ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ତେଲ, ବଜାରରେ ନିଆଁ: ରାସ୍ତାରେ କଂଗ୍ରେସ, ବିଜେଡି ଚୁପ୍

0
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ରାଜ୍ୟରୁ ଆରମ୍ଭ ହେଲା ତୈଳ ଦର ବୃଦ୍ଧି ବିରୋଧରେ ଆନ୍ଦୋଳନ
  • ଦିନକ ବ୍ୟବଧାନ ପରେ ପୁଣି ବଢି଼ଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୨୮ ପଇସା ବୃଦ୍ଧି
  • ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୬.୬୫ ଟଙ୍କା, ଡିଜେଲ ଦର ୯୪ ଟଙ୍କା ୫୯ ପଇସା ହେଲା
  • ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ, କାହା ପାଇଁ ବିଜେଡି ନିରବ ସବୁ ମହଲରେ ଉଠିଲାଣି ପ୍ରଶ୍ନ
  • ଆଞ୍ଚଳିକ ରାଜନୈତିକ ଦଳ ଭାବେ ଲୋକଙ୍କ ପାଇଁ ଲଢୁଥିଲା ବିଜେଡି, ଏବେ ବଦଳିଲା କି ସମୀକରଣ?

ଭୁବନେଶ୍ବର: ଗୋଟିଏ ଦିନର ବ୍ୟବଧାନ ପରେ ଶୁକ୍ରବାର ଦିନ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନି (ଓଏମସି) ଦ୍ୱାରା ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, ସମଗ୍ର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୨୮ରୁ ୨୯ ପଇସା ପର୍ଯ୍ୟନ୍ତ ବଢ଼ିଯାଇଛି। ତାଜା ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ଟଙ୍କା ୮୫ ପଇସା ଏବଂ ଡିଜେଲ ୯୪ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୬୫ ପଇସା ଓ ଡିଜେଲ ଦର ଲିଟର ପିଛା ୯୪ ଟଙ୍କା ୫୯ ପଇସା ଛୁଇଁଛି। ଅନ୍ୟ ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲ ଦର ଖୁଚୁରା ବିକ୍ରି ରେକର୍ଡ ଛୁଇଁଛି, ଯାହା ପୂର୍ବରୁ କେବେ ଦେଖାଯାଇନଥିଲା।

ବିଶ୍ବବଜାରରେ ଅଶୋଧିତ ତୈଳ ମୂଲ୍ୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡିକ ଦର ବୃଦ୍ଧି କରୁଥିବା ବେଳେ ଏହା ଅର୍ଥନୈତିକ ପୁନରୁଦ୍ଧାର ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି। ତଥ୍ୟ ସୂଚାଉଛି ଯେ କୋଭିଡ -1୯ ପରିସ୍ଥିତି ଯୋଗୁଁ ଭାରତର ତୈଳ ଚାହିଦା ତୀବ୍ର ହ୍ରାସ ପାଇଛି। ଏହା ସତ୍ତ୍ବେ ଏହା ମୂଲ୍ୟ ପରିସ୍ଥିତିକୁ ଆହୁରି ଖରାପ କରିପାରେ।

ସଂଯୋଗବଶତଃ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଓଡ଼ିଶାର ନେତା। ତୈଳ ଦର ବୃଦ୍ଧି ଏବଂ ଏହାର ପ୍ରଭାବରେ ଦରଦାମ ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ସାଧାରଣ ଲୋକଙ୍କ ଅସନ୍ତୋଷ ଏବେ କେନ୍ଦ୍ରମନ୍ତ୍ରୀଙ୍କ ରାଜନୀତିକୁ ପ୍ରଭାବିତ କରିବାର ଭୟ ସୃଷ୍ଟି କରୁଛି। ଏକ ଉଲ୍ଲେଖନୀୟ ଘଟଣା କ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟ ଓଡ଼ିଶାରୁ ହିଁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ରାଜ୍ୟ କଂଗ୍ରେସ ନେତାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସ ବିକ୍ଷୋଭ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆଞ୍ଚଳିକ ପ୍ରସଙ୍ଗ ଓ ଲୋକଙ୍କ ସ୍ବାର୍ଥ କଥା କହୁଥିବା ବିଜୁ ଜନତା ଦଳ କିନ୍ତୁ ଏହି ପ୍ରସଙ୍ଗରେ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବାକୁ ଚାହିଁନାହିଁ। ଦଳ ପକ୍ଷରୁ ସଂଗଠନ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା କେବଳ ବିବୃତିଟିଏ ଜାରି କରିଥିଲେ ଓ ସେଇଠି ବିଜେଡି ଅଟକିଯାଇଛି। ଗଣମାଧ୍ୟମ ସାମ୍ନାରେ ନେତାମାନେ ତମ୍ବିତୋଫାନ କରୁଥିଲେ ହେଁ, ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଦଳ ରାଜନୈତିକ ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେବା ଘଟଣା ଏବେ ରାଜନୈତିକ ମହଲ ଠାରୁ ଆରମ୍ଭ କରି ବିଜେଡିର ବରିଷ୍ଠ ନେତାମାନଙ୍କୁ ବି ବିଚଳିତ କଲାଣି। କେବଳ ସେତିକ ନୁହେଁ, ଦରଦାମକୁ ନେଇ ଲୋକମାନେ ଏବେ କୋଭିଡ୍ କାଳରେ ଭୀଷଣ ଚାପରେ ଥିବା ବେଳେ ଏଭଳି ଏକ ପ୍ରସଙ୍ଗକୁ ହାତଛଡ଼ା କରିବା ଓ ଲୋକଙ୍କ ସ୍ବାର୍ଥରେ ବିଜେଡି ରାସ୍ତାକୁ ନ ଓହ୍ଲାଇବା ଘଟଣା ଓଡ଼ିଶାର କୋଣ ଅନୁକୋଣରେ ଭିନ୍ନ ସଙ୍କେତ ଦେଇଛି।

ସବୁ ମହଲରେ ଯେଉଁ ଗୋଟିଏ ପ୍ରଶ୍ନ ଉଠିଛି, ତାହା ହେଲା, ବିଜେଡି ଲୋକଙ୍କ କାର୍ଯ୍ୟକ୍ରମ ଠାରୁ ଦୂରେଇ ଗଲା ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିରବ ରହିଲା?

ରାଜନୈତିକ ମହଲର କହିବା କଥା ହେଉଛି, ବିଜେଡି ଏସବୁ ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଥିଲା। ଦଳ ଏହି ପ୍ରସଙ୍ଗରେ ଅନେକବାର ରାଜରାସ୍ତାରେ ଆନ୍ଦୋଳନ କରିଛି। ଏବେ ହଠାତ୍ ରାଜ୍ୟ ବା ଜାତୀୟ ରାଜନୀତି ସମୀକରଣ କଣ ପାଇଁ ବଦଳିଗଲା ତାହା ବୁଝାପଡୁନି। ଏହାଦ୍ବାରା ଯେଉଁ ପ୍ରଭାବଟି ତୃଣମୂଳସ୍ତରରେ ପଡ଼ୁଛି, ତାହା ହେଲେ ବିଜେଡି-ବିଜେପି ପରସ୍ପରଠାରୁ ଦୂରରେ ନାହାନ୍ତି ଅଭିଯୋଗଟି ମିଥ୍ୟା ନୁହେଁ। କଂଗ୍ରେସ ଏଥିରୁ ରାଜନୈତିକ ଫାଇଦା ନେବ ନାହିଁ, ଏକଥା ସତ କିନ୍ତୁ ବିଜେଡିର ଏଭଳି ଆଚରଣ ଧୀରେ ଧୀରେ ରାଜ୍ୟରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ଲାଗି ସୁଯୋଗ ସୃଷ୍ଟି କରୁଛି ଓ ଏହା ଅଧିକ ବିଷମ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଏହି ମହଲ ମତ ରଖିଛନ୍ତି।

ଏଠାରେ ସ୍ମରଣଯୋଗ୍ୟ, କୋଭିଡ୍ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଛାଡିବା ଅବସ୍ଥାରେ ନାହାନ୍ତି। ଏଇଥିପାଇଁ ଯେ ରାଜ୍ୟ ସରକାରଙ୍କର ବଡ଼ ରାଜସ୍ବ ଏବେ ତେଲରୁ ଆସୁଛି। କେନ୍ଦ୍ର ସରକାର ବି ମୋଟା ଅଙ୍କର ରାଜସ୍ବ ଏଥିରୁ ସଂଗ୍ରହ କରୁଛନ୍ତି। କୋଭିଡ୍ ଜନିତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିପୁଳ ଅର୍ଥ ବିନିଯୋଗ କରାଯାଉଥିବାରୁ ଟିକସ କମାଇବା ପାଇଁ ନା କେନ୍ଦ୍ର ସରକାର ଚାହୁଁଛନ୍ତି ନା ରାଜ୍ୟ ସରକାର। ଯଦି ତେଲ ଦର ଏଭଳି ବଢ଼ିବ, ତେବେ କୋଭିଡ୍ କାଳରେ ବିଭିନ୍ନ ସାମଗ୍ରୀର ଦରଦାମ୍ କ୍ଷେତ୍ରରେ ମଧ୍ୟ ସର୍ବକାଳୀନ ରେକର୍ଡ ଛୁଇଁବା ବିଚିତ୍ର ନୁହେଁ। ଏହା ଲୋକଙ୍କ ଅସନ୍ତୋଷକୁ ବଢ଼ାଇଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକର କ୍ଷତିଗ୍ରସ୍ତ ହେବେ ଓ ବିଦ୍ରୋହ ସୃଷ୍ଟି ହେବ ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ରାଜନୈତିକ ପଣ୍ଡିତମାନେ ପୂର୍ବାନୁମାନ କରୁଛନ୍ତି।

Leave A Reply

Your email address will not be published.