ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଗଜପତି ଲୋକଙ୍କ ହାତରେ ଏବେ ସ୍ବାସ୍ଥ୍ୟ କବଚ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ। ଏଥିପାଇଁ ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ଆରମ୍ଭ କରି ସେ ବହୁତ ଖୁସି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଗଜପତି ଜିଲ୍ଲାର ସ୍ବାତନ୍ତ୍ର୍ୟ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଜପତି ହେଉଛି କଳା ଓ ସଂସ୍କୃତିର ଭୂମି । ଛୋଟିଆ ଜିଲ୍ଲା ହେଲେ ମଧ୍ୟ ଆଧୁନିକ ଓଡ଼ିଶା ପାଇଁ ଗଜପତିର ଅବଦାନ ବହୁତ ବେଶୀ। ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ସେ ଥିଲେ ବିକାଶ ଓ ସ୍ବାଭିମାନ ର ପ୍ରତୀକ।ସେହିପରି କବି ଗୋପାଳ କୃଷ୍ଣ ପଟ୍ଟନାୟକ ତଥା ବିଶିଷ୍ଟ ଐତିହାସିକ ଡ. ସତ୍ୟନାରାୟଣ ରାଜଗୁରୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଗଜପତି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ମେଗା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହାସହିତ ମହେନ୍ଦଗିରି ତୀର୍ଥର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି। ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ। ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ ସିପ୍‌ କାର୍ଯ୍ୟକ୍ରମ। ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଏହାର ଶୁଭାରମ୍ଭ କରିଥିଲେ। ଏହାପରେ ସୁନ୍ଦରଗଡ, ବଲାଙ୍ଗୀରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଆଜି ଗଜପତିରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.