ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ଓଡ଼ିଶା ଫେରିବେ ଧର୍ମେନ୍ଦ୍ର

0
  • ୨୦୨୪ ଲାଗି ବଡ଼ ପ୍ରସ୍ତୁତି ଚାଲିଛି ଦିଲ୍ଲୀରେ, ରାଜ୍ୟ ରାଜନୀତିର ମଙ୍ଗ ଧରିବେ
  • ଏକାଥରକେ ଲୋକସଭା ନିର୍ବାଚନ ଲଢିବେ, ବିଧାନସଭା ପାଇଁ ବି ପ୍ରାର୍ଥୀ ହେବେ
  • ସମ୍ବଲପୁର ଲୋକସଭା ଆସନ ଉପରେ ଧର୍ମେନ୍ଦ୍ରଙ୍କ ଆଖି, ପୂର୍ବରୁ ମିଳିଛି ଆଭାସ
  • ଭୁବନେଶ୍ବର ଉତ୍ତର ବିଧାନସଭାରୁ ଲଢିପାରନ୍ତି, ବିଜେଡିକୁ ଚାପରେ ରଖିବେ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଫେରିବେ। ୨୦୨୪ ନିର୍ବାଚନରେ ସେ ପୁଣି ଥରେ ଓଡ଼ିଶା ନିର୍ବାଚନ ମଇଦାନରେ ପାଦ ରଖିବେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ସେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହୋଇପାରନ୍ତି। ଏ ସଂକ୍ରାନ୍ତରେ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି। ଉଲ୍ଲେଖନୀୟ କଥା ହେଲା, ଏଥିପାଇଁ ଧର୍ମେନ୍ଦ୍ର ପୂରା ପ୍ରସ୍ତୁତି କରି ଆସୁଛନ୍ତି। ଏଥର ତାଙ୍କ ସହିତ ଗଣମାଧ୍ୟମ ରହିବ, ବରିଷ୍ଠ ଓ ଯୁବ ବର୍ଗଙ୍କୁ ନେଇ ଏକ ବିଶାଳ ଟିମ୍ ବି। ଧର୍ମେନ୍ଦ୍ର ଆସିବାର ଯଥେଷ୍ଟ ପୂର୍ବରୁ ଓଡ଼ିଶା ବିଜେପି ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯିବ। ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି। ଯଦିଓ ଧର୍ମେନ୍ଦ୍ର ଏ ସଂପର୍କରେ ଏଯାଏ ମୁହଁ ଖୋଲିନାହାନ୍ତି। ଗତବର୍ଷ କିନ୍ତୁ ଏକ ସଭାରେ ତାଙ୍କର ମନ୍ତବ୍ୟ ସେ ଓଡ଼ିଶା ରାଜନୀତିକୁ ଫେରୁଥିବା ସଂପର୍କରେ ସାମାନ୍ୟ ସଙ୍କେତ ଦେଇଥିଲା।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ, ଧର୍ମେନ୍ଦ୍ରଙ୍କ ଫେରିବା ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହିତ ନେଉଛନ୍ତି। ଏବେଠାରୁ ପୂର୍ବାନୁମାନ କଲେଣି ଯେ ୨୦୨୪ ନିର୍ବାଚନ ଓଡ଼ିଶା ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିବ। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର କ୍ଷମତାରେ ରହିବା ପାଇଁ ଯେତେବେଳେ ପ୍ରସ୍ତୁତି କରୁଥିବେ, ସେବେ ବିଜେପି ଏକାକୀ ସରକାର ଗଠନ ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ। ଏଣୁ ଏହି ନିର୍ବାଚନ ରାଜ୍ୟ ବିଜେପି ଲାଗି ଯେତିକି ଗୁରୁତ୍ବପୂର୍ଣ୍ଣ ହେବ, ତା ଠାରୁ ଅଧିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଚ୍ୟାଲେଞ୍ଜ ଆଣିପାରେ।

ମିଳୁଥିବା ଖବର ଅନୁସାରେ, ୨୦୨୪ ଏପ୍ରିଲରେ ଧର୍ମେନ୍ଦ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବ। ସେହି ସମୟରେ ମୋଦୀ ସରକାରର କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ଏଣୁ ଶ୍ରୀ ପ୍ରଧାନଙ୍କ ପ୍ରତି ଏହି ସମୟ ପର୍ଯ୍ୟନ୍ତ କୌଣସି ବିପଦ ନାହିଁ। ବରଂ ବିଜେପି ଆଗକୁ ତାଙ୍କୁ ଏକ ଗୁରୁ ଦାୟିତ୍ବ ଦେବାକୁ ଚିନ୍ତା କରୁଥିବା ନୂଆଦିଲ୍ଲୀ ରାଜନୀତିରେ ଚର୍ଚ୍ଚା ହେଲାଣି। ସେ ବିଜେପିର ଶୀର୍ଷସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରନ୍ତି। ଏମିତି ହେଲେ ଓଡ଼ିଶା ରାଜନୀତିରେ ଏହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିପାରେ। ରାଜ୍ୟ ବିଜେପି ସଂଗଠନ ମଧ୍ୟ ଅନୁରୂପ ଶୈଳୀରେ କମ୍ପିବ।

୧୯୬୯ ମସିହାରେ ଜନ୍ମିତ ଧର୍ମେନ୍ଦ୍ର ୨୦୦୦ ମସିହାରେ ଓଡ଼ିଶା ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ଅନୁଗୁଳ ଜିଲ୍ଲାର ପାଳଲହଡା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେଁ ରାଜ୍ୟ ରାଜନୀତିର ଅଡୁଆ ପାଣିପାଗ ଦେଖି ସେ ଆଗୁଆ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୪ ମସିହାରେ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ ନିର୍ବାଚନ ତାଙ୍କୁ ସାଥ୍ ଦେଲା ନାହିଁ। ରାଜନୀତି ପାଣିପାଗ କଷିବାରେ ମାହିର୍ ଧର୍ମେନ୍ଦ୍ର ଉପା-୨ ସରକାରର ସ୍ଥିତି ଦେଖି କେନ୍ଦ୍ରରେ ପଟ୍ଟପରିବର୍ତ୍ତନର ଆଭାସ ପାଇଥିଲେ। ୨୦୧୨ରେ ସେ ବିହାରରୁ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଆଉ ୨୦୧୪ରେ ଯେବେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେବେ ସେ ପେଟ୍ରୋଲିୟମ୍ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର କେନ୍ଦ୍ରମନ୍ତ୍ରୀ ହେବାରେ ସକ୍ଷମ ହୋଇଥିଲେ। ଶ୍ରୀ ପ୍ରଧାନ ୨୦୧୮ରେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର କିନ୍ତୁ ବିହାର ନୁହେଁ, ବରଂ ମଧ୍ୟପ୍ରଦେଶ ବିଧାୟକମାନେ ତାଙ୍କୁ ନିର୍ବାଚିତ କରି ପଠାଇଥିଲେ ସଂସଦକୁ। ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଛି। ଇତିମଧ୍ୟରେ କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ଓଡ଼ିଶାରେ ସରକାର ଗଠନ ଲାଗି ପ୍ରୟାସ ଆରମ୍ଭ କରିବା ପାଇଁ ସଙ୍କେତ ଦେଇସାରିଲେଣି। ସେ ରାଜ୍ୟ ରାଜନୀତିକୁ ନ ଫେରିବା ଯାଏ, ଓଡ଼ିଶା ବିଜେପି ପାଣିପାଗରେ ଏହାର ବଡ଼ ପ୍ରଭାବ ପଡିବ ନାହିଁ, ଏକଥା ରଣନୀତିକାରମାନେ ତାଙ୍କୁ ବୁଝାଇ ସାରିଛନ୍ତି। ଏଣୁ ଧର୍ମେନ୍ଦ୍ର ରାଜ୍ୟ ରାଜନୀତିକୁ ଫେରିବା ସମ୍ଭାବନା ଏବେ ଉଜ୍ଜଳ ହେବାରେ ଲାଗିଛି।

ଏବେ ପ୍ରଶ୍ନ ଉଠୁଛି, ଧର୍ମେନ୍ଦ୍ର କେଉଁ ଆସନକୁ ନେଇ ଆଗକୁ ବଢ଼ିବେ?

ଗତବର୍ଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟିରେ କହୁ କହୁ ସେ କହିଦେଇଥିଲେ ଯେ ରାଜା ସାହେବ (ସାଂସଦ ନୀତେଶ ଗଙ୍ଗଦେବ) ଚାହିଁଲେ ସେ ପୁଣି ଥରେ ଏ ଅଞ୍ଚଳର ଲୋକ ପ୍ରତିନିଧି ହୋଇପାରିବେ। ନୀତେଶ ମଧ୍ୟ ପରେ ପରେ କହିଥିଲେ ଯେ ଧର୍ମେନ୍ଦ୍ରଙ୍କ ପାଇଁ ସେ ଆସନ ଛାଡିବାକୁ ପ୍ରସ୍ତୁତ। ଓଡ଼ିଶାର କେଉଁ ଆସନରେ ବି ଛିଡା ହୋଇପାରିବାର କ୍ଷମତା କେନ୍ଦ୍ରମନ୍ତ୍ରୀ ରଖନ୍ତି ବୋଲି ନୀତେଶ ପାଦେ ଆଗକୁ ଯାଇ ଜଣାଇଥିଲେ। ଏହି ପ୍ରସଙ୍ଗକୁ ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ଏଡ଼ାଇ ଯାଇଥିଲେ ହେଁ ଏକଥା କିନ୍ତୁ ଜଳ ଜଳ ହୋଇ ଦିଶୁଛି ଯେ ସମ୍ବଲପୁର ଆସନରୁ ଲୋକସଭା ନିର୍ବାଚନ ଲାଗି ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି।

ବିଜେପିର ଶୀର୍ଷ ମହଲର କହିବା କଥା ହେଉଛି, ବିଜୁ ଜନତା ଦଳ ଉପରେ ଚାପ ରଖିବା ଲାଗି ଧର୍ମେନ୍ଦ୍ର ସମାନ୍ତରାଳ ଭାବେ ବିଧାନସଭାରୁ ବି ପ୍ରାର୍ଥୀ ହେବେ। ସେ ତାଙ୍କ ନିର୍ବାଚନମଣ୍ଡଳୀକୁ ଫେରିଯାଇପାରନ୍ତି। କିନ୍ତୁ ଭୁବନେଶ୍ବର ଉତ୍ତର ଆସନ ତାଙ୍କ ପାଇଁ ଅତି ପ୍ରଭାବୀ ହେବ ବୋଲି କିଛି ବରିଷ୍ଠ ନେତା ମତ ରଖୁଛନ୍ତି। ଏମିତି ହେଲେ, ରାଜଧାନୀରେ ହାଇ ଭୋଲଟେଜ୍ ରାଜନୀତିର ଝଲକ ଦେଖିବାକୁ ମିଳିପାରେ। ଏହାର ପ୍ରଭାବ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ଶୀଘ୍ର ବ୍ୟାପିବ ବୋଲି ଏହି ନେତାମାନେ ଯୁକ୍ତି ରଖୁଛନ୍ତି।

ରାଜନୀତି ରଣନୀତିକାରମାନେ ଯେଉଁ ବଡ଼ ପରିବର୍ତ୍ତନ ଧର୍ମେନ୍ଦ୍ରଙ୍କ ପାଖେ ଦେଖୁଛନ୍ତି, ତାହା ଏବେ ବିଜେଡି ପାଇଁ ବିଶେଷ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ଯାହା ଥିଲା, ତାହା ଏବେ ଶତ ପ୍ରତିଶତ ବଦଳିଯାଇଛି। ସେବେ ଅଫିସର ଓ ଅମଲାସ୍ତରରେ ତାଙ୍କର ଗ୍ରହଣୀୟତା ନଥିଲା। ସେମାନଙ୍କୁ ସିଧା ସିଧା ସମାଲୋଚନା କରୁଥିବାରୁ ଧର୍ମେନ୍ଦ୍ରଙ୍କ ବୈଠକରୁ ସେମାନେ ଦୂରେଇ ରହୁଥିଲେ। ଏବେ କିନ୍ତୁ ଧର୍ମେନ୍ଦ୍ରଙ୍କ ସହିତ ଅଧିକାରୀମାନେ ଘଣ୍ଟା ଘଣ୍ଟା ସମୀକ୍ଷା ବୈଠକ କରୁଛନ୍ତି, ଆଉ ସେଭଳି ଅସହଜ ପରିସ୍ଥିତି ନାହିଁ। ଦ୍ବିତୀୟ ପରିବର୍ତ୍ତନ ହେଲା, ରାଜ୍ୟ ବିକାଶରେ ଏବେ ଧର୍ମେନ୍ଦ୍ର ଯୋଡ଼ି ହୋଇ ରହୁଛନ୍ତି। ସରକାରଙ୍କ ସବୁ ବଡ଼ କାର୍ଯ୍ୟକ୍ରମରେ ସେ ଭାଗ ବସାଇବା ଆରମ୍ଭ କଲେଣି। ଏହାଦ୍ବାରା ଆସନ୍ତାକାଲି କୌଣସି ବଡ଼ ପ୍ରକଳ୍ପକୁ ବିଜେଡି କେବଳ ନିଜର ବୋଲି କହିନପାରେ।

ଅବଶ୍ୟ ଏକଥା ହୋଇଛି ଯେ ୨୦୧୪ରୁ ୨୦୧୯ ମଧ୍ୟରେ ବିଜେଡି ବିରୋଧୀ ସ୍ବରର ନେତୃତ୍ବ ନେଉଥିଲେ ଧର୍ମେନ୍ଦ୍ର। ଆଜି ଦିନରେ ବିରୋଧୀଙ୍କ ସ୍ବର ଶିଥିଳ ପଡ଼ିଯାଇଛି। ସରକାରଙ୍କୁ କଠୋର ସମାଲୋଚନା କରିବା ଲାଗି ଆଉ କାହାର ସେଭଳି ଯୁ ନାହିଁ। ଏଥିରେ ବିଜେପିର କିଛିଟା କ୍ଷତି ହେଉଛି। ହେଲେ ନିର୍ବାଚନ ପୂର୍ବରୁ ଏହି କ୍ଷତି ଭରଣା କରିବା ଲାଗି ବିଜେପି ପାଖରେ ପର୍ଯ୍ୟାପ୍ତ ସମୟ ଅଛି।

ଏଠାରେ ଉଲ୍ଲେଖଥାଉକି, ଧର୍ମେନ୍ଦ୍ରଙ୍କୁ ସମର୍ଥନ ଦେବା ଲାଗି ଏବେ ବୈଦ୍ୟୁତିକ ଗଣମାଧ୍ୟମ ତାର କାର୍ଯ୍ୟ ଆରମ୍ଭ କରିସାରିଲେଣି। ଖୁବ୍ ଶୀଘ୍ର ଏକ ବଡ଼ ଧରଣର ଛାପା ଗଣମାଧ୍ୟମ ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି। ୨୦୨୨ ସୁଦ୍ଧା ଏସବୁ ପ୍ରକ୍ରିୟା ଶେଷ ହୋଇଯିବ। ସେହିଭଳି ଦଳର ବରିଷ୍ଠ ଓ କନିଷ୍ଠ ନେତାମାନଙ୍କ ସହିତ ଏବେ ଭିନ୍ନ ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ସଂପର୍କ ପ୍ରତିଷ୍ଠା ଉଦ୍ୟମ କଲେଣି। ଏସବୁ ତ ପରିବର୍ତ୍ତନର ସଙ୍କେତ, ଆଉ କ’ଣ?

Leave A Reply

Your email address will not be published.