ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଦକ୍ଷିଣ ଭାରତରେ ସଫଳ, ଓଡ଼ିଶାରେ କିନ୍ତୁ ବିଫଳ

0

ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଭିନେତା ରାଜନେତା ପାଇଁ ମନ ବଳାଇଛନ୍ତି

ହାତଗଣତି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ଫେଲ୍

ସରକାରରେ ଥିବାରୁ ବିଜେଡି ଅଳ୍ପ କେତେଜଣଙ୍କୁ ଥଇଥାନ କରିପାରିଛି

ନିର୍ବାଚନରେ ଫେଲ୍ ମାରିବା ପରେ ବିଜେପି ମଞ୍ଚରେ ଆଉ ଦିଶୁନାହାନ୍ତି

ପ୍ରଶାନ୍ତ, ସିଦ୍ଧାନ୍ତ କାହାର ଆଉ ଦବଦବା ନାହିଁ; ଅନୁଭବ ଏବେ ଏକଘରିକିଆ

ଭୁବନେଶ୍ବର: ୨୦୧୯ ନିର୍ବାଚନ ଆଗରୁ ଯେବେ ରାଜନେତାମାନେ ଦଳ ଡିଆଁରେ ମାତିଥିଲେ, ସେବେ ଆଉ ଗୋଟିଏ ଦୃଶ୍ୟପଟ୍ଟ ଓଡ଼ିଶା ରାଜନୀତିର ଚର୍ଚ୍ଚାରେ ଥିଲା। ତାହା ହେଲା ଜଣେ ପରେ ଜଣେ ଚଳଚ୍ଚିତ୍ର ତାରକା, ସଙ୍ଗୀତଜ୍ଞ ଯୋଗଦେଇଥିଲେ ରାଜନୀତିରେ। କିଏ ବିଜେଡିରେ ଯୋଗଦେଇଥିଲା ତ ଆଉ କିଏ ବିଜେପିରେ। କିଛି ଅଭିନେତା ବିଭିନ୍ନ ରାଜନୈତିକ ଦଳ ପାଇଁ ପ୍ରଚାର କଲେ।

ସାଧାରଣ ନିର୍ବାଚନର ଅଢେଇ ବର୍ଷର ପରର ଚିତ୍ର ଆଜି କହୁଛି ଯେ ଫିଲ୍ମ ତାରକାଙ୍କୁ ଓଡ଼ିଶା ରାଜନୀତି ସମ୍ଭବତଃ ସୁହାଉନାହିଁ। ଅତୀତରେ ରାଜନୀତିରେ ଯୋଗଦେଇଥିବା ନେତାମାନଙ୍କ ମଧ୍ୟରୁ ହାତଗଣତି ଦୁଇ ଚାରିଜଣ ସଫଳ ହେଇଛନ୍ତି ସିନା ,ଅନ୍ୟମାନଙ୍କୁ ଅଭିନେତାରୁ ରାଜନେତା ମାନ୍ୟତା ମିଳିଲା ନାହିଁ। ଏବେ ଆଉ ମଞ୍ଚ ଉପରେ ଫିଲ୍ମ ତାରକାଙ୍କୁ ଦେଖିବାକୁ ମିଳୁନାହିଁ। ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କୁ ପୂର୍ବଭଳି ଗୁରୁତ୍ବପୂର୍ଣ୍ଣ ପଦ ପଦବି ବା କ୍ଷମତା ଧରାଇବାକୁ ଆଗ୍ରହ ଦେଖାଇନାହାନ୍ତି। ସେହିଭଳି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ନିର୍ବାଚନମଣ୍ଡଳୀ ରାଜନୀତି ଭିତରେ ବି ନିଜର ପତିଆରା ସାବ୍ୟସ୍ତ କରିପାରିନାହାନ୍ତି।

ରାଜନୈତିକ ତଥ୍ୟାଭିଜ୍ଞ ମହଲର ମତ ହେଉଛି, ଓଡ଼ିଶାରେ ଦକ୍ଷିଣ ଭାରତ ଭଳି ଚଳଚ୍ଚିତ୍ର ତାରକାଙ୍କର ଲୋକପ୍ରିୟତା ନାହିଁ କିମ୍ବା ଆଜି ଯାଏ ପୂରା ଓଡ଼ିଶା ଫିଲ୍ମ ମନସ୍କ ହୋଇପାରିନାହିଁ। ଯେବେ ବର୍ଷକ ମଧ୍ୟରେ ଦୁଇ ଚାରିଟି ଫିଲ୍ମ ରିଲିଜ୍ ହେବ, ଦଶ ପଚାଶଟି ଭଲ ଫିଲ୍ମ ହଲ୍‌ରେ ସେସବୁ ଚାଲିବ; ସେଠି ଅଭିନେତାଙ୍କର କି ଗୁରୁତ୍ବ ରହିବ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପୂର୍ବରୁ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତ ସହିତ ଯୋଡି ହୋଇଥିବା ଅନେକ ନେତା ରାଜନୀତିରେ ସାମିଲ ହୋଇ ବିଫଳ ହୋଇଥିଲେ। ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କୁ ପୂରା ଓଡ଼ିଶା ସମ୍ମାନ ଦେଉଥିଲେ ହେଁ ରାଜନୀତି କ୍ଷେତ୍ରରେ କିନ୍ତୁ ଭୋଟର ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଯେବେ ମେଣ୍ଟ ସରକାର ରାଜ୍ୟରେ ଶାସନ କଲା, ସେବେ ବିଜେପି ଟିକେଟରେ ବେଗୁନିଆ ଆସନରୁ ଜିତିଥିଲେ ପ୍ରଶାନ୍ତ ନନ୍ଦ। ପରବର୍ତ୍ତୀ ସମୟରେ ସେ ଏନସିପିରୁ ବି ଥରୁଟିଏ ବିଧାୟକ ହୋଇଥିଲେ ଓ ବିଜେଡି ତାଙ୍କୁ ଏବେ ରାଜ୍ୟସଭା ଆସନରେ ଥଇଥାନ କରିଛି। ହେଲେ ଓଡ଼ିଶା ରାଜନୀତିରେ ତାଙ୍କର ପତିଆରା ଆଦୌ ନାହିଁ କହିଲେ ଚଳେ।

ସେହିଭଳି ଓଡ଼ିଶାର ଆଗଧାଡିର ଅନ୍ୟତମ ନେତା ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଆସନରୁ ଦୁଇ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡି ତାଙ୍କୁ ଗତଥର ଟିକେଟ୍ ଦେଲା ନାହିଁ ଓ ସେ ଦଳୀୟ ରାଜନୀତିରୁ ବି ଯଥେଷ୍ଟ ଦୂରକୁ ଚାଲିଯାଇଛନ୍ତି। ସମୟ କ୍ରମେ ବିଜେଡି ସିଦ୍ଧାନ୍ତଙ୍କ ସ୍ଥାନରେ ଓଲିଉଡର ଚର୍ଚ୍ଚିତ ହିରୋ ଅନୁଭବ ମହାନ୍ତିଙ୍କୁ ରାଜ୍ୟସଭା ବାଟ ଦେଇ ରାଜନୀତିକୁ ଆଣିବା ସହିତ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରାପଡା ଆସନରୁ ପ୍ରାର୍ଥୀ କରି ଜିତାଇଲା। ହେଲେ ପତ୍ନୀ ତଥା ଆଗଧାଡିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହିତ ପାରିବାରିକ ବିବାଦ ପରେ ଏବେ ଅନୁଭବଙ୍କ ରାଜନୀତି କ୍ୟାରିଅର ପୂରା ଫିକା ପଡିଯାଇଛି। ବିଜେଡି ତାଙ୍କୁ ଦଳୀୟ ସଭା ମଞ୍ଚରୁ ଦୂରେଇ ସାରିଲାଣି।

ଦୀର୍ଘ କୋଡିଏ ବର୍ଷ ଧରି ବିଜେଡି ସଂଗଠନ ସହିତ ଯୋଡିହେବା ପରେ ଅନ୍ୟତମ ଚଳଚ୍ଚିତ୍ର ଅଭିନେତା ମୁନା ଖାଁଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଛି। ଏହା ପଛରେ ତାଙ୍କର ଲୋକପ୍ରିୟତା ନାହିଁ, ବରଂ ସଂଖ୍ୟାଲଘୁ କାର୍ଡ ଖେଳିବା ଅପରିହାର୍ଯ୍ୟ ହୋଇଥିବା କାରଣରୁ ମୁନା ସୁଯୋଗ ପାଇଲେ। ଫିଲ୍ମ ଜଗତରେ ଥାଇ ବି ଦଶନ୍ଧି ଧରି ବିଜେଡିର ପ୍ରତ୍ୟକ୍ଷ ସଂଗଠନ ଓ ବଲାଙ୍ଗୀର ରାଜନୀତିରେ ବେଶ ସକ୍ରିୟ ଥିବା ଶ୍ରୀମୟୀ ମିଶ୍ରଙ୍କୁ ନବୀନ ଏଯାଏ ନିର୍ବାଚନ ରାଜନୀତିକୁ ଆଣିନାହାନ୍ତି। ପୂର୍ବରୁ ସେ ମିସନ ଶକ୍ତି ଦାୟିତ୍ବରେ ଥିଲେ, ଏବେ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଅଛନ୍ତି। ବିଜେଡି ଏଯାଏ ସ୍ଥିର କରିପାରୁନି ଯେ ଶ୍ରୀମୟୀଙ୍କୁ ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରୋକିବା ଲାଗି ରାଜଧାନୀରେ ବ୍ୟବହାର କରିବ କିମ୍ବା ବଲାଙ୍ଗୀର ରାଜନୀତିରେ ଥଇଥାନ କରିବ।

ଅନ୍ୟତମ ଚଳଚ୍ଚିତ୍ର ତାରକା ଅରିନ୍ଦମ ବିଜେଡି ସହିତ ନିଜକୁ ଯୋଡିଥିଲେ ହେଁ ଏଯାଏ ଦଳ ତାଙ୍କୁ କ୍ଷମତା ରାଜନୀତିକୁ ଆଣିନି। କଟକ ସଂଗଠନରେ ତାଙ୍କୁ ଦେଖିବାକୁ ମିଳିଲାଣି। ନବୀନ ଏଯାଏ ସବୁଜ ସଙ୍କେତ ଦେଇନାହାନ୍ତି। ସେହିଭଳି ଅଭିନେତା କୁନା ତ୍ରିପାଠୀଙ୍କୁ ବିଜେଡି ଚଳଚ୍ଚିତ୍ର ନିଗମ ଦେଇ ଥଇଥାନ କରିଛି ଓ ନିକଟରେ ସିରିୟଲ୍ ଅଭିନେତ୍ରୀ ଏଲିନାଙ୍କୁ ଦଳ ସଂଗଠନରେ ଅଟକାଇଛି। ପମୁ ପମ୍ ପମ୍ ନିର୍ବାଚନରେ ବିଫଳ ହେବା ପରେ ରାଜନୀତିକୁ ବାଏ ବାଏ କରିଦେଇଛନ୍ତି। ମୋଟାମୋଟି କହିବାକୁ ଗଲେ ଦକ୍ଷିଣ ଭାରତ ଭଳି ଦବଦବା ରଖିବା ଅଥବା ଭୋଟ ରାଜନୀତିକୁ ପ୍ରଭାବିତ କରିବା ଭଳି କୌଣସି ରାଜନେତା ଆଜି ଦିନରେ ବିଜେଡି ରାଜନୀତିରେ ନାହାନ୍ତି।

ଅତୀତରେ ବିଶିଷ୍ଟ ଚଳଚ୍ଚିତ୍ର ତାରକା ବିଜୟ ମହାନ୍ତି, ଉତ୍ତମ ମହାନ୍ତି ପ୍ରମୁଖ କଂଗ୍ରେସ ରାଜନୀତିରେ ପାଦ ରଖି ପରେ ମୁହଁ ଫେରାଇ ଦେଇଥିଲେ। ଏବେ ରାଜ୍ୟ କଂଗ୍ରେସର ସ୍ଥିତି ଯାହା, ତାକୁ ଦେଖି କେଉଁ ଚଳଚ୍ଚିତ୍ର ତାରକା କାହିଁକି କଂଗ୍ରେସକୁ ଆଖେଇବ?

ବିଜେଡିକୁ ଦେଖି ବିଜେପି ଭାବିଥିଲା, ଚଳଚ୍ଚିତ୍ର ତାରକାଙ୍କୁ ସାମ୍ନାକୁ ଆଣି ଭୋଟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଦେବ। ନିର୍ବାଚନର ବର୍ଷକ ପୂର୍ବରୁ ଯେବେ ବିଜେପୁର ଉପନିର୍ବାଚନ ହେଉଥିଲା, ସେବେଠାରୁ ଦଳ ଏ କ୍ଷେତ୍ରରେ ବିଶେଷ ସକ୍ରିୟତା ଦେଖାଇଥିଲା। କେଉଁଦିନ ଅପରାଜିତା ଯୋଗ ଦେଲେ ତ ଆଉ କେଉଁ ଦିନ ମହାଶ୍ବେତା। କେଉଁଦିନ ଶ୍ରୀତମଙ୍କ ସହିତ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଲା ତ ଆଉ କେବେ ବିଦୁସ୍ମିତା। କେବଳ ସେତିକି ନୁହେଁ, ଆଗ ଧାଡିର ତାରକା ମିହିର ଦାସ ବି ଗେରୁଆ ଟୋପି ପିନ୍ଧିଲେ। ଅଶ୍ରୁମୋଚନ ମହାନ୍ତି, ହରିହର ମହାପାତ୍ର ବି ବିଜେପି କ୍ୟାମ୍ପରେ ଥିଲେ। ପିଙ୍କି ପ୍ରଧାନ, ବିଦୁସ୍ମିତା ପ୍ରମୁଖ ଟିକେଟ୍ ନେଇ ନିର୍ବାଚନ ଲଢିଲେ। ସଙ୍ଗୀତଜ୍ଞ ମନ୍ମଥ ମିଶ୍ରଙ୍କୁ ବିଜେପି ମଞ୍ଚରେ ଦେଖିବାକୁ ମିଳିଲା। ହେଲେ ପୂରା କୌଶଳ ଫେଲ୍। କାହାକୁ କେଉଁଠି ସଫଳତା ମିଳିଲା ନାହିଁ। ତା ପରଠାରୁ ବିଜେପି ରାଜନୀତିରେ ଏହି ଅଭିନେତାମାନଙ୍କର ଆଉ ଗୁରୁତ୍ବ ଦେଖିବାକୁ ମିଳୁନାହିଁ।

ରାଜନୈତିକ ମହଲର କହିବା କଥା ହେଉଛି, ଓଡ଼ିଶା ରାଜନୀତି ପାଣିପାଗ ଏମିତି ଯେ ଏଠି କେତେ ବଡ ବି ସେଲିବ୍ରିଟି ହୁଅନ୍ତୁ, ସେ ପ୍ରଭାବହୀନ ହୋଇଯିବେ। ନା ଏଠାରେ ଜାତି କାର୍ଡ ଖେଳ ହୋଇପାରିବ କିମ୍ବା ଦକ୍ଷିଣ ଭାରତ ଭଳି ଫିଲ୍ମ ଅଭିନେତାଙ୍କୁ ଧରି କିଏ ନିର୍ବାଚନ ପାର ହୋଇପାରିବେ। ଯଦିଓ ଓଡ଼ିଶାର ସଂସ୍କୃତି ଭାରତର ଅନ୍ୟ ଅଞ୍ଚଳ ତୁଳନାରେ ସମୃଦ୍ଧ, କିନ୍ତୁ ସରକାରଙ୍କ ପ୍ରମୁଖ ଏଜେଣ୍ଡାରେ ସଂସ୍କୃତି କେବେ ରହିନାହିଁ। ଯେବେ ଫିଲ୍ମ ହଲ୍ ନାହିଁ, ମଞ୍ଚ ନାଟକକୁ ପ୍ରାଥମିକତା ମିଳିପାରିଲା ନାହିଁ, କଳାକାରଙ୍କ ସ୍ଥିତି ଏମିତି ଯେ ତାଙ୍କୁ ଭତ୍ତା ଦେବାକୁ ପଡିଲାଣି, ସେବେ ଏମାନଙ୍କୁ ନେଇ ଭୋଟ ରାଜନୀତି କେମିତି ହେବ? ସେ ବିଜେଡି ହେଉ କି ବିଜେପି ଏ କ୍ଷେତ୍ରରେ ସେମାନଙ୍କର କୌଶଳ ଆଦୌ ସ୍ବୟଂ ସମ୍ପୂର୍ଣ୍ଣ ନଥିଲା। ବା ଭୁଲ୍ ରଣନୀତି ଉପରେ ପର୍ଯ୍ୟବେସିତ ବୋଲି କୁହାଯାଇପାରେ।

ଚଳଚ୍ଚିତ୍ର ତାରକାମାନେ ମଧ୍ୟ ଏସବୁ କଥା ହେଜିଯିବା ଦରକାର। ଲକ୍‌ ଡାଉନ୍‌ରେ ଯାତ୍ରା ବନ୍ଦ ହୋଇଗଲା ବୋଲି କଳାକାର ରାସ୍ତାକୁ ଓହ୍ଲାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଗଲା। ଅଳ୍ପ କିଛି ପ୍ରମୁଖ ଅଭିନେତାଙ୍କୁ ଛାଡିଦେଲେ, ଆଜି ଦିନରେ ବହୁତ ସିନେ କଳାକାର ଆର୍ଥିକ ଦୃଷ୍ଟିରୁ ଆଦୌ ଭଲ ସ୍ଥିତିରେ ନାହାନ୍ତି। ଓଡ଼ିଶାର ପାଣି ପବନକୁ ନେଇ ଚଳଚ୍ଚିତ୍ର ସଂଖ୍ୟା ବି ଆଦୌ ନାହିଁ କହିଲେ ଚଳେ। ଅଧାରୁ ଅଧିକ ଫିଲ୍ମ ଅନ୍ୟ ରାଜ୍ୟ ଫିଲ୍ମର କପି। ଏଥିରେ କେଉଁ ସିନେମା କାହିଁକି ଲୋକଙ୍କୁ ଭେଦିବ? ଭେଦିଲେ ତ ଦର୍ଶକ ତାର ଅଭିନେତାଙ୍କୁ ମନେ ରଖିବେ ବା ଭଲ ପାଇବେ? ଏଣୁ ସେମାନେ ଅତ୍ୟନ୍ତ ବ୍ୟୟବହୁଳ ରାଜନୀତି ପ୍ରତି ଆଖେଇ ସଫଳ କେମିତି ହେବେ?

Leave A Reply

Your email address will not be published.