ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଦିନଟିଏ ବି ରଖିପାରିଲେନି ପିପିଲି ନିର୍ବାଚନ କୋଳାହଳ!

0

ନେତା , ପ୍ରବକ୍ତାଙ୍କ ଯୁକ୍ତି ଦେଖି ଓଡ଼ିଶା ତାଜୁବ୍; ଧୀରେ ଧୀରେ ମରିଯାଉଛି ରାଜନୀତିର ସ୍ବର

ବିଫଳ ହେଲେ ବିରୋଧୀ, ଅଜବ କଥା ଗଣମାଧ୍ୟମରେ ଗପିଲେ, ପ୍ରସଙ୍ଗ ଶୂନ୍ୟ ଥିଲା କି ନିର୍ବାଚନ?

ଶାସକ ଦଳ ବି ମନଇଚ୍ଛା ଗପିଲେ, ପିପିଲି ଗୁରୁତ୍ବକୁ ହାଲକା କରି ନିଜ ଦଳର ଶ୍ରେୟ ନାହିଁ ଜଣାଇଦେଲେ

ଭୁବନେଶ୍ବର: ଯେମିତି ପୂର୍ବରୁ ଆଶଙ୍କା କରାଯାଇଥିଲା, ତାହା ହିଁ ଘଟିଲା। ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୨୪ ଘଣ୍ଟା ବିତିନି, ନିର୍ବାଚନକୁ ନେଇ କୋଳାହଳ ଶେଷ। ଯେମିତି ଏହି ଉପନିର୍ବାଚନରେ ବିଜେଡିର ବିଜୟ ଗୋଟିଏ ସ୍ବାଭାବିକ ପ୍ରକ୍ରିୟା ଏବଂ ବିଜେପିର ପରାଜୟ ଧାରା ମଧ୍ୟ ଅନୁରୂପ!

କାରଣ ନିର୍ବାଚନରେ ଏମିତି କୌଣସି ଗୋଟିଏ ପ୍ରସଙ୍ଗ ବିରୋଧୀ ଦଳ ଠିଆ କରିବାରେ ସକ୍ଷମ ହୋଇନାହାନ୍ତି, ଯାହାକୁ ଆୟୁଧ କରି ସେମାନେ ବେଶ୍ କିଛି ଦିନ ସରକାରୀ ଦଳକୁ ଚାପରେ ରଖିବାରେ ସମର୍ଥ ହେବେ। ସରକାରୀ ଦଳର ଜିତାପଟ ଉପରେ ପ୍ରଶ୍ନ ଚିହ୍ନ ଆଙ୍କିବେ। ସେହିପରି ନିର୍ବାଚନରେ ଜିତାପଟ ଲାଭ କରିବା ବିଜେଡି ନେତାଙ୍କର ଯେମିତି ଦେହସୁହା ହୋଇଯାଇଛି। ସେମାନଙ୍କ ଭିତରେ ରାଜନୀତି, ବିଜୟକୁ ନେଇ ବିଶେଷ କମ୍ପନ ନାହିଁ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲଙ୍କ ମତରେ ରାଜନୀତି ପାଇଁ ଉଭୟ ପକ୍ଷର ଆଚରଣ ଓ ଉଚ୍ଚାରଣ ଆଦୌ ଗ୍ରହଣୀୟ ନୁହେଁ। ଏହା ଗୋଟିଏ ଗାଣତାନ୍ତ୍ରିକ ରାଷ୍ଟ୍ର ପ୍ରତି ଅତି ବିପଜ୍ଜନକ ସଙ୍କେତ ଦେଉଛି। ଆଗକୁ ଆଉ ନେତାଙ୍କ ଭିତରେ ସମ୍ବେଦନଶୀଳତା ଦେଖିବାକୁ ମିଳିବ ନାହିଁ। ଏମିତି ହେଲେ, ରାଜ୍ୟର ବିକାଶ ତ ବାଧାପ୍ରାପ୍ତ ହେବ, ଜନତା-ଭୋଟରଙ୍କ ମଧ୍ୟରେ ବ୍ୟବଧାନ ବଢିବ, ବିଧାନସଭାର ଗରିମା କମିବ ଏବଂ ଜଣେ ଉତ୍ତମ ରାଜନେତା ଆଉ ରାଜ୍ୟ ଭାଗ୍ୟରେ ଜୁଟିନପାରେ।

କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର। ସବୁଠି ପ୍ରଶାସନିକ ସକ୍ରିୟତା ଢେର୍ ବଢିଛି। ଏଥିପାଇଁ ଅନେକ ରାଜରାସ୍ତାରେ ଆଇଏଏସ୍, ଆଇପିଏସ୍ ବାବୁମାନଙ୍କୁ ଢେର୍ ଗାଳି ଦିଅନ୍ତି। କଥା କଥାକେ ସେମାନଙ୍କୁ ସମାଲୋଚନା କରି ବସନ୍ତି। ହେଲେ ନିରାଟ ସତ୍ୟ ହେଲା, ନେତାଙ୍କ ଭିତରେ ନେତୃତ୍ବ ନେବାର ଦକ୍ଷତା ଧୀରେ ଧୀରେ ମରିଯାଇଛି। ସେମାନଙ୍କ ଭିତରେ ସହନଶୀଳତା, ଧୈର୍ଯ୍ୟର ଅଭାବ ଯେମିତି ରହିଛି, ଠିକ୍ ଅନୁରୂପ ଭାବେ ଜ୍ଞାନ ଆହରଣ ପାଇଁ ଉତ୍ସୁକତା ଆଦୌ ନାହିଁ, ଲୋକଙ୍କ ସେବା ପାଇଁ ବି ପ୍ରତିବଦ୍ଧ ନୁହଁନ୍ତି। ସେମାନଙ୍କ ଆଚରଣ ଓ ଉଚ୍ଚାରଣ ମଧ୍ୟରେ ଦୂରତା ଏତେ ବଢିଯାଇଛି ଯେ ଚତୁର ବାବୁମାନେ ସେମାନଙ୍କ କ୍ଷମତା ଛଡାଇ ନେଇଯାଉଛନ୍ତି, ଅଥଚ ପ୍ରତିବାଦ କରିବାର ଶକ୍ତି ନେତାଙ୍କ ମଧ୍ୟରେ ନାହିଁ। ଲୋକଙ୍କ ଭିତରେ ସେମାନେ ଗ୍ରହଣୀୟତା ହରାଇଥିବା ପରିପ୍ରେକ୍ଷୀରେ ପ୍ରଶାସକମାନେ ତୁରନ୍ତ ନେତୃତ୍ବର ସ୍ଥାନକୁ ଦଖଲ କରିବାର ଗୋଟିଏ ଭ୍ରମ ସୃଷ୍ଟିରେ ସକ୍ଷମ ହୋଇଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, କୌଣସି ରାଜନେତାଙ୍କ କ୍ଷମତା ପ୍ରଶାସନିକ ଅଧିକାରୀ ଚେଷ୍ଟା କଲେ ବି ନେଇପାରିବେ ନାହିଁ। ସେମାନେ ଯେତେ ସକ୍ରିୟ ହୁଅନ୍ତୁ, କ୍ଷମତାର ଯେତେ ବ୍ୟବହାର କରନ୍ତୁ; ଗୋଟିଏ କଥା ତ ନିରାଟ ସତ୍ୟ; ତାହା ହେଉଛି ସାଧାରଣ ଲୋକଙ୍କ ଦୁଃଖସୁଖରେ ସେମାନେ ପହଞ୍ଚିବାର ଅଭ୍ୟାସ ରଖନ୍ତି ନାହିଁ।

ପ୍ରଶାସନିକ ନିୟମକାନୁନ ଭିତରେ ବିଟ୍ରିସ ଶାସନର ଛାପ ଆଜି ବି ଜଳ ଜଳ ହୋଇ ଦିଶୁଛି। ଏଣୁ ଯେଉଁ ପ୍ରଶାସନିକ ଅଧିକାରୀ ଯେତେ ଅଧିକ ବା ଶୀଘ୍ର ଲୋକପ୍ରିୟ ହୁଅନ୍ତି, ସେ ତାର ପର ମୁହୂର୍ତ୍ତରେ ସେତେ ଅଧିକ ବଦନାମ ବା ବିବାଦ ଭିତରେ ଛନ୍ଦି ହୋଇଯିବାର ନଜିର ରହିଛି। ଏହା କିନ୍ତୁ ରାଜନୈତିକ ନେତାଙ୍କ କ୍ଷେତ୍ରରେ ହୁଏ ନାହିଁ। ସବୁଠାରୁ ବଦନାମ ବା ବିବାଦ ଭିତରେ ଥିବା ନେତା ବି ପରବର୍ତ୍ତୀ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିବା, ଶାସନର କ୍ଷମତା ଉପଭୋଗ କରିବା, ଏପରିକି ମୁଖ୍ୟମନ୍ତ୍ରୀ ହେବାର ଅନେକ ନଜିର ରହିଛି।

ଏହି ପରିପ୍ରେକ୍ଷୀରେ ପିପିଲି ଉପନିର୍ବାଚନର ତାତି ମାପିଲେ, କେଉଁଠି ନା କେଉଁଠି ଧରାପଡିଯାଉଛି ଉଭୟ ବିରୋଧୀ ଓ ଶାସକ ଠିକ୍ ରାସ୍ତାରେ ନାହାନ୍ତି। ଯଦି ପିପିଲିରେ ବିରୋଧୀ ନିର୍ବାଚନ ପ୍ରସଙ୍ଗ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତେ, ତେବେ ଆଜି ତାହାକୁ ଧରି ଭୁବନେଶ୍ବର ରାଜରାସ୍ତା ଉପରେ ସେମାନେ ଲଢିପାରିଥାନ୍ତେ। ଓଲଟା ବିଭିନ୍ନ ଗଣମାଧ୍ୟମ ସାମ୍ନାରେ ଦିନତମାମ ବିଜେପି ଓ କଂଗ୍ରେସ ନେତାଙ୍କ ବିତଣ୍ଡା ଯୁକ୍ତି ସଙ୍କେତ ଦେଇଛି ଯେ ସେମାନେ ସମ୍ଭବତଃ ନିର୍ବାଚନ ପ୍ରକ୍ରିୟାରେ ସାମିଲ ନଥିଲେ ବା ଦଳର କୋର୍ କମିଟି ତାଙ୍କୁ ଶତ ପ୍ରତିଶତ ବିଶ୍ବାସକୁ ନେଇନାହାନ୍ତି। କାରଣ ଦଳର ନିର୍ବାଚନ ଲଢିବାର ରଣନୀତି ଓ ସେମାନଙ୍କର ଯୁକ୍ତି ଭିତରେ ଆକାଶପାତାଳ ଫରକ ରବିବାର ଓଡ଼ିଶା ଦେଖିଛି। ଏହା ବିରୋଧୀଙ୍କ ସମ୍ମାନ ବଢାଇଲା ନା କମାଇଲା?

ଅନୁରୂପ ଭାବେ ବିଜେଡି କେଉଁ ପରିସ୍ଥିତିରେ ନିର୍ବାଚନ ଜିତିଲା, କି ଫର୍ମୁଲା ପ୍ରୟୋଗ କରିଥିଲା, ତାହା ବିଜେଡିର ମୁଖପାତ୍ରମାନଙ୍କୁ ମାଲୁମ୍ ନାହିଁ। ବିଭିନ୍ନ ଗଣମାଧ୍ୟମରେ ସେମାନେ ଯୁକ୍ତି କରିବା ବେଳେ ସରକାର ସପକ୍ଷରେ କମ୍, ବରଂ ବିରୋଧୀଙ୍କୁ ଅଟକାଇବା ଲାଗି ଆକାଶରୁ ତୋଳି ଆଣିବା ଭଳି ପ୍ରସଙ୍ଗ ଥୋଇବା ରାଜନୈତିକ ପଣ୍ଡିତମାନଙ୍କୁ ବିସ୍ମିତ କରିଛି। କାହିଁକି ଓ କେଉଁ ପରିସ୍ଥିତିରେ ଶାସକଦଳର ମୁଖପାତ୍ରମାନେ ଠିକଣା ଢଙ୍ଗରେ ନିର୍ବାଚନ ସଫଳତା ଲୋକଙ୍କ ସାମ୍ନାରେ ରଖିବାକୁ ସକ୍ଷମ ହେଲେ ନାହିଁ, ତାହା ବିଜେଡିର ଶୀର୍ଷସ୍ତରର ନେତାମାନେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ଏଇଥିପାଇଁ ଯେ ନେତାଙ୍କର ଯୁକ୍ତି ପରୋକ୍ଷରେ ସଙ୍କେତ ଦେଇଛି ପିପିଲିରେ ନିର୍ବାଚନ ଲଢିବା ଯେମିତି ଦଳ ପାଇଁ ଆବଶ୍ୟକ ନଥିଲା। ଯଦି ନ ଲଢିବାର ସ୍ଥିତି ଥିଲା, ତେବେ ସେଥିରେ ଜିତାପଟ ଲାଭ କରିବାରେ ବିଜେଡିର କି ବାହାଦୁରି ଅଛି? ଏମିତି ଯୁକ୍ତି ରଖି ବିଜେଡି ମୁଖପାତ୍ରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି କାର୍ପଟଦାରମାନଙ୍କ ଭୂମିକାକୁ ନ୍ୟୂନ କରିବା ଲାଗି କୌଣସି ସୁଯୋଗ ଛାଡିନାହାନ୍ତି।

ସବୁଠାରୁ କୌତୂହଳର ବିଷୟ ହେଲା, ଗଣମାଧ୍ୟମରେ ନିର୍ବାଚନର ତର୍ଜମା ଏମିତି ଢଙ୍ଗରେ ହେଲା, ଯାହା ଓଡ଼ିଶା ଅତୀତରେ ଦେଖିନଥିଲା। ଯେଉଁ ଚ୍ୟାନେଲ ଯେଉଁ ରାଜନୈତିକ ଦଳ ସହିତ ଯୋଡି ହୋଇରହିଛନ୍ତି, ପ୍ୟାନେଲିଷ୍ଟମାନେ ତାହାକୁ ଲକ୍ଷ୍ୟ ରଖି ଯୁକ୍ତି ରଖିବା ଘଟଣା ରାଜନୈତିକ ମହଲରେ ଆଲୋଚନା ଭିତରକୁ ଆସିଛି। ଏହା ସଂପୃକ୍ତ ଗଣମାଧ୍ୟମର ଭୂମିକାକୁ କେବଳ ସଙ୍କୁଚିତ କରିଦେଇଛି ତା’ ନୁହେଁ, ଓଡ଼ିଶାର ରାଜନୈତିକ ଆଲୋଚନାକୁ ବାଟବଣା କରିବାରେ ଏହା ଅନେକ ସହଯୋଗ ଦେଇଛି। ଅଧିକରୁ ଅଧିକ ରାଜନୈତିକ ବିତର୍କ ନ ହେଲେ, ରାଜନୀତି ଆଲୋଚନାର ଶୀର୍ଷସ୍ତରକୁ ନ ଗଲେ ଗଣତନ୍ତ୍ର ଦୁର୍ବଳ ହେବ, ଓଡ଼ିଶାର ସାମଗ୍ରିକ ବିକାଶ ଏହାଦ୍ବାରା ପରାହତ ହେବ, ଏକଥା କେହି ଭୁଲିବା ଉଚିତ୍ ନୁହେଁ ବୋଲି ଏହି ମହଲ ଖୋଲା ମତ ରଖିଲେଣି।

Leave A Reply

Your email address will not be published.