ନୂଆଦିଲ୍ଲୀ: ଠିକାଦାରଙ୍କ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ପ୍ରଦାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ନିଯୁକ୍ତିଦାତା ଓ ଠିକା କର୍ମଚାରୀଙ୍କ ମଧ୍ୟରେ ସିଧାସଳଖ ନିଯୁକ୍ତି ସମ୍ପର୍କ ନଥିଲେ, ଗ୍ରାଚ୍ୟୁଇଟି ପୈଠ ପାଇଁ ମୁଖ୍ୟ ନିଯୁକ୍ତିଦାତାଙ୍କୁ ଦାୟୀ କରାଯାଇପାରିବ ନାହିଁ। ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ଏହି ରାୟ ଦେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ହାଇକୋର୍ଟ ଓଏନ୍ଜିସିକୁ ଠିକା ଶ୍ରମିକଙ୍କ ଗ୍ରାଚ୍ୟୁଇଟି ପୈଠ ପାଇଁ କହିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି, କେବଳ ଠିକା ଶ୍ରମିକ କୌଣସି ମୁଖ୍ୟ କମ୍ପାନୀର ପରିସରରେ କାମ କରୁଥିବାରୁ ସେହି କମ୍ପାନୀକୁ ତାଙ୍କ ନିଯୁକ୍ତିଦାତା ବୋଲି ଧରାଯାଇପାରିବ ନାହିଁ। କୋର୍ଟଙ୍କ ମତରେ, ଗ୍ରାଚ୍ୟୁଇଟି ଆଇନ ଅଧୀନରେ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହେଉଛି ପ୍ରାପ୍ୟ ରାଶିର ହିସାବ କରିବା। କିଏ ପ୍ରକୃତ ନିଯୁକ୍ତିଦାତା, ତାହା ନିର୍ଦ୍ଧାରଣ କରିବା ତାଙ୍କ ଅଧିକାର କ୍ଷେତ୍ରରେ ନାହିଁ।
ତେବେ ପୂର୍ବ ନିର୍ଦ୍ଦେଶ ଆଧାରରେ ଯେଉଁ କର୍ମଚାରୀମାନେ ଗ୍ରାଚ୍ୟୁଇଟି ପାଇସାରିଛନ୍ତି, ସେମାନଙ୍କଠାରୁ ଟଙ୍କା ଫେରସ୍ତ ନିଆଯିବ ନାହିଁ। ଗ୍ରାଚ୍ୟୁଇଟି ନିୟମ ଅନୁଯାୟୀ ଯୋଗ୍ୟ କର୍ମଚାରୀଙ୍କୁ ତାଙ୍କ ସେବା ଓ ନିଯୁକ୍ତିର ପ୍ରକାର ଆଧାରରେ ଏହି ସୁବିଧା ମିଳିଥାଏ। ନିର୍ଦ୍ଦିଷ୍ଟ ଅବଧି ଚୁକ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ମଧ୍ୟ ଶ୍ରମ ଆଇନରେ ଗ୍ରାଚ୍ୟୁଇଟି ସମ୍ପର୍କିତ ବ୍ୟବସ୍ଥା ରହିଛି।