ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଧର୍ମେନ୍ଦ୍ର ଏମିତି କାହିଁକି କଲେ?

0

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ପରିଚାଳନାକୁ ନେଇ ଆପତ୍ତି ଉଠାଇଥିଲା ଭାରତୀୟ ଜନତା ପାର୍ଟି। ଦୁଇ ଦିନ ତଳେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ନେତାମାନେ ଏ ସଂପର୍କରେ ତମ୍ବିତୋଫାନ କଲେ ଓ ରାଜନୈତିକ ପ୍ରସ୍ତାବ ବି ସରକାରଙ୍କ ବିରୋଧରେ ପାରିତ ହେଲା। ଏହାର ୨୪ ଘଣ୍ଟା ପରେ ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଗଲା। ଏଥିରେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସରକାରଙ୍କ କୋଭିଡ୍ ପରିଚାଳନା ନେଇ କୌଣସି ଆପତ୍ତି ଉଠାଇନାହାନ୍ତି।, ବରଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଓଡ଼ିଶାର କୋଭିଡ୍ ପ୍ରଭାବ କମିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କ ପ୍ରଚେଷ୍ଟାକୁ ଧନ୍ୟବାଦ ଦେଇଥିଲେ। କେବଳ ସେତିକି ନୁହେଁ, ଓଡ଼ିଶାରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

୨୪ ଘଣ୍ଟା ମଧ୍ୟରେ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କର ଭିନ୍ନ ଭିନ୍ନ ମତ ମନ୍ତବ୍ୟ ଓ ଆଭିମୁଖ୍ୟ ପଛରେ କି ରହସ୍ୟ ଥାଇପାରେ, ତାହା ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପକ୍ଷ ଯୁକ୍ତି କରୁଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସରକାର ଓ ଦଳ ମଧ୍ୟରେ ଥିବା ବ୍ୟବଧାନ ବୁଝିଛନ୍ତି। ଏଣୁ ଦଳୀୟ ପ୍ଲାଟ୍‌ଫର୍ମର ଆଲୋଚନାକୁ ସେ ସରକାରୀ ଉତ୍ସବରେ ଯୋଗଦେବା ବେଳେ ସାମ୍ନାକୁ ଆଣି କୋଭିଡ୍‌ ପରିଚାଳନାରେ ରାଜନୀତି କରିବା ଲାଗି ଚାହିଁନାହାନ୍ତି। ବରଂ ବିକାଶ ପ୍ରକ୍ରିୟାରେ ତାଙ୍କର ଯୋଗଦାନ କାରଣରୁ ଆଜି ଦିନରେ ରାଜ୍ଯ ବିଜେପି ଲାଭରେ ରହିଛି। ଏହି କାର୍ଯ୍ୟକ୍ରମରେ ସେ ଅତିଥି ଥିଲେ। ରାଜ୍ୟ ସରକାରଙ୍କ ଅତିଥି ଭାବେ ଯୋଗଦେଇ ସେଠାରେ ତାଙ୍କ ବିରୋଧରେ କହିବା ଆଦୌ ସ୍ପୃହଣୀୟ ହୋଇନଥାନ୍ତା।

ଅନ୍ୟ ଗୋଟିଏ ମହଲର ମତ କିନ୍ତୁ ଅଲଗା। ଏମାନେ କହୁଛନ୍ତି ଯେ କେନ୍ଦ୍ରମନ୍ତ୍ରୀ କେଉଁ ଆଭିମୁଖ୍ୟ ରଖି କେଉଁଠି କଣ କହିଲେ, ତାହା ଦଳର ତୃଣମୂଳ କର୍ମୀ ବୁଝେନି ବା ଏହାକୁ ବୁଝେଇବା ଲାଗି ଦଳୀୟ ନେତାଙ୍କ ପାଖରେ ପ୍ଲାଟ୍‌ଫର୍ମ ବି ନାହିଁ। କିନ୍ତୁ ଯେଉଁ କଥାଟି ଏବେ ଆଲୋଚନା ହେଉଛି, ତାହା ହେଲା, କୋଭିଡ୍‌ ପରିଚାଳନା ନେଇ ବିଜେପିର ଗର୍ଜନ ଓ ଧର୍ମେନ୍ଦ୍ରଙ୍କର ନିରବତା। ତୃଣମୂଳସ୍ତରରେ ବିଜେପି ଆଜି ଦିନରେ ବିଜେଡିଠାରୁ ବେଶୀ ଦୂରରେ ନାହିଁ ବୋଲି ଯେଉଁ ଅଭିଯୋଗଟି ଉଠୁଛି, ତାହାକୁ ଏହି ଘଟଣା ବଳ ଦେଇଛି। କାରଣ ଧର୍ମେନ୍ଦ୍ର ହେଉଛନ୍ତି ରାଜ୍ୟ ବିଜେପିର ମୁହଁ। ତାଙ୍କ ଉପରେ ସାରା ଓଡ଼ିଶାର ଏବେ ନଜର ରହିଛି। ଦଳ ଯେତେ ଯାହା କହିଲେ ବି ବିଜେପି କର୍ମୀ ଅପେକ୍ଷା କରୁଛନ୍ତି, କେନ୍ଦ୍ରମନ୍ତ୍ରୀ କଣ କହୁଛନ୍ତି। ସେବେ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଭୂମିକା ବିଜେପିକୁ ମହଙ୍ଗା ପଡ଼ିଲା ଏବଂ କୋଭିଡ୍ ପରିଚାଳନା ପ୍ରସଙ୍ଗରେ ଆଉ ଯେତେ ଯିଏ ଯାହା କହିଲେ ବି ତାହା ଦାନା ବାନ୍ଧିବନି।

ଏହି ମହଲ ଆହୁରି କହୁଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଭଲ କାମ ପାଇଁ ଦେଉଥିବା ପୁରସ୍କାର ପ୍ରସଙ୍ଗକୁ ନେଇ ବିଜେଡି ବିଭିନ୍ନ ସମୟରେ ବିଜେପିକୁ ଖୁଣ୍ଟା ଦେଉଛି। ଘର ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ପୁରସ୍କାର ଦେଇଛନ୍ତି, ରାଜ୍ୟ ବିଜେପି ବାଚାଳାମି କରୁଛି ବୋଲି ବିଜେଡି ଯୁକ୍ତି ରଖି ସବୁ ବଡ଼ ପ୍ରସଙ୍ଗକୁ ଅତି ସହଜରେ ହାଲକା କରିଦେଉଛି। ଏହାଫଳରେ କୌଣସି ପ୍ରସଙ୍ଗ ଦାନା ବାନ୍ଧୁନାହିଁ। କୋଭିଡ୍ ପ୍ରସଙ୍ଗ ବି ଏଥିରେ ଯୋଡି ହୋଇଗଲା।

ଏଠାରେ ଉଲ୍ଲେଖଥାଉକି, ଦେବଗଡ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତିରେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ ବି ସ୍ଥାନ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସମସ୍ତଙ୍କ ପ୍ରଚେଷ୍ଟା ବଳରେ ଓଡିଶାରେ କୋଭିଡର ପ୍ରଭାବ କମିବାରେ ଲାଗିଛି । ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦେବଗଡ ଜିଲ୍ଲା ସମେତ ପଶ୍ଚିମ ଓଡିଶାରେ ବର୍ତ୍ତମାନ କୋଭିଡ ନିୟନ୍ତ୍ରଣାଧୀନରେ ରହିଛି ବୋଲି ପ୍ରକାଶ କରିଥିଲେ ଏବଂ ସମ୍ବଲପୁରଠାରେ ଆଉ ଏକ କୋଭିଡ ହସ୍‌ପିଟାଲ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ସପକ୍ଷରେ ମତ ଦେଇଥିଲେ। ଓଡିଶାରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ସେ ପ୍ରଶଂସା କରିଥିଲେ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଯୋଜନବଦ୍ଧ ଭାବରେ ଆଗେଇ ନେଇ ୬-୮ ମାସ ମଧ୍ୟରେ ଯେପରି ସବୁ ଲୋକ ଟିକା ନେଇପାରିବେ, ତାହା ଉପରେ ଗୁରୁତ୍ବ ଦେଇଥିଲେ ।

ଅନ୍ୟପକ୍ଷରେ କାର୍ଯ୍ୟକାରିଣୀ ପରେ ବିଜେପି ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟରେ କରୋନା ସଂକ୍ରମଣ ବେଳେ କେନ୍ଦ୍ର ସରକାର ହାତ ଖୋଲିକି ରାଜ୍ୟକୁ ସାହାଯ୍ୟ କରୁଥିବା ବେଳେ ରାଜ୍ୟ ମୁକାବିଲା କରିବାରେ ବିଫଳ। ଟେଷ୍ଟିଂ ହେଉ କି ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟ କେଉଁଥିରେ ବି ରାଜ୍ୟ ସଫଳ ହୋଇପାରିନାହିଁ। ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ସାମ୍ନାକୁ ଅଣାଯିବ। ବିଜେପି ପ୍ରସ୍ତାବ ପାରିତ କରି ଏକଥା ବି କହିଥିଲା ଯେ ରାଜ୍ୟ ସରକାର ପ୍ରଥମ ଲହରରେ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ଏହି ଲହରରେ ସେମିତି କିଛି କଲେ ନାହିଁ କିମ୍ବା ପୂର୍ବର ହିସାବ ଦେଲେ ନାହିଁ। କେନ୍ଦ୍ର ସରକାରଙ୍କ ଯୋଗୁ ୩୨ଟି ପ୍ଲାଣ୍ଟ ହେଇପାରିଛି। କେନ୍ଦ୍ର ଯୋଗାଇଥିବା ଆଇସିୟୁ, ଭେଣ୍ଟିଲେଟର ଏଠି ଖତ ଖାଉଛି। ସରକାର ଏକ୍‌ମୋ ମେସିନ ଲଗାଇପାରିଲେନି। ଡାକ୍ତର ଅଭାବ, ଡାକ୍ତରଖାନା ଭିତ୍ତିଭୂମିର ସମାଧାନ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବିଜେପି ଆହୁରି କହିଥିଲା, କେନ୍ଦ୍ର ସରକାରଙ୍କ ଯୋଗୁ ଟିକା ପ୍ରଦାନ କରାଯାଉଛି। ଅଥଚ ପୁସିଂ କାର୍ଡ, ବ୍ୟାନର ଲଗାଇ ସରକାର ଛୋଟ ପିଲାଙ୍କ ଭଳି ନିଜର ପ୍ରଚାର କରୁଛନ୍ତି। ଏହାକୁ ବିଜେପି ନିନ୍ଦା କରୁଛି। ସେହିଭଳି କୋଭିଡ ମୃତ୍ୟୁର ତଥ୍ୟ ଲୁଚାଉଥିବାରୁ ରାଜ୍ୟ ସରକାର ବିରୋଧରେ ଦଳ ନିନ୍ଦା ପ୍ରସ୍ତାବ ପାରିତ କରିଥିଲା।

Leave A Reply

Your email address will not be published.