- ଅଧାପନ୍ତରିଆ ରହିଗଲା ବିରଳ ବଜ୍ରକାପ୍ତା ଅପରେସନ୍
- ସମସ୍ତେ ତନାଘନା କଲେ, ହଠାତ୍ ଚୁପ୍ ବସିଗଲେ କାହିଁକି
- ଓଡ଼ିଶାରେ କେତେ ବଜ୍ରକାପ୍ତା ଅଛନ୍ତି, ତାର ଗଣନା ବି ହେଉନି
ଭୁବନେଶ୍ବର: ବିରଳ ବଜ୍ରକାପ୍ତା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ବିସ୍ମିତ କଲାଣି। ଆଠଗଡ ସମେତ ରାଜ୍ୟର ଅଧା ଜିଲ୍ଲାରେ ବଜ୍ରକାପ୍ତା ଚୋରାଚାଲାଣ କରୁଥିବା ମାଫିଆ ସକ୍ରିୟ ଅଛନ୍ତି। ଏହା ସତ୍ତ୍ବେ ଆଠଗଡ ଡିଭିଜନରେ ଆରମ୍ଭ ହୋଇଥିବା ଅପରେସନ୍ ହଠାତ୍ ଅଧାରେ କାହିଁକି ଅଟକିଗଲା? ମାଫିଆଙ୍କ ପାଇଁ ରାଜନୈତିକ ନେତା ଚାପ ପଡ଼ିଲା ନା ବନ ବିଭାଗର ଆଗ୍ରହ କମିଗଲା? ଏକଥା ସତ ଯେ ବଜ୍ରକାପ୍ତା ଚୋରାଚାଲାଣ ପ୍ରକ୍ରିୟା ଜାରି ରହିଛି। ନିଜେ ସରକାର ଏ ସଂପର୍କରେ ବାରମ୍ବାର ସୂଚାଉଛନ୍ତି। ଗଣମାଧ୍ୟମ ସାମ୍ନାକୁ ଆସି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ହିଁ ଧରିଥିବା ବଜ୍ରକାପ୍ତା ଦେଖାଇ ତାର ସଫଳତା ବର୍ଣ୍ଣନା କରିବା ବେଲେ ଜଣାପଡ଼ିଯାଉଛି ଯେ କରୋନା କାଳରେ ବି ଏହି ରାକେଟ୍ ବେଶ୍ ସକ୍ରିୟ ଅଛନ୍ତି। ହେଲେ ଗୋଟିଏ ସ୍ବତନ୍ତ୍ର ସ୍ବାଡ୍ ଗଠନ କରି ଅଧିକାରୀମାନେ ଏହାର ମୂଳ ପର୍ଯ୍ୟନ୍ତ କାହିଁକି ଯିବାକୁ ଚାହୁଁନାହାନ୍ତି, ତାହା ବୁଝାପଡୁନାହିଁ।
କୌତୂହଳର କଥା ହେଲା, ଆଠଗଡରେ ବଜ୍ରକାପ୍ତା ଅପରେସନ୍ କରୁଥିବା ତତ୍କାଳୀନ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କୁ ବଦଳି କରିଦିଆଗଲା। ଏହା ସେ ସମୟରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆଚମ୍ବିତ କରିଥିଲା। ହେଲେ ତାଙ୍କ ପରେ ଯାଇଥିବା ନୂଆ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ବଜ୍ରକାପ୍ତା ଧରପଗଡ ନ କରିବା ଘଟଣା ଅନେକ ସଙ୍କେତ ଦେଉଛି। ସେହିଭଳି ରାଜ୍ୟର ଅନ୍ୟ ଡିଏଫ୍ଓମାନେ ସେମାନଙ୍କ ଅଞ୍ଚଳରେ ସମାନ୍ତରାଳ ଭାବେ ଏହି ବିରଳ ସ୍ତନ୍ୟପ୍ରାୟୀ ପ୍ରାଣୀ ଚୋରା ଚାଲାଣ ରୋକିବା ଲାଗି ତନାଘନା ପାଇଁ ପଛଘୁଞ୍ଚା ଦେବା ପଛର କାରଣ କଣ ହୋଇପାରେ, ତାହା ବି ଅନୁଧ୍ୟାନ ଯୋଗ୍ୟ।
ବିଲୁପ୍ତ ପ୍ରାୟ ଏହି ପ୍ରାଣୀ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଥରୁଟିଏ ବି ସମୀକ୍ଷା ବୈଠକ ଡାକିଲେ ନାହିଁ କିମ୍ବା ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଡାକ୍ତର ମୋନା ଶର୍ମା ବି। ଇତିମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପଦବିରେ ନୂଆ ଅଧିକାରୀ ଦାୟିତ୍ବ ନେଇଛନ୍ତି। ସେମାନେ ମଧ୍ୟ ଏ ନେଇ ତନାଘନା କରିନାହାନ୍ତି।
ଉଲ୍ଲେଖଯୋଗ୍ୟ, ୮୦ ନିୟୁତ ବର୍ଷ ଧରି ପୃଥିବୀ ପୃଷ୍ଠରେ ଚଲାବୁଲା କରୁଥିବା ପତଙ୍ଗଭୋଜି ଲାଜୁଆ ପ୍ରାଣୀ ବଜ୍ରକାପ୍ତା ଏବେ ଭୀଷଣ ଅସ୍ତିତ୍ବ ସଙ୍କଟ ଭିତରେ ଗତି କରୁଛି। ୨୦୧୬ ମସିହାରେ ପୃଥିବୀର ୧୮୦ଟି ଦେଶର ସରକାର ବଜ୍ରକାପ୍ତା ସୁରକ୍ଷା ଚୁକ୍ତିରେ ଦସ୍ତଖତ କରିଛନ୍ତି। ଏହା ସତ୍ତ୍ବେ ବଜ୍ରକାପ୍ତା ସର୍ବାଧିକ ବିପନ୍ନ ପ୍ରଜାତିର ସ୍ତନ୍ୟପ୍ରାୟୀ ପ୍ରାଣୀ, ଯାହାକୁ କି ଚୋରାଚାଲାଣ ପ୍ରସଙ୍ଗ ଏବେ ସମଗ୍ର ବିଶ୍ବର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଭାରତରୁ ବିଦେଶକୁ ଏହି ପ୍ରାଣୀ ବେଧଡକ ଭାବେ ରପ୍ତାନି ହେଉଛି। ଓଡ଼ିଶା ଏ ମଧ୍ୟରେ ଏକ ପ୍ରମୁଖ ରାଜ୍ୟ। ଏହି ପ୍ରାଣୀକୁ ଭାରତରେ ବନ୍ୟପ୍ରାଣୀ ବିଭାଗ ସିଡ୍ୟୁଲ୍ଡ ୧ ଶ୍ରେଣୀ ଭୁକ୍ତ କରିଛନ୍ତି।
କେବଳ ସେତିକି ନୁହେଁ, ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପାଖାପାଖି ଆଠ ବର୍ଷ ତଳୁ ବିଶ୍ବ ବଜ୍ରକାପ୍ତା ଦିବସ ପାଳନ କରାଯାଉଛି। ହେଲେ ଓଡ଼ିଶା ସରକାର ଏହି ଦିବସ ପାଳନ କରିବା ଲାଗି ଆଗ୍ରହ ଦେଖାଇନାହାନ୍ତି। ଏମାନଙ୍କର ସୁରକ୍ଷା ପାଇଁ ଏଯାଏ ପାଗ ଭିଡିନାହାନ୍ତି। ବାସ୍ତବରେ ଏମାନଙ୍କର ସଂଖ୍ୟା ଆମ ରାଜ୍ୟରେ କେତେ, ସେମାନେ କେଉଁ କେଉଁ ଜଙ୍ଗଲରେ ଅଧିକ ଅଛନ୍ତି, ଏକଥା ଜାଣିବା ଲାଗି ସେମାନଙ୍କର ଗଣନା ହେବା ଦରକାର, ଯେଉଁଥିପାଇଁ ସରକାରଙ୍କର ଆଗ୍ରହ ମଧ୍ୟ ନାହିଁ।
ଏକଥା ନୁହେଁ ଯେ ନିକଟରେ ଆଠଗଡରେ ବଜ୍ରକାପ୍ତା ଅପରେସନ୍ ପରେ ସରକାରଙ୍କ ଏମାନଙ୍କ ଉପସ୍ଥିତି କଥା ଜାଣିଲେ। ୨୦୧୫ ମସିହା ଜୁଲାଇ ମାସରେ ଗଞ୍ଜାମର ବୁଗୁଡାରୁ ସ୍ଥାନୀୟ ପୁଲିସ ୧୦ କେଜି ବଜ୍ରକାପ୍ତା କାତି ଜବତ କରିଥିଲେ। ପରବର୍ତୀ ସମୟରେ ଭୋପାଳର ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅଧିକାରୀମାନେ ଏଠାକୁ ଆସି ଚଢଉ କରି ଆଉ ୧କେଜି ବଜ୍ରକାପ୍ତା କାତି ଓ ନଖ ଜବତ କରିଥିଲେ। ଅଧିକାରୀମାନେ ସେତେବେଳେ ଗଣମାଧ୍ୟମକୁ ସୂଚାଇଥିଲେ, ଦକ୍ଷିଣ ଓଡ଼ିଶାରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍ କ୍ଷେତ୍ରରେ ବ୍ରହ୍ମପୁରକୁ ଏକ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ଏହି ବାଟ ଦେଇ ବଜ୍ରକାପ୍ତା ଚୋରାଚାଲାଣ ହେଉଛି ହାଇଦ୍ରାବାଦ ପର୍ଯ୍ୟନ୍ତ, ତା ପରେ ବିଦେଶ ଯାଉଛି।
୨୦୧୮ ମସିହା ଜୁନରେ ନୟାଗଡ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଦୁର୍ଦାନ୍ତ ମାଫିଆ ଶ୍ୟାମସୁଦ୍ଦିନ୍ ଖାଁକୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଶାଖା ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ମିଜୋରାମର ଥିଲେ। ଶ୍ୟାମସୁଦ୍ଦିନ୍ ଗୋଟିଏ ଅନ୍ତର୍ଜାତୀୟ ବନ୍ୟଜୀବ ମାଫିଆ ଥିଲା ଓ ସେ ଓ୍ବାଣ୍ଟେଡ୍ ଥିଲା, ଏକଥା ବନବିଭାଗ ସେ ପର୍ଯ୍ୟନ୍ତ ଜାଣିପାରିନଥିଲେ। ଏକଥା କିନ୍ତୁ ମିଜୋରାମ ଲିଙ୍କକୁ ସାମ୍ନାକୁ ଆଣିଥିଲା।
୨୦୧୯ ନଭେମ୍ବରରେ ଅନୁଗୁଳ ପାଳଲହଡା ପଟ୍ଟାମୁଣ୍ଡା ଗାଁରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ୨ଲକ୍ଷ ଟଙ୍କା ବିନିମୟରେ ଏହି ବଜ୍ରକାପ୍ତା ଚାଲାଣ ହୋଇଥାନ୍ତା। ଦଲାଲ ଧରିବା ପୂର୍ବରୁ ବନ ବିଭାଗ ଧରିଲା। ସେହିଭଳି ଆଠଗଡ ବଜ୍ରକାପ୍ତା ଚୋରାଚାଲାଣ ଘଟଣାେର ପାଖାପାଖି ୩୦ରୁ ଅଧିକ ମାଫିଆ ଗିରଫ ହୋଇଥିଲେ। ଆପାତତଃ ଯେତିକି ସୂଚନା ମିଳିଛି, ଭଦ୍ରକ, ବାଲେଶ୍ବର ଦେଇ ମାଫିଆମାନେ କୋଲକାତାକୁ ବଜ୍ରକାପ୍ତା ପଠାଉଛନ୍ତି ଓ ସେଠାରୁ ଏହା ମିଆଁମାର, ଚୀନ ପର୍ଯ୍ୟନ୍ତ ଯାଉଛି। ଏସବୁ ତଥ୍ୟ ସୂଚାଇ ଦେଉଛି ଯେ ଓଡ଼ିଶାର ଦୁଇ ପାର୍ଶ୍ବରେ ମାଫିଆ ସକ୍ରିୟ ଅଛନ୍ତି ଓ ନିୟମିତ ବ୍ୟବଧାନରେ ଚୋରାଚାଲାଣ ଜାରି ରହିଛି।
ଅବଶ୍ୟ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଶାଖା ଇତିମଧ୍ୟରେ ଏକାଧିକ ବଜ୍ରକାପ୍ତା ସଂକ୍ରାନ୍ତ ମାମଲା ସାମ୍ନାକୁ ଆଣିଛି। ହେଲେ ଏ ସଂକ୍ରାନ୍ତରେ ଯେଭଳି ତନାଘନା ହେବା କଥା, ତାହା ପରିଦୃଷ୍ଟ ହେଉନାହିଁ। ଏକଥା ସମସ୍ତେ ଜାଣନ୍ତି ଯେ ଓଡ଼ିଶାର ଅଧା ଜଙ୍ଗଲରେ ବଜ୍ରକାପ୍ତାଙ୍କ ଉପସ୍ଥିତି ରହିଛି। ମୟୂରଭଂଜ ଠାରୁ ଗଜପତି, ଦେବଗଡରୁ ମାଲକାନଗିରି, ଭୁବନେଶ୍ବର ଉପକଣ୍ଠ ଯାଏ ମାଫିଆ ସକ୍ରିୟ ଅଛନ୍ତି। ବନ ବିଭାଗ ବିଭିନ୍ନ ସମୟରେ ଧରିଥିବା ଶିକାରୀଙ୍କ ରେକର୍ଡ ବି ଏକଥା କହୁଛି। ସେହିଭଳି ବନଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ବାବୁମାନେ ଥରୁଟିଏ ତଦନ୍ତ କରି ଫେରିବା ପରେ ଆଉ ସେମାନଙ୍କର ଖୋଜ ଖବର ନାହିଁ।