ପ୍ରମୁଖ ଖବର

ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍‌
ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌
ପୁରୀରେ ମୁକୁଳା ଡ୍ରେନ୍‌ରେ ଖସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି
ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ, ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି
ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର :ଯୋଗାଣ ମନ୍ତ୍ରୀ

ନ ବଦଳିଲେ, ଆଗକୁ ଅପରାଜିତାଙ୍କୁ ବିପଦ!

0

ଭୁବନେଶ୍ବର: ଉଭୟ ଅଣଓଡ଼ିଆ। ଗୋଟିଏ ବର୍ଷରେ ଦୁଇଜଣ ଯାକ ଆଇଏଏସ୍ ପାଇଥିଲେ। ଉଭୟ ଓଡ଼ିଶାକୁ ନିଜ କର୍ମଭୂମି ବାଛିଥିଲେ। ଉଭୟ ଅଧାରୁ ଚାକିରି ଛାଡିଲେ। ସଂଯୋଗବଶତଃ ଉଭୟ ଗୋଟିଏ ଦଳରେ ଯୋଗଦେଲେ ଏବଂ ଜଣେ ନିର୍ବାଚିତ ହେଲେ ଲୋକସଭାକୁ ଆଉ ଜଣେ ଏବେ ରାଜ୍ୟସଭାରେ।

ଆପଣମାନେ ବୁଝିପାରୁଥିବେ, ଆମେ କାହା କଥା କହିବାକୁ ଚାହୁଁଛୁ। ହଁ, ଆଜ୍ଞା ଏବେ ଓଡ଼ିଶା ରାଜନୀତିର ଦୁଇ ଚର୍ଚ୍ଚିତ ଚେହେରା ଅପରାଜିତା ଷଡଙ୍ଗୀ ଏବଂ ଅଶ୍ବିନୀ ବୈଷ୍ଣବଙ୍କ କଥା ହିଁ ଆମେ କହୁଛୁ। ଅପରାଜିତାଙ୍କ କ୍ଷେତ୍ରରେ ଦୁଇଟି କଥା ଅଧିକ। ପ୍ରଥମତଃ ସେ ଓଡ଼ିଶାର ବୋହୂ, ଦ୍ବିତୀୟତଃ, ଅଶ୍ବିନୀଙ୍କ ତୁଳନାରେ ସେ ପ୍ରଶାସନରେ ଟିକିଏ ଅଧିକ ବର୍ଷ କାର୍ଯ୍ୟ କରିଛନ୍ତି। ଅଶ୍ବିନୀଙ୍କ ବିଶେଷତ୍ବ ହେଉଛି, ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିକଟତମ ଭାବେ ଜଣାଶୁଣା ଥିଲେ, ଆଉ ଏବେ ସମସ୍ତେ ତାଙ୍କୁ ମୋଦୀ ମ୍ୟାନ୍ ବା ମୋଦୀଙ୍କ ଲୋକ ବୋଲି କହୁଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଚାରି ଦିନିଆ ଓଡ଼ିଶା ଗସ୍ତ ଶେଷ ପରେ ଏବେ ପ୍ରଶାସକରୁ ରାଜନେତା ପାଲଟିଥିବା ଏହି ଦୁଇ ବିଜେପି ନେତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜମିଛି। ଉଭୟଙ୍କ କାର୍ଯ୍ୟଶୈଳୀକୁ ବିଜେପି ନେତାମାନେ ତୁଳନା କରୁଛନ୍ତି। ଭୁବନେଶ୍ବର (ଅପରାଜିତା) ଓ କଟକ (ଅଶ୍ବିନୀ)ର ଲୋକସଭା ନିର୍ବାଚନମଣ୍ଡଳୀର ବାସିନ୍ଦା ବି।

ଏହି ପ୍ରସଙ୍ଗଟି ଅଧିକ ଜୋର ଧରିବାର କାରଣ ହେଉଛି, ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ତାଙ୍କର କାର୍ଯ୍ୟଶୈଳୀକୁ ବଦଳାଇଦେଇଛନ୍ତି। ଏକଥା ଆମେ କହୁନାହୁଁ। ଗତ ଦୁଇ ତିନି ଦିନ ଭିତରେ ସେ ଯେତେ ସମୀକ୍ଷା ବୈଠକ ନେଲେ, ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କଲେ, ସେମାନଙ୍କ ମଧ୍ୟରୁ ଅନେକ ଧର୍ମେନ୍ଦ୍ରଙ୍କ ନିକଟରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରୁଥିବା କହୁଛନ୍ତି। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଅଫିସର ଏବଂ ଧର୍ମେନ୍ଦ୍ରଙ୍କ ଭିତରେ ଯେଉଁ ଅହି-ନକୁଳ ସଂପର୍କ ଥିଲା, ତାହା ଏବେ ବଦଳିଯାଇଛି। ଅଫିସର ଧର୍ମେନ୍ଦ୍ରଙ୍କୁ ନେଇ ଏବେ ଗଦ୍‌ ଗଦ୍।

ରାଜନୀତି ରଣନୀତିକାରମାନେ ସମୁଦାୟ ଘଟଣାକୁ ନିରେଖି ଦେଖିବା ପରେ ମତ ରଖିଲେଣି ଯେ ଉଭୟ କେନ୍ଦ୍ରମନ୍ତ୍ରୀ ଯେଉଁ ଧାରାରେ ଯାଉଛନ୍ତି, ତାହା ଅଧିକ ପରିପୁଷ୍ଟ ହେବ, ଯେବେ ଅପରାଜିତା ତାଙ୍କ କାର୍ଯ୍ୟଶୈଳୀକୁ ବଦଳାଇବେ। ଅର୍ଥାତ୍ ନିଜେ ବା ନିଜ ସଂଗଠନ ନୁହେଁ, ଦଳକୁ ନେଇ ଆଗକୁ ବଢିବେ। ନିଜର ସ୍ବତନ୍ତ୍ର କାର୍ଯ୍ୟାଳୟ ନ କରି ରାଜ୍ୟ କାର୍ଯ୍ୟାଳୟରେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ନିଜକୁ କୌଣସି ଗୋଷ୍ଠୀ ଭିତରେ ନ ରଖି ସବୁ ବିଜେପି କର୍ମୀ ଓ ନେତାଙ୍କ କାନ୍ଧରେ ହାତ ପକାଇ ଆଗକୁ ଚାଲିବେ। ଯଦି ଏ କ୍ଷେତ୍ରରେ ଅପରାଜିତା ବିଫଳ ହୁଅନ୍ତି, ତେବେ ନୂଆ ସମୀକରଣରେ ସେ ପଛରେ ପଡିଯିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ଉଲ୍ଲେଖଥାଉକି, ପଶ୍ଚିମବଙ୍ଗ ନିର୍ବାଚନ ବିଜେପିକୁ ସବୁଠାରୁ ବଡ ଶିକ୍ଷା ଦେଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସମୁଦାୟ ରଣକୌଶଳକୁ ଟିକିନିଖି ତର୍ଜମା କରି ଅନେକାଂଶରେ ପରିବର୍ତ୍ତନ କରିଛନ୍ତି। ଯେଉଁ ବଡ଼ ସୂତ୍ର ଧରି ବିଜେପି ଆଗକୁ ବଢିବାକୁ ଚେଷ୍ଟା କରୁଛି, ତାହା ହେଲା, ଆଚରଣ ଏବଂ ଉଚ୍ଚାରଣଗତ ସଂଶୋଧନ। ଉଭୟ ମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ଓ କାର୍ଯ୍ୟଶୈଳୀକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶା ବିଜେପିର ସବୁଠାରୁ ବଡ଼ ସମସ୍ୟା ହେଲା, କାହା ସହିତ କାହାର ଭାବ ଦୋସ୍ତି ସେତେଟା ନିବିଡ ନୁହେଁ। କିଛି ନେତା ଦୂରରେ ରହି ନିରୀକ୍ଷଣ କରୁଛନ୍ତି, କିଛି ସକ୍ରିୟ ଅଛନ୍ତି, ଆଉ କିଛି ଗୋଷ୍ଠୀବାଦ ଭିତରେ ଆଉଟୁପାଉଟୁ ହେଉଛନ୍ତି।

ନୂଆଦିଲ୍ଲୀ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେପିର ଶୀର୍ଷ ନେତୃତ୍ବଙ୍କ ଠାରୁ ଗୋଟିଏ ସ୍ପଷ୍ଟ ସଙ୍କେତ ଆସିଛି। ତାହା ହେଲା, ସମସ୍ତେ ଏକାଠି କାମ କରିବେ, ଗୋଟିଏ ମନରେ। ଅନ୍ୟଥା ପଦପଦବି, କ୍ଷମତା ବଳୟ ଭିତରେ ଏହି ବର୍ଗର ନେତାମାନଙ୍କର ସ୍ଥାନ ଆପାତତଃ ଆଉ ରହିବ ନାହିଁ। ସଂପ୍ରତି କେନ୍ଦ୍ରମନ୍ତ୍ରୀମାନେ ଏହାକୁ କାର୍ଯ୍ୟରେ କରି ଦେଖାଇଲେ। ଅଶ୍ବିନୀ ୪ଶହ କିଲୋମିଟର ବୁଲି ଗୋଟିଏ ବାର୍ତ୍ତା ଦେଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟତମ ହୋଇ ମଧ୍ୟ ନିଜକୁ ସେ କ୍ଷମତା ବଳୟରେ ବାହାରେ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିମାନୀ ବିଜୟ ମହାପାତ୍ରଙ୍କ ଘରକୁ ଯାଇ ମାନଭଂଜନ କରିବାକୁ ଉଦ୍ୟମ କରିବା ଘଟଣା ଆଉ ଏକ ଉଦାହରଣ ଭାବେ ନିଆଯାଇପାରେ। ଏଭଳିସ୍ଥଳେ ଦଳର ଅନ୍ୟତମ ତୁଙ୍ଗ ନେତା ଅପରାଜିତାଙ୍କ ଉପରେ ଚାପ ରହିବା ସ୍ବାଭାବିକ।

ଯଦିଓ ଅପରାଜିତା ସାଧାରଣରେ ବେଶ ଗ୍ରହଣୀୟ, ତଥାପି ଦଳର ଶୀର୍ଷ ନେତୃତ୍ବକୁ କିନ୍ତୁ ପୂରା ପ୍ରଭାବିତ କରିପାରିନାହାନ୍ତି। କାରଣ ତାଙ୍କର ସକ୍ରିୟତା ଗୋଟିଏ ଗୋଷ୍ଠୀ ଭିତରେ ହିଁ ଆବଦ୍ଧ ବା ସୀମିତ। ଏଣୁ ସେ ଯେତିକି ଫାଇଦା ପାଇବା କଥା ତାହା ପରିଲକ୍ଷିତ ହେଉନାହିଁ। ଯେଉଁମାନେ ଅପରାଜିତାଙ୍କ ଭିନ୍ନ ରାଜନୈତିକ ଗୋଟିଚାଳନାକୁ ଆଇଏଏସ୍ ପ୍ରଭାବ ବୋଲି କହି ହାଲୁକା ଭାବେ ନେଉଥିଲେ, ସେମାନେ ଅଶ୍ବିନୀଙ୍କୁ ଦେଖିବା ପରେ ଏବେ ମତ ରଖିଲେଣି ଯେ ଅପରାଜିତାଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ ଢେର୍ ଭଲ। ଆଜି ଦିନରେ ଦଳର କର୍ମୀ, ନେତାଙ୍କ ମହଲରୁ ଆସୁଥିବା ଏଭଳି ଦୁଇ ଚାରିଟି ସ୍ବର, ତୁରନ୍ତ ଅପରାଜିତାଙ୍କ ବିରୋଧରେ ଗୋଟିଏ ଦ୍ରୁମରେ ପରିବର୍ତ୍ତନ ଲାଗି ବେଶୀ ସମୟ ଲାଗିବ ନାହିଁ।

ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରୁ ଅପରାଜିତା ପ୍ରତିନିଧିତ୍ବ କରୁଛନ୍ତି। ମିଳୁଥିବା ସୂଚନା ଅନୁସାରେ, ବିଜେପି ଅଶ୍ବିନୀଙ୍କୁ କଟକରୁ ପ୍ରାର୍ଥୀ କରିବା ଲାଗି ଆଖି ରଖିଛି। ଯେହେତୁ କଟକରେ ସେ ଜିଲ୍ଲାପାଳ ଥିଲେ, ଏଣୁ ଏଭଳି ଏକ ଚର୍ଚ୍ଚାକୁ ହାଲକା ଭାବେ ନେଇ ହେଉ ନାହିଁ। ଏପରିସ୍ଥଳେ ଅଶ୍ବିନୀ-ଅପରାଜିତାଙ୍କ ମଧ୍ୟରେ ଯଦି ଆଚରଣ ଓ ଉଚ୍ଚାରଣଗତ ବିଭେଦତା ଦେଖାଯିବ, ତେବେ ଏହି ପ୍ରଭାବଶାଳୀ ଖୋର୍ଧା ସାଂସଦଙ୍କୁ ମୂଲ୍ୟ ଦେବାକୁ ପଡିପାରେ।

Leave A Reply

Your email address will not be published.