ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ପୁଣି କେନ୍ଦ୍ରକୁ ବାଣ ମାରିଲା ବିଜେଡି, ଏଥର ଜାତି କାର୍ଡ

0
  • ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ୱାନ
  • ଜାତିଭିତ୍ତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଇବା ଦାବି ଜୋରଦାର
  • ନବୀନଙ୍କୁ ଅନୁସରଣ କରୁଛନ୍ତି ବିଭିନ୍ନ ରାଜ୍ୟର ନେତା ଓ ରାଜନୈତିକ ଦଳ
  • ଓଡିଶାରେ ଏହି ଲଢେଇରେ ସାମିଲ ପାଇଁ ବିଜେପି ନେତାଙ୍କୁ ଆହ୍ୱାନ
  • ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ବିଜେଡିର ଘୋଷଣା

ଭୁବନେଶ୍ୱର: ଜାତିଭିତ୍ତିକ ଗଣନା ସଂକ୍ରାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ରୋକଠୋକ୍ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସତ୍ତ୍ବେ ମଧ୍ୟ ବିଜେଡି ଏହି ପ୍ରସଙ୍ଗ ହାତଛଡା କରିନାହିଁ ବରଂ ବିଜେଡି ଦାବି ଅଧିକ ଜୋରଦାର କରିଛି। ଆଜି ବିଜୁ ଜନତା ଦଳ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି। ବିଜେଡି କହିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ବଦ୍ଧ ପରିକର । ହେଲେ ସଂଘୀୟ ଢାଞ୍ଚା ଓ ଆଇନଗତ କଟକଣା ଏଥିରେ ବାଧା ହୋଇଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ ସାହୁ। ସେପଟେ କଂଗ୍ରେସ ବି ଏହି ପ୍ରସଙ୍ଗରେ ମୁହଁ ଖୋଲିଛି। ବିଜେପି କହିଛି, ଜାତି କାର୍ଡ ଖେଳୁଛି ବିଜେଡି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି, ପଛୁଆବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ । ଏଥିପାଇଁ କେନ୍ଦ୍ର ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଜାତିଭିତିକ ଜନଗଣନା ଦାବି ଉଠାଇଥିଲେ । ଏହାଦ୍ୱାରା କେବଳ ରାଜ୍ୟ ନୁହେଁ, ସାରା ଦେଶର ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ମିଳିପାରିବ.

କେନ୍ଦ୍ର ମନା କରିବା ପରେ ରାଜ୍ୟ ସରକାର ୨୦୨୦ ମସିହା ଜାନୁଆରୀ ୧୧ ତାରିଖରେ କ୍ୟାବିନେଟ ବୈଠକ ଡକାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜାତି ଭିତ୍ତିକ ଜନଗଣନା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହାର କିଛି ଦିନ ପରେ ରାଜ୍ୟ ସରକାର ୨୦୨୦ ମସିହା ଫେବୃଆରି ୧୨ ତାରିଖରେ ଓବିସି କମିସନ ଗଠନ କରିଥିଲେ ।
ଏହାର ୫ ଦିନ ପରେ ଫେବୃଆରି ୧୭ ତାରିଖରେ କ୍ୟାବିନେଟ୍ ବୈଠକରେ ପଛୁଆବର୍ଗ କମିସନ (ସଂଶୋଧନ) ବିଧେୟକ ଗୃହିତ କରାଯାଇଥିଲା । ସେହିଦିନ ହିଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭାରେ ନିଜେ ପ୍ରସ୍ତାବ ଆଗତ କରିଥିଲେ । ଇତି ମଧ୍ୟରେ କମିଶନ କାର୍ଯ୍ୟକ୍ଷମ ହୋଇସାରିଛି । ଓଡିଶାରେ ଅନ୍ୟ ପଛୁଆ ବର୍ଗ (ଓବିସି) ସାମାଜିକ ଆର୍ଥିକ ପଛୁଆବର୍ଗ (ଏସ୍‍ଇବିସି) ସଂଖ୍ୟା ରାଜ୍ୟରେ ମୋଟ ଜନସଂଖ୍ୟା ଅଧାରୁ ଅଧିକ । ସେମାନଙ୍କ ସଂଖ୍ୟାର ଅଧା ସଂରକ୍ଷଣ ବି ସେମାନଙ୍କୁ ଦିଆଯାଇପାରି ନାହିଁ । ଏହାର କାରଣ ହେଉଛି- ସଂରକ୍ଷଣ ନେଇ ନ୍ୟାୟାଳୟ ଦ୍ୱାରା ରଖାଯାଇଥିବା ୫୦% ସୀମା । ଓଡିଶାକୁ ଅନ୍ୟ କୌଣସି ରାଜ୍ୟ ସହିତ ତୁଳନା କରାଯାଇପାରିବ ନାହିଁ । ତେଣୁ ଭାରତବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ପଛୁଆବର୍ଗ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ସେତେବେଳେ ସାଧିତ ହୋଇପାରିବ ଯେତେବେଳେ ୫୦% ଆଇନଗତ ସଂରକ୍ଷଣ କଟକଣା ଉଠିଯିବ। ତେଣୁ ଜାତିଭିତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଯିବା ସମୟର ଏକ ଆହ୍ୱାନ ହୋଇଛି।

ବିଜେ଼ଡି କହିଛି, ନିକଟରେ ଏହି ଦାବି ନେଇ ବିଜେଡି ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହାଙ୍କୁ ଭେଟିସାରିଛନ୍ତି । ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନବୀନ ପଟ୍ଟନାୟକ ଏହି ଦାବି ଉଠାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ଏହି ଦାବିକୁ ଭାରତବର୍ଷର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ବି ସମର୍ଥନ ଜଣାଇ ଆସୁଛନ୍ତି।

ଇତିମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରି ଜାତିଭିତିକ ଜନଗଣନା ଏବଂ ୫୦% ସଂରକ୍ଷଣ କଟକଣା ଉଠାଇବା ସପକ୍ଷରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ମତ ପ୍ରକାଶ କଲେଣି । ଏମାନଙ୍କ ମଧ୍ୟରେ ଜେଡି(ୟୁ)ର ନୀତିଶ କୁମାରଙ୍କ ନେତୃତ୍ୱରେ ଅପ୍‌ନା ଦଳର ଅନୁପ୍ରିୟା ପଟେଲ, ହାମ୍‌ର ଜୀତନରାମ ମାଝି, ଭିଆଇପି ଦଳର ମୁକେଶ ଶୈନୀ, ନିଷାଦ ପାଟିର ସଞ୍ଜୟ ନିଷାଦ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଓମ୍ ପ୍ରକାଶ ରାଜଭର, ଆରପିଆଇ(ଏ)ର ରାମଦାସ ଅଠାୱାଲେ, ଏଲ୍‍ଜେପିର ପଶୁପତି ପାରସ ଆଦି ରହିଛନ୍ତି।

କେବଳ ସେତିକି ନୁହେଁ, ବିହାରର ବିଭିନ୍ନ ରାଜନୈତିକ ଦଳର ୧୦ ଜଣିଆ ପ୍ରତିନିଧି ଦଳ ନିତିଶ କୁମାରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖି ସାରିଛନ୍ତି । ଏହି ପ୍ରତିନିଧି ଦଳରେ ବିହାର ବିଜେପି ନେତା ମଧ୍ୟ ସାମିଲ ଅଛନ୍ତି । ଜନଗଣନା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ବ୍ୟାପାର ଏବଂ ୫୦% ସରଂକ୍ଷଣ ସୀମା କଟକଣା ଉଠାଇବା ମଧ୍ୟ କେନ୍ଦ୍ରୀୟ କ୍ଷମତା ପରିସର ଭୁକ୍ତ।

ପଛୁଆବର୍ଗର ସାମାଜିକ, ଆର୍ଥିକ ବିକାଶ ଓ ସେମାନଙ୍କୁ ଦୀର୍ଘମିଆଦୀ ସୁବିଧା ଦେବା ପାଇଁ ରାଜ୍ୟ ସରକାର ତତ୍ପର । ଓଡିଶାକୁ ଦେଖି ଅନ୍ୟ ରାଜ୍ୟମାନେ ଏହି ଦାବି ଉଠାଇ ସାରିଛନ୍ତି । ହେଲେ ଓଡିଶା ବିଜେପି ନେତୃତ୍ୱ ଓ ଜନପ୍ରତିନିଧିମାନେ ଭୟଙ୍କର ନୀରବତା ଅବଲମ୍ବନ କରୁଛନ୍ତି । ଏହି ନିରବତା ସେମାନଙ୍କୁ ଓବିସି/ଏସ୍‍ଇବିସି ବର୍ଗ ବିରୋଧି ବୋଲି ଦର୍ଶାଉଛି । ଆହ୍ୱାନ ରଖୁଛୁ ଓଡିଶା ରାଜ୍ୟର ବିଜେପି ନେତାମାନେ ଏହି ଦାବି ଉଠାନ୍ତୁ । ଏହି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି ବିଜେଡି ଆଜି ଘୋଷଣା କରିଛି।

ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଜାତି ଭିତ୍ତିକ ଗଣନା ପାଇଁ କଂଗ୍ରେସ ଆଗରୁ ଦାବି କରିଆସୁଛି ଓ ଏବେ ମଧ୍ୟ କରୁଛି। ଓଡିଶାରେ ଯଦି ଜାତିପ୍ରଥା ର ତେବେ ଦେଢ଼ ପ୍ରତିଶତ ଲୋକ ୨୧ ବର୍ଷ ଧରି ଓଡିଶାକୁ ଶାସନ କରୁନଥାନ୍ତେ ଓ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇନଥାନ୍ତେ। ଜାତି ଭିତ୍ତିକ ଜନଗଣନା ହେଲେ ଜଣାପଡ଼ିବ କେଉଁ ଜାତିର କେତେ ଲୋକ ଅଛନ୍ତି। କେବଳ ଓବିସି ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ରାଜ୍ୟ ସରକାର ଏଭଳି ଦାବି କରୁଛନ୍ତି। ଯଦି ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଭଳି ନବୀନ ଆମକୁ ଡାକନ୍ତି ତାହେଲେ ଆମେ ଯିବୁ। ରାଜ୍ୟରେ ଓବିସି ସବୁବେଳେ ଅବହେଳିତ ଓ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳୁନାହିଁ ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

ଅନ୍ୟପଟରେ ବିଜେପି ଏ ନେଇ ତୁରନ୍ତ ଜବାବ ରଖିଛି। ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ସରକାର ବିଲ୍ ପାରିତ କରିବା ପରେ ରାଜ୍ୟ ସରକାରଙ୍କ ଏଭଳି ଯୁକ୍ତି ଅବାନ୍ତର ମନେହେଉଛି। ଏବେ ରାଜ୍ୟ ସରକାର ନିଜ ଅନୁସାରେ ଜନଗଣନା କରିପାରିବେ। ହେଲେ ଏବେ ଯାହା ଜଣାପଡୁଛି, ବିଜେଡି ଜାତିକୁ ନେଇ ରାଜନୀତି କରିବାକୁ ଚାହୁଁଛି, ଯାହାର ପରିଣାମ ସେମାନଙ୍କ ପାଇଁ ଭୟଙ୍କର ହେବ। ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟରେ ଜାତି ଜାତି ଭିତରେ ଯେଭଳି ପ୍ରତିଦ୍ବନ୍ଦ୍ବିତା ଚାଲିଛି, ବିଜେଡି ସେହି ମାନସିକତା ରଖି ଆଗକୁ ବଢୁଛି। କେନ୍ଦ୍ର ଯେତିକି ଅର୍ଥ ଦେଉଛି,ତାର ବାଟମାରଣା କରୁଥିବା ସରକାର ଏବେ ଜାତିକୁ ନେଇ ରାଜନୈତିକ କାର୍ଡ ଖେଳିବା ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.