ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସବୁଠି ନେତାଙ୍କ ରୂପ ଗୋଟିଏ; ପଞ୍ଜାବରେ ବି ଝଡ ଥମୁନି

0
  • ଖାର୍ଗେ କମିଟି ରିପୋର୍ଟକୁ ଧରି ବସିଛନ୍ତି ସୋନିଆ, ନିଷ୍ପତ୍ତି ହୋଇନି
  • ସିଦ୍ଧୁଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦେବା ସପକ୍ଷରେ ଯୁକ୍ତି କରିଛି କମିଟି
  • କାଳେ ବିଗିଡିଯିବେ କ୍ୟାପଟେନ୍, ସେଇ ଚିନ୍ତାରେ ହାଇକମାଣ୍ଡ

ଚଣ୍ଡୀଗଡ: ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଞ୍ଜାବ କଂଗ୍ରେସରେ ଦେଖାଦେଇଥିବା କନ୍ଦଳ ଏବେ ହାଇକମାଣ୍ଡଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ, ବରିଷ୍ଠ ନେତା ହରିଶ ରାଓ୍ବତ ଏବଂ ଜେପି ଅଗ୍ରଓ୍ବାଲଙ୍କୁ ନେଇ ଗଠିତ ତିନି ଜଣିଆ କମିଟି ଇତିମଧ୍ୟରେ ପଞ୍ଜାବ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ ହେଁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ମିଳିଥିବା ଖବର ଅନୁସାରେ, କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦବି ଦେବା ସପକ୍ଷରେ ଖାର୍ଗେ କମିଟି ସୁପାରିସ କରିଛି। ଏପରିକି ରାଜ୍ୟରେ ତାଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ ଏବଂ ଆସନ୍ତାବର୍ଷ ନିର୍ବାଚନ ଲାଗି ପ୍ରଚାର କମିଟିର ଅଧ୍ୟକ୍ଷ ପଦ ପ୍ରଦାନ କରାଯାଉ ବୋଲି ମଧ୍ୟ କୁହାଯାଇଛି।

ହେଲେ ଏଭଳି ନିଷ୍ପତ୍ତି ଲଦି ଦିଆଗଲେ, କାଳେ ଅମରିନ୍ଦର ସିଂହ କ୍ଷୁବ୍ଧ ହେବେ ସେଭଳି ଏକ ଆଶଙ୍କା ହାଇକମାଣ୍ଡଙ୍କୁ ଘାରିଛି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନବଜୋତ ସିଂ ସିଦ୍ଧୁଙ୍କ ସପକ୍ଷରେ ଥିଲେ ଓ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦେବାକୁ ଚାହିଁଥିଲେ। ହେଲେ କ୍ୟାପଟେନ ଅମରିନ୍ଦର ସିଂ ଏହି ପ୍ରସ୍ତାବକୁ ଖୋଲାଖୋଲି ଭାବେ ପ୍ରତ୍ୟାଖ୍ୟାନ କରିଥିଲେ।

ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ କଂଗ୍ରେସର ଏଭଳି କନ୍ଦଳ ବିରୋଧୀ ରାଜନୈତିକ ନେତାମାନଙ୍କୁ କିନ୍ତୁ ସୁହାଇଛି। ଏସବୁ ବିବାଦ ଭିତରେ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଳ ଝାଖଡ଼ଙ୍କୁ ପରିବର୍ତ୍ତନ ପାଇଁ ମଧ୍ୟ ସ୍ବର ବଢ଼ିବାରେ ଲାଗିଲାଣି।

ନବଜ୍ୟୋତ ସିଂହ ସିଦ୍ଧୁ ୨୦୧୭ ରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ସେବେ ରାଜ୍ୟ ରାଜନୀତିରେ ଜବରଦସ୍ତ ପ୍ରଭାବ ରଖିଥିଲା। ହେଲେ ସେବେ ମଧ୍ୟ ଅମରିନ୍ଦର ଚାହୁଁନଥିଲେ କି ସିଦ୍ଧୁ କଂଗ୍ରେସରେ ଯୋଗଦିଅନ୍ତୁ। ସିଦ୍ଧୁ ଆରମ୍ଭରୁ ଗାନ୍ଧୀ ପରିବାରକୁ ନିକଟତର କରି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରି ଚାଲିଥିଲେ। ଏପରିକି ୨୦୧୮ ସେ ଯେବେ ପାକିସ୍ତାନ ଯାଇଥିଲେ, ସେବେ ବି କ୍ୟାପିଟେନଙ୍କ ନିର୍ଦେଶ ମାନିନଥିଲେ। ବରଂ ସେ ବର୍ଷ ସର୍ବସାଧାରଣ ସଭାରେ ଅତ୍ୟନ୍ତ କ୍ରୋଧୀ ସିଦ୍ଧୁ ଖୋଲାଖୋଲି ଘୋଷଣା କରିଥିଲେ ଯେ ମୋ ଅଧିନାୟକ ବା କ୍ୟାପିଟେନ୍ ହେଉଛନ୍ତି ରାହୁଲ ଗାନ୍ଧୀ। ଶ୍ରୀ ଗାନ୍ଧୀ ଅମରିନ୍ଦରଙ୍କର ମଧ୍ୟ ଅଧିନାୟକ। ଏଣୁ ମୁଁ ଯେଉଁଆଡେ ବି ଗଲି, ସେଥିରେ ତାଙ୍କର ଅନୁମୋଦନ ଥିଲା।

ଏହାପରଠାରୁ ବିବାଦ ପୁଣି ତେଜିଥିଲା। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଯେବେ ପଞ୍ଜାବ ସହରାଞ୍ଚଳରେ ଭଲ ପ୍ରଦର୍ଶନ କରିନଥିଲା, ଅମରିନ୍ଦର ସେଥିପାଇଁ ସିଦ୍ଧୁଙ୍କୁ ଦାୟୀ କରିଥିଲେ। ଆଉ ପାଦେ ଆଗକୁ ଯାଇ ଅମରିନ୍ଦର କ୍ୟାବିନେଟ୍‌ରେ ଅଦଳବଦଳ କରି ସିଦ୍ଧୁଙ୍କ ବିଭାଗ ବଦଳାଇ ଦେଇଥିଲେ। ସେହିବର୍ଷ ଜୁଲାଇ ମାସରେ ଏହାର ପ୍ରତିବାଦ କରି ସିଦ୍ଧୁ ମଧ୍ୟ ଅମରିନ୍ଦରଙ୍କ କ୍ୟାବିନେଟ୍‌ରେ ରହିବେ ନାହିଁ ବୋଲି ଘୋଷଣା କରି ଇସ୍ତଫା ଦେଇଥିଲେ।

ଏବେ ବିବାଦ ପରବର୍ତ୍ତୀ ସମୟରେ ଆହୁରି ଆହୁରି ଉଗ୍ରରୂପ ଧାରଣ କରିଥିଲା। ଉଭୟ କ୍ୟାପଟେନ୍ ଏବଂ ସିଦ୍ଧୁଙ୍କ ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଯାଇଛି। ଏମିତି ନୁହେଁ ଯେ କଂଗ୍ରେସ ହାଇକମାଣ୍ଡ ଏମାନଙ୍କ ବିବାଦ ସମାଧାନ କରିବାକୁ ଉଦ୍ୟମ କରିନାହାନ୍ତି। ବରଂ ଉଭୟଙ୍କୁ ବସାଇ ୨୦୨୦ ମସିହା ନଭେମ୍ବର ୨୫ ତାରିଖ ଏବଂ ୨୦୨୧ ମସିହା ମାର୍ଚ୍ଚ ୧୮ ତାରିଖରେ ଦୁଇଥର ବୈଠକ କରିଥିଲେ। ହେଲେ କିଛି ବି ଲାଭ ମିଳିନଥିଲା। ଏହା ପରେ ଦେଖାଯାଇଥିଲା ଯେ ସିଦ୍ଧୁ ଖୋଲାଖୋଲି କ୍ୟାପଟେନ୍‌ଙ୍କ ବିରୋଧରେ ମନ୍ତବ୍ୟ ଦେଇ ଆସିଥୁଲେ।

ସିଦ୍ଧୁ ଏବେ ଅମୃତସର ଛାଡ଼ି ପଟିଆଲାରେ ନିଜର ରାଜନୈତିକ କ୍ଷେତ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ସେ ନିଖୋଜ ହୋଇଯାଇଛନ୍ତି ବୋଲି ଅମୃତସରରେ ପୋଷ୍ଟର ମରାଚାଲିଛି। ଏହା ପରେ ସିଦ୍ଧୁ ସପକ୍ଷବାଦୀ ଅମରିନ୍ଦରଙ୍କ ବିରୋଧରେ ପାଲଟା ଆକ୍ରମଣ କରିଥିଲେ। ନିର୍ବାଚନ ବେଳେ କଂଗ୍ରେସ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନରେ କ୍ୟାପଟେନ୍ ବିଫଳ ହୋଇଥିବା କହିଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ଆସିଥିଲା। ଇତିମଧ୍ୟରେ ଦୁର୍ନୀତି ପ୍ରସଙ୍ଗରେ କ୍ୟାପଟେନଙ୍କୁ କ୍ଲିନ୍‌ଚିଟ୍ ମିଳିଛି ଓ ସେ ଦଳର ୨୦ ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଖସୁଥିବା ବେଳେ କଂଗ୍ରେସର ଅନ୍ତଃକନ୍ଦଳ ଏବେ ପଞ୍ଜାବ କଂଗ୍ରେସକୁ ଦିନକୁ ଦିନ ଦୁର୍ବଳ କରିବାରେ ଲାଗିଲାଣି। ଯାହାର ଲାଭ ନିର୍ବାଚନ ବେଳେ ଅନ୍ୟମାନଙ୍କ ହାତକୁ ଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

Leave A Reply

Your email address will not be published.