ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ସୌମ୍ୟଙ୍କୁ କିଏ ମାରିଲା, ଏବେ କ୍ରାଇମବ୍ରାଞ୍ଚ କାଢିବ

0
  • ସରକାରଙ୍କ ମୁଣ୍ଡରେ ପାହାଡ ଭଳି ବଦନାମ ଲଦିବା ପରେ ଚେତିଲେ ବାବୁ
  • ବହୁଚର୍ଚ୍ଚିତ ଏହି ମାମଲା ଉପରୁ ପରଦା ହଟାଇ ପାରିଲାନି ପୁଲିସ, ଫେଲ୍ ମାରିଲା
  • ଶେଷରେ ପୁଲିସ ମହାନିର୍ଦେଶକ ଅଭୟ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ପ୍ରଦାନ କଲେ
  • ଜଣେ ଡିଏସପିଙ୍କ ନେତୃତ୍ବରେ ତିନିଜଣିଆ ଟିମ୍ ଏବେ ମାମଲାର ଖୋଳତାଡ କରିବେ
  • ପୂର୍ବରୁ ବି ପୁଲିସ ସହିତ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ତଦନ୍ତ ପ୍ରକ୍ରିୟାରେ ସାମିଲ ଥିଲା
  • ରାଜ୍ୟ ସରକାର ଡିଏଫଓଙ୍କୁ ବଦଳି କରି ପଦବିର ଗରିମାକୁ ସୁରକ୍ଷା ଦେଉନାହାନ୍ତି କାହିଁକି?

ଭୁବନେଶ୍ବର: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଭାର ଆଜି କ୍ରାଇମବ୍ରାଞ୍ଚ ହାତକୁ ନେଇଛି। ଗଜପତି ପୁଲିସ ଉପରେ ଶେଷରେ ପୁଲିସ ମହାନିର୍ଦେଶକ ଅଭୟ ଆସ୍ଥା ହରାଇ ଏହି ମାମଲା ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ମାସାଧିକ ଧରି ଗଜପତି ପୁଲିସ ଏହି ମାମଲାର ତଦନ୍ତ କରୁଥିଲେ ହେଁ କୌଣସି ନିର୍ଯାସ ବାହାର କରିପାରିନଥିଲା। ସେପଟେ ପରିବାର ଲୋକ ପୁଲିସର ଭୂମିକା ନେଇ ସନ୍ଦେହ ବ୍ୟକ୍ତ କରିଥିଲେ।

ଏମିତିରେ ବି ପୂର୍ବରୁସୌମ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ସାମିଲ ହୋଇଥିଲା। ଗଜପତି ପୁଲିସ ସେବେ କହିଥିଲା ଯେ ସେମାନଙ୍କୁ ସହଯୋଗ ପାଇଁ ଏହି ଟିମ୍ କାମ କରିବ। ଆରଏନଏରେ ସେବେ କୁହାଯାଇଥିଲା, ଦୁଇଟି ସମାନ୍ତରାଳ ସଂସ୍ଥା ଗୋଟିଏ ମାମଲାର ତଦନ୍ତ କିଭଳି କରିବେ? ଏଭଳି ଘଟଣା ପୂର୍ବରୁ ଘଟିଛି କି?ଏମିତି କରି ପୁଲିସ ମହାନିର୍ଦେଶକ ତାଙ୍କ ପୁଲିସ ଏଭଳି ମାମଲା ପରିଚାଳନା ପାଇଁ ଦକ୍ଷ ନୁହେଁ, ଏମିତି ଗୋଟିଏ ସଙ୍କେତ ଦେଉନାହାନ୍ତି କି?

ହେଲେ ପୁଲିସ ମୁଖ୍ୟାଳୟ କିମ୍ବା ସରକାର ହେଜିନଥିଲେ। ଯାବତୀୟ ବଦନାମ ମୁଣ୍ଡାଇବା ପରେ ଶେଷରେ ଯାହା ଆରମ୍ଭରେ କରିବାର ଥିଲା, ତାହା ଶେଷରେ କରାଯାଇଛି। ଏବେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଅର୍ଥାତ୍ ମାମଲାର ପୁଣି ଥରେ ମୂଳରୁ ତଦନ୍ତ ହେବ। ପୁଲିସ ତଦନ୍ତ ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ହସ୍ତାନ୍ତର କରିବା ପରେ ଯଦି ଏହା କ୍ରାଇମବ୍ରାଞ୍ଚ ମନକୁ ନ ଛୁଇଁବ, ତେବେ ସେ ସାନି ପ୍ରକ୍ରିୟା ଆରମ୍ଭ କରିପାରେ।

ବରିଷ୍ଠ ପୁଲିସ ଅଧିକାରୀମାନଙ୍କର କହିବା କଥା ,ଏଭଳି ସମ୍ବେଦନଶୀଳ ମାମଲାରେ ପୁଲିସର ପାରଦର୍ଶିତା ଅପେକ୍ଷା କ୍ରାଇମବ୍ରାଞ୍ଚର ଦକ୍ଷତା ବେଶ୍ ଅଧିକ। କ୍ରାଇମବ୍ରାଞ୍ଚର ବିଶ୍ବସନୀୟତା ମଧ୍ୟ ରହିଛି। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର କ୍ରାଇମ୍ ବ୍ରାଞ୍ଚ କମ୍ ବିବାଦୀୟ ବରଂ ବେଶୀ ସଫ​ଳ ହୋଇଛି। ଆରମ୍ଭରୁ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲେ, ମାମଲାର ଫଳାଫଳ କଣ ହୋଇଥାନ୍ତା, ତାହା ଅଲଗା କଥା କିନ୍ତୁ ପୁଲିସ ବିତର୍କ ବଳୟକୁ ଆସିନଥାନ୍ତା। କିମ୍ବା ପୁଲିସ ବିଭାଗ ଏହି ବିଫଳତା ମୁଣ୍ଡାଇନଥାନ୍ତା। ଏବେ କିନ୍ତୁ ସରକାର ବଦନାମ ହେଲେ, ପୁଲିସ ବିଫଳତା ମୁଣ୍ଡାଇଲା ଓ ଅନେକ ପ୍ରମାଣ ନଷ୍ଟ ହୋଇସାରିଥିବ, ଯାହା କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ ବି କରିପାରେ।

ଏହି ଘଟଣାରେ ମାସାଧିକ ଧରି ଗଜପତି ଜିଲ୍ଲା ପୁଲିସ ତନାଘନା ଚଳାଇଥିଲା। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜେରା କରାଯାଇସାରିଛି। ଏବେ କ୍ରାଇମବ୍ରାଞ୍ଚ ପୁଣି ଥରେ ଏମାନଙ୍କୁ ପଚରାଉଚରା କରିପାରେ।

ଏ କ୍ଷେତ୍ରରେ ଯେଉଁ ଗୋଟିଏ ବିଲକ୍ଷଣ ଦେଖାଯାଉଛି, ସରକାର ସେଠାରୁ ଡିଏଫଓଙ୍କୁ ବଦଳି କରିଦେବାରେ ଅସୁବିଧା କଣ। ଏତେ ବିବାଦୀୟ ହେବା ପରେ ସଂପୃକ୍ତ ଅଧିକାରୀ ନା ସୁସ୍ଥ ମସ୍ତିଷ୍କରେ ଥିବେ ନା ତାଙ୍କ ପ୍ରତି ସ୍ଥାନୀୟ ଅଞ୍ଚଳରେ ସମ୍ମାନ ପୂର୍ବଭଳି ଅକ୍ଷତ ରହିଥିବ। ଜିଲ୍ଲାପାଳ, ଏସପିଙ୍କ ପରେ ଡିଏଫଓ ହେଉଛନ୍ତି ଜିଲ୍ଲାର ତୃତୀୟ ବରିଷ୍ଠ ଅଧିକାରୀ। ଜିଲ୍ଲାରେ କାର୍ଯ୍ୟରତ ବନବିଭାଗର ଏହି ସର୍ବୋଚ୍ଚ ପଦବିର ଗରିମା ପ୍ରଭାବିତ ହେଲେ, ସରକାରଙ୍କ ଉପରେ ଏହାର ଊଣା ଅଧିକେ ପ୍ରଭାବ ପଡିବ।

ଏଠାରେ ଉଲ୍ଲେଖଥାଉକି, ପୁଲିସ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲେ ହେଁ, କେଉଁ କାରଣ ପାଇଁ ସେ ଏଭଳି ଗୋଟିଏ କଠୋର ପଦକ୍ଷେପ ନେଲେ, ତାହା ଉପରୁ ରହସ୍ୟ ଉଠାଇପାରିନାହିଁ। ତାଙ୍କ ଅଜାଣତରେ କେହି ମୃତ୍ୟୁ ମୁଖକୁ ଠେଲି ଦେଲା ବା ଅନ୍ୟ କୌଣସି କାରଣ ବଶତଃ ସେ ମୃତ୍ୟୁକୁ ସାମ୍ନା କଲେ ସେ ସଂପର୍କରେ ପୁଲିସ ଠୋସ୍ ପ୍ରମାଣ ହାତେଇ ପାରିଲା ନାହିଁ। ସୌମ୍ୟଙ୍କ ପରିବାର ପୂର୍ବରୁ ପୁଲିସ ମହାନିର୍ଦେଶକଙ୍କୁ ଭେଟି ତଦନ୍ତ ପ୍ରକ୍ରିୟା ନେଇ ଆପତ୍ତି ଉଠାଇଥିଲେ। ହେଲେ ସମୁଦାୟ ମାମଲାଟି ଏବେ ସନ୍ଦେହରେ ରହିଛି, ଯାହା ଉପରୁ କ୍ରାଇମବ୍ରାଞ୍ଚର ଜଣେ ଡିଏସପିଙ୍କ ନେତୃତ୍ବରେ ଗୋଟିଏ ତିନିଜଣିଆ ଟିମ୍ ପରଦା ଉଠାଇବାର ଦାୟିତ୍ବ ନେଇଛନ୍ତି।

Leave A Reply

Your email address will not be published.