ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଚାରି ନେତାଙ୍କ ହାତରେ କ୍ଷମତା, ତଥାପି ଦୋହଲୁଛି ସଂଗଠନ

0
  • ପୁରୀ ଜିଲ୍ଲାରେ ଧୀରେ ଧୀରେ ଦୁର୍ବଳ ହେଲାଣି ବିଜେଡି
  • ଚାରି ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନା ଅଧିକ ରହିଛି
  • ବିଜେଡି ମୁଖପାତ୍ର ଲେନିନ୍ ରାଜନୀତିର ମୁଖ୍ୟଧାରାକୁ ଆସିପାରନ୍ତି
  • ପୁରୀ ଲୋକସଭା ଆସନରେ ପିନାକୀ ଲଢିବେ ନା ବଦଳିବେ?
  • ରାଜ୍ୟ ଦୂରେ ଥାଉ ନିଜି ଜିଲ୍ଲାରେ ବି ପତିଆରା ନାହିଁ
  • ଦଳୀୟ ନେତାଙ୍କ ବିରୋଧରେ ଦଳ ଭିତରୁ ମାଳ ମାଳ ଶତ୍ରୁ

ଭୁବନେଶ୍ବର: ନିମାପଡା ବିଧାୟକ ସମୀର ରଂଜନ ଦାଶ ବାମଦଳରୁ ବିଜେପି ଦେଇ ବିଜେଡିରେ ଯୋଗଦେଇଥିଲେ। ଏବେ ସେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ରାତି ଅଧରେ ବିଜେପି ଛାଡି ବିଜେଡିକୁ ଆସିଥିଲେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁରସ୍କାର ଦେଇ ପ୍ରଥମ ଥରରୁ ମନ୍ତ୍ରୀ ପଦ ଧରାଇଦେଇଛନ୍ତି। ବ୍ରହ୍ମଗିରିରୁ ହାରିଯାଇଛନ୍ତି ସଂଜୟ ଦାସବର୍ମା। ଦିବଂଗତ କଂଗ୍ରେସ ବିଧାୟକ ଲୁଲୁ ମହାପାତ୍ରଙ୍କ ସ୍ତ୍ରୀ କିମ୍ବା ଝିଅ ଠାରୁ ନୁହେଁ, ଭାଇ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ। ତା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ କରିଛନ୍ତି। କେବଳ ସେତିକି ନୁହେଁ, ଦଳରେ ତାଙ୍କୁ ସାଂଗଠନିକ ସଂପାଦକ (ମୁଖ୍ୟାଳୟ) ପଦବି ବି ମିଳିଛି। ସଂଜୟ ହେଉଛନ୍ତି ରାଜ୍ୟର ଏକମାତ୍ର ଭାଗ୍ୟବାନ ନେତା ଯିଏ କି ନିର୍ବାଚନ ପରାଜୟ ପରେ ବି ତାଙ୍କର ଗୁରୁତ୍ବ କମିନି, ବରଂ ଉଭୟ ସରକାର ଏବଂ ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଇଛି। ଏତିକିରେ ସରିନି। ପୁରୀ ସାଂସଦ ପିନାକୀ ମିଶ୍ର ହେଉଛନ୍ତି ବିଜେଡି ସଂସଦୀୟ ଦଳର ନେତା।

୨୦୧୯ ନିର୍ବାଚନ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ଏତେ ଗୁରୁତ୍ବ ଦେଇଥିଲେ ହେଁ, ଜିଲ୍ଲାରେ କିନ୍ତୁ ବିଜେଡି ସଂଗଠନ ଦୋହଲୁଛି।ଏମିତି ଯେ ଯଦି ଅଧିକାଂଶ ନିର୍ବାଚନମଣ୍ଡଳୀରେ ଯଦି ପ୍ରାର୍ଥୀ ନ ବଦଳିବେ, ତେବେ ପୁରୀ ଜିଲ୍ଲା ବିଜେଡି ହାତରୁ ଖସିଯିବା ନିଶ୍ଚିତ। ବିଜେପି ବିଶେଷ ସକ୍ରିୟ ନ ଥିଲେ ବି ବିଜେଡି ନେତାଙ୍କ କାରନାମା କିନ୍ତୁ ଦଳ ବିରୋଧରେ ଭୋଟ ବ୍ୟାଙ୍କ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା ଅନ୍ତର୍ଗତ ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୪ଟି ଆସନରେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ବଦଳିବା ସମ୍ଭାବନା ଉଜ୍ଜ୍ବଳ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କଲେଣି ଯେ ବିଜେଡି ନେତାମାନେ ଏତେ ବଦନାମ ହେଲେଣି ଯେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମଧ୍ୟ ସେମାନଙ୍କୁ ବଞ୍ଚାଇବା କଷ୍ଟକର। ଏବେ ବି ସଂଖ୍ୟାଧିକ ଲୋକ ବିଜେଡି ସପକ୍ଷରେ ଅଛନ୍ତି କିନ୍ତୁ ବିଧାୟକମାନଙ୍କ ସହିତ ନାହାନ୍ତି। ପଞ୍ଚାୟତ ନିର୍ବାଚନ ହେଲେ ଏହି ଜିଲ୍ଲା ରାଜନୀତି ଖିନ୍ ଭିନ୍ ହୋଇଯିବ। ସବୁଠାରୁ ବଡ଼ କଥା ହେଲା, ଖୋଦ୍ ପିନାକୀଙ୍କ ଟିକେଟ୍ ବି ଟଳମଟଳ ଅବସ୍ଥାରେ ରହିବ। ତାଙ୍କୁ ବିଜେଡି ଆଉ ପୁରୀରୁ ନ ପଠାଇ ଭୁବନେଶ୍ବର ଅଥବା ରାଜ୍ୟସଭାରୁ ସଂସଦକୁ ପଠାଇବା ସମ୍ଭାବନା ଅଧିକ। ଗତ ନିର୍ବାଚନରେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଗତ ନିର୍ବାଚନରେ ପୁରୀ ବିଧାୟକ ମହେଶ୍ବର ମହାନ୍ତିଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଥିଲେ। ସେ ବିଜେଡି ଟିକେଟ୍ ପାଇଲେ। କିନ୍ତୁ ତାଙ୍କ ବିରୋଧରେ ଜନ ଅସନ୍ତୋଷ ଏତେ ଯେ ବିଜେଡି ଭୋଟର ବିଜେପିକୁ ଆଉଜି ଗଲେ। ପୂର୍ବତନ ବିଜେଡି ପୌରାଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀ ଚ୍ଯାଲେଞ୍ଜ ଦେବା ଭଳି ବିଜେପିକୁ ଗଲେ ଓ ଗୁରୁ ମହେଶ୍ବରଙ୍କୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଇ ଏହି ଆସନ କରାୟତ କରିନେଲେ। ନିର୍ବାଚନ ହାରିବା ପରେ ବି ମହେଶ୍ବରଙ୍କର କିଛି ପରିବର୍ତ୍ତନ ଘଟିନାହିଁ। ଲୋକଙ୍କ ମନରେ ସେ ଭଲପାଇବା ଫେରାଇ ପାରିନାହାନ୍ତି। ବରଂ ପୁରୀରେ ଅପରାଧ କମିଛି ବୋଲି ଗୋଟିଏ ବଡ଼ ବାର୍ତା ଯାଇଛି।

ଜନ ଅସନ୍ତୋଷ ତଥାପି ଉଗ୍ର ଥିବା ବେଳେ ନିକଟରେ ବିଜେଡି ତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ଘଟଣା ପୁଣି ଥରେ ପୁରୀ ରାଜନୀତିକୁ ଉଷ୍ମ କରିଦେଇଛି। ମହେଶ୍ବର ଫେରିବେ କି? ଏମିତି ଗୋଟିଏ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତାଙ୍କ ପୁଅକୁ ବିଜେଡି ସାମିଲ କରିବା ଘଟଣାକୁ ବି କେହି ହଜମ କରିପାରୁନାହାନ୍ତି। ଆଉ ଏସବୁକୁ ନେଇ ସାଧାରଣରେ ପୁଣି ଥରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲେଣି। ଏପରିକି ବିଜେଡିର ଗୋଟିଏ ବଡ ଗୋଷ୍ଠୀ ବି ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାନ୍ତି। ପାରିବାରିକ ଶାସନକୁ ପୁରୀ କେବେ ବି ପ୍ରଶୟ ଦେଇନାହିଁ। ଏଣୁ ମହେଶ୍ବରଙ୍କୁ ବିଜେଡି ଟିକେଟ୍ ଦେଲେ ବି ବିଜେଡି ନେତା ଓ କର୍ମୀ ତାଙ୍କ ସହିତ ରହିବେ ନାହିଁ। ବିଜେଡିରେ ଏଭଳି ଚର୍ଚ୍ଚା ଜମିଲାଣି। ଏହି ଅସନ୍ତୋଷର ସିଧାସଳଖ ପ୍ରଭାବ ଏବେ ଶ୍ରୀମନ୍ଦିର ବିକାଶ କାର୍ଯ୍ୟ ଉପରେ ପଡିବାକୁ ଯାଉଛି। ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଏବେ ବିଜେଡି ସଂଗଠନରେ ବେଶ ସକ୍ରିୟ ଅଛନ୍ତି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ସେ ନିକଟରେ ଅଛନ୍ତି। ହେଲେ ଦଳ ତାର ମତିଗତି ସ୍ପଷ୍ଟ କରିନଥିବାରୁ କର୍ମୀ ବି ଝୁଲିକି ଅଛନ୍ତି।

ସଂଜୟଙ୍କ ବ୍ରହ୍ମଗିରି ସ୍ଥିତି ବି ସେମିତି। ଏହି ଆସନଟି ଏବେ ତାଙ୍କ ପାଇଁ ଆଉ ନିରାପଦ ହୋଇ ରହିନାହିଁ। କାରଣ ତାଙ୍କର ଅତି ଆକ୍ରମଣାତ୍ମକ ପଦକ୍ଷେପ ବନାମ ବିଜେପି ବିଧାୟକ ଲଲାଟେନ୍ଦୁ ମହାପାତ୍ରଙ୍କ ନରମ ଆଭିମୁଖ୍ୟ ମଧ୍ୟରେ ତାଳମେଳ ରହୁନାହିଁ। ସଞ୍ଜୟ ଯଦି ବ୍ରହ୍ମଗିରିରେ ନିଜର ରଣନୀତି ପରିବର୍ତ୍ତନ ନ କରନ୍ତି, ତେବେ ଏହି ଆସନ ତାଙ୍କ ପାଇଁ ଆଉ ସହଜ ହେବ ନାହିଁ। ସତ୍ୟବାଦୀରେ ଉମା ସାମନ୍ତରାୟଙ୍କ ସ୍ଥିତି ଅପେକ୍ଷାକୃତ ଅନ୍ୟ ସମସ୍ତଙ୍କ ଠାରୁ ଭଲ ରହିଛି। ଯଦିଓ ଗୋଟିଏ ଗୋଷ୍ଠୀ ଦ୍ବାରା ସେ ପରିଚାଳିତ ହେଉଥିବା ଚର୍ଚ୍ଚା ହେଉଛି ଏବଂ ବିଜେପି ନୁହେଁ ବରଂ ଦଳ ଭିତରୁ ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରିବା ଆରମ୍ଭ କଲେଣି, ତଥାପି ରାଜନୈତିକ ପାଣିପାଗ ଏଠାରେ ବେଶ ସରଗରମ ରହିଛି। ଯଦି ବିଜେପି ପ୍ରାର୍ଥୀ ବଦଳାଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ସତ୍ୟବାଦୀ ଯାଏ ଟାଣିଆଣେ, ତେବେ ଏହି ଆସନଟି ବିଜେଡି ହାତରେ ରହିବା ମୁସ୍କିଲ୍। କିନ୍ତୁ ଏକଥା ସତ ଯେ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରେ କଠୋର ପରିସ୍ଥିତିର ସାମ୍ନା କରିବ। ପ୍ରତି ଗାଁ ଗାଁରେ କର୍ମୀଙ୍କ ମଧ୍ୟରେ ମନୋମାଳିନ୍ୟ, ଫନି ସହାୟତା ଅସନ୍ତୋଷ ଏଠାରେ ସରକାର ବିରୋଧରେ ବଡ଼ ଅସ୍ତ୍ର ହୋଇଯାଇଛି।

ନିମାପଡା ବିଧାନସଭାରେ ସମୀର ଦାଶଙ୍କ ସ୍ଥିତି ଦୋହଲୁଛି। ଏହି ନିର୍ବାଚନମଣ୍ଡଳୀରେ ଏକାଧିକ ମାମଲା ଉପରେ ଏବେ ଲୋକାୟୁକ୍ତ, ଭିଜିଲାନ୍ସ ତଦନ୍ତ କରୁଛନ୍ତି। ଏହା ହିଁ ସୂଚାଇ ଦେଉଛି ଯେ ତୃଣମୂଳସ୍ତରରେ କେଉଁଭଳି ପ୍ରତିକ୍ରିୟା ରହିଛି, ତାହା ପୁଣି ଦୁର୍ନୀତିକୁ ନେଇ। ମନ୍ତ୍ରୀ ନିଜକୁ କୁଚକ୍ରୀଙ୍କ କବଳରୁ ମୁକାଳି ପାରିନାହାନ୍ତି। ରାଜ୍ୟରେ ମନ୍ତ୍ରୀ ଭାବେ ଆଦୌ ପାରଦର୍ଶିତା ପ୍ରଦର୍ଶନ କରିପାରିନଥିବା ସମୀର ଦାଶଙ୍କ ବିରୋଧରେ ଜନମତ ଏଠାରେ ପ୍ରବଳ ହେବାରେ ଲାଗିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବିଜେଡିର ବରିଷ୍ଠ ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ଭଳି ଅତ୍ୟନ୍ତ ସ୍ବଚ୍ଛ ଚେହେରାକୁ ଦଳ ଆସନ୍ତା ଦିନରେ ନିମାପଡାରେ ପରୀକ୍ଷା ନିରୀକ୍ଷା କରିବା ସମ୍ଭାବନା ଅଧିକ ରହିଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଲେଲିନ୍ ଦଳ ପାଇଁ କାମ କରିଚାଲିଛନ୍ତି। ତାଙ୍କୁ ନବୀନ ପୁରସ୍କାର ଦେଲେ କିଛି ଭୁଲ୍ ହେବନାହିଁ।

ସେହିଭଳି ପିପିଲି ଉପନିର୍ବାଚନ ଏଯାଏ ହୋଇନଥିଲେ ହେଁ, ଏଠାରେ ଦଳକୁ ମହାରଥୀଙ୍କ ଅନୁକମ୍ପା ନୁହେଁ, ବରଂ ନବୀନଙ୍କ ଲୋକପ୍ରିୟତା ହିଁ ବଞ୍ଚାଇପାରେ। ଦିବଂଗତ ବିଧାୟକ ରୁଦ୍ର ମହାରଥୀଙ୍କ ପତିଆରା ଏଠାରେ ଆଉ ବିଶେଷ ପ୍ରଭାବ ରଖିବା ଅବସ୍ଥାରେ ନାହାନ୍ତି। ଉପନିର୍ବାଚନ କଥା ଅଲଗା, କିନ୍ତୁ ସାଧାରଣ ନିର୍ବାଚନରେ ରୁଦ୍ର ଏଠାରେ ଦବଦବା ଦେଖାଇ ବିଜେଡିକୁ ସଫଳତା ଆଡକୁ ଟାଣି ନେବା ସମ୍ଭାବନା କ୍ଷୀଣ। କାକଟପୁରରେ ବି ତୁଷାର ଦଳୀୟ ସଂଗଠନକୁ ନିଜ ଆଡକୁ ଟାଣିନେବାରେ ସଫଳ ହୋଇପାରିନାହାନ୍ତି। ଏସବୁର ସାଂଘାତିକ ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡିବ।

ଗୋଟିଏ ଧାଡିରେ କହିବାକୁ ଗଲେ, ନବୀନ ସିନା ନେତାଙ୍କୁ କ୍ଷମତାଶାଳୀ କରିଦେଲେ, ହେଲେ ଏହି ନେତାମାନଙ୍କର ରାଜ୍ୟ ରାଜନୀତିରେ ସେଭଳି ପତିଆରା ନାହିଁ, ଯେଉଁଥିରେ ଦଳକୁ ବିପଦରେ ସେମାନେ ସୁରକ୍ଷା ଦେଇପାରିବେ। ନା ପିନାକୀ ପୁରୀରେ ନିଜର ପତିଆରା ରଖିଛନ୍ତି ନା ସମୀର ରଂଜନ ଦାଶଙ୍କୁ ପୁରୀ ସହରରେ କିଏ ପଚାରେ? ଏସବୁ ଏବେ ବିଜେଡି ଶୀର୍ଷ ନେତୃତ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତା ମନ୍ତ୍ରିମଣ୍ଡଳ ଅଦଳବଦଳରେ ପୁରୀ ଜିଲ୍ଲାର ଦୁଇ ଜଣ ଯାକ ମନ୍ତ୍ରୀ ପଦ ହରାଇଲେ ଏଥିର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ରାଜନୈତିକ ରଣନୀତିକାର ମତ ରଖୁଛନ୍ତି।

Leave A Reply

Your email address will not be published.