୋର କଣ ହେଇଛି ରେ ?କିଏ କିଛି କହିଛି ?”
“କାଲି ବାପାଙ୍କ ସହ ମାର୍କେଟ ଯାଇଥିଲି…ତାଙ୍କର ପୁରୁଣା ସାଙ୍ଗ ଦେଖାହେଲେ । ପଚାରିଲେ, ମିସେସ କଣ କରନ୍ତି ? ବାପା ବି କହିଲେ ‘କିଛି କରେନି , ହାଉସ ୱାଇଫ ‘। ମତେ ଭଲ ଲାଗିଲାନି । କିଛି କରନି
ମାନେ ? ତୁମେ ନଥିଲେ ଘରେ ଆମକୁ କିଛି ମିଳେନି …..ଟାଇ, ମୋଜା, ଛତା ,ରେନକୋଟ । ଖୋଜି ଖୋଜି ହାଲିଆ ହେଇଯାଉ ।
ତୁମକୁ ମନ୍ଦିର ନୁହଁ ସମୁଦ୍ର ପସନ୍ଦ, ଡ୍ରେସ ନୁହଁ ଶାଢ଼ୀ ପସନ୍ଦ । ତୁମେ ତୁମ ପସନ୍ଦ ବି ଭୁଲିଯାଉଛ ମାମା । ଆମ ସୁବିଧା ଦେଖୁ ଦେଖୁ ନିଜକୁ ହଜେଇଦେଇଛ ।”
ଏତେସବୁ କହିଦେଇ ଗୁମ୍ ହେଇଗଲା ବିଠଲ୍।
ସୁତପା କହିଲେ ,”ଏମିତି ଗୋଟେ ବିଦ୍ରୋହର ସ୍ୱର ଡ଼ଙ୍କେଇଥିଲା ମୋ ମନରେ ଠିକ୍ ତୋରି ବୟସରେ ,
ମୋ’ ବୋଉ ପାଇଁ । କୋଉ ଶକ୍ତ ତାରରେ କେତେ ବେଳେ ଗୁଡ଼େଇହେଇ ଛିଡ଼ିଗଲା କଅଁଳ ଅଗ ସବୁ ।
ତଫାତ ହେଲା ମୁଁ ଝିଅ ଥିଲି , ଆଉ ତୁ ପୁଅ । ପୁଅଟିଏ ଏମିତି ଚିନ୍ତା କଲେ ସବୁ ମା’ ଙ୍କୁ ସମ୍ମାନ ମିଳିଯିବ । ମୁଁ ବହୁତ ଖୁସି, ତୋ ଭିତରେ ନରମ,ଦରଦୀ ,ସମ୍ବେଦନଶୀଳ ହୃଦୟ ଟେ ଅଛି ବୋଲି ।”
“ଆଜିଠୁ ସବୁ ରବିବାର ତମର ଛୁଟି । ତୁମେ ସମୁଦ୍ର କୂଳ ରେ ବସିବ । ନିଜ ପସନ୍ଦର କିଛି କିଣିବ ।
ଆମ ଆଉଟ ହାଉସ ରେ ମ୍ୟୁଜିକ କ୍ଲାସ ଖୋଲିବ । ତୁମର ଡ଼ିଗ୍ରୀ କାମରେ ଲାଗିବ । ବାପା ଆଉ ମୁଁ ଘର କଥା ବୁଝିବୁ ।ଭାଇକୁ ମୁଁ ଖେଳେଇବି ।”
ଗୋଟେ ବୟସ୍କ ଠାଣିରେ ଏତକ କହିଗଲା ବିଠଲ୍। କେତେଦୂର କାର୍ଯ୍ୟକାରୀ ହେଇପାରିବ ଅଲଗା କଥା,
କିନ୍ତୁ ସୁତପା ଆତ୍ମତୃପ୍ତିରେ ଘେରାଏ ନାଚିଗଲା । କିଏ କହିଲା, ଆଜିକାଲିର ପିଲା ନିଜ ଦୁନିଆରେ ମସ୍ତ
ବୋଲି । ଏ ଛୁଆ ତ ଆଶାତୀତ ସଂସ୍କାର ଗୋଟେଇ ପକେଇଚି ଏଇ ପରିବେଶରୁ । ଏମିତି କୁନି କୁନି
ଇଚ୍ଛାରେ ମହିଳାଦିବସ ସବୁଦିନ ପାଳିତ ହେଇଯିବ ।
ମଞ୍ଚ ଆଉ ପ୍ରଚାର ମହିଳାଙ୍କ ପାଇଁ ଲଲିପପ୍ । ପାଞ୍ଚ ଜଣ ସମ୍ବର୍ଦ୍ଧିତ ହୁଅନ୍ତି ।ବାକି ପଞ୍ଚାନବେ ? ସେମାନେ
କଣ ଅଦରକାରୀ ନା ସମାଜରେ ତାଙ୍କର ଯୋଗଦାନ ନାହିଁ ? ନାରୀ ର ସୃଷ୍ଟି ସେମିତି । ମା’ ଡାକିଦେଲେ
ଆଦରିନେବାର ପ୍ରବୃତ୍ତି । ଅଧିକାର ମାଗିଆଣିବା ବସ୍ତୁ ନୁହଁ ,ଛଡେଇନେବା ଜିନିଷ ବି ନୁହେଁ । ଯେ
କୌଣସି କାମ ଆତ୍ମସମ୍ମାନ-ରହିତ ନହେଉ ।
ମହିଳାଙ୍କ ପ୍ରତି ସମ୍ମାନ ମନରେ ରହୁ। ସହଯୋଗରେ ଶକ୍ତ ହେଉ । ସହଭାଗିତାରେ ସମୃଦ୍ଧ ହେଉ ।
ଶ୍ୟାମସୁନ୍ଦର ନିବାସ, ବ୍ରହ୍ମପୁର-୧୦