ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଅକଳରେ ପଡ଼ିଯାଇଛନ୍ତି ବିଧାୟକ ଓ ପରାଜିତ ପ୍ରାର୍ଥୀ

0
  • ରାଜନୀତି କୋର୍ଟକୁ ପୌର ନିର୍ବାଚନ ବଲ୍ ଫିଙ୍ଗିଦେଲେ ସରକାର
  • ସବୁଠି ଚାଲିଛି କଳ୍ପନାଜଳ୍ପନା, ବିଧାୟକ ଓ ବିଧାୟକ ପ୍ରାର୍ଥୀ ଅଡୁଆରେ
  • ବହୁ ଯୁବ ନେତା ପୌରାଧ୍ୟକ୍ଷ ଓ ମେୟର ପଦବି ଲାଗି ଆଶାୟୀ ଅଛନ୍ତି
  • ବିଧାନସଭା ନିର୍ବାଚନ ଭଳି ଏଥର ସରଗରମ ହେବ ପୌର ନିର୍ବାଚନ
  • ପରସ୍ପରକୁ ମାତ୍ ଦେବାକୁ ରାଜନୀତିରେ ଗୋଛିକଟା ରାଜନୀତି ଆରମ୍ଭ
  • ଅନେକ ନେତାଙ୍କୁ ଥଇଥାନ କରିବା ଲାଗି ଶାସକ ଦଳରେ ଚାଲିଛି ମନ୍ତ୍ରଣା

ଭୁବନେଶ୍ବର: ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ। ରାଜ୍ୟ ସରକାର ଏଭଳି ସୂଚନା ଦେବା ପରେ ପୂରା ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଲାଗି ରାଜନୀତି ସରଗରମ ହେବାରେ ଲାଗିଥିଲା। ସବୁ ରାଜନୈତିକ ଦଳ ପୂରା ଦମରେ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ବିଧାୟକ, ପରାଜିତ ବିଧାୟକ ପ୍ରାର୍ଥୀମାନେ ସେମାନଙ୍କର ନିଜ ନିଜର ଗଡରେ ପତିଆରା ଜାହିର କରିବା ଲାଗି ଘନ ଘନ ବୈଠକ ଚଳାଇଛନ୍ତି।

ଠିକ୍ ଏମିତି ସମୟରେ ରାଜ୍ୟ ସରକାର ରାଜନୈତିକ କୋର୍ଟକୁ ଆଉ ଏକ ବଲ୍ ଫିଙ୍ଗିଦେବା ପରେ ଏବେ ପୂରା ଓଡ଼ିଶାରେ ରାଜନୈତିକ କମ୍ପନ ସୃଷ୍ଟି କଲାଣି। ବିଶେଷକରି ସହରାଞ୍ଚଳ ନେତାମାନଙ୍କୁ ଏହି ପ୍ରସଙ୍ଗ ଏବେଠାରୁ ନିର୍ବାଚନ ମନସ୍କ କରିସାରିଲେଣି। ତାହା ହେଲା, ଏଥର ପୌର ଅଧ୍ୟକ୍ଷ ଓ ମେୟର ପଦବି ଲାଗି ପ୍ରତ୍ୟକ୍ଷ ଭୋଟ ଗ୍ରହଣ କରାଯିବ। ଅର୍ଥାତ୍ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବିରେ କିଏ ବସିବେ, ସେ ନେଇ ପରୋକ୍ଷ ନୁହେଁ ବରଂ ଭୋଟ ଦେଇ ନେତା ବାଛିବେ ଲୋକେ।

୨୦୧୮ ମସିହାରେ ବିଧାନସଭାରେ ଗୃହୀତ ହୋଇଥିବା ଏ ସଂକ୍ରାନ୍ତ ବିଲ୍ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ଓ ନଗର ଉନ୍ନୟନ ବିଭାଗ ସାଧାରଣ ଲୋକଙ୍କ ମତାମତ ଲୋଡିଛି। ୩୦ ଦିନ ଏଥିଲାଗି କଣ୍ଟ ରହିଛି। ମାତ୍ର କେବେ ନିର୍ବାଚନ ହେବ, ତାହା କହିବା ମୁସ୍କିଲ୍। ଏହା ସତ୍ତ୍ବେ କିଏ କେଉଁଠି ପ୍ରାର୍ଥୀ ହେବେ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ମାଳ ମାଳ ନେତାଙ୍କ ନାମ ଉପରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ବିଶେଷକରି ବିଧାୟକ ଓ ବିଧାୟକ ଆଶାୟୀ ପ୍ରାର୍ଥୀ ଅକଳରେ ପଡିଯାଇଛନ୍ତି।

ଏହି ପ୍ରସଙ୍ଗଟି ବେଶୀ ଚର୍ଚ୍ଚାକୁ ଆସିବାର କାରଣ ହେଉଛି, ବିଧାନସଭା ଆସନ ଉପରେ ନଜର ରଖିଥିବା ଅନେକ ନେତା ଏବେ ପୌରାଞ୍ଚଳ ମୁଖିଆ ହେବା ଲାଗି ଜୋରଦାର କସରତ ଆରମ୍ଭ କଲେଣି। ସେହିଭଳି ମହାନଗର ମେୟର ପଦବି ଲାଗି ଅତି ଟାଣୁଆ ନେତା ବି ଚାହୁଁଛନ୍ତି। ପୂର୍ବରୁ ଏହି ଆସନ ପାଇଁ ନେତାଙ୍କର ଯେ ଆଗ୍ରହ ନ ଥିଲା, ତାହା ନୁହେଁ। ଏବେ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ସରକାର ଘୋଷଣା କରିବା ପରେ ପଦବିର ମର୍ଯ୍ୟାଦା ବଢିଯାଇଛି ଓ ବିଧାୟକ ଆଶାୟୀମାନେ ମଧ୍ୟ ଏହି ଆସନ ଜରିଆରେ ବିଧାନସଭାରେ ପହଞ୍ଚିବା ଲାଗି ଆଶା ବାନ୍ଧିଛନ୍ତି।

ଅନ୍ୟପକ୍ଷରେ ବିଧାୟକ ଓ ବିଧାନସଭାରେ ପରାଜିତ ପ୍ରାର୍ଥୀଙ୍କ ହୃତକମ୍ପନ ହେଲାଣି। କାଳେ କିଏ ଟାଣୁଆ ବା ପ୍ରଭାବୀ ନେତା ପଶିଆସିଲେ, ସେମାନଙ୍କ ଆସନ ପ୍ରତି ବିପଦ ସୃଷ୍ଟି ହେବ, ସେଥିପାଇଁ ଏବେଠାରୁ ରାତିଅଧିଆ ଗୁପ୍ତ ମନ୍ତ୍ରଣା ଆରମ୍ଭ ହୋଇଯାଇଛି। ସବୁଠାରୁ କୌତୂହଳ କଥା ହେଲା, ଏହି ପ୍ରକ୍ରିୟାରେ କିଛି ପୌର ଆଶାୟୀ ନେତା ବଦନାମ ହେବାର ଭୟ ସୃଷ୍ଟି ହେଲାଣି। ନିଜର ସହଯୋଗୀମାନେ ଅଟକାଇବା ଲାଗି ଏଭଳି କୌଶଳ ପାଇଁ ପାଗ ଭିଡୁଛନ୍ତି। ଏ ନେଇ ରାଜଧାନୀରେ ଘନ ଘନ ମନ୍ତ୍ରଣା ଚାଲିଥିବା ସୂଚନା ମିଳିଲାଣି।

କେନ୍ଦ୍ରାପଡା, ଓ ପୁରୀ ପୌରାଧ୍ୟକ୍ଷ, ଭୁବନେଶ୍ବର ଏବଂ କଟକ ମେୟର ଆସନ କଥାକୁ ଯଦି ଉଦାହରଣ ଭାବେ ନିଆଯିବ, ତେବେ ଦେଖିବାକୁ ମିଳୁଛି ଯେ ଏସବୁ ପଦବି ଉପରେ ପାଖାପାଖି ୧୦ରୁ ୧୨ ନେତା ଆଖି ରଖିଛନ୍ତି। ଏମାନଙ୍କ ନାମକୁ ନେଇ ଏବେଠାରୁ ଜିଲ୍ଲା ରାଜନୀତି ସରଗରମ। ଜଣେ ଯୁବ ନେତା କହିଛନ୍ତି, ପରିସ୍ଥିତି ଏମିତି ହେବାକୁ ଯାଉଛି ଯେ ପୌର ଅଧ୍ୟକ୍ଷ ଆସନ ପାଇଁ ଖର୍ଚ୍ଚ ବହୁଗୁଣିତ ହୋଇଯିବ। ବିଧାନସଭା ଭଳି ଏଠାରେ ମଧ୍ୟ ପାଖାପାଖି ୨କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ। ମେୟର ନିର୍ବାଚନ ପାଇଁ ଖର୍ଚ୍ଚ ୩ କୋଟି ଡେଇଁଯିବା ବିଚିତ୍ର ନୁହେଁ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ରାଜ୍ୟ ସରକାର ଏହି ପଦବିକୁ ଗୋଟିଭଳି ବ୍ୟବହାର କରିବେ। ପୂର୍ବରୁ ଯେଉଁମାନଙ୍କୁ ନଜରରେ ରଖି ବିଧାନ ପରିଷଦ ଗଠନ ଲାଗି ଚାହୁଁଥିଲେ, ଏବେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଦେଖିବାକୁ ମିଳିବ। ଭୁବନେଶ୍ବର, କଟକ ଆଦିରେ ବରିଷ୍ଠ ନେତା ଥଇଥାନ ହେବା ନିଶ୍ଚିତ। ଏମିତି ହେଲେ, ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ଆଶାୟୀ ନେତା, ଅନ୍ୟ ଦଳରୁ ଆମଦାନୀ ନେତାଙ୍କୁ ସରକାର ନିଗମ ମୁଆଁ ଧରାଇବାରେ ସକ୍ଷମ ହେବେ, ଯାହା ବିଜେପି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଯିବ। ଅତି ସରଳ ଭାଷାରେ କହିଲେ, ପଞ୍ଚାୟତ ଓ ପୌର ନିର୍ବାଚନ ଏବେ ରାଜ୍ୟ ରାଜନୀତିର ସମୀକରଣ ପରିବର୍ତ୍ତନ କରିବ। ଅନେକ ଯୁବ ନେତା ସାମ୍ନାକୁ ଆସୁଥିବା କାରଣରୁ ବରିଷ୍ଠଙ୍କ ପାଇଁ ଭୟ ବଢ଼ିବା ସ୍ବାଭାବିକ ପ୍ରକ୍ରିୟା।

Leave A Reply

Your email address will not be published.