ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଦୁଃଖ ଲଦିଦେଲେ ବରିଷ୍ଠ ପ୍ରଶାସକ ଗୁରୁପ୍ରସାଦ

0

ଭୁବନେଶ୍ବର: ବରିଷ୍ଠ ପୁଲିସ ଅଧିକାରୀ ଡ. ଦେବାଶିଷ ପାଣିଗ୍ରାହୀଙ୍କର ମୃତ୍ୟୁ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି। ଠିକ୍ ଏମିତି ସମୟରେ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁଜୁରାଟ କ୍ୟାଡର ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଆ ପୁଅ ଗୁରୁ ପ୍ରସାଦ ମହାପାତ୍ରଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ଗୁରୁପ୍ରସାଦ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ପୁଅ।

ଗୁଜୁରାଟ କ୍ୟାଡରର ଏହି ଅଧିକାରୀ ତିନି ବର୍ଷରୁ ଅଧିକ ସମୟ ପାଇଁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର କମିସନର ଭାବରେ କାର୍ଯ୍ୟ କରିଥିଲେ ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଯୁଗ୍ମ ସଚିବ ଭାବରେ ତାଙ୍କର ପ୍ରାୟ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ପରେ କେନ୍ଦ୍ର ସରକାର ତାଙ୍କୁ ଡିପିଆଇଆଇଟି (ଡିପାର୍ଟମେଣ୍ଟ ଫର୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାସନାଲ ଟ୍ରେଡ୍) ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଥିଲେ।

ଶ୍ରୀ ମହାପାତ୍ର ମଧ୍ୟ ଗୁଜୁରାଟରେ ଥିବା ସମୟରେ ଗୁଜୁରାଟ ଶିଳ୍ପ ବିକାଶ ନିଗମ (ଜିଇଡିସି) ର ଯୁଗ୍ମ ଏମଡି, ବିକ୍ରୟ କର ବିଭାଗର ସ୍ୱତନ୍ତ୍ର କମିସନର (ଏନଫୋର୍ସମେଣ୍ଟ) ତଥା ବାଣିଜ୍ୟିକ ଟିକସ କମିଶନର ତଥା ପରିବହନ କମିଶନର ଭାବରେ କାର୍ଯ୍ୟ କରିଥିଲେ।

ବିଦ୍ୟୁତ୍ କ୍ଷେତ୍ରରେ ତାଙ୍କର ଏକ ସ୍ବତନ୍ତ୍ର ଅବଦାନ ଥିଲା। ସେ ଗୁଜରାଟରେ ବିଦ୍ୟୁତ୍ କ୍ଷେତ୍ରର ବ୍ୟାପକ ସଂସ୍କାର ଏବଂ ପୂର୍ବ ଗୁଜୁରାଟ ବିଦ୍ୟୁତ୍ ବୋର୍ଡର ପୁନଃ ନିର୍ମାଣରେ ଜଡିତ ହୋଇଥିଲେ। ସେ ୨୦୦୨ରେ ଗୁଜୁରାଟ ବିଦ୍ୟୁତ୍ ବୋର୍ଡ ସହିତ ରାଜ୍ୟ ବିଦ୍ୟୁତ୍ ସେକ୍ଟରରେ ଆରମ୍ଭ କରିଥିଲେ ଏବଂ ଜିଏସ୍‌ଇସି (ଜେନେରେସନ୍ କମ୍ପାନୀ) ପରି ବିଭିନ୍ନ ବିଦ୍ୟୁତ୍ କମ୍ପାନୀ ଏବଂ ପିଜିଭିସିଏଲ୍‌, ଡିଜିଭିସିଏଲ୍‌, ୟୁଜିଭିସିଏଲ୍‌ ପରି ବିତରଣ କମ୍ପାନିଗୁଡିକ ସହିତ କାର୍ଯ୍ୟ କରିଥିଲେ। ରାସାୟନିକ ଏବଂ ସାର କ୍ଷେତ୍ରରେ ତାଙ୍କର ସମୃଦ୍ଧ ଏବଂ ବିବିଧ ଅଭିଜ୍ଞତା ରହିଥିଲା। ସେ ୧୯୯୯ ରୁ ୨୦୦୨ ପର୍ଯ୍ୟନ୍ତ ସୁରଟ ମ୍ୟୁନିସିପାଲ କର୍ପୋରେସନରେ ମ୍ୟୁନିସିପାଲିଟି କମିସନର ଭାବରେ କାର୍ଯ୍ୟ କରିଥିଲେ, ଏହି ସମୟରେ ସେ ଏହି ସୁରଟକୁ ଦେଶର ସହରୀ ଶାସନର ଏକ ମଡେଲରେ ପରିଣତ କରିବା ପ୍ରକ୍ରିୟାରେ ସକ୍ରିୟ ଭାବରେ ଜଡିତ ଥିଲେ। ରାଜନୀତି ବିଜ୍ଞାନରେ ସେ ଏମ୍‌ଏ ଏବଂ କୂଟନୀତି (ଆନ୍ତର୍ଜାତୀୟ ସମ୍ପର୍କ) ରେ ଏମ୍ ଫିଲ୍ ପାସ୍ କରିଥିଲେ।

ଶ୍ରୀ ମହାପାତ୍ରଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯଦିଓ ଶ୍ରୀ ମହାପାତ୍ରଙ୍କର କର୍ମଭୂମି ଗୁଜରାଟ ଥିଲା, ଓଡ଼ିଶା କିନ୍ତୁ ପ୍ରକୃତ ଯୋଦ୍ଧାଙ୍କୁ ହରାଇଲା। ସେ ଦେଶର କୋଭିଡ୍ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ସୁରଟ ବିକାଶ ଠାରୁ ଆରମ୍ଭ କରି ଗୁଜରାଟରେ ସହରାଞ୍ଚଳ ବିକାଶରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ଥିଲା। ସେହିପରି ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.