ପ୍ରମୁଖ ଖବର

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ
ସାମ୍ପୁଲ୍ ଟେଷ୍ଟରେ ଫେଲ୍ ହେଲା ୧୩୫ଟି ଔଷଧ
ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୩୦ରୁ ଉର୍ଦ୍ଧ୍ବ ଆହତ
ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା, ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା
ସରୋଜ ସାବତ ଗଞ୍ଜାମ ଜିଲ୍ଲାର ନୂତନ ବିଜେପି ସଭାପତି ନିର୍ବାଚିତ

ନବୀନ ଦାବି ରଖିଥିଲେ, ମୋଦୀ ଶୁଣିଲେ

0
  • ବିଶ୍ବ ଐତିହ୍ୟ ପ୍ରକଳ୍ପ ଆଡକୁ ଆଉ ପାଦେ, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ରାସ୍ତା ଖୋଲିଲା
  • କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ସ୍ବତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି
  • ଓଡ଼ିଶା କ୍ୟାଡର ଅଫିସର ତଥା କେନ୍ଦ୍ର ବେସାମରିକ ବିଭାଗ ଯୁଗ୍ମ ସଚିବ ଉଷା ପାଢୀ ତ୍ବରାନ୍ବିତ କରୁଛନ୍ତି
  • ସିପସରୁବାଲି ସଂଲଗ୍ନ ଗିରଳ ଓ ପୁରୀ କୋଣାର୍କ ରାସ୍ତା ପାର୍ଶ୍ବସ୍ଥ ଏୟାରଷ୍ଟ୍ରିପ୍ ବୁଲି ଦେଖୁଛନ୍ତି ପ୍ରତିନିଧି
  • ଶ୍ରୀଜଗନ୍ନାଥଙ୍କ ନାମରେ ନାମକରଣ ପାଇଁ ପ୍ରସ୍ତାବ ଦେଇଥିଲେ ନବୀନ, ଘୋଷଣା ହେଲେ ତୁରନ୍ତ ପ୍ରକଳ୍ପ


ଭୁବନେଶ୍ବର: ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ଲାଗି ରାସ୍ତା ଖୋଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଶେଷରେ ଗ୍ରହଣ କରିଛନ୍ତି। ଏଥିସହିତ ପ୍ରାରମ୍ଭିକ ସର୍ଭେ କରିବା ଲାଗି ଏକ ସ୍ବତନ୍ତ୍ର ଟିମ୍ ପୁରୀ ପଠାଇଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ତିନିଜଣ ବୈଷୟିକ ଅଧିକାରୀ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥିରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଓଡ଼ିଶା କ୍ୟାଡର ଆଇଏଏସ୍ ତଥା କେନ୍ଦ୍ର ସରକାରଙ୍କ ବେସାମିରକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢୀ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଏହି ଟିମ୍ ସିପସରୁବାଲି ସଂଲଗ୍ନ ଗିରଳ ଅଞ୍ଚଳରେ ଚିହ୍ନଟ ଜମି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ଶାମୁକା ପ୍ରକଳ୍ପ ମଧ୍ୟ ଏହା ନିକଟରେ ରହିଛି। ଏହାସହିତ ପୁରୀ-କୋଣାର୍କ ରାସ୍ତାରେ ଯେଉଁଠାରେ ପୂର୍ବରୁ ଏୟାର ଷ୍ଟ୍ରିପ୍ ଥିଲା, ସେ ଅଞ୍ଚଳ ମଧ୍ୟ ବୁଲି ଦେଖିଛନ୍ତି। ଉଭୟ ବିମାନ ବନ୍ଦର ପାଇଁ ପୁରୀରେ ପର୍ଯ୍ୟାପ୍ତ ଜମି ରହିଛି ଓ ଏହା ବିମାନ ବନ୍ଦର ପାଇଁ ସୁହାଇବ ବୋଲି ଅଧିକାରୀମାନେ ପୂର୍ବରୁ ଆକଳନ କରିଥିଲେ। ଏ ସଂକ୍ରାନ୍ତ ନକ୍ସା ଆଜି କେନ୍ଦ୍ରୀୟ ଟିମକୁ ପ୍ରଦାନ କରାଯାଇଛି। ଆଜିର ଏହି ପଦକ୍ଷେପ ପରେ ରାଜ୍ୟ ସରକାରଙ୍କ ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ଲାଗି ଯେଉଁ ସଂକଳ୍ପ ରହିଛି, ତାହା ଆଉ ପାଦେ ଆଗେଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବାକୁ ହେଲେ, ତାହାକୁ ଅବଶିଷ୍ଟ ଭାରତ ସହିତ ଯୋଡିବାକୁ ହେବ। ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହିତ ବିଶ୍ବର ୧୯୨ଟି ଦେଶରେ ପାଳନ ହେଲାଣି, ଏହା ହିଁ ବିଶ୍ବସ୍ତରର ପର୍ଯ୍ୟଟକଙ୍କର ପୁରୀ ପ୍ରତି ଆକର୍ଷଣ କେତେ ରହିଛି ତାହା ସୂଚାଉଛି। ସମଗ୍ର ବିଶ୍ବକୁ ଜଗନ୍ନାଥ ସଂସ୍କୃତି ପ୍ରସାରଣ ପାଇଁ ପୁରୀକୁ ଯୋଡିବା ଅପରିହାର୍ଯ୍ୟ। କେବଳ ସେତିକି ନୁହେଁ, ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର, ପରିବେଶ ପର୍ଯ୍ୟଟନ, ବୌଦ୍ଧ ଐତିହ୍ୟସ୍ଥଳ, ଉପକୂଳ ରାଜପଥ, ଦୁଇ ଦୁଇଟି ବନ୍ଦର ସଂଲଗ୍ନ କାରଣରୁ ପୁରୀର ଗୁରୁତ୍ବ ଏବେ ଯଥେଷ୍ଟ ବଢ଼ିଯାଇଛି।

ଏସବୁ କାରଣରୁ ଶ୍ରୀ ପଟ୍ଟନାୟକ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର କରାଯିବା ନେଇ ଗତ ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି ରଖିଥିଲେ। କେବଳ ସେତିକି ନୁହେଁ, ସେବେ ନବୀନ ଏ ପ୍ରସ୍ତାବ ବି ରଖିଥିଲେ ଯେ ଏହି ବିମାନ ବନ୍ଦର ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନାମରେ ନାମିତ ହେବା ଉଚିତ୍।

ଏଠାରେ ଉଲ୍ଲେଖଥାଉକି, ନୂଆବର୍ଷର ପ୍ରଥମ ଚିଠି ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀର ବିକାଶରୁ ଆରମ୍ଭ କରିିଥିଲେ ମୁଖ୍ୟମନ୍ତ୍ରୀ। ଏହି ଚିଠିରେ କୁହାଯାଇଥିଲା ଯେ ଏହି ବିମାନ ବନ୍ଦର ଲାଗି ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରିସାରିଛନ୍ତି। ଏହା ଯେପରି ରେକର୍ଡ ସମୟରେ ଶେଷ ହେବ, ସେଥିପାଇଁ ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ଏ ପ୍ରତିଶ୍ରୁତି ସେ ଦେବାକୁ ଚାହାନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ପୁରୀ ହିନ୍ଦୁମାନଙ୍କର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ।ସାରା ବିଶ୍ବର କୋଣ ଅନୁକୋଣରୁ ଯାତ୍ରୀମାନେ ଏଠାକୁ ପ୍ରତ୍ୟହ ଆସିଥାନ୍ତି। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର। ଦେଶ ବିଦେଶରୁ ଯାତ୍ରୀମାନେ ଆସି ରଥଯାତ୍ରା ପାଇଁ ପୁରୀରେ ସମବେତ ହୋଇଥାନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିଶ୍ବର ୧୯୨ଟି ଦେଶରେ ସମାରୋହ ସହ ପାଳିତ ହୋଇଥାଏ। ତେଣୁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରାଗଲେ, ବିଦେଶରୁ ଯାତ୍ରୀମାନେ ସୁବିଧାରେ ପହଞ୍ଚିପାରିବେ ଓ ତା ସହିତ ସମୁଦାୟ ବିଶ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ଘଟିବ।

ପୁରୀରେ କାହିଁକି ଆନ୍ତର୍ଜାତିକ ବିମାନ ବନ୍ଦର ହେବା ଉଚିତ୍ ବୋଲି ଯୁକ୍ତି ରଖି ନବୀନ ଆହୁରି କହିଥିଲେ ଯେ ଏଠାରୁ ମାତ୍ର ୩୫ କିଲୋମିଟର ଦୂରରେ ବିଶ୍ବ ଐତିହ୍ୟସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ ରହିଛି। ପୁରୀ କୋଣାର୍କ ରାସ୍ତାରେ ରାମଚଣ୍ଡୀ, ଚନ୍ଦ୍ରଭାଗା ବେଳାଭୂମି, ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଅନୁଭବ। ପୁରୀ ମଧ୍ୟ ଚିଲିକା ଏବଂ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟି ରାମସାର୍ ପ୍ରକଳ୍ପ ସହିତ ସିଧାସଳଖ ସଂପୃକ୍ତ। ଏହି ଦୁଇଟି ସ୍ଥାନରେ ଅନ୍ତର୍ଜାତିକ ପରିବେଶ ପର୍ଯ୍ୟଟନ ପାଇଁ ଭରପୂର ସୁଯୋଗ ରହିଛି। ନିକଟରେ ପର୍ଯ୍ୟଟକମାନଙ୍କୁ ପୁରୀ ବେଳାଭୂମିରେ ଏକ ଅନନ୍ୟ ଅନଭୂତି ଦେବା ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ଭାବେ ବିକଶିତ କରାଯାଇଛି। ଏହାଭିନ୍ନ ଧଉଳି, ରତ୍ନଗିରି, ଉଦୟଗିରି ପରି ପ୍ରସିଦ୍ଧ ବୌଦ୍ଧ ଐତିହ୍ୟସ୍ଥଳ ମଧ୍ୟ ପୁରୀର ଅତି ନିକଟରେ ଅବସ୍ଥିତ। ଏଠାରୁ ସାରା ବିଶ୍ବକୁ ବୌଦ୍ଧ ପର୍ଯ୍ୟଟକମାନେ ଆସିଥାନ୍ତି। ପୁରୀର ବେଳାଭୂମି ଏବଂ ସୁଦୀର୍ଘ ଉପକୂଳ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ସ୍ବାସ୍ଥ୍ୟ, ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ।

କେନ୍ଦ୍ର ସରକାରଙ୍କ ଉପକୂଳ ଜାତୀୟ ରାଜପଥ ସଂପର୍କରେ ଏହି ଅବସରରେ ନବୀନ ଦୃଷ୍ଟି ଆକର୍ଷଣ କରିବାକୁ ପଛାଇ ନଥିଲେ। ନବୀନ ଏହି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଉପକୂଳ ଜାତୀୟ ରାଜପଥ ପୁରୀ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଦେଇ ଯାଉଛି। ଏହା ପାରାଦୀପ ଓ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ସହିତ ମଧ୍ୟ ସଂଯୁକ୍ତ। ତେଣୁ ଏହି କରିଡରରେ ଅର୍ଥନୈତିକ ବିକାଶର ବିପୁଳ ସୁଯୋଗ ରହିଛି। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ ତଥା ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପୁରୀରେ ଥିବା ବିପୁଳ ସୁବିଧାର ଉପଯୋଗ ପାଇଁ ଏହି ବିମାନ ବନ୍ଦର ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦାବି ରଖିଥିଲେ। ଏଥିସହିତ ପୁରୀ ଅନ୍ତର୍ଜାତିକ ବିମାନ ବନ୍ଦରରେ ଏକ ପ୍ରାଥମିକତା ପ୍ରକଳ୍ପ ଭାବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ ଜଣାଇଥିଲେ।

Leave A Reply

Your email address will not be published.