ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି ନେତାମାନେ ଅତ୍ୟନ୍ତ ଦମ୍ଭର ସହିତ କହୁଛନ୍ତି। ସଂଖ୍ୟା କେତେ ହେବ, ସ୍ପଷ୍ଟ ଭାବେ ନ କହିଲେ ମଧ୍ୟ ବିଜେପି କହୁଛି, ଆଶ୍ରିତ ପଟ୍ଟନାୟକଙ୍କ ଭଳି ପ୍ରାର୍ଥୀ କାହାର ନଥିଲେ। ସେମାନେ ଏଥର ଜିତିବେ। ବିଶ୍ବକେଶନ ହରିଚନ୍ଦନଙ୍କୁ କିନ୍ତୁ ଜିତାଇ ଆଣିପାରିବ ନାହିଁ ବୋଲି କଂଗ୍ରେସ ଆଗତୁରା ମାନି ସାରିଲାଣି।
ଯିଏ ବି ଜିତୁ, ପାଖାପାଖି ବର୍ଷେ ଆସନଟି ଖାଲିପଡିବା ପରେ ନିର୍ବାଚନମଣ୍ଡଳୀ ତା’ର ନେତା ପାଇବ। ବିଜେଡି ଜିତିଲେ, ବିଧାନସଭାରେ ସେମାନଙ୍କ ସଂଖ୍ୟା ୧୧୪ ହେବ। ବିଜେପି ଜିତିଲେ, ବାଲେଶ୍ବର ଆସନ ହରାଇବାର କ୍ଷତି ପୂରଣ କରିବ। ହେଲେ ଗୋଟିଏ କଥା ଆମେ ସ୍ପଷ୍ଟ ଭାବେ କହିପାରିବା ଯେ ପିପିଲି ଭଳି ରାଜନୀତି ଦୃଷ୍ଟିରୁ ଅତି ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ କୌଣସି ନା କୌଣସି କାରଣରୁ ତାର ଗୁରୁତ୍ବ ହରାଇଛି।
ନିର୍ବାଚନ ପ୍ରଚାରରେ ଆଦୌ ଉଷ୍ମତା ନଥିଲା। ମହାରଥୀଙ୍କ ସହିତ ଏହି ନିର୍ବାଚନମଣ୍ଡଳୀ ପ୍ରତି ଅବଶିଷ୍ଟ ଓଡ଼ିଶାର ଆକର୍ଷଣ ବି ଚାଲିଯାଇଛି। ଏଣୁ ଏହି ନିର୍ବାଚନ ଫଳାଫଳ ବହୁତ କିଛି କୋଳାହଳ କରିପାରିବ ନାହିଁ ବା ଏହା ରାଜ୍ୟ ରାଜନୀତିରେ କିଛି ପରିବର୍ତ୍ତନର ସଙ୍କେତ ଦେବାରେ ସମର୍ଥ ନୁହେଁ। କେବଳ ଗୋଟିଏ କଥା ଘଟିବ; ରାଜନୈତିକ ନେତା, ଦଳ ଏବଂ ଭୋଟର ସମସ୍ତଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆତ୍ମସମୀକ୍ଷା ଲାଗି ସୁଯୋଗ ସୃଷ୍ଟି କରିବ।
ପ୍ରଥମତଃ, ମତଦାନ ହାର ବଢିଥିବା କାରଣରୁ ସବୁ ରାଜନୈତିକ ଦଳ ଭିତରେ ଗୋଟିଏ ଉତ୍ସାହ ବଢିଛି। ସବୁ ରାଜନୈତିକ ଦଳ ଆଶା କରୁଛନ୍ତି ଯେ ଏହା ସେମାନଙ୍କ ପାଇଁ ଆଉ ଟିକେ ସହାୟକ ହେବ। ହେଲେ ଏକଥା ସମସ୍ତେ ଜାଣିରଖିବା ଦରକାର ଯେ ଭୋଟ ପ୍ରତିଶତ ପୂର୍ବଭଳି ଜିତିବା ବା ହାରିବା ଅଙ୍କ ଉପରେ ଆଉ ପ୍ରତ୍ୟକ୍ଷ ପ୍ରଭାବ ରଖୁନାହିଁ। ଯେମିତିକି ପୂର୍ବରୁ କୁହାଯାଉଥିଲା ଯେ ଅଧିକ ମତଦାନ ହାର ଅର୍ଥ ସରକାର ବିରୋଧରେ ଗୋଟିଏ ହାଓ୍ବା, ସେମିତି ଆଉ ହେଉନାହିଁ। ବରଂ ଏହାକୁ ମତଦାନ ପ୍ରତି ବଢୁଥିବା ଆକର୍ଷଣ ବୋଲି କୁହାଯାଇପାରେ। ଆଉ ଗୋଟିଏ କଥା ବି ଏଥିପାଇଁ ଦାୟୀ। ତାହା ହେଉଛି- ରାଜନୈତିକ ଦଳ ନିର୍ବାଚନ ପ୍ରଚାର ସହିତ ମତଦାନ କେନ୍ଦ୍ରକୁ ପ୍ରାର୍ଥୀ କିଭଳି ଯାଇ ଭୋଟ ଦେବେ, ତା ଉପରେ ଏବେ ଧ୍ୟାନ କେନ୍ଦ୍ରୀଭୂତ କଲେଣି। ଉଭୟ କଥା ଗୋଟିଏ ଗାଣତାନ୍ତ୍ରିକ ରାଷ୍ଟ୍ର ପ୍ରତି ଶୁଭ ସଙ୍କେତ। ଯାହା ପିପିଲିରେ ଘଟିଛି। ଭୋଟ ପ୍ରତିଶତ ବଢାଇବା ଲାଗି ନିର୍ବାଚନ କମିସନ ମଧ୍ୟ ଢେର୍ ଅର୍ଥ ଖର୍ଚ୍ଚ କରିଛନ୍ତି। ଏହା ନିଷ୍ଫଳ ଯାଇନାହିଁ ବୋଲି ଏବେ ସେମାନେ ଦାବି କରିପାରିବେ।
ପିପିଲିରୁ ଆଉ ଗୋଟିଏ ସଙ୍କେତ ଆସୁଛି। ତାହା ହେଲା, ଭାରତୀୟ ଜନତା ପାର୍ଟି ପାଟକୁରା ଅଙ୍କକୁ ପୁଣି ଥରେ ପିପିଲିରେ ଦୋହରାଇଲା। ଦଳ ଜିତୁ କି ହାରୁ, ଏକଥା ଠୋସ୍ ଭାବେ କହିହେବ ଯେ ଯେତେ ମୂଲ୍ୟବାନ ବା ପ୍ରଭାବଶାଳୀ ପ୍ରାର୍ଥୀ ହେଲେ ବି ବିଜେପି ପାଇଁ ଆଦୌ କିଛି ଗୁରୁ୍ତ୍ବ ରହୁନାହିଁ। ବରଂ ନେତାମାନେ ସେମାନଙ୍କର ପତିଆରା ଲଢେଇ ଭିତରେ ଗୋଟିଏ ପରେ ଗୋଟିଏ ନିର୍ବାଚନକୁ ଏମିତି ଗୋଟିଏ ସ୍ତରକୁ ଟାଣି ନେଉଛନ୍ତି, ଯାହା ସମସ୍ତଙ୍କୁ ଆଚମ୍ବିତ କରୁଛି। ୨୦୧୮ ମସିହାରେ ଯେଉଁ ବିଜେପି ବିଜେପୁରରେ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ଆଣି ଶାସକ ଦଳ ସହିତ ଲଢେଇ ପାଇଁ ଜୋର ଲଗାଇଥିଲା, ସେହି ବିଜେପି ୨୦୧୯ ପ୍ରଥମାର୍ଧରେ ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଲା। ବିଜୟ କାଳେ ବିଧାନସଭାକୁ ଫେରିଲେ, ବିପଦ ହେବ- ତାହା ଶାସକ ଦଳ ପାଇଁ ଅଜଣା ଭୟ ଥିଲା, ବିଜେପି ଏହି କାରଣ ପାଇଁ ଆହୁରି ଅଧିକ ଭୟରେ କମ୍ପୁଥିଲା।
ପାଟକୁରା ପରେ ସମାନ କଥା ଦେଖାଗଲା ବାଲେଶ୍ବରରେ। ଏହି ଉପନିର୍ବାଚନରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯେଉଁ ଢଙ୍ଗରେ ନିର୍ବାଚନ ଗୋଟିଚାଳନା କଲେ, ତାହା ବିଜେପି ପରାଜୟର ଥିଲା ଅସଲ କାରଣ। ପ୍ରତାପ ଷଡଙ୍ଗୀ ଭାବିଥିଲେ ଯେ ବିଜେପିକୁ ଜିତାଇ ସେ ନିଜ ପତିଆରା ସାବ୍ୟସ୍ତ କରିବେ। ଅଧିକାଂଶ ନେତା ତାଙ୍କୁ ଏଭଳି ଗୋଟିଏ ସ୍ବୀକୃତି ଦେଇ ତାଙ୍କ ଉଚ୍ଚତା ବୃଦ୍ଧି ଚାହୁଁନଥିଲେ; ଏକଥା ସେ ଜାଣିପାରିଲେ ନାହିଁ। ବିଜେପି ଏହି ଆସନ ବି ହରାଇଲା।
ଏବେ ପିପିଲି ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକଙ୍କ ଭଳି ପ୍ରାର୍ଥୀ ପାଇ ବିଜେପି ଶାସକ ବିଜେଡି ବିରୋଧରେ ଯେଭଳି ଆକ୍ରମଣାତ୍ମକ ଲଢେଇ ଲଢିବା କଥା ତାହା ଦେଖାଗଲା ନାହିଁ। ନିଜ ନିଜର ପତିଆରା ସାବ୍ୟସ୍ତର ଲଢେଇ ବିଜେପି ଭିତରେ ଏତେ ପରିମାଣରେ ବଢିଯାଇଛି ଯେ ନିର୍ବାଚନ ଯୁଦ୍ଧକୁ ସେମାନେ ଗୌଣ କରିଦେଲେଣି। ପିପିଲିର ଫଳାଫଳ ଯଦି ବିଜେପି ସପକ୍ଷରେ ନ ଗଲା, ତେବେ ଖୋଦ୍ ଆଶ୍ରିତଙ୍କୁ ମଧ୍ୟ ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ଆଉ ଥରେ ଚିନ୍ତା କରିବାକୁ ପଡିପାରେ।
ଭୁବନେଶ୍ବର ଉପକଣ୍ଠ ପିପିଲି ଉପନିର୍ବାଚନ କଂଗ୍ରେସ ନେତୃତ୍ବ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗୋଟିଏ ସୁଯୋଗ ଥିଲା। ରାଜ୍ୟ କଂଗ୍ରେସ ସଭାପତି ଏହି ସୁଯୋଗକୁ ହାତଛଡା କରିଦେଲେ। ଏହି ଗୋଟିଏ ନିର୍ବାଚନମଣ୍ଡଳୀରେ ବଳ ଲଗାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅବଶିଷ୍ଟ ୧୪୬ ନିର୍ବାଚନମଣ୍ଡଳୀରେ କମ୍ପନ ସୃଷ୍ଟି କରିବାର ଗୋଟିଏ ବଡ ସୁଯୋଗକୁ ହାତଛଡା କରିଦେଲେ। ତାଙ୍କ ନେତୃତ୍ବ ବିରୋଧରେ ଦଳର ଗୋଟିଏ ଗୋଷ୍ଠୀ ମେଳି ହେଉଥିବା ବେଳେ ସେମାନଙ୍କୁ ଜବାବ ଦେବା ସହିତ ଅବଶିଷ୍ଟ ଭାରତକୁ ବି ଶ୍ରୀ ପଟ୍ଟନାୟକ ଦେଖାଇ ପାରିଥାନ୍ତେ, କଂଗ୍ରେସ ସବୁଠି ଦୋହଲୁଛି, ପିପିଲି କିନ୍ତୁ ସଙ୍କେତ ଦେଲା ଯେ ଓଡ଼ିଶାରେ ଶାସନକୁ ସେମାନେ ଫେରିବା ସମୟ ଆସିଗଲେଣି। ହେଲେ ଏମିତି କିଛି ହେବାର ନାହିଁ। କାରଣ କଂଗ୍ରେସ ନେତାଙ୍କ ମନ୍ତବ୍ୟ ସୂଚାଇ ସାରିଲାଣି ଯେ ଦଳ ଶୋଚନୀୟ ପରାଜୟ ଧାରାରୁ ମୁକୁଳବା ସମ୍ଭାବନା କ୍ଷୀଣ। ଓଡ଼ିଶାରେ ଶାସନ କ୍ଷମତା ଦଖଲ ସ୍ଥାନୀୟ ନେତାଙ୍କ ଏଜେଣ୍ଡା ଭିତରେ ଯେମିତି ଆଉ ନାହିଁ।
ବିଜୁ ଜନତା ଦଳ ଏହି ନିର୍ବାଚନ ଜିତିଲେ ମଧ୍ୟ କୌଣସି ବାହାଦୁରି ତାଙ୍କ ପକେଟକୁ ଆଉ ଯିବନାହିଁ। କାରଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ସଫଳତାର ସହିତ ତାଙ୍କର ତୃତୀୟ ପିଢିକୁ ବି ନିର୍ବାଚନ ଜିତିବାର କୌଶଳ ବତାଇ ସାରିଲେଣି। ତିର୍ତ୍ତୋଲ ଓ ବାଲେଶ୍ବରରୁ ଏହାର ପ୍ରମାଣ ମିଳିସାରିଛି। ଏଥର ଶେଷ ପର୍ଯ୍ୟାୟରେ ନବୀନ ନିଜେ ପୂରା ନିର୍ବାଚନରୁ ଦୂରେଇ ରହି, ତାଙ୍କ ଅବର୍ତ୍ତମାନରେ ନେତାଙ୍କ ସାମର୍ଥ୍ୟ କେତେ ତାହା ଜାଣିବାକୁ ଚାହିଁଛନ୍ତି, ଯାହା ଗୋଟିଏ ଭଲ ଲକ୍ଷଣ। ହେଲେ ବିଜେଡି ପାଇଁ କିନ୍ତୁ ଆଉ ଗୋଟିଏ ସ୍ବତନ୍ତ୍ର ଆହ୍ବାନ ସୃଷ୍ଟି ହେଲାଣି। ତାହା ହେଉଛି, ବ୍ୟୟବହୁଳ ନିର୍ବାଚନ ପ୍ରକ୍ରିୟାକୁ ରୋକିବା ଲାଗି ସେମାନଙ୍କୁ ନେତୃତ୍ବ ନେବାକୁ ପଡିବ। ଲୋକେ ସରକାରର ସଫଳତାକୁ ଆଧାର କରି ନେତା ନିର୍ଣ୍ଣୟ କରନ୍ତୁ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ଗୋଟିଏ ମାପକାଠି ହେଉ। ବିକାଶକୁ ଏଜେଣ୍ଡା କରି ନିର୍ବାଚନ ଲଢାଯାଉ। ହେଲେ ଭୋଟ କୌଶଳ କିନ୍ତୁ ବଦଳିବା ଦରକାର।
ବିଜୁ ଜନତା ଦଳରେ ଏକରୁ ଆରେକ ବଳି ଯୋଦ୍ଧା ଅଛନ୍ତି। ସେମାନେ ନିଜ କ୍ୟାଡରକୁ ମଜବୁତ କରିପାରିଲେ ନିର୍ବାଚନ ଖର୍ଚ୍ଚ ରୋକିବାରେ ସମର୍ଥ ହେବେ। ନବୀନ ଏହି ଧାରା ଆରମ୍ଭ କରି ସାରା ଭାରତ ବର୍ଷ ପାଇଁ ଉଦାହରଣ ସାଜନ୍ତୁ। ଅପରାଧ ଥିବା କୌଣସି ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ନ ଦେଉ। ଲୋକଙ୍କ ନେତାଙ୍କୁ ବିଧାନସଭାକୁ ନବୀନ ଆଣନ୍ତୁ। ଏହା କେବଳ ବିଜେଡି କରିପାରିବ, ଅନ୍ୟମାନେ ନୁହେଁ, ବା ଏବେ କରିବା ଅବସ୍ଥାକୁ ଆସିନାହାନ୍ତି। ଅନ୍ୟଥା ଏମିତି ଯେତେ ଉପନିର୍ବାଚନ ଜିତିଲେ ବି ଦଳର ବିଜୟ କେବଳ ସଂଖ୍ୟା ଖାତାରେ ଯୋଡା ହେବ, ନେତାମାନେ ଦିନଟିଏ ଗଣମାଧ୍ୟମ ସାମ୍ନାରେ ଗର୍ଜିବେ ସିନା, ବିଜେଡି ବା ବିଜେଡି ମୁଖିିଆଙ୍କୁ ଆଉ ଅଧିକ କିଛି ସ୍ବୀକୃତି ମିଳିବନାହିଁ।