ଷୋଳପୂଜା ଆରମ୍ଭ, ସବୁ ଦେବୀ ପୀଠରେ ସ୍ବତନ୍ତ୍ର ପରିବେଶ
ଭୁବନେଶ୍ୱର: ଓଡ଼ିଶାର ଶାକ୍ତ ପରମ୍ପରାରେ ଅତ୍ୟନ୍ତ ପରିଚିତ ସ୍ଥାନ ତଥା ଅନ୍ୟତମ ଗଜଡାତ ଅଞ୍ଚଳ ଭାବେ ଜଣାଶୁଣା ରଣପୁରର ଅଧିଷ୍ଠାତ୍ରୀ ଦେବୀ ମୈନାକ ପର୍ବତ ବାସିନୀ ମାଆ ମଣିନାଗ ଦୁର୍ଗା ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନ ବୀର ରାମଚନ୍ଦ୍ରପୁରର ଥାନପତି । ଏକଥା ଯେ କୌଣସି ବ୍ୟକ୍ତି ଶୁଣିଲା ବେଳେ ଖଟ୍କା ଲାଗିପାରେ । ମାତ୍ର ଏକଥା ସତ । ମାଆଙ୍କ ବୀରରାମଚନ୍ଦ୍ର ପୁରକୁ ଆଗମନ ଓ ପ୍ରତିଷ୍ଠା ପଛରେ ଓଡ଼ିଶା ଇତିହାସର ଏକ ଅଜ୍ଞାତ ଅଧ୍ୟାୟ ଲୁଚି ରହିଛି । ଏହା ପଛରେ ଐତିହାସିକ ତଥ୍ୟ ବେଶ୍ ଆଦୃତି ଲାଭ କରିନାହିଁ । ବହୁ କିମ୍ୱଦନ୍ତୀ ମଧ୍ୟ ଲୋକମୁଖରେ ପ୍ରଚାରିତ । କିନ୍ତୁ ଏହା ଓଡ଼ିଶାର ଶାକ୍ତ ପରମ୍ପରାରେ ଶାସନମାନଙ୍କର ସମୃଦ୍ଧ ବ୍ୟବସ୍ଥା ସଂପର୍କରେ ସୂଚାଉଛି ।
ଐତିହାସିକ ଗୌରଶ୍ୟାମ ପଟ୍ଟନାୟକ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ରଣପୁରର ୧୦୦ତମ ରାଜା ବନମାଳୀ ନରେନ୍ଦ୍ର ନିଜେ ଜଣେ ବିଚକ୍ଷଣ ପ୍ରସ୍ତର ଶିଳ୍ପୀ ଥିଲେ। ସେ ଏକ କମନୀୟ ମୂର୍ତି ପୂଜା କରୁଥିଲେ ଓ ତାଙ୍କୁ ରାଜବାଟୀର ପର୍ବ ଘରେ ରଖିି ପୂଜା କରୁଥିଲେ। ଦେବୀଙ୍କ ପ୍ରତିମୂର୍ତି ଯିଏ ବୀର ରାମଚନ୍ଦ୍ରପୁରରେ ପୂଜା ପାଉଛନ୍ତି, ତାଙ୍କୁ ପୁରୀ ରାଜା ଚୋରି କରି ନେଇ ଯାଇଥିଲେ । ହେଲେ ଏହି ତଥ୍ୟ ଭ୍ରମାତ୍ମକ ବୋଲି କୁହାଯାଏ। କାରଣ ବୀରରାମଚନ୍ଦ୍ରପୁରରେ ପୂଜିତା ଠାକୁରାଣୀ ପିତଳ ପ୍ରତିମା । ସଂପୃକ୍ତ ଗାଁର ଲୋକମାନେ ଏକଥା ସ୍ପଷ୍ଟ ଭାବେ କୁହନ୍ତି ଯେ ସେଠାରେ କେବେ ବି ଦେବୀ ପଥର ମୂର୍ତି ନଥିଲେ। ଅର୍ଥାତ୍ବ ବନମାଳୀ ନରେନ୍ଦ୍ରଙ୍କ ଦ୍ବାରା ପ୍ରସ୍ତୁତ କମନୀୟ ମୂର୍ତି ଏବେ କେଉଁଠି, ତାହା ଅନୁସନ୍ଧାନ ସାପେକ୍ଷ। ଅନ୍ୟପକ୍ଷରେ ବୀରରାମଚନ୍ଦ୍ରପୁରରେ ପୂଜା ପାଉଥିବା ମାଆ ମଣିନାଗ ଦୁର୍ଗାଙ୍କ ପିତଳ ପ୍ରତିମା ତଳେ ସଂସ୍କୃତି ଭାଷାରେ କେତେକ ଶ୍ଳୋକ ଖୋଦିତ ହୋଇଛି, ଯାହା ସୂଚାଉଛି ଯେ ଏହା ରାଜା ବନମାଳି ନରେନ୍ଦ୍ରଙ୍କ ଦ୍ୱାରା ନିର୍ମାଣ କରାଯାଇଛି ।
ଅନ୍ୟ ଏକ ମତ ହେଲା, ରଣପୁର ରାଜଶକ୍ତିର ରକ୍ଷା କବଚ ଥିଲେ ଦେବୀ। ଗୋଟିଏ ସମୟରେ ରଣପୁର ଦାୟିତ୍ୱରେ ପୁରୀ ରାଜାଙ୍କର ସେନା ବାହିନୀ ଥିଲେ। ସେ ସମୟରେ ସେନାବାହିନୀ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଖିଲାମୁଣ୍ଡା ଦେବୀଙ୍କ ଶରଣାପନ୍ନ ହୋଇଥିଲେ ସ୍ଥାନୀୟ ରଣପୁରର ଶବର ରାଜା । ସେଠାରୁ ସେ ଶକ୍ତି ନେଇ ଫେରୁଛନ୍ତି ବୋଲି ଜାଣି, ପୁରୀ ରାଜାଙ୍କ ଦ୍ବାରା ନିୟୋଜିତ ସୈନ୍ୟମାନେ ରଣପୁର ଛାଡିଥିଲେ। ଫେରିବା ବେଳେ ସେମାନେ ପର୍ବଘରେ ପୂଜା ପାଉଥିବା ଦେବୀଙ୍କୁ (ଏହି ଦେବୀଙ୍କ ଶକ୍ତିରେ ରାଜା ଶକ୍ତିଶାଳୀ ହୋଇଛନ୍ତି ବୋଲି ମନେକରି) ନେଇ ଆସିଥିଲେ ।
କିମ୍ୱଦନ୍ତୀ ଏକଥା ବି କହେ ଯେ ରଣପୁରରୁ ଅଣାଯିବା ପରେ ଦେବୀ ଶ୍ରୀମନ୍ଦିର ରୋଷଘରେ ପ୍ରତିଷ୍ଠା ହୋଇଥିଲେ। ହେଲେ ସେଠାରେ ବିତ୍ପାତ ସୃଷ୍ଟି କଲେ। ମହାପ୍ରଭୁଙ୍କ ସେବାରେ ବ୍ୟାଘାତ ସୃଷ୍ଟି ହେଲା। ଏଣୁ ମହାପ୍ରଭୁଙ୍କ ସ୍ୱପ୍ନାଦେଶ କ୍ରମେ ଗଜପତି ସବୁ ଶାସନକୁ ଡକାଇଥିଲେ।। ପଇଡ ଓ ଏଣ୍ଡୁରି ପିଠା ମୋହ ଦେଖାଇ ଦେବୀଙ୍କୁ ତତ୍କାଳୀନ ମହାଜନମାନେ ବୀରରାମଚନ୍ଦ୍ରପୁର ଯାଏ ଆଣିବାରେ ସକ୍ଷମ ହୋଇଥିଲେ।
ଅନ୍ୟ ଏକ କିମ୍ୱଦନ୍ତୀ କହେ, ବୀରରାମଚନ୍ଦ୍ରପୁର ଅଞ୍ଚଳର ଜଣେ ବ୍ରାହ୍ମଣ କୌଣସି କାମରେ ରଣପୁର ଯାଇଥିଲେ। ସେଠାରେ ରାଜାଘର ଲୋକେ ତାଙ୍କୁ ଧରି ନେଇ ଦେବୀଙ୍କ ପାଖରେ ବଳି ଦେବାକୁ ଚାହିଁଥିଲେ। ହେଲେ ସେ ଜୀବିତାବସ୍ଥାରେ ଫେରିଥିଲେ ଓ ସାଙ୍ଗରେ ମଣିନାଗ ଦୁର୍ଗାଙ୍କ ମୂର୍ତି ବି ଆଣିଥିଲେ।
ହେଲେ ଗବେଷଣାରୁ ଜଣାପଡିଛି ଯେ ରଣପୁର ରାଜାଙ୍କ ଉଆସରେ ତିନି ଠାକୁରାଣୀ ପୂଜା ପାଉଛନ୍ତି। ସେମାନେ ହେଲେ ବନଦୁର୍ଗା, ଜୟଦୁର୍ଗା ଓ ନାରାୟଣୀ।କିନ୍ତୁ ସେଠାରେ ପୂର୍ବରୁ ପୂଜା ପାଉଥିବା ଉଗ୍ରତାରା ଆଉ ନାହାନ୍ତି। ଏଣୁ ଅନୁମାନ କରାଯାଉଛି, ଉପର ମଣିନାଗରେ ପୂଜା ପାଉଥିବା ଉଗ୍ରତାରାଙ୍କ ଚଳନ୍ତି ପ୍ରତିମା ହିଁ ବୀରରାମଚନ୍ଦ୍ରପୁରରେ ମଣିନାଗ ଦୁର୍ଗା ଭାବେ ପୂଜା ପାଉଛନ୍ତି। ସମ୍ଭବତଃ ଗଠନ ଶୈଳୀରେ ଏହି ମୂର୍ତି ଉଚ୍ଚ ଓ ସ୍ୱତନ୍ତ୍ର ହୋଇଥିବା ପରିପ୍ରେକ୍ଷୀରେ ରାଜା ତାଙ୍କୁ ମଣିନାଗ ଦୁର୍ଗା ଭାବି ନେଇ ଆସିଛନ୍ତି ଓ ସେହି ନାମରେ ସେ ପରିଚିତି ଲାଭ କରିଛନ୍ତି ।
କେବଳ ସେତିକି ନୁହେଁ, ତଳ ମଣିନାଗଙ୍କ ପୂଜା ସହିତ ବୀରରାମଚନ୍ଦ୍ରପୁରରେ ପୂଜିତ ଦେବୀଙ୍କର ଅନେକ ସାମଞ୍ଜସ୍ୟ ରହିଛି । ତଳ ମଣିନାଗ ଶବରଙ୍କ ଦ୍ୱାରା ପୂଜା ପାଉଥିଲେ ଓ ୧୯୮୦ ମସିହା ପରଠାରୁ ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଉଛନ୍ତି । ମାତ୍ର ଉଭୟ ଦେବୀ ବନଦୁର୍ଗା ମନ୍ତ୍ରରେ ପୂଜା ପାଉଛନ୍ତି । ମଣିନାଗ ପାହାଡ଼ ତଳେ ପୂଜିତା ଦେବୀ ଦୁର୍ଗାଙ୍କ ପୂଜା ବେଳେ ଯେମିତି ଖିଲାମୁଣ୍ଡାଙ୍କୁ ବରଣ କରି ଅଣାଯାଇଥାଏ, ବୀର ରାମଚନ୍ଦ୍ରପୁରରେ ମଧ୍ୟ ମୂଳାଷ୍ଟମୀ ପୂର୍ବଦିନ ତାଙ୍କ ସାନ ଭଉଣୀ ଭାବେ ପରିଚିତ ମାଳେଶ୍ୱରୀ (ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରେ ଅବସ୍ଥାନ କରନ୍ତି)ଙ୍କ ଆଜ୍ଞାମାଳ ଅଣାଯାଇଥାଏ ଓ ଦଶହରା ଦିନ ତାଙ୍କୁ ପୁଣି ସସମ୍ମାନେ ତାଙ୍କ ଆସ୍ଥାନକୁ ଫେରାଇ ନିଆଯାଏ ।
ଉଲ୍ଲେଖଯୋଗ୍ୟ, ବିଶ୍ୱାବସୁ ଶବରର ସେବା ପୂଜାରେ ସନ୍ତୁଷ୍ଟ ହୋଇ ଆବିର୍ଭାବ ହୋଇଥିଲେ ନୀଳମାଧବ। ନୀଳମାଧବଙ୍କ ନିର୍ଦେଶରେ ସ୍ଥାନାନ୍ତର ହୋଇଥିଲେ ତାଙ୍କ ଭାଇ ବିଶ୍ୱବାସବ ଓ ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମାଆ ମଣିନାଗ ରଣପୁରରେ ଆବିର୍ଭାବ ହୋଇଥିଲେ। ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଦେବୀଙ୍କ ସଂପର୍କ ପରବର୍ତୀ ସମୟରେ ଏହି ଶାସନର ଗୁରୁତ୍ୱକୁ ବହୁଗୁଣିତ କରୁଛି। ଦେବୀ ବୀରରାମଚନ୍ଦ୍ରପୁରରେ ଅତ୍ୟନ୍ତ ପ୍ରତ୍ୟକ୍ଷ । ସେବା ପୂଜାରେ ବିଭ୍ରାଟ ହେଲେ, ଦେବୀ ତତ୍କାଳ ଦଣ୍ଡ ଦେଇଥିବାର ନଜିର କିଛି କମ୍ ନାହିଁ ।