ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ
୦-୧୮ ବର୍ଷରେ ୭୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ
ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟ ୪୫୫୪ ରହିଛି
ରାଜ୍ୟର ବିଭିନ୍ନ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ଛୁଇଁଲା ୮୩୧୨
ମୋଟ ଉପରେ ୬୪,୭୦୯ ନମୁନା ପରୀକ୍ଷଣ ହୋଇଥିଲା, ଟିପିଆର୍, ୦.୬୫%
ରାଜ୍ୟରେ ସମୁଦାୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ହଜାର ୮୩୬
ଖୋର୍ଦ୍ଧାରେ ୨୧୧ କୋଭିଡ୍ ପଜିଟିଭ୍ ଚିହ୍ନଟ ଓ କଟକ ୪୦

କିଶୋରୀ କିମ୍ବା ମହିଳାଙ୍କୁ ହେଳା କରୁଛନ୍ତି କି?

0

ଭୁବନେଶ୍ବର: ପୁରୁଷ ଭଳି ନାରୀର ମଧ୍ୟ ସନ୍ତାନ ଜନ୍ମକୁ ନିୟନ୍ତ୍ରଣ କରିବାର ମୌଳିକ ଅଧିକାର ରହିଛି। ସନ୍ତାନ ଜନ୍ମ ତଥା ପରିବାର ନିୟନ୍ତ୍ରଣର ଉଚ୍ଚତମ ପର୍ଯ୍ୟାୟରେ ପହଞ୍ଚିବାକୁ ହେଲେ ହେଲେ ନାରୀର ଏ ବିଷୟରେ ସଂପୂର୍ଣ୍ଣ ଜ୍ଞାନ ରହିବା ଜରୁରୀ। ସେ କେତେ ବ୍ୟବଧାନରେ ଓ କେତେବେଳେ ସନ୍ତାନ ଜନ୍ମକରିବ, ସେ କଥାର ସିଦ୍ଧାନ୍ତ ମଧ୍ୟ ନାରୀଟିଏ ହିଁ କରିବା ଉଚିତ୍।

ସାରା ବିଶ୍ୱର ଜନସଂଖ୍ୟାର ଏକ ପଞ୍ଚମାଂଶ ହେଉଛନ୍ତି କିଶୋରୀ। ଭାରତରେ ୧୦ରୁ ୧୯ ବର୍ଷ ମଧ୍ୟରେ ପ୍ରାୟ ୧୯୦ ନିୟୁତ କିଶୋରୀ ବାସ କରନ୍ତି। ତନ୍ମଧ୍ୟରୁ ୨୦ବର୍ଷ ତଳକୁ ପ୍ରାୟ ଶତକଡ଼ା ୨୦ରୁ ୬୦ ଭାଗ ଗର୍ଭଧାରଣ ଓ ପ୍ରସବ ଅବାଞ୍ଝିତ ହୋଇଥାଏ । ଭାରତରେ ପ୍ରତିବର୍ଷ ୩୦ଲକ୍ଷ କିଶୋରୀ କନ୍ୟା ବିବାହ କରିଥାନ୍ତି ଏବଂ ତନ୍ମଧ୍ୟରୁ ଶତକଡ଼ା ୪୩ଭାଗ ମୃତ୍ୟୁ ଗର୍ଭଜନିତ ଓ ପ୍ରସବ ଜନିତ କାରଣରୁ ହୋଇଥାଏ।

ଅଳ୍ପ ବୟସରେ ମାତୃତ୍ୱର ସାମାଜିକ ଫଳାଫଳ :-
ଭାରତର ଚିରାଚରିତ ଦୃଶ୍ୟପଟରେ ଝିଅମାନଙ୍କର ଶୈଶବରୁ ଯୌବନର ପରିବର୍ତ୍ତନ ଖୁବ୍ ଶୀଘ୍ର ହୋଇଥାଏ । ଶତକଡ଼ା ୩୦ଭାଗ କିଶୋରୀ କନ୍ୟା ବିଦ୍ଯାଳୟ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି। ଆମଦେଶର ସାମାଜିକ ସ୍ତରରେ ଲିଙ୍ଗଭେଦର ପ୍ରାଧାନ୍ୟ ଯୋଗୁଁ କିଶୋରୀ କନ୍ୟାର ଖାଦ୍ୟ, ପୋଷାକ, ସ୍ୱାସ୍ଥ୍ୟର ଯତ୍ନ ତଥା ବର୍ଦ୍ଧନଶୀଳତାରେ ଅନେକ ଅସୁବିଧା ଦେଖାଦେଇଥାଏ। ପ୍ରଥମ ଋତୁସ୍ରାବର ବୟସ ୧୬ ବର୍ଷରୁ ୧୦-୧୨ ବର୍ଷକୁ କମିଯିବା ତଥା କିଶୋର ଓ କିଶୋରୀ ମାନଙ୍କର ଅବାଧ ମିଳାମିଶା ତଥା ଘରେ ଓ ସ୍କୁଲରେ ଯୌନ ଶିକ୍ଷାର ଅଭାବ ଯୋଗୁଁ ଅଳ୍ପବୟସର ଝିଅଟି ଉପରେ ମାତୃତ୍ୱର ବୋଝ ଲଦି ଦିଆଯାଏ। ଏଥିରେ ଅଧିକାଂଶ କିଶୋରୀ କନ୍ୟା ମାନଙ୍କର ଗର୍ଭପାତ, ଅବୋଧ ଗର୍ଭଧାରଣ ଯୋଗୁଁ ବଳପୂର୍ବକ ବା’ ଅନିଚ୍ଛାକୃତ ବିବାହ, ଅବାଞ୍ଚିତ ମାତୃତ୍ୱ, ଏବଂ ତଦ୍‌ଜନିତ ମାନସିକ ଦୁଃଶ୍ଚିନ୍ତା ବେଶୀ ଦେଖାଯାଏ। ଏହି ମାନସିକ ଅସନ୍ତୁଳନତା ଯୋଗୁଁ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପାଖରେ ପରାମର୍ଶ କରିବାକୁ ଡ଼େରି କରିଦିଏ ଏବଂ ଗର୍ଭନଷ୍ଟ ପାଇଁ ମଧ୍ୟ ବିଳମ୍ବ କରିଦିଏ ।

ଗର୍ଭନଷ୍ଟ :-
କିଶୋରୀ କନ୍ୟାମାନଙ୍କର ଅବୈଧ ଗର୍ଭଧାରଣ ହେଲେ, ସେମାନେ ଏମ୍.ଟି.ପି. ସେଣ୍ଟରକୁ ନଯାଇ ଗାଁ ଗହଳିରେ ଅଣତାଲିମ୍ ପ୍ରାପ୍ତ କ୍ୱାକ୍ ଠାରୁ ତୁଟୁକା ତୁଟୁକି ଚେରମୂଳି ଔଷଧ ଖାଇ ବିଷାକ୍ତ ଗର୍ଭପାତ ବା’ ସେପ୍ଟିକ୍ ଆବୋର୍ସନର ଶିକାର ହୁଅନ୍ତି। ତା’ ମଧ୍ୟରୁ ଅନେକେ ମୃତ୍ୟୁମୁଖରେ ପଡ଼ିଥାନ୍ତି ତ’ ଆଉ କେତେକ ଆଜୀବନ ନିଜର ଜରାୟୁ ହରାଇଥାନ୍ତି। କେତେଜଣଙ୍କର ମଧ୍ୟ ବନ୍ଧ୍ୟାଦୋଷ, ବାରମ୍ବାର ଗର୍ଭପାତ ଓ ଅପରିଣତ ପ୍ରସବ ହୋଇଥାଏ।

ପ୍ରସବ ସମସ୍ୟା :-
ଏହି ସମୟରେ ଝିଅଟିର ନିଜ ଶରୀରର ବର୍ଦ୍ଧନ ପାଇଁ ସୁଷମ ଖାଦ୍ୟ ଦରକାର ହେଉଥିବାବେଳେ ଶିଶୁଟିପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦରକାର ହୋଇଥାଏ । ତେଣୁ ଝିଅଟି ରକ୍ତହୀନତା ରୋଗ ଭୋଗିଥାଏ । ଏହାଛଡ଼ା ପ୍ରସବପୂର୍ବରୁ ରକ୍ତସ୍ରାବ, ଗର୍ଭାବସ୍ଥାରେ ଉଚ୍ଚରକ୍ତ ଚାପ ଓ ବାତ, ସଙ୍କୁଚିତ ବସ୍ତି ହାଡ଼ ପାଇଁ କଷ୍ଟସାଧ୍ୟ ପ୍ରସବ ଆଦି ହୋଇଥାଏ ଏବଂ ସିଜରିଆନ୍ ଅସ୍ତ୍ରୋପଚାର ହୋଇଥାଏ । ସେମାନଙ୍କର ଅପରିଣତ ଓ ଅଳ୍ପ ଓଜନର ଶିଶୁ ହୋଇଥାଏ । ତେଣୁ ଶିଶୁ ମୃତ୍ୟୁହାର ଅନେକାଂଶରେ ବଢ଼ିଯାଏ।

ଅଳ୍ପବୟସରେ ଗର୍ଭଧାରଣର ମାନସିକ ସମସ୍ୟା :-
ବିବାହିତା କିଶୋରୀ କନ୍ୟାଟିଏ ଗର୍ଭାବସ୍ଥା ଓ ପ୍ରସବକୁ ଆନନ୍ଦର ସହ ଗ୍ରହଣ କଲାବେଳେ ଅବିବାହିତା ଝିଅଟିଏ ପାଇଁ ଏହା ମାନସିକ ଦୁଃଶ୍ଚିନ୍ତାର ବୋଝ ହୋଇଯାଏ। ସେ ଭାବପ୍ରବଣତାର ବିଭିନ୍ନ ପର୍ଯ୍ୟାୟ ଯଥା ଆନନ୍ଦ, କ୍ରୋଧ, ମାନସିକ ଅବସାଦ, ଓ ଅପରାଧ ବୋଧ ଦେଇ ଗତିକରିଥାଏ।

ଅଳ୍ପବୟସରେ ଗର୍ଭଧାରଣର ନିରାକରଣ :-
ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ତଥା ସମାଜର ସବୁସ୍ତରରେ ସଚେତନତା ରହିବା ଉଚିତ । ସେଥିପାଇଁ ପରିବାର ନିୟନ୍ତ୍ରଣ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅବାଞ୍ଛିତ ଗର୍ଭଧାରଣ ବିଷୟରେ ସମସ୍ତଙ୍କର କିଛି ନା’ କିଛି ଜ୍ଞାନରହିବା ଜରୁରୀ । ବିକାଶୋନ୍ନୁଖୀ ଦେଶମାନଙ୍କରେ ବିଶେଷକରି ଗାଁଗହଳିରେ ଝିଅମାନଙ୍କୁ ଖୁବ୍ ଶୀଘ୍ର ବିବାହ କରିଦିଆଯାଏ ଏବଂ ସେଥିରେ କନ୍ୟା ପିତା କନ୍ୟାଦାୟରୁ ମୁକ୍ତ ହୋଇଯାନ୍ତି। ତେଣୁ ନିୟମ ଅନୁଯାୟୀ ଅଠର ବର୍ଷ ତଳକୁ ଝିଅକୁ ବିବାହଦେବା ଅନୁଚିତଷ

ଗର୍ଭାବସ୍ଥାରେ ସତର୍କତା :-
ପ୍ରସୂତି ପରିଚର୍ଯ୍ୟାଗାରରେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା, ରକ୍ତଚାପ ଆଦି ପରୀକ୍ଷା କରାଇନେବା ଉଚିତ୍ । ଏହାଛଡ଼ା ସୁଷମଖାଦ୍ୟ ଓ ଆଇରନ୍, କ୍ୟାଲସିୟମ୍ ଖାଇବାପାଇଁ ପରାମର୍ଶ ଦେବା ଉଚିତ୍।

ପ୍ରସବ ସମୟରେ ଏବଂ ତତ୍ପରବର୍ତ୍ତୀ ସମୟରେ ସତର୍କତା :-
ଅଳ୍ପବୟସର ଗର୍ଭବତୀ ନାରୀମାନଙ୍କର ପ୍ରସବ ସମୟରେ ଅନେକ ଜଟିଳତା ଦେଖାଦିଏ। ତେଣୁ ସେମାନେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ମାନେ ଚିକିତ୍ସାଳୟରେ ସେମାନଙ୍କ ପ୍ରସବ କରାଇବା ଉଚିତ, ପ୍ରସବ ପରେ ପରେ ବେଶୀ ରକ୍ତକ୍ଷରଣ ଭୟଥାଏ । ତେଣୁ ସେସବୁ କୁ ଏଡ଼ାଇବା ପାଇଁ ଉପଯୁକ୍ତ ପଦକ୍ଷେପ ମାନ ନେବା ଉଚିତ୍ । ଏହାଛଡ଼ା ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ମା’ଟିକୁ ଉପଯୁକ୍ତ ଉପଦେଶ ଦେବା ଜରୁରୀ। ପ୍ରସବପରେ ପୁଣିଥରେ ଗର୍ଭଧାରଣ ନକରିବା ପାଇଁ ଝିଅଟିକୁ ପରିବାର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରବର୍ତ୍ତାଇବା ଉଚିତ।

ଅଳ୍ପବୟସର ମା’ମାନଙ୍କର ଆର୍ଥିକ ଓ ସାମାଜିକ ନିରାପତ୍ତା ନଥିବାରୁ ଏବଂ ଶିଶୁର ଲାଳନପାଳନ ବିଷୟରେ ସେମାନେ ଅଜ୍ଞଥିବାରୁ, ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ସେମାନେ ନେଇପାରନ୍ତି ନାହିଁ । ତେଣୁ ଶିଶୁମାନେ ଶାରୀରିକ ଓ ମାନସିକ ସ୍ତରରେ ଅବହେଳିତ ହୁଅନ୍ତି । ବେଳେବେଳେ ଅଳ୍ପବୟସରେ ଗର୍ଭଧାରଣର ଦୁଃଖ, ଅପମାନ, ସାମାଜିକ ନିନ୍ଦା ଓ କଲଙ୍କ ତଥା ଆର୍ଥିକ ସଂକଟ ଏବଂ ଏକ ସଂପୂର୍ଣ୍ଣ ନୂତନ ଭୂମିକା ତାଙ୍କପାଇଁ ବିବାହ ବିଚ୍ଛେଦ ତଥା ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥାଏ । ତେଣୁ କିଶୋରୀ କନ୍ୟାମାନଙ୍କର ପ୍ରଜନନକ୍ଷମ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପିତା, ମାତା, ପରିବାର ବର୍ଗ, ଆତ୍ମୀୟସ୍ୱଜନ ତଥା ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞମାନେ ଏକ ସ୍ୱରରେ ସେମାନଙ୍କୁ ସୁରକ୍ଷାର ବଳୟ ଭିତରେ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ୍ ।

  • ଡ଼ଃ ସରୋଜିନୀ ଷଡ଼ଙ୍ଗୀ, ଲିଙ୍କ୍‌ରୋଡ୍, କଟକ-୧୨, ମୋ-୯୪୩୭୦୫୫୦୦୭

Leave A Reply

Your email address will not be published.