ଭୁବନେଶ୍ବର: କିଏ ଘରକୁ ଦାମୀ ସୋଫା, ଦାମୀ ଗାଡ଼ି ଆଣିଲାଣି ତ ଆଉ କିଏ ନିଜ ନାମରେ କି ସଂପର୍କୀୟଙ୍କ ନାମରେ ଜମି, ଘର କିଣିଚାଲିଛନ୍ତି। କିଏ ସରକାରୀ ଚାକିରି କରି ପ୍ଲଟିଂ ବ୍ୟବସାୟରେ ଅଛନ୍ତି ତ ପୁଣି କିଏ ଲୋକ ପ୍ରତିନିଧି ହୋଇ ଠିକାଦାରଙ୍କ ସହିତ ମିଶି ସଂପତ୍ତି ଆହରଣରେ ମାତିଛନ୍ତି। ଏମାନେ ସମସ୍ତେ ଆଖିବୁଜା ଫାଙ୍କି ଚାଲିଛନ୍ତି ଆୟକର। ସରକାରଙ୍କ ଯୋଜନାକୁ ଏପଟସେପଟ କରି ତୃଣମୂଳସ୍ତରଯାଏ ଚାଲିଥିବା କେଳେଙ୍କାରୀ ନା ସରକାର ଜାଣିପାରୁଛନ୍ତି ନା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା।
ଏବେ କିନ୍ତୁ ଏମାନେ ସମସ୍ତେ ସାବ୍ଧାନ ହୋଇଯାନ୍ତୁ। କାରଣ ସବୁ ସରକାରୀ କର୍ମଚାରୀ ଏବଂ ଲୋକପ୍ରତିନିଧି ଲୋକାୟୁକ୍ତଙ୍କ ପ୍ରତ୍ୟେକ୍ଷ ନଜରରେ ରହିବେ। ଯେ କୌଣସି ସାଧାରଣ ଲୋକ ଚାହିଁବ, ଏମାନଙ୍କ ରୋଜଗାର ଏବଂ ସଂପତ୍ତି ସଂପର୍କରେ ସିଧାସଳଖ ଲୋକାୟୁକ୍ତଙ୍କ ପାଖକୁ ଆସି ଅଭିଯୋଗ କରିପାରିବ। ସଂପୃକ୍ତ ଲୋକପ୍ରତିନିଧି ବା ଅଧିକାରୀଙ୍କ ବିରୋଧରେ ଲୋକାୟୁକ୍ତ ମାମଲା କରିପାରନ୍ତି ଅଥବା ତଦନ୍ତ ନିର୍ଦେଶ ଦେଇପାରନ୍ତି। କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଦରଖାସ୍ତଟିଏ ପଡ଼ିଲେ ବି ଯଦି ଲୋକୟୁକ୍ତ ତାହା ବିଚାର ପାଇଁ ଗ୍ରହଣ କରନ୍ତି, ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ରାସ୍ତା ଖୋଲିଯାଇପାରିବ। ସଂପୃକ୍ତ କର୍ମଚାରୀ ବା ଲୋକ ପ୍ରତିନିଧି ତଦନ୍ତ ସାମ୍ନା କରିବେ, ଚାକିରି ଯାଇପାରେ ଓ ପଦବି ବି।
ରାଜ୍ୟ ସରକାର ଗତ କ୍ୟାବିନେଟ୍ରେ ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ଥିବା ଆଦର୍ଶ ନିୟମାବଳୀ, ୧୯୫୯ରେ ସଂଶୋଧନ ଆଣିଛନ୍ତି। ଏହାର ଧାରା ୨୧ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ସ୍ଥାବର, ଅସ୍ଥାବର ସଂପତ୍ତି ଓ ଏହାର ମୂଲ୍ୟ ଘୋଷଣା କରିବେ। ଆହୁରି ସରଳ ଭାବେ କହିଲେ, ପ୍ରତିବର୍ଷ ସରକାରୀ କର୍ମଚାରୀ ନିଜ ସଂପତ୍ତିର ବାର୍ଷିକ ବିବରଣୀ ସରକାରଙ୍କୁ ଜଣାଇବାକୁ ବାଧ୍ୟ।
୨୦୨୦ ଡିସେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇ ଘୋଷଣା କରିଥିଲେ ଯେ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧି ବାର୍ଷିକ ସଂପତ୍ତି ତାଲିକା ଦାଖଲ କରିବେ। ହେଲେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯାଇନଥିଲା। ଏବେ କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହାର କାର୍ଯ୍ୟାନ୍ବୟନ ରାସ୍ତା ଖୋଲିଗଲା।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ‘୫ଟି’ ଅଧୀନରେ ଏଭଳି ସାହସ ଦେଖାଇଛନ୍ତି, ଯାହା ଦୁର୍ନୀତି ବିରୋଧରେ ବଡ଼ ପଦକ୍ଷେପ ହୋଇପାରେ। କାରଣ ସାଧାରଣ ଲୋକଟିଏ ବିଭିନ୍ନ ପଦପଦବିରେ ଥିବା କର୍ମଚାରୀଙ୍କ ଦରମା ବା ରୋଜଗାର ସଂପର୍କରେ ଜାଣିବାର କୌଣସି ବିଶେଷ ସୁଯୋଗ ନଥିଲା। ଏବେ ଏହି ସଂପତ୍ତି ତାଲିକା ଓ୍ବେବ୍ସାଇଟ୍ରେ ଉପଲବ୍ଧ ହେବ। ଗାଁ, ଗଣ୍ଡା, ପାଖ ପଡ଼ୋଶୀ ସମସ୍ତେ ଜାଣିପାରିବେ, ବାସ୍ତବ ରୋଜଗାର ଏବଂ ଆହରଣ କରିଥିବା ସଂପତ୍ତି ମଧ୍ୟରେ କେତେ ଫରକ୍ ବା ତଫାତ୍ ଅଛି। ଏହି ତଥ୍ୟ ହିଁ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କୁ ଅକଳରେ ପକାଇବ।
କିଛି ପୂର୍ବତନ ପ୍ରଶାସକଙ୍କର ମତ ହେଲା, ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ। ହେଲେ ଏକଥା ସମସ୍ତେ ଜାଣିବା ଦରକାର ଯେ ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ଏହି ନିୟମ ପୂର୍ବରୁ ଅଛି। ଏକଥା ବି ସେଠାରେ ବ୍ୟବସ୍ଥା ହୋଇଛି ଯେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ସିସିଆର୍ ପ୍ରସ୍ତୁତ ବେଳେ ସଂପତ୍ତି ତାଲିକା ଦାଖଲ ହୋଇଛି କି ନାହିଁ, ତାହା ଲେଖାଯିବା ବାଧ୍ୟତାମୂଳକ। ଏହା ସତ୍ତ୍ବେ, ସରକାର ଚଳାଉଥିବା ଆଇଏଏସ୍, ଆଇପିଏସ୍ ବା ଆଇଏଫ୍ଏସ୍ ବାବୁମାନେ ଏହାକୁ ଫାଙ୍କି ଚାଲିଥାନ୍ତି। ବର୍ଷ ବର୍ଷ ଧରି ସେମାନେ ଏହା ଦେଉନଥିବା ସତ୍ତ୍ବେ ସେମାନଙ୍କ ବିରୋଧରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ନଜିର ନାହିଁ। ଯେତେବେଳେ ପ୍ରଶାସନିକ ମୁଖ୍ୟମାନେ ନିଜେ ନିୟମ ଭାଙ୍ଗିବେ, ସେବେ ତଳିଆ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ କିଭଳି ହେବ? କେଉଁ ପରିସ୍ଥିତିରେ ସେମାନେ ତଳିଆ କର୍ମଚାରୀଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ଲାଗି ଚାପ ସୃଷ୍ଟି କରିବେ।
ଦ୍ବିତୀୟ କଥା ହେଲା, ରାଜ୍ୟ ସରକାର କେବଳ ନିୟମ ପରିବର୍ତ୍ତନ କଲେ ହେବ ନାହିଁ। ଏକଥା ବି କରିବା ଦରକାର ଯେ ସରକାରୀ କର୍ମଚାରୀ ବା ଲୋକ ପ୍ରତିନିଧି ଯଦି ଏହି ସଂପତ୍ତି ତାଲିକା ନ ଦିଅନ୍ତି, ସେମାନଙ୍କ ବାର୍ଷିକ ଇନକ୍ରିମେଣ୍ଟ ବା ପଦୋନ୍ନତି କ୍ଷେତ୍ରରେ ଏହା ବାଧକ ହେବ ନା ନାହିଁ? ଦରମା ଏବଂ ପେନସନ୍ କ୍ଷେତ୍ରରେ ଏହା କେତେ ପ୍ରଭାବ ପକାଇବ? ଲକ୍ଷ ଲକ୍ଷ କର୍ମଚାରୀଙ୍କ କ୍ଷେତ୍ରରେ ଏସବୁ କଥା ଦେଖିବା ଲାଗି କେଉଁ ସ୍ତରର ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ? ସର୍ବୋପରି ନିର୍ଦଷ୍ଟ କେଉଁ ତାରିଖ ସୁଦ୍ଧା ଏହି ଲୋକପ୍ରତିନିଧି ବା କର୍ମଚାରୀ ସଂପତ୍ତି ତାଲିକା ଦେବେ ସେସବୁ ସଂପର୍କରେ ପ୍ରାଞ୍ଜଳ ଭାବେ କୁହାନଗଲେ, ଏହି ନିଷ୍ପତ୍ତି କାଗଜପତ୍ରରେ ରହିଯିବା ବା କ୍ୟାବିନେଟ୍ ନିଷ୍ପତ୍ତି ଭିତରେ ଅଟକିଯିବା ବିଚିତ୍ର ନୁହେଁ।