ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

କଂଗ୍ରେସକୁ ହାଇଜାକ୍ କରିବେ କି ମମତା!

0

ନୂଆଦିଲ୍ଲୀ: ଭାରତ ରାଜନୀତିରେ ଆଜି ବି ବିଜେପି ପରେ କଂଗ୍ରେସ ହେଉଛି ଦ୍ବିତୀୟ ବୃହତ୍ତମ ଦଳ। ହେଲେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍କ୍ରିୟତା ଦଳକୁ କ୍ଷତି ପହଞ୍ଚାଇବା ସହିତ ରାଜନୀତିର ଗଣିତ ଏପଟ ସେପଟ କରିବାକୁ ବସିଲାଣି। ଦିନେ କଂଗ୍ରେସରୁ ବାହାରି ତୃଣମୂଳ କଂଗ୍ରେସ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏହି ପରିବର୍ତ୍ତିତ ରାଜନୀତିର ମୁଖ୍ୟ ସୂତ୍ରଧର ସାଜିଛନ୍ତି। କଂଗ୍ରେସ ଘର ନ ସଜାଡି ବିଗାଡୁଥିବାରୁ ନେତାମାନେ ବିଜେପି ସମେତ ଅନ୍ୟ ଦଳକୁ ଲମ୍ଫ ମାରୁଥିଲେ। ମମତା ସେମାନଙ୍କୁ ନିଜ ପାଖକୁ ଟାଣିଆଣି ବିଜେପି ବିରୋଧୀ ମଞ୍ଚକୁ ଧୀରେ ଧୀରେ ବଳ ଯୋଗାଇବା ଆରମ୍ଭ କରିଛନ୍ତି।

ଏହାର ଦୁଇଟି ଦିଗ ସଂପର୍କରେ ଏବେ ରାଜନୈତିକ ମହଲ ଚର୍ଚ୍ଚା କରୁଛନ୍ତି। ପ୍ରଥମଟି ହେଲା, ବିଜେପିର ଶକ୍ତି ବୃଦ୍ଧିକୁ ରୋକାଯାଇପାରିବ ଓ ତୃଣମୂଳ କଂଗ୍ରେସ ପ୍ରମୁଖ ରାଜନୈତିକ ଶକ୍ତି ଭାବେ ଜାତୀୟ ରାଜନୀତିରେ ଉଭା ହେବାକୁ ଯାଉଛି। କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ସୂଚାଇ ଦେଲାଣି ଯେ ସେମାନେ ବିଜେପିକୁ ନେଇ ଚିନ୍ତାରେ ଥିଲେ, ଏବେ ତୃଣମୂଳ କଂଗ୍ରେସ ବି ଅଡୁଆ ବଢାଉଛି। ଅନ୍ୟ ଗୋଟିଏ ମହଲର ତର୍ଜମା ଟିକେ ଅଲଗା। ସେମାନଙ୍କ କହିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ଟିଏମସି ସଂପର୍କରେ ସୁଧାର ଆସିବାର ସମ୍ଭାବନା ଯଥେଷ୍ଟ ଅଧିକ। ମମତାଙ୍କ ମାଧ୍ୟମରେ ମୋଦୀ କଂଗ୍ରେସ ମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଲାଗି ଯୋଜନାରେ ଅଛନ୍ତି।

ମମତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ପୁନଃ ସରକାର ସ୍ଥାପନ କରିବା ପରେ ନୂଆଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ସେତେବେଳେ ରାହୁଲ ଓ ପ୍ରିୟଙ୍କା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ହେଲେ ସମ୍ଭବତଃ ମମତାଙ୍କ ରଣନୀତି କଂଗ୍ରେସକୁ ଆକର୍ଷିତ କରୁନାହିଁ। ଏଣୁ ଏହି ଦଳ ଠାରୁ ଯେଭଳି ସମର୍ଥନ ମିଳିବା କଥା, ତାହା ମିଳିବାର ନାହିଁ ବୋଲି ଜାଣିବା ପରେ ମମତା ରାସ୍ତା ବଦଳାଇଛନ୍ତି।କଂଗ୍ରେସ ଛାଡି ଯେଉଁମାନେ ବିଜେପିକୁ ଆଉଜି ଯାଉଥିଲେ, ଏବେ ସେମାନଙ୍କୁ ମମତା ନିଜ ଘରକୁ ଟାଣି ଆଣୁଛନ୍ତି। ମେଘାଳୟର ୧୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ତୃଣମୂଳ କଂଗ୍ରେସ‌ (ଟିଏମ୍‌ସି)ରେ ମିଶିବା ପରେ ଏଠାରେ କଂଗ୍ରେସର ଦୁର୍ଗ ଏକପ୍ରକାର ପତନ ହୋଇଛି। ଏହି କ୍ରମରେ ମମତା ଗୋଆ ଠାରୁ ଆରମ୍ଭକରି ଅନ୍ୟ ରାଜ୍ୟରେ ବି ନିଜର ଶକ୍ତି ବଢ଼ାଇବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ସେପଟେ ଏହି ଘଟଣାକୁ ଅତି ସହଜରେ ନେଇପାରୁନାହିଁ କଂଗ୍ରେସ। ଦଳର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ମୁହଁ ଖୋଲି କହିଛନ୍ତି ଯେ କେବଳ ମେଘାଳୟ ନୁହେଁ, ସମଗ୍ର ଉତ୍ତର ପୂର୍ବ ଭାରତରେ କଂଗ୍ରେସକୁ ଭାଙ୍ଗିବା ପାଇଁ ଗୋଟିଏ ବଡ଼ ଧରଣର ଷଡ଼୍‌ଯନ୍ତ୍ର ରଚନା କରାଯାଇଛି। ବୁଧବାରର ଘଟଣା ପରେ ମେଘାଳୟରେ କଂଗ୍ରେସ ଆଉ ମୁଖ୍ୟ ବିରୋଧୀ ଦଳ ହୋଇ ରହିନାହିଁ। କଂଗ୍ରେସର ସ୍ଥାନ ତୃଣମୂଳ କଂଗ୍ରେସ ନେଇଯାଇଛି।

ଅଧୀର ବିଳି ବିଳେଇବା ବି ଆରମ୍ଭ କଲେଣି। ସେ କହିଛନ୍ତି, ମମତାଙ୍କ ଦମ ଥିଲେ, ସେ ତାଙ୍କ ସମର୍ଥନରେ ନେତାମାନଙ୍କୁ ଜିତାଇ ତାପରେ ନିଅନ୍ତୁ। କିନ୍ତୁ ସୋନିଆଙ୍କ ନେତୃତ୍ବରେ ଜିତିଥିବା ନେତାଙ୍କୁ ନେଇ ସେ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି। ସେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବା ବେଳେ ଆହୁରି କହିଛନ୍ତି ଯେ ମମତା ଯଦି ଏଥର ଦିଲ୍ଲୀ ଗସ୍ତ ସମୟରେ ସୋନିଆଙ୍କୁ ଭେଟିଥାନ୍ତେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଗିଥାନ୍ତେ। ଏଣୁ ମମତା ଏହି ଭେଟଘାଟରୁ ଦୂରେଇ ରହୁଛନ୍ତି।

କେବଳ ସେତିକି ନୁହେଁ, ଶ୍ରୀ ଚୌଧୁରୀ କହିଛନ୍ତି ଯେ ମମତାଙ୍କ ପୁତୁରା ଅଭିଷେକଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ କରିବା ପରେ ଏବେ ଟିଏମସି ଆଚରଣରେ ବଡ ପରିବର୍ତ୍ତନ ଆସିଛି। ସେମାନେ ବିଜେପିର କ୍ଷତି କରିବାକୁ ଚାହୁଁନାହାନ୍ତି, ବରଂ କଗ୍ରେସ ଗଡକୁ ଦୁର୍ବଳ କରୁଛନ୍ତି। ପୂର୍ବରୁ ମୋଦୀଙ୍କ ବିରୋଧରେ ଏକାଠି ଲଢ଼ିବା ପାଇଁ ମମତାଙ୍କ ଚିଠି ଉପରେ ବି ପରୋକ୍ଷରେ ସନ୍ଦେହ ବ୍ୟକ୍ତ କରିଛନ୍ତି ଅଧୀରରଂଜନ। ମେଘାଳୟରେ ଯା‌ହା କିଛି ଘଟିଛି ତାହା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ ‌ନିକଟରେ ଟିଏମସିରେ ମିଶିଥିବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫେଲେୟରୋଙ୍କର ହାତ ଅଛି ବୋଲି ଚୌଧୁରୀ ଅଭିଯୋଗ କରିଛନ୍ତି।

ଏପଟେ ମମତା ବି ଚୁପ ବସିବା ସ୍ଥିତିରେ ନାହାନ୍ତି। ସେ ଏହାର ତୁରନ୍ତ ଉତ୍ତର ଦେଇଛନ୍ତି। ମମତା କହିଛନ୍ତି, ଚଳିତ ଥର ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଚଳିତ ଥର କେବଳ ସମୟ ନେଇଥିଲି। ପ୍ରତ୍ୟେକ ଥର ସୋନିଆ ଗାନ୍ଧିଙ୍କୁ କାହିଁକି ଭେଟିବି?

Leave A Reply

Your email address will not be published.