ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

କଡ ଲେଉଟାଉଛି ଓଡ଼ିଶା ରାଜନୀତି

0
  • ନୂଆ ରଣକୌଶଳ ସହିତ ଧୀରେ ଧୀରେ ଆଗଉଛି ବିଜେପି
  • ଚାପ କୌଶଳ ପ୍ରୟୋଗ କରିବେ, ନାଲିଆଖି ଦେଖାଇବେ
  • ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବାକୁ ଯାବତୀୟ ଫନ୍ଦି
  • ବିଜେଡି ପାଇଁ ସତର୍କର ବେଳ, ଭାବମୂର୍ତି ଏକମାତ୍ର ସମ୍ବଳ
  • ବିଜେଡିର ଗଡ ଗାଁ ଲୋକଙ୍କ ଭୋଟ, ଆଖେଇଲାଣି ବିଜେପି

ଭୁବନେଶ୍ବର: ୨୦୨୨ ମସିହା ଉଭୟ ବିଜେଡି ଏବଂ ବିଜେପି ପାଇଁ ଅଗ୍ନୀ ପରୀକ୍ଷାର ବର୍ଷ। ଆପଣମାନେ ଭାବୁଥାଇପାରନ୍ତି ଯେ ବିଜେଡିର ଅନ୍ତଃକନ୍ଦଳ (ଯାହା ଏବେ ଅଧିକାଂଶ ନେତା ଆଲୋଚନା କରୁଛନ୍ତି) ଦଳକୁ ଖିନ୍ ଭିନ୍ କରିଦେବ ବୋଲି ଆମେ ଆଶଙ୍କା କରୁଛୁ। ନା ସେମିତି କିଛି ବି ହେବାର ନାହିଁ। ଏକଥା ବି ନୁହେଁ ଯେ ବିଜେପି ସିଧାସଳଖ ଆକ୍ରମଣ କରି ବିଜେଡିକୁ ତଳିତଳାନ୍ତ କରିଦେବ ବା ଦଳକୁ ହାଇଜାକ୍ କରିନେବ। ବରଂ ଏକଥା କୁହାଯାଇପାରେ ଯେ ୨୦୨୨ ଜୁଲାଇ ମାସ ପର୍ଯ୍ୟନ୍ତ ବିଜେଡି-ବିଜେପି ସଂପର୍କରେ ବିଶେଷ କୌଣସି ପରିବର୍ତ୍ତନ ଘଟିବାର ସମ୍ଭାବନା କ୍ଷୀଣ। ୨୦୨୪ ପର୍ଯ୍ୟନ୍ତ ବିଜେଡିକୁ ଯେନତେନ ପ୍ରକାରେ ପାଖରେ ରଖିବାକୁ ବିଜେପି ବାଧ୍ୟ।

ଗୁରୁତ୍ବପୂର୍ଣ୍ଣ କଥାଟି କିନ୍ତୁ ହେଲା, ବିଜେପିର ଯେ ବିଜେଡି ସହିତ ସଂପର୍କ ରଖିବା ଆବଶ୍ୟକ, ଏକଥା ସେମାନେ ଅନୁରୋଧ ଜରିଆରେ ଆଦୌ ସାବ୍ୟସ୍ତ କରିବେ ନାହିଁ। ବରଂ ଦଳର ଶୀର୍ଷସ୍ତରରେ ଏମିତି ରଣନୀତି କରାଯିବ, କେନ୍ଦ୍ରୀୟ ଚାପ ଏତେ ରହିବ ଯେ ବିଜେଡି କେନ୍ଦ୍ର ଠାରୁ ଦୂରେଇ ରହିବା ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ସବୁବେଳେ ଅନୁଭବ କରିବ ଏବଂ ଏହା ଉଭୟଙ୍କୁ ପରସ୍ପରର ନିକଟରେ ରଖିବ। ଏଭଳି ଏକ ବଡ ରଣକୌଶଳ ପାଇଁ ବିଜେପି ଶିବିରରେ ନକ୍ସା ପ୍ରସ୍ତୁତି ହୋଇଛି। କେବଳ ଓଡ଼ିଶା ପାଇଁ ନୁହେଁ, ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ ପାଇଁ ବି ବିଜେପି ଏଭଳି ଫର୍ମୁଲା କରିଛି।

ଏଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଅତ୍ୟନ୍ତ ସୁବିଧାଜନକ ସ୍ଥିତିରେ ରହିଥିଲେ ବି ଦଳକୁ ସବୁକଥାରେ ସତର୍କ ରହିବାକୁ ହେବ। ଯୋଜନାବଦ୍ଧ ରଣନୀତି ସହିତ ସାଧାରଣ ଲୋକଙ୍କ ପାଖରେ ସର୍ବଦା ଯୋଡି ହୋଇ ରହିବାକୁ ପଡିବ। ଅନ୍ୟଥା କେନ୍ଦ୍ରୀୟ ଚାପର ପ୍ରଭାବରେ ଯଦି ଥରେ ତୃଣମୂଳସ୍ତରର ଭୋଟ ବ୍ୟାଙ୍କ ଦୋହଲିବା ଆରମ୍ଭ ହୋଇଗଲା, ବିଜେଡି ପାଇଁ କେବଳ ବିପଦ ହିଁ ବିପଦ। ୨୦୨୪ ନିର୍ବାଚନରେ ବିଜେଡି ଦ୍ରୁମକୁ ଉପାଡିଦେବା ବିରୋଧୀଙ୍କ ପାଇଁ ଆଦୌ କଷ୍ଟସାଧ୍ୟ ହେବ ନାହିଁ। କାରଣ ଦଳରେ ଏଭଳି କୌଣସି କରିତକର୍ମା ବରିଷ୍ଠ ନେତା ଆଉ ନାହାନ୍ତି, ଯେଉଁମାନେ ଏ କ୍ଷେତ୍ରରେ ଆଗକୁ ଆସି ନବୀନଙ୍କ ଭଳି ବିଜେଡିକୁ ସୁରକ୍ଷା ଦେଇପାରିବେ।

ବିଜେଡି ନେତାମାନେ ଏକଥା ବି ଜାଣି ରଖିବା ଦରକାର ଯେ ପ୍ରଥମେ ଘର, ପରେ ଖାଦ୍ୟ ଏଭଳି ଦୁଇଟି କାର୍ଯ୍ୟକ୍ରମ ଜରିଆରେ ବିଜେପି ତାର ଆଗାମୀ ରଣନୀତି ସଂପର୍କରେ ଯଥେଷ୍ଟ ଆଭାସ ଦେଲାଣି। ଉଭୟ ଘଟଣାରେ ସେମାନେ ନବୀନ ପଟ୍ଟନାୟକଙ୍କ ସରକାର ଦେହରେ କଳଙ୍କ ବୋଳିବାକୁ ଚେଷ୍ଟା କରୁଛନ୍ତି। ଅର୍ଥାତ୍ ବିଜେଡି ସରକାର ଦୁର୍ନୀତିଗ୍ରସ୍ତ ବୋଲି ଗୋଟିଏ ବାର୍ତ୍ତା ଦେବା ଲାଗି ବିଜେପି ବଡ ପ୍ରସ୍ତୁତିରେ ଅଛି।

ଏଠାରେ ସ୍ମରଣଯୋଗ୍ୟ, ରାଜନୀତି ରଣନୀତିକାରମାନେ ୨୦୨୨କୁ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବର୍ଷ ବୋଲି ବର୍ଣ୍ଣନା କରି ଏଭଳି ଏକ ଚିତ୍ର ଉପରେ ପର୍ଯ୍ୟାଲୋଚନା ଆରମ୍ଭ କଲେଣି। ସେମାନଙ୍କର କହିବା କଥା ହେଉଛି, ୨୦୨୨ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ରହିଛି, ଯେଉଁଥିରେ ବିଜେପି ଏକାକୀ ଏହି ନିର୍ବାଚନ ଜିିତିବାର କ୍ଷମତା ରଖେନି। ଉତ୍ତରପ୍ରଦେଶ ଭୋଟ ରାଜନୀତିରେ ସାମାନ୍ୟ ଏପଟସେପଟ ହେଲେ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଆହୁରି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ।

ଦ୍ବିତୀୟତଃ ଆସନ୍ତାବର୍ଷ ପାଞ୍ଚଟି ରାଜ୍ୟର ନିର୍ବାଚନ ରହିଛି, ଯେଉଁଥିରେ ଉତ୍ତର ପ୍ରଦେଶରେ ବିଜେପି ତାର ଲୋକପ୍ରିୟତା ମାପିବ। ୨୦୨୪ରେ ନୂଆଦିଲ୍ଲୀ କ୍ଷମତା ଦଖଲ କରିବାକୁ ହେଲେ, ବିଜେପି ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଠାରେ ଭୋଟ ବ୍ୟାଙ୍କ ବିଗିଡିଲେ, କେନ୍ଦ୍ରରେ ଲମ୍ବା ରାଜନୀତି ପାଇଁ ଆଞ୍ଚଳିକ ଦଳର ସହଯୋଗ ଅପରିହାର୍ଯ୍ୟ। ଏଣୁ ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ନବକଳେବର ବେଳେ ଆଞ୍ଚଳିକ ଦଳମାନଙ୍କୁ ଏନଡିଏ ମୁଣି ଭିତରେ ସୁରକ୍ଷିତ ଭାବେ ରଖିବାକୁ ବିଜେପି ଢେର୍ ପ୍ରୟାସ କରିଛି।

ତୃତୀୟ ବଡ କଥାଟି ହେଲା, ବର୍ଷ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି। ଏଥିରେ ମୋଦୀଙ୍କୁ ଦେଶସାମ୍ନାରେ ତାଙ୍କ ନିଜ ରାଜ୍ୟରେ ତାଙ୍କର ସ୍ଥିତି ଯେ ଅତୁଟ ରହିଛି, ଏକଥା ଦେଖାଇବାକୁ ହେବ। ଏସବୁକୁ ନେଇ ବିଜେପି ଏବେଠାରୁ ୨୦୨୨ଶେଷ ଯାଏ ଅନେକ ଚ୍ୟାଲେଞ୍ଜ ଭିତରେ ଗତି କରିବା ନିଶ୍ଚିତ।

ଏ ମଧ୍ୟରୁ ପ୍ରଥମ ଦୁଇଟି ବିଜେପି ପାଇଁ ସବୁଠାରୁ ଅଧିକ ମହତ୍ତ୍ବ ରଖୁଛି। ଯଦି ଉତ୍ତରପ୍ରଦେଶ ବିଧାନସଭାରେ ପୂର୍ବାପେକ୍ଷା ଦଳ ଅଧିକ ଆସନ ଦଖଲ ନ କରେ, ତେବେ ରାଷ୍ଟ୍ରପତି ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗେରୁଆ ଦଳକୁ ଅନ୍ୟ ସହଯୋଗୀଙ୍କ ହାତ ଧରିବାକୁ ବାଧ୍ୟ। ଟିକିଏ ସମ୍ମାନଜନକ ଭୋଟ ପାଇ ଜିତିବାକୁ ହେଲେ, ସମଭାବାପନ୍ନ ଦଳ ସହିତ ମୋଦୀଙ୍କୁ ବୁଝାମଣା ରାଜନୀତିରେ ରହିବାକୁ ହେବ। ଏମିତିରେ ବି ଭାରତର ରାଜନୀତି ଯେଉଁ ଆଡକୁ ଯାଉଛି, ସେଥିରେ ୨୦୨୪ ନିର୍ବାଚନ ପୂର୍ବରୁ ଏହା ଜରୁରୀ ଅଟେ। ବିରୋଧୀ ଶକ୍ତିକୁ ଅଟକାଇ ରଖିବାକୁ ହେଲେ ବିଜେଡି ବ୍ୟତୀତ ଜଗନମୋହନ ରେଡ୍ଡୀଙ୍କ ଓ୍ବାଏସ୍‌ଆର୍, ଏଆଇଏଡିଏମ୍‌କେ, ତେଲେଙ୍ଗାନା ରାଷ୍ଟ୍ରସମିତିକୁ ବିଜେପି ସବୁବେଳ ପାଇଁ ପାଖରେ ରଖିବାକୁ ପଡିବ, ଆବଶ୍ୟକତା ଥାଉ କି ନଥାଉ। କାରଣ ବିଜେପି ବିରୋଧରେ ଏକ ମହାଶକ୍ତି ମୁଣ୍ଡ ଟେକିବାକୁ ଯାଉଛି। ସେଥିରେ ଆଞ୍ଚଳିକ ଦଳମାନେ ଏକ ବଡ ଭୂମିକାରେ ରହିବେ। ଏଣୁ ଏମାନଙ୍କ ଭିତରେ ଫାଟ ସୃଷ୍ଟି କରି ରଖାଗଲେ ଯାଇ ବିରୋଧୀ ଶକ୍ତି ବିଭାଜିତ ହୋଇ ରହିବେ।

ଆଞ୍ଚଳିକ ଦଳ କଥା ଉଠିବା ମାତ୍ରେ ଓଡ଼ିଶା ଉପରେ ସ୍ବାଭାବିକ ଭାବେ ନଜର ରହିବ। ଓଡ଼ିଶା କଥା କହିବାକୁ ଗଲେ, ରାଷ୍ଟ୍ରପତି ନିର୍ବାଚନ ଭୋଟ ରାଜନୀତିରେ ଲୋକସଭା, ରାଜ୍ୟସଭା ଓ ବିଧାନସଭାକୁ ମିଶାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ପାଖାପାଖି ୨.୯% ରହିଛି, ଯାହା ଏକ ବଡ ସଂଖ୍ୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର କ୍ଷମତା ରାଜନୀତିରେ ଅଛନ୍ତି। ଦେଶ ସାମ୍ନାରେ ତାଙ୍କର ଭାବମୂର୍ତ୍ତି ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉପରେ ରହିଛି। ବିଜେଡିକୁ ଦୋହଲାଇ ଦେଇ କ୍ଷମତା ଦଖଲ କରିବା ବିଜେପି ପାଇଁ ଆଦୌ ସ୍ପୃହଣୀୟ ବା ଗ୍ରହଣୀୟ ହେବନାହିଁ। ପ୍ରଥମତଃ ମୋଦୀଙ୍କ ଉପରୁ ଚାପ ଏବେ କମିବାର ନାହିଁ। ଦ୍ବିତୀୟତଃ କ୍ଷମତା ରାଜନୀତିରେ ଏଭଳି ଏକ କସରତ କରିବାକୁ ହେଲେ ଯେଉଁ ଗ୍ରହଣୀୟ ଚେହେରାଟି ଦରକାର, ତାହା ଏବେ ରାଜ୍ୟ ବିଜେପି ପାଖରେ ନାହିଁ। ଏଣୁ ବିଜେଡିକୁ କବଜା କରି ଆସନ ଦଖଲ କରିବା ମୋଦୀଙ୍କ ପାଖେ ସମ୍ଭବ ନୁହେଁ।

ଏଣୁ ବିଜେଡିକୁ ଚାପରେ ରଖିବା ଲାଗି ବିଜେପି କୌଣସି ସୁଯୋଗ ହାତଛଡା କରିବ ନାହିଁ। ଏମିତି ପରିସ୍ଥିତି ସୃଷ୍ଟି କରିବ, ଯେଉଁଥିରେ ବିଜେପି ପାଖରେ ବିଜେଡି ସବୁବେଳେ ରହିବାକୁ ବାଧ୍ୟ ହେବ। ବିଜେପିର ଆବଶ୍ୟକତା ଦୃଷ୍ଟିରୁ ବିଜେଡି ସହିତ ସଂପର୍କ ରଖୁଛି, ଏକଥା ସେମାନେ ଜଣାଇ ଦେବେ ନାହିଁ। ଏଣୁ ଏବେ ଠାରୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଚାପ କୌଶଳ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଗୃହ ନିର୍ମାଣରେ ହଜାରେ କୋଟି ଟଙ୍କାର କେଳେଙ୍କାରୀ ଅଭିଯୋଗ ଆଣିବା ପରେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦଳ ଟାର୍ଗେଟ କରିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବେ କେନ୍ଦ୍ର ନଜରରେ ରହିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ବିଜେପି ଅଭିଯୋଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଘଟଣାର ତଦନ୍ତ ନିର୍ଦେଶ ଦେବାକୁ ମନସ୍ଥିର କରିଛନ୍ତି। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି ହେବ। ଉଭୟ ଯୋଜନାର ପ୍ରଭାବ ତୃଣମୂଳସ୍ତରରେ ପଡିବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଭୋଟ ରାଜନୀତିରେ ବିଜେପି ୨୦୧୯ରେ ସହରାଞ୍ଚଳରେ ନିଜର ପତିଆରା ପ୍ରଦର୍ଶନ କରିଥିଲା। ଏବେ କିନ୍ତୁ ଗ୍ରାମାଞ୍ଚଳ ଭୋଟ ଉପରେ ନଜର। ପଶ୍ଚିମବଙ୍ଗରେ ମଧ୍ୟ ଦଳ ସମାନ କୌଶଳ ପ୍ରୟୋଗ କରିଥିଲା। ଏଣୁ ଉପରକୁ ଦିଶୁନଥିଲେ ହେଁ, ବିଜେପି ଗ୍ରାମାଞ୍ଚଳରେ ବିଜେଡି ଭୋଟ ବ୍ୟାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ଏଭଳି ସ୍ଥିତିରେ ବିଜେଡି ଯଦି ବେଳହୁଁ ସାବଧାନ ନ ହେବ, ତେବେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପାରେ। ଥରେ ଗାଁ ଗଣ୍ଡାରେ ଯଦି ବିଜେପି ପଶିଗଲା, ତେବେ ବିଜେଡିର ସଂଖ୍ୟା ଖେଳ ଉପରେ ମାଡ଼ ପଡିବ ହିଁ ପଡିବ। ଏଣୁ ରାଜ୍ୟ ସରକାରଙ୍କୁ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ସରକାରର ଭାବମୂର୍ତି ସଜାଡିବାକୁ ହେବ। ଯାହା ଗାଁ ଭୋଟରଙ୍କ ମଧ୍ୟରେ ବେଶୀ ଚର୍ଚ୍ଚା ଲାଗି ଖୋରାକ ଦେଇଥାଏ। ସେହିଭଳି ପଞ୍ଚାୟତରାଜ ବିଭାଗରେ ଅତି ଦକ୍ଷ ନେତୃତ୍ବ ନ ଦିଆଗଲେ, ବିଜେଡି ପାଇଁ ଆସନ୍ତା ଦିନ ଯେ ବିଷମ ପରିସ୍ଥିତି ସୃଷ୍ଟି କରିବ, ଏ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏହାବ୍ୟତୀତ ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଭଳି ଦୁଇଟି ବଡ଼ ବିଭାଗ, ଯାହା ଗାଁ ଭୋଟର ଏକ ବଡ ଅଂଶକୁ ପ୍ରଭାବିତ କରେ, ସେଥିରେ ତୁରନ୍ତ ପରିବର୍ତ୍ତନ କରିବା ଅପରିହାର୍ଯ୍ୟ।

ଏଠାରେ ଉଲ୍ଲେଖଥାଉକି, ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଗୋଟିଏ ବଡ କଥା ସାମ୍ନାକୁ ଆସିଲା। ତାହା ହେଲା, ସରକାର ବିରୋଧରେ ଗାଁ ଲୋକେ ଖୋଲାଖୋଲି ରାସ୍ତାରେ ଫେରାଦ ହେଲେ। ୨୦୦୦ ମସିହା ପରେ ଏହା ପ୍ରଥମ ଘଟଣା ଥିଲା, ଯେଉଁଥିରେ ଦଳୀୟ କର୍ମୀ ନୁହେଁ, ସାଧାରଣ ଲୋକ ହିଁ ସାମ୍ନାକୁ ଆସି ଫନି କେଳେଙ୍କାରୀ ଓ ଘର ଆବଣ୍ଟନ ବିଷୟରେ କହିଲେ। ଏହାକୁ ବିଜେପି ଲକ୍ଷ୍ୟ କରି ଏବେ ଗାଁ ଲୋକଙ୍କ ଅସନ୍ତୋଷକୁ ପୁଞ୍ଜି କରି ଭୋଟ ରାଜନୀତିରେ ଏହାକୁ ରୂପାନ୍ତରିତ କରିବା ଲାଗି କୌଶଳ କରୁଛି। କଂଗ୍ରେସର ଦୁର୍ବଳ ଅବସ୍ଥା ମଧ୍ୟ ବିଜେପିକୁ ଅଧିକରୁ ଅଧିକ ସୁହାଉଛି।

ସାମାନ୍ୟ ଆତ୍ମସନ୍ତୋଷ ବିଜେଡି ପାଇଁ ଅତି ମହଙ୍ଗା ହେବ।

Leave A Reply

Your email address will not be published.