ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

୨୧୩ ବ୍ଲକରେ ଚାଷକୁ ବିପଦ, ସରକାରୀ ତନାଘନା

0
  • ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ଦୈନିକ ପରିସ୍ଥିତି ଉପରେ ନଜର ରଖିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ
  • ୭ ଦିନ ମଧ୍ୟରେ ସବୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ କୁହାଗଲା
  • ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଗୁରୁତ୍ବ ଦେବାକୁ କହିଲେ ନବୀନ
  • ଛୋଟ ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ଜୀବିକା ସୃଷ୍ଟି ପାଇଁ କହିଲେ
  • ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ
  • ସେପ୍ଟେମ୍ବରରେ ସ୍ବାଭାବିକ ବୃଷ୍ଟିପାତର ସମ୍ଭାବନା ରହିଛି କହିଲା ଆଇଏମଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକ୍‌ରେ ବର୍ଷାର ଅଭାବ ଦେଖାଦେଇଛି, ଯାହାକି କୃଷି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲ ଗୁଡିକରେ ଜଳପ୍ରବାହ ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀ ମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ବିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍‌ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀ ମାନଙ୍କୁ ଡିଜେଲ ପମ୍ଫସେଟ୍‌ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଚାଷୀ ମାନଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସମସ୍ତ ଉଠାଜଳସେଚନ ପଏଣ୍ଟ ଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ କୁହାଯାଇଛି। ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦିଆଯାଇଛି। ତଳିଆ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ଓ ଭୂତଳ ଜଳ ରିଚାର୍ଜ ପାଇଁ ପଦକ୍ଷେପ ନେବାକୁ ଜଳସଂପଦ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ଜନସାଧାରଣ ଓ ପ୍ରାଣୀସଂପଦ ମାନଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍‌ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍‌ ରହିଛି । ଧାନ ଫସଲ ପାଇଁ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅଣଧାନ ଫସଲ ପାଇଁ କୌଣସି ସମସ୍ୟା ସୃଷ୍ଡି ହୋଇନାହିଁ । ମନରେଗାରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳସଂପଦ ବିଭାଗ ନିଜସ୍ବ ବିକଳ୍ପ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।

କଳାହଣ୍ଡି, ସୁନ୍ଦରଗଡ, ଅନୁଗୁଳ ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାର ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ରାଜ୍ୟରେ ବୃଷ୍ଟିପାତ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ସେପ୍ଟେମ୍ବର ମାସରେ ସ୍ବଭାବିକ ବୃଷ୍ଟିପାତ ହୋଇ ୨୨୬.୬ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି ।

କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କୁ ଯେପରି ରାଜ୍ୟ ମଧ୍ୟରେ କାମ ଯୋଗାଇ ଦିଆଯାଇପାରିବ, ସେ ସଂପର୍କରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଉନ୍ନୟନ କମିସନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.