ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

କାହିଁକି ପ୍ରେସ ବିବୃତିରେ ଅଟକିଗଲେ ସଞ୍ଜୟ ଦାସବର୍ମା

0

ଭୁବନେଶ୍ବର: ତେଲ ଦର ହେଉ କି ଗ୍ୟାସ୍। ସାମାନ୍ୟ ବଢ଼ିଲେ ବି ତମ୍ବିତୋଫାନ କରି ଆସୁଥିବା ବିଜେଡି ତାର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଯୁବ ବିଜେଡି ସଭାପତି ଥିବା ବେଳେ ଯେଉଁ ସଂଜୟ ଦାସବର୍ମା ଲୋୟର ପିଏମ୍‌ଜି ଛକରେ ଦଳୀୟ କର୍ମୀ, ନେତାଙ୍କୁ ଧରି ଗର୍ଜନ ତର୍ଜନ କରୁଥିଲେ, ସେ ଲୋକଙ୍କର ଏହି ସଙ୍ଗିନ୍ ସ୍ଥିତିରେ ବିବୃତିରେ ଅଟକିଯାଇଛନ୍ତି। ଏକ ପ୍ରେସ ଇସ୍ତାହାର ଜାରି କରି ସଞ୍ଜୟ କହିଛନ୍ତି ଯେ ତୈଳ ଦର ୧୦୦ ଟପିଲାଣି ଏବଂ ଏଥିପାଇଁ ଏନ୍‌ଡିଏ ସରକାର ଦାୟୀ ରହିବ। ସଂଜୟଙ୍କର ଏଭଳି ଆଭିମୁଖ୍ୟ ଏବେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ସାଧାରଣ ସଂପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ କରୋନା ମହାମାରୀ ଦେଶର ଅର୍ଥନୀତିକୁ ରସାତଳଗାମୀ କରିସାରିଲାଣି। ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭୟଙ୍କର ମାନ୍ଦାବସ୍ଥା ଲାଗି ରହିଛି। ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଛନ୍ତି। ସାଧାରଣ ଜନତାଙ୍କ ପକେଟ୍ ଖାଲି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ବଦଳରେ କୁଠାରଘାତ କରାଯାଉଛି। ବାରମ୍ବାର ତୈଳ (ପେଟ୍ରୋଲ୍ ଓ ଡିଜେଲ) ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

ସେ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ୍‌ର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି। ଜନସାଧାରଣ ଏବେ ଭୀଷଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ତୈଳ ଦର ୧୦୦ ଟଙ୍କା ଅତିକ୍ରମ କରିସାରିଲାଣି। ଓଡ଼ିଶା ପୂର୍ବରୁ ଦେଶର ଅନ୍ୟ ସହରରେ ବି ପେଟ୍ରୋଲ ଦର ସେଞ୍ଚୁରି ମାରିସାରିଛି। ମାତ୍ରାଧିକ ଟିକସ ଯୋଗୁଁ ଦର ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନାହାନ୍ତି। କେବଳ ମେ’ ମାସରେ ୧୬ ଥର ତୈଳଦରରେ ପରିବର୍ତ୍ତନ ହୋଇଥିଲା।

ଯଦି ହିସାବ କରାଯାଏ, ତା’ହେଲେ ମାତ୍ର ୫ ସପ୍ତାହରେ ଡିଜେଲ ଦର ୫ ଟଙ୍କା ବଢ଼ିସାରିଲାଣି। ପେଟ୍ରୋଲ ବି ଏହାରି ମଧ୍ୟରେ ୫ ଟଙ୍କା ବଢ଼ିଲାଣି। ଆଗାମୀ ଦିନରେ ଏଥିପାଇଁ କେନ୍ଦ୍ରରେ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଉତ୍ତରଦାୟୀ ରହିବ। ପୂର୍ବରୁ ଯେବେ ତେଲ ଦର ବଢୁଥିଲା, ସେବେ ବିଜେପି ନେତାମାନେ ରାଜରାସ୍ତାକୁ ଓହ୍ଲାଉଥିଲେ। ଏପରିକି ୨୦୧୩ରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ। କେବଳ ସେତିକି ନୁହେଁ, ଏନ୍‌ଡିଏ ସରକାର ଆସିଲେ ଦରଦାମ ନିୟନ୍ତ୍ରଣ ହେବ ଏବଂ ଆମ୍‌ ଜନତାର ସରକାର ହେବ ବୋଲି ସ୍ଲୋଗାନ ଦେଇଥିଲେ। ହେଲେ ଏବେ ସ୍ଥିତି ଅତ୍ୟନ୍ତ ଗମ୍ବୀର। ଓଲଟା ଅତିରିକ୍ତ ଭାବେ କୃଷି ଭିତ୍ତିଭୂମି ଉନ୍ନତିକରଣ ସେସ୍ ଲଦି ଦିଆଯାଇଛି। କେନ୍ଦ୍ର ସରକାର ଉଭୟ ଶୁଳ୍କ ଏବଂ ସେସ୍ କମାଇବା ପାଇଁ ସେ ଦାବି କରିଛନ୍ତି।

ହେଲେ ରାଜନୈତିକ ମହଲ ଲୋକଙ୍କ ସ୍ବାର୍ଥ ସଂପର୍କିତ ଏହି ସଙ୍ଗିନ୍ ପ୍ରସଙ୍ଗରେ ବିଜେଡିର ଆଚରଣ ଦେଖି ତାଜୁବ୍। ପ୍ରଶ୍ନ ଉଠିଲାଣି ଦଳ ପ୍ରେସ ବିଜ୍ଞପ୍ତିରେ ଦାବି ଜଣାଇଲେ, ତୈଳ ଦର କମିଯିବ କି? କାହିଁକି ପୂର୍ବଭଳି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ ନ କରି ବିଜେଡି ନେତାମାନେ ଏଭଳି ପ୍ରେସ ଇସ୍ତାହାରକୁ ବାଛିନେଲେ? କାହିଁକି ବିଜେଡି ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଛଘୁଞ୍ଚା ଦେଉଛି? ଲୋକେ ଆଉ କେତେ କଷ୍ଟରେ ରହିଲେ, ତୈଳ ଦର ପ୍ରସଙ୍ଗରେ ବିଜେଡି କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବ ଓ ରାଜାରାସ୍ତାକୁ ଓହ୍ଲାଇବ?

ଏଠାରେ ଉଲ୍ଲେଖଥାଉକି, ନିକଟରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଦର ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଥିଲେ। ସେ କହିଥିଲେ ଯେ ଏବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ଅର୍ଥ ନିବେଶ ହେଉଥିବା ପରିପ୍ରେକ୍ଷୀରେ ଟିକସ କମାଇବା ସମ୍ଭାବନ କ୍ଷୀଣ। ଏପଟେ ରାଜ୍ୟ ସରକାର ବି ତୈଳ ଦର ଉପରେ ଲାଗୁଥିବା ଭାଟ୍‌ ଉପରେ ଅଧିକ ନିର୍ଭରଶୀଳ। ରାଜ୍ୟ ଅର୍ଥନୀତି ମଧ୍ୟ ଚାପଗ୍ରସ୍ତ। ଏଭଳି ଅବସ୍ଥାରେ ତୈଳ ଦର କମିବ କେମିତି?

Leave A Reply

Your email address will not be published.