ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସଚିନ ବାର୍ତ୍ତାଦେଲେ; ଓଡ଼ିଶାରେ ପହଞ୍ଚିଲା କି ନାହିଁ?

0

ଭୁବନେଶ୍ବର: ସେପ୍ଟେମ୍ବର ୭ ତାରିଖ ଥିଲା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସମେତ ରାଜ୍ୟ ଏବଂ କେନ୍ଦ୍ରୀୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଏକ ସ୍ବାଭାବିକ ଘଟଣା। କିନ୍ତୁ ଯେଉଁ ଚିତ୍ରଟି ଯେ କୌଣସି ରାଜନେତାଙ୍କ ପାଇଁ ଈର୍ଷଣୀୟ; ତାହା ହେଲା, ଏହି ଯୁବ ନେତାଙ୍କ ୪୪ତମ ଜନ୍ମଦିନ ପାଳନ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଗୋଟିଏ ଉତ୍ସବ ପାଳନର ଭ୍ରମ ସୃଷ୍ଟି କରିଥିଲା। କିଏ ଠାକୁରଙ୍କ ପାଖେ ପ୍ରାର୍ଥନା କରିଥିଲେ ତ ଆଉ କିଏ ସଚିନଙ୍କ ଜନ୍ମଦିନ ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିଲେ।

ରାଜସ୍ଥାନବାସୀ, ବିଶେଷକରି ଯୁବ ବର୍ଗ ସଚିନଙ୍କୁ ପୁଷ୍ପଗୁଚ୍ଛ, ଚିତ୍ର ଇତ୍ୟାଦି ପ୍ରଦାନ କରିବା ସହିତ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଦିନତମାମ ଭିଡ ଜମାଇଥିଲେ। ଏହାକୁ ଚମତ୍କାର ବୋଲି ବର୍ଣ୍ଣନା କରି ବିଧାୟକ ମୁକେଶ ଭାକର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ବର୍ଗର ଲୋକମାନେ ପାଇଲଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଜୟପୁର ଆସିଥିଲେ। ଏହା ପାଇଲଟଙ୍କ ପ୍ରତି ଜନସାଧାରଣଙ୍କ ଭଲପାଇବା ଦର୍ଶାଉଛି। ଯେତେବେଳେ ସେ କୌଣସି ପଦପଦବିରେ ନାହାନ୍ତି, ସେବେ ତାଙ୍କ ପାଖରେ ଲୋକଙ୍କ ଭିଡ ଜଣାଇ ଦେଉଛି, ସେ କେଉଁ ଧରଣର ନେତା। ‘ସଚିନ୍ ପାଇଲଟ୍’ ମଧ୍ୟ ମଙ୍ଗଳବାର ଟ୍ୱିଟରରେ ଟ୍ରେଣ୍ଡ କରିଛି।

ପାଠକେ ଭାବୁଥିବେ, ଏହି ଚିତ୍ର ସଂପର୍କରେ ଓଡ଼ିଶାର କି ସଂପର୍କ ରହିଛି?

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ, ଏହି ଘଟଣାକୁ ଅତି ଗୁରୁତ୍ବର ସହିତ ନେଉଛନ୍ତି। ସାଧାରଣ ଜନ୍ମଦିନଟିଏରେ ଲୋକେ ତାଙ୍କ ନେତାଙ୍କ ନିକଟକୁ ହଜାର ହଜାର ସଂଖ୍ୟାରେ ଛୁଟି ଆସିବା, ଭାରରତର ରାଜନୈତିକ ନେତାମାନଙ୍କ ପାଇଁ ଅନେକ ସଙ୍କେତ ଦେଉଛି। ବିଶେଷକରି ଓଡ଼ିଶା ଭଳି ରାଜ୍ୟର ନେତାମାନେ ଏଥିରୁ କିଛି ଶିଖିବାର ଆବଶ୍ୟକତା ଅଛି ବୋଲି ଏହି ମହଲର ମତ।

ସଂପ୍ରତି ରାଜ୍ୟରେ ଏଭଳି ଜଣେ ବି କଂଗ୍ରେସ ବା ଅଣ କଂଗ୍ରେସ ନେତା ନାହାନ୍ତି, ଯାହା ପ୍ରତି ସାଧାରଣରେ ଏତେ ଗ୍ରହଣୀୟତା ରହିଛି। ଏକଥା କହିବାରେ ଆଦୌ ଦ୍ବିଧା ନାହିଁ ଯେ ଯୁବ ବର୍ଗ କଥା ଦୂରେ ଥାଉ ବରିଷ୍ଠ ନେତାମାନେ ମଧ୍ୟ ଏଭଳି ଲୋକପ୍ରିୟତା ଅର୍ଜନ କରିପାରିନାହାନ୍ତି।

ରାଜନୈତିକ ରଣନୀତିକାରମାନେ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶା ଶାସନ ଗାଦିରେ ଅତ୍ୟନ୍ତ ସ୍ଥିର ଭାବେ ବସିବା ପ୍ରମାଣିତ କରୁଛି ଯେ ତାଙ୍କର ବିକଳ୍ପ ନେତା ରାଜ୍ୟ ରାଜନୀତିରେ ଏଯାଏ ସୃଷ୍ଟି ହୋଇନାହାନ୍ତି। ତାଙ୍କ ପ୍ରତି ସାଧାରଣରେ ଯେଉଁ ଗ୍ରହଣୀୟତା ରହିଛି, ତାହା ରାଜ୍ୟର ଆଉ କାହା ଭାଗ୍ୟରେ ଜୁଟି ନାହିଁ। ସେ ବିଜୁ ପଟ୍ଟନାୟକଙ୍କ ପୁଅ ହିସାବରେ ହୁଏତ ପ୍ରଥମ ତିନି ବର୍ଷ ଦିଲ୍ଲୀ ରାଜନୀତି ଓ ସରକାରର ପ୍ରଥମ ପାଞ୍ଚବର୍ଷ ଲୋକଙ୍କ ଭିତରେ ବଞ୍ଚିଥାଇପାରନ୍ତି, କିନ୍ତୁ ଏତେ ବର୍ଷ ସେହି ଗୋଟିଏ ପରିଚୟ ନେଇ ରହିବା ମୁସ୍କିଲ୍। ଏଣୁ ନିଶ୍ଚୟ ଶ୍ରୀ ପଟ୍ଟନାୟକଙ୍କ କିଛି ଭଲ କାମ ଲୋକଙ୍କୁ ଛୁଉଁଛି। ଦ୍ବିତୀୟତଃ, ଜଣେ ନେତା ଜିଇଁବାର କଳା ନବୀନଙ୍କ ଜୀବନଚର୍ଯ୍ୟାରେ ଜଳ ଜଳ ହୋଇ ଦିଶୁଛି। ଅତି ଉଚ୍ଚସ୍ବରରେ ଗର୍ଜନ ନାହିଁ କି କାହା ବିରୋଧରେ ବିଷୋଦ୍‌ଗାର। ତାଙ୍କ ରାଜନୈତିକ ଜୀବନର ସରଳପଣ ହିଁ ଏବେ ସବୁ ରାଜନେତାଙ୍କ ପାଇଁ ଏବେ ଜଟିଳ ଅଙ୍କ ବା ଦୁର୍ବୋଧ୍ୟ ହୋଇଯାଇଛି। ଏହି କଳା ମଧ୍ୟ ରାଜ୍ୟ ବିଜେଡି ବା ଅଣବିଜେଡି ନେତା ଶିଖିପାରିନାହାନ୍ତି।

ଅନ୍ୟପକ୍ଷରେ ଏବେ ନବୀନଙ୍କ ବିଜେଡି ସରକାରରେ ମା​ଳ ମାଳ ଯୁବ ନେତା ଅଛନ୍ତି। ଏମାନଙ୍କ ମଧ୍ୟରୁ ମନ୍ତ୍ରିମଣ୍ଡଳରେ ଅନେକ ଥିଲେ, ଅଛନ୍ତି। ଏହି ନେତାମାନେ ରାଜ୍ୟ ରାଜନୀତିରେ ବିଭିନ୍ନ ଜୀବନ ଦର୍ଶନ ଗପ ଶୁଣାଇ ସେମାନଙ୍କର ବେଶ୍ ପତିଆରା ଅଛି ବୋଲି ଦାବି କରି ଗର୍ଜନ ତର୍ଜନ କରନ୍ତି। ବିରୋଧୀ ରାଜନୈତିକ ଦଳର ଆଉ କିଛି ନେତାଙ୍କ ଭିତରେ ମଧ୍ୟ ଗୋଟିଏ ଧାରଣା ବଞ୍ଚିଛି ଯେ ସେମାନେ ଅତ୍ୟନ୍ତ ଜ୍ଞାନୀ, ଗୁଣୀ ଓ ତାଙ୍କ ସମକକ୍ଷ ନେତା ରାଜ୍ୟ ରାଜନୀତିରେ ନାହାନ୍ତି। ହେଲେ ସେମାନଙ୍କ କ୍ଷେତ୍ରରେ ସଚିନଙ୍କ ଭଳି ନେତୃତ୍ବ ନେବାର ଶକ୍ତି ନାହିଁ କି ସଚିନଙ୍କ ଭଳି ସାଧାରଣ ଲୋକଙ୍କ ମନକୁ ଏହି ନେତାମାନେ ଛୁଇଁପାରୁନାହାନ୍ତି। ଏବେ ବିଜେଡି ରାଜନୀତିରେ ନିର୍ବାଚନ ଜିତି ଆସୁଥିବା ଅନେକ ଯୁବ ନେତା ଉପରୁୁ ନବୀନଙ୍କ ଯାଦୁଛଡିର ସ୍ପର୍ଶ କେବଳ କମିଗଲେ, ସେମାନେ ମଉଳିଯିବେ।

ସେହିଭଳି ରାଜ୍ୟ କଂଗ୍ରେସ ନେତାମାନେ, ଯିଏକି ନିଜ ଦଳକୁ ମୁହଁ ମୋଡି ପ୍ରତିଦିନ ସରକାରୀ ଦଳରେ ଲମ୍ଫ ଦେଉଛନ୍ତି, ସେମାନେ ନେତୃତ୍ବ କାହାକୁ କୁହାଯାଏ, ତାହା ସଚିନଙ୍କ ଠାରୁ ଶିଖିବା କଥା ବୋଲି ରାଜନୈତିକ ମହଲ ଖୋଲାଖୋଲି ଆଲୋଚନା କରୁଛନ୍ତି। ଅନ୍ୟଥା ନବୀନଙ୍କ ଯାଦୁଛଡି ହିଁ ସେମାନଙ୍କୁ କ୍ଷମତା ଦେଇପାରିବ। କଂଗ୍ରେସ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ଶାସକ ଦଳ ପ୍ରତି ମୋହଗ୍ରସ୍ତ ହୋଇପଡୁଥିବା ଏଭଳି ନେତାଙ୍କ ଲାଗି ଓଡ଼ିଶା କଂଗ୍ରେସ ଏବେ ଅତି ବିପଜ୍ଜନକ ସ୍ଥିତିକୁ ଚାଲିଆସିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କଲେ ସ୍ଥିତି ଅଣାୟତ ହୋଇଯାଇପାରେ। ଏଥିଲାଗି କିଏ କଂଗ୍ରେସର ଜାତୀୟ ନେତୃତ୍ବକୁ ଦାୟୀ କରୁଛନ୍ତି, ଆଉ କେହି ରାଜ୍ୟରେ ତାଙ୍କୁ ସୁଯୋଗ ମିଳିନାହିଁ ବୋଲି ମଧ୍ୟ ଅଭିଯୋଗ କରନ୍ତି। ହେଲେ ଏକଥା କେହି କେବେ ପ୍ରମାଣିତ କରି ଦେଖାଇନାହାନ୍ତି ଯେ ରାଜ୍ୟ ରାଜନୀତିରେ ସେମାନଙ୍କର ଗ୍ରହଣୀୟତାର ପରିମାଣ କେତେ? ଲୋକେ ତାଙ୍କ ମାୟାରେ ବାୟା, ଏଭଳି ଚିତ୍ର କେବେ ଗତ ତିନି ଦଶନ୍ଧି ଭିତରେ ଦେଖିବାକୁ ମିଳିନାହିଁ।

ସବୁଠାରୁ ବଡ କଥା ହେଲା, ସଚିନଙ୍କୁ ଏଭଳି ଲୋକପ୍ରିୟତା ଅର୍ଜନ କରିବା ଲାଗି ତାଙ୍କୁ ବିଧାନସଭା ଓ୍ବେଲ ବା ମଧ୍ୟଭାଗକୁ ଆସି ବିଲ୍ ଚିରିବାକୁ ପଡିନି କି ଦିନ ଦିନ ଗୃହକୁ ଅଚଳ କରି ରଖିବାକୁ ହୋଇନାହିଁ। ବିରୋଧୀ ଦଳରେ ବି ବସି ମଧ୍ୟ ସଂସଦରେ ତାଙ୍କ ଆଚରଣକୁ କେହି ବିଶୃଙ୍ଖଳିତ ବୋଲି କହିପାରିବେ ନାହିଁ। କେହି କେହି ହୁଏତ ତାଙ୍କ ପଛରେ ପ୍ରତିଷ୍ଠିତ ରାଜନୈତିକ ପରିବାରର ଷ୍ଟାମ୍ପ ସଂପର୍କରେ ଠାରିପାରନ୍ତି। ହେଲେ ଓଡ଼ିଶାରେ ତ ଏବେ ପ୍ରତିଷ୍ଠିତ ରାଜନୈତିକ ପରିବାରର ମାଳ ମାଳ ନେତା ସକ୍ରିୟ ଅଛନ୍ତି। କାଇଁ ସେମାନଙ୍କ ସହିତ ତ ଏତେ ଲୋକପ୍ରିୟତା ନାହିଁ?

ଅସଲ କଥା ହେଲା, ଓଡ଼ିଶାର ନେତାମାନେ ସାଧାରଣ ଲୋକଙ୍କ ଭାବନା ସହିତ ଆଉ ନିଜକୁ ଯୋଡି ରଖିପାରିନାହାନ୍ତି। ବଡ ବଡ କାରରେ ବୁଲୁଥିବା ଏହି ନେତାମାନେ ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲିବାର ଶକ୍ତି ରଖିନାହାନ୍ତି। ସେମାନଙ୍କ କଥା ଓ ମୁହଁରେ ଲୋଭର ପ୍ରଲେପ ଲେସି ହୋଇରହିଛି ଏବଂ କଥା କହିବା ମାତ୍ରେ ଅହଂକାରର ଗନ୍ଧ ଭଣ ଭଣ ହୋଇ ବାସୁଛି। ରାଜ୍ୟ ସାରା ଦୂରେ ଥାଉ ନିଜ ନିର୍ବାଚନମଣ୍ଡଳୀରେ ବି ଏମାନେ ଲୋକପ୍ରିୟ ନୁହେଁ। ଏଭଳି ନେତାମାନଙ୍କର କଥାବାର୍ତ୍ତା, ଚାଲିଚଳଣ, ବ୍ୟବହାର, ଅତି ସାଧାରଣ ଭାବେ କହିଲେ ଆଚରଣ ଓ ଉଚ୍ଚାରଣ ଲୋକମାନଙ୍କୁ ଏତେ ଅତିଷ୍ଠ କରିପକାଏ ଯେ ସେମାନଙ୍କର ଅନେକ ଭଲକାର୍ଯ୍ୟ ମଧ୍ୟ ତା ଭିତରେ ଛନ୍ଦି ହୋଇଯାଏ।

ଆଉ କେତେ ଦିନ କ୍ଷମତା ରାଜନୀତିରେ ରହିଲେ, ଏମାନେ ଲୋକଙ୍କ ମନ ଜିଣିବେ? ଆଉ କେତେ ସୁଯୋଗ ମିଳିଲେ ଅନ୍ୟ ପାଇଁ ଉଦାହରଣ ସାଜିବେ?

Leave A Reply

Your email address will not be published.