ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭର୍ତ୍ତୃହରି କଣ ସଙ୍କେତ ଦେବାକୁ ଚାହିଁଲେ

0

ଭୁବନେ୍ଶ୍ବର: ନୂଆଦିଲ୍ଲୀରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ନିଜ ବାପା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଲୋକାର୍ପିତ କରିବା ଘଟଣା ଓଡ଼ିଶା ରାଜନୀତିରେ ଆଲୋଚନାର ବିଷୟ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଭଳି ଭାବେ ସାଂସଦ ଶ୍ରୀ ମହତାବଙ୍କୁ ପ୍ରଶଂସା କଲେ ଓ ଓଡ଼ିଶାକୁ ମହତାବଙ୍କ ଅବଦାନ ସଂପର୍କରେ ଆଲୋଚନା କଲେ, ତାହାକୁ ରାଜନୈତିକ ମହଲ ଦୁଇଟି ଦିଗରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରୁଛନ୍ତି।

ପ୍ରଥମତଃ ଏହି କାର୍ଯ୍ୟକ୍ରମକୁ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରାଗଲାନାହିଁ। ଏହାଦ୍ବାରା ନବୀନ-ଭର୍ତ୍ତୃହରିଙ୍କ ମଧ୍ୟରେ ଦୂରତା ବୃଦ୍ଧିର ବାର୍ତ୍ତା ଗଲା ନାହିଁ କି? ଦ୍ବିତୀୟତଃ ଗତ ୨୧ ବର୍ଷ ଧରି ଓଡ଼ିଶା ରାଜନୀତିରେ ବିଜୁ ବାବୁଙ୍କ ଅବଦାନ ସଂପର୍କରେ ବାରମ୍ବାର ଆଲୋଚନା ହୋଇଛି ଓ ରାଜ୍ୟ ସରକାର ସର୍ବାଧିକ ସ୍ବୀକୃତି ବା କାର୍ଯ୍ୟକ୍ରମ ବିଜୁଙ୍କ ନାମରେ କରିଛନ୍ତି। ବିଜୁଙ୍କୁ ଭାରତ ରତ୍ନ ଦେବା ଲାଗି ବିଜେଡିର କିଛି ନେତା ଚାପ ସୃଷ୍ଟି କରିଆସୁଛନ୍ତି। ସେହି ଦଳର ସାଂସଦ ହୋଇ ଭର୍ତ୍ତୃହରି ଦଳର ରାସ୍ତାରେ ନ ଯାଇ ବିଳମ୍ବରେ ହେଲେ ବି ହଠାତ୍ ହରେକୃଷ୍ଣ ମହତାବଙ୍କୁ ଜାତୀୟ ସ୍ତରରେ ଶୀର୍ଷକୁ ନେଇଯିବା ଓ ଖୋଦ୍ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଅମୃତ ଉତ୍ସବ ପରିସର ଭିତରକୁ ପ୍ରଧାନମନ୍ତ୍ରୀ ଡ. ମହତାବଙ୍କୁ ଟାଣି ଆଣିବା ଘଟଣାର ଲମ୍ବା ରାଜନୈତିକ ପ୍ରଭାବ ପଡ଼ିବ ବୋଲି ପର୍ଯ୍ୟବେକ୍ଷକ ମତ ରଖନ୍ତି। ଏପରିକି ଓଡ଼ିଶାରେ ଆଗାମୀ ଦିନରେ ବିଜେଡିକୁ ଝଟ୍‌କା ଦେବା ଲାଗି ଅମୃତ ଉତ୍ସବ ବର୍ଷରେ କେନ୍ଦ୍ର ସରକାର ଡ. ମହତାବଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ଦେବା ସମ୍ଭାବନାକୁ ଏହି ମହଲ ଏଡ଼ାଇ ପାରୁନାହାନ୍ତି।

ଓଡ଼ିଶା ରାଜନୀତିରେ କଟକ ବିଶେଷ ଗୁରୁତ୍ବ ରଖେ। ସେଠାରୁ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସଂସଦକୁ ନିର୍ବାଚିତ ହୋଇ ଆସୁଛନ୍ତି ଭର୍ତ୍ତୃହରି। ସଂସଦରେ ବିଜେଡି ଦଳର ନେତା ହିସାବରେ ତାଙ୍କୁ ନବୀନ ସ୍ବୀକୃତି ଦେଇଥିଲେ। ଏଥର କିନ୍ତୁ ତାଙ୍କ ସ୍ଥାନରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭା ନେତା ଭାବେ ଦାୟିତ୍ବ ଦିଆଯାଇଛି। ହେଲେ ସଂସଦରେ ଓଡ଼ିଶାର ସ୍ବର ଓ ରାଜନୈତିକ ଗୋଟିଚାଳନାକୁ ନିରେଖି ଦେଖିଲେ ଯେ କେହି ବି ବୁଝିପାରିବ ଯେ ଭର୍ତ୍ତୃହରି ଅଘୋଷିତ ଭାବେ ସଂସଦରେ ନେତୃତ୍ବ ନେଇ ଆସୁଛନ୍ତି। ଦଳମତ ନିର୍ବିଶେଷରେ ତାଙ୍କର ସଂପର୍କ ରହିଛି ଓ ସଂସଦରେ ନିଜର ପତିଆରା ପ୍ରତିଷ୍ଠାରେ ସେ ସଫଳ ହୋଇଛନ୍ତି।

ଏହାବ୍ୟତୀତ ଜାତୀୟ ରାଜନୀତିରେ ଏକଥା ପ୍ରାୟ ଊଣା ଅଧିକେ ଜାଣନ୍ତି ଯେ ନବୀନଙ୍କ ସହିତ ଭର୍ତ୍ତୃହରିଙ୍କ ସଂପର୍କ ଟିକିଏ ଅଲଗା। ଖାସ୍ ବୋଲି ବି କୁହାଯାଇପାରେ। କିନ୍ତୁ କାହିଁକି ଓ କେଉଁ ପରିସ୍ଥିତିରେ ଶ୍ରୀ ମହତାବ ନବୀନଙ୍କୁ ଛାଡ଼ି ଦିଲ୍ଲୀରେ ଏତେ ବିଶାଳ କାର୍ଯ୍ୟକ୍ରମ କଲେ ତାହା ଜାତୀୟସ୍ତରରେ ଅନେକଙ୍କୁ ଅବୁଝା ରଖିଛି।

ଗୋଟିଏ ମହଲର ମତ ହେଉଛି, ବିଜେଡିରେ ଧୀରେ ଧୀରେ ଭର୍ତ୍ତୃହରି କୋଣଠେସା ହେବା ଆରମ୍ଭ କରିଛନ୍ତି। ବିଜେପି ସହିତ ତାଙ୍କର ନିବିଡ଼ତା ବୃଦ୍ଧି ପରିପ୍ରେକ୍ଷୀରେ ହାଇକମାଣ୍ଡ ତାଙ୍କ ସଂପର୍କରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଆଉ ଗୋଟିଏ ମହଲର କହିବା କଥା ହେଲା, କଟକ ଜିଲ୍ଲା ଆଭ୍ୟନ୍ତରୀଣ ରାଜନୀତିରେ ଭର୍ତ୍ତୃହରିଙ୍କ ସ୍ଥାନ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଲାଣି। ଜିଲ୍ଲାର ଏକାଧିକ ଆସନରେ ବାପାଙ୍କ ସ୍ଥାନରେ ପୁଅକୁ ଦଳ ଟିକେଟ୍ ଦେଇଛି। ଏଣୁ ଭର୍ତ୍ତୃହରିଙ୍କୁ ନୂଆ ପିଢ଼ି ଯେତିକି ଗୁରୁତ୍ବ ଦେବା କଥା ତାହା ପରିଦୃଷ୍ଟ ହେଉନାହିଁ, ଯାହା ତାଙ୍କୁ ଖଟ୍‌କା ଲାଗିପାରୁଥାଏ।

କେବଳ ସେତିକି ନୁହେଁ, ବାରବାଟୀ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଭର୍ତ୍ତୃହରିଙ୍କ ବ୍ୟକ୍ତିଗତ ସଂପର୍କ ମଧୁର ନୁହେଁ। ଗତ ଦିନରେ ବିଭିନ୍ନ ପ୍ରସଙ୍ଗରେ ଦେବାଶିଷ-ଭର୍ତ୍ତୃହରି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ମୁହାଁମୁହିଁ ହୋଇଛନ୍ତି।ଏଣୁ ଶ୍ରୀ ମହତାବଙ୍କର ବିଜେଡିର ବର୍ତ୍ତମାନର କ୍ଷମତା କେନ୍ଦ୍ର ସହିତ ଭାରସାମ୍ଯ ବିଗିଡିଯିବା ଅତ୍ୟନ୍ତ ସ୍ବାଭାବିକ। ଅବଶ୍ୟ ଆଜି ଦିନରେ ଶ୍ରୀ ସାମନ୍ତରାୟଙ୍କ ପତିଆରା ବି ବିଜେଡିରେ ଯଥେଷ୍ଟ ହ୍ରାସ ପାଇଲାଣି। ଦଳ ତାଙ୍କୁ ଆଉ ଆଗଭଳି ପ୍ରାଥମିକତା ଦେବା ସ୍ଥିତିରେ ନାହିଁ। କିନ୍ତୁ ଗତ ଦିନର ବିବାଦ ଭିତରେ ନବୀନ ନିବାସ-ଶ୍ରୀ ମହତାବଙ୍କ ସଂପର୍କରେ ଥିବା ମଧୁରତା ଆଉ ଆଗଭଳି ନାହିଁ।

ଏସବୁକୁ ନେଇ ଅସନ୍ତୁଷ୍ଟ ଥିବା ଭର୍ତ୍ତୃହରିଙ୍କର ନୂଆଦିଲ୍ଲୀ ନୂଆ ଚାଲ୍ କିନ୍ତୁ ଅନେକ ସଙ୍କେତ ଦେଇଛି। କେଉଁଠି ନା କେଉଁଠି ଏହି ବହି ଉନ୍ମୋଚନ ରାଜନୀତିରୁ ଗନ୍ଧ ବାହାରୁଛି ଯେ ଯଦି ବିଜେଡି ଶ୍ରୀ ମହତାବଙ୍କୁ ଦୂରେଇ ଦିଏ, ତେବେ ଜାତୀୟ ରାଜନୀତିରେ ଶ୍ରୀ ମହତାବ ଅନ୍ୟ ନେତାଙ୍କ ଭଳି ଅପ୍ରାସଙ୍ଗିକ ହେବେ ନାହିଁ। ଏପରିକି ବିଜେପି ତାଙ୍କୁ ସାମ୍ବିଧାନିକ ପଦପଦବି ଦେଇ ବିଜେଡି ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରିଦେବା ବିଚିତ୍ର ନୁହେଁ। ଏହାଦ୍ବାରା ଭର୍ତୃହରିଙ୍କର ସମ୍ମାନ ରହିବ ଓ କଟକ ଜିଲ୍ଲା ରାଜନୀତିରେ ବିଜେପି ଏହାକୁ ଏକ ରାଜନୈତିକ ଗୋଟି ଭାବେ ବ୍ୟବହାର କରି ବିଜେଡି ଘରେ ଫାଟ ସୃଷ୍ଟି କରିପାରେ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଯେଉଁ ଭିନ୍ନ ମତ ରଖୁଛନ୍ତି, ତାହା ହେଲା, ବିଜେଡି ଓ ଭର୍ତ୍ତୃହରିଙ୍କ ଭିତରେ ସଂପର୍କ ଯେତେ ମଧୁର ହେବ, ତାହା ଉଭୟଙ୍କ ପାଇଁ ସେତେ ଭଲ। ଉଭୟ ଉଭୟଙ୍କ ପାଇଁ ଅନେକ କ୍ଷେତ୍ରରେ ଆବଶ୍ୟକ ରଖନ୍ତି। ସଂସଦରେ ବିଜେଡି ସୌଜନ୍ୟରୁ ଭର୍ତ୍ତୃହରି ଏକାଧିକ ବାର ନିର୍ବାଚିତ ହୋଇଛନ୍ତି ଓ ଜଣେ ଅନୁଭବୀ ସାଂସଦ ଯେ କୌଣସି ଦଳ ପାଇଁ ଆସନ୍ତା ଦିନରେ ଅଧିକ ଜରୁରୀ। ଭର୍ତ୍ତୃହରି ମଧ୍ୟ ଅନ୍ୟ ସାଂସଦଙ୍କ ରାସ୍ତାରେ ନ ଯାଇ ସଂସଦରେ ନିଜ ପାଇଁ ଯେଉଁପ୍ରତିଷ୍ଠା ଗୋଟାଇଛନ୍ତି, ତାହା ବି ବିଜେଡି ପାଇଁ ଅନେକ କ୍ଷେତ୍ରରେ କାମ ଦେବ। ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ଘନାଉଥିବା ବେଳେ ଜାତୀୟ ରାଜନୀତିରେ ଅନୁଭବୀ ତଥା ପ୍ରଭାବଶାଳୀ ନେତୃତ୍ବ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

Leave A Reply

Your email address will not be published.